ଅମର ଶହୀଦ ଜବାନ
ଅମର ଶହୀଦ ଜବାନ
ଚାହିଁଛି ସଜଳ ନୟନ, ସେ ସୁଦୂର ପଥ,
କୋହଭରା ବୁକୁରେ ଭରିଛି ଆଶା ଅନେକ,
ଆସିବ ଫେରି ତା ଅନ୍ଧର ଲଉଡି, ବିଶିକେଶନ,
କହି ସେ ଯାଇଛି , ଆସିଲେ ଫେରି ,ଖାଇବ ମାଁ ହାତ ରନ୍ଧା ଭାତ ।
ବିତି ଯାଏ ଦିନ , ଫେରୁନି ତା କୋଳର ନନ୍ଦନ,
ଯାଇଛି ସେ ଯେଉଁ ପଥେ, ସେ ଯେ ଅଫେରା ପଥ,
ମାଁ ଆଖି ଯେ ପାରେ ନାହିଁ ଦେଖି ସେଇ ସୁଦୂର ପଥ,
ସେଇ ସେ ଅଫେରା ପଥ, ଯେ ପଥେ ଯାଇଛି ତା ସନ୍ତାନ,
ଲହୁ ରେ ରଂଗେଇ ମାଁ ମାଟି ବକ୍ଷ,
ହୋଇଛି ସିଏ ଅମର ଶହୀଦ ଜବାନ ।
ପାଦରେ ଅଳତା, ମଥାରେ ସିନ୍ଦୂର ,
ଲିଭିନି ହାତର ମେହେନ୍ଦି ରଂଗ,
ପ୍ରିୟ ପାଇଁ ହୁଏ ତା ପ୍ରାଣ ଆକୁଳ ,
ନବ ବଧୂ ଖୋଜେ ତା ସ୍ନେହ ପରଶ,
ଶୁଭେ ଖାଲି ବତାସେ ତା ଦୀର୍ଘ ଶ୍ବାସ,
ପରତେ ଯାଏନି, ଫେରିବନି ଆଉ ପ୍ରିୟ ତାର ,
ରକ୍ତରେ ଲେଖିଛି କାହାଣୀ ତା ବଳିଦାନ,
କରିଛି ମୃତ୍ଯୁ କୁ ଆଲିଙ୍ଗନ ,ମାଁ ମାଟିର ସେ ବୀର ସନ୍ତାନ,
ସିଏ ଯେ ଅମର ଶହୀଦ ଜବାନ ।
ଏ ମାତୃଭୂମି ର ତୁମେ ହେ ବୀର ସନ୍ତାନ,
ବୀର ପ୍ରସବିନୀ ମାତା ଆଜି ହେଇଛି ଧନ୍ଯ,
ମାଁ ମାଟି ବୁକେ ଆଜି ତୁମ ଜୟ ଗାଥା ଲିପିବଦ୍ଧ,
ହେ ବୀର ଶହୀଦ ଜବାନ, ତୁମକୁ ଶତ ଶତ ନମନ।