ବସିଛିରେ ତୋତେ ଚାହିଁ
ବସିଛିରେ ତୋତେ ଚାହିଁ
ପ୍ରେମ ପ୍ରଣତି - ୮୫
କଜଳ ନାଇ ମୁଁ ସଜଳ ନୟନେ
ବସିଛି ରେ ତୋତେ ଚାହିଁ,
ପାଦରେ ଅଳତା ସୀମନ୍ତେ ସିନ୍ଦୂର
ସବୁ ଯେ ତୋହରି ପାଇଁ।
ଏପଟେ ଗାଉଛି କୁହୁକୁହୁ ସ୍ଵରେ
ଫୁଲେଇ ହୋଇ କୋଇଲି,
ସେପଟରୁ ମଲ୍ଲୀ ମହକ ବାସୁଛି
ତୁ ତ ଆସିବୁ ବୋଲି।
ଗଭାର ଗଜରା ଛଟିକି ପରାୟେ
ଚାହିଁଛି ତୋହରି ପଥ,
ତୋ ଦେହ ବାସ୍ନାରେ ପୁଲକିତ ହୁଏ
ମୋର ଏ ଜୀବନ ରଥ।
ରଥ ପଥ ସବୁ ଏକାକାର ହେବେ
ଅପେକ୍ଷା ସେ ସୁଦିନକୁ,
ସଜବାଜ ହୋଇ ଚାତକ ପରାୟେ
କର୍ଣ୍ଣ ଡେରନ୍ତି ଶ୍ରୀ ପଦକୁ।
ମନ ଅଗଣାରେ ବିଛେଇ ଦେଇଛି
କେତେ ପାରିଜାତ ଫୁଲ,
ତୋ ଶ୍ରୀ ପଦ ରେଣୁ ବାଜି ମୋ ଅଗଣା
ହୋଇଯିବ ଝଲମଲ।
ମୋ ହୃଦ ମନ୍ଦିରେ ଜଳାଇ ଦେଇଛି
ଅଖଣ୍ଡ ପ୍ରଦୀପ ଜ୍ୟୋତି,
ସବୁ ପାପ ତାପ କଳୁଷ ହଟାଇ
କରିଦେବୁ ମହାସତୀ।
ସାତ ଜନମର ସାଥୀ ହୋଇଯିବି
ନ ଥିବ କାହାକୁ ଭୀତି,
ଧନ୍ୟ ହୋଇଯିବ ମୋର ଏ ଜୀବନ
ରଖିବି ହୃଦେ ସାଇତି।
ପ୍ରୀତି ଉପହାର ରଖିଛି ସମ୍ପାଦି
ବୋଳିବି ଶ୍ରୀ ଅଙ୍ଗ ସାରା,
ମଧୁରେ ମଧୁରେ ମଧୁମୟ ଆଉ
ପୁଲକିତ ହେବ ଧରା।
ପ୍ରଣତି ମହାପାତ୍ର
ବାଲେଶ୍ଵର