ଦାରୁବ୍ରହ୍ମ
ଦାରୁବ୍ରହ୍ମ
ମହୋଦଧି ତୀରେ ବଡଦେଉଳରେ
ରତ୍ନ ସିଂହାସନେ ଉଭା
ଦାରୁବ୍ରହ୍ମ କମନୀୟ କାନ୍ତି ଚତୁର୍ଦ୍ଧା ମୂରତି
ଝଲମଲ ରୂପ ଆଭା ।।
ଭାଇ ଭଉଣୀଙ୍କ ମେଳରେ ଶୋଭିତ
ତତ୍ତ୍ଵଦର୍ଶୀ ପରଂବ୍ରହ୍ମ
ହାତ ଗୋଡ ନାହଁ ଚକା ଚକା ଆଖି
ସୁଦର୍ଶନ ଦାରୁବ୍ରହ୍ମ ।।
ସେ ଚକାଆଖିରେ ଜଗତ ଦେଖୁଛୁ
ଜଗବନ୍ଧୁ ପ୍ରାଣ ସିନ୍ଧୁ
ଜଗତର ଦୁଃଖ ହରିବା ପାଇଁ କି
ନାମ ତୋର ଦୁଃଖ ବନ୍ଧୁ ।।
ନୀଳଚକ୍ର ତୋର ଶାନ୍ତି ର ପ୍ରତୀକ
ନେତ ଉଡେ ଫରଫର
ପତିତପାବନ ହେ ଚକାନୟନ
ଭକ୍ତି ର ତୁ ସରୋବର ।।
ଯୁଗେ ଯୁଗେ ତୁହି ଅବତାର ନେଉ
ଧର୍ମ ସଂସ୍ଥାପନା ଅର୍ଥେ
ଦୁଷ୍ଟକୁ ସଂହାରୀ ଶିଷ୍ଟ ପାଳନରେ
ଯାତନା ନେଉଛୁ କେତେ ।।
ସତ୍ୟ ଯୁଗରେ ତୁ ନାରାୟଣ ରୂପେ
ଚକ୍ରଧର ନାମ ନେଲୁ
ଚକ୍ର ପେଶି ନକ୍ର ନାଶକଲୁ
କେତେ ଲୀଳା ଆବୋରିଲୁ ।।
ଦ୍ବାପର ଯୁଗରେ କୃଷ୍ଣ ଅବତାରେ
କଂସାସୁର କଲୁ ହତ
କାଳୀୟ ଦଳନ ହେ ମନମୋହନ
ଗୋପାଙ୍ଗନା ମେଳେ ରତ ।।
ତ୍ରେତୟା ଯୁଗରେ ରାମ ଅବତାରେ
ଦଶାନନ କଲୁ ବଧ
ଦଶରଥ ସୁତ ମର୍ଯ୍ୟାଦାପୁରୁଷ
ଅଯୋଧ୍ୟାର କୁଳ ବୁଦ୍ଧ ।।
ଏ କଳି ଯୁଗରେ ଦାରୁବ୍ରହ୍ମ ରୂପେ
ଜଗନ୍ନାଥ ନାମ ନେଲୁ
ଭକତଙ୍କ ମେଳେ ରଥାରୂଢ ହୋଇ
ଗୁଣ୍ଡିଚା ମନ୍ଦିର ଗଲୁ ।।
ମାଉସୀ ମା' ର କୋମଳ ପରଶ
ପୋଡପିଠା ପଣା ଯେତେ
ବାହୁଡିଲୁ ଯେବେ ନୀଳ କନ୍ଦରକୁ
ନୟନେ ଲୋତକ କେତେ ।।
ସତ୍ୟ ସନାତନ ହେ ସଚ୍ଚିଦାନନ୍ଦ
ଭକତ ପ୍ରାଣ ବଲ୍ଲଭ
ହେ ହିରଣ୍ମୟ ହେ ଚୈତନମୟ
ଭକ୍ତି ତୋ କେତେ ଦୁର୍ଲଭ ।।
ଭକ୍ତ ସାଲବେଗ ନୁହେଁ ମୁଁ କାଳିଆ
ନୁହେଁ ଭକ୍ତ ପ୍ରହଲ୍ଲାଦ
ଦାଶିଆ ବାଉରୀ ହୋଇକି ପାରିବି
ଥାଉ ପଛେ ଟିକେ ଭାବ ।।
ଚନ୍ଦନ କସ୍ତୁରୀ ବାସୁ ମହମହ
ଗଳାରେ ଦୟଣା ମାଳ
ସୃଷ୍ଟି ତୁ ସ୍ରଷ୍ଟା ତୁ ପୁଣି ଆଦି ଅନ୍ତ
ଏ ଜଗତ ଆଦିମୂଳ ।।
ଶରତ କୁମାର ଦାସ