ଅଭିଳାଷ
ଅଭିଳାଷ
ଗୁଳ୍ମ ହୋଇ ତୁମ ଚରଣରେ ଥିବି
ପଡୁ ପଡୁ ପଡିଥିବି ।
ମହାଦ୍ରୁମର ମୁଁ ସ୍ବପ୍ନ ଦେଖିବିନି
ମହାଭିକ୍ଷୁ ବରଂ ହେବି ।।
ମହାଭିକ୍ଷୁ ହୋଇ ଭିକ୍ଷା ନେଇନେଇ
ଶରଣାର୍ଥୀ ଶ୍ରୀଚରଣେ ।
ପତିତପାବନୀ ନାମରେ ବ୍ରହ୍ମଶ୍ରୀ
ସେବୁଥିବି ଅନୁକ୍ଷଣେ ।।
ତୁମେ ମହା ବ୍ରହ୍ମ ବ୍ରହ୍ମାଣ୍ଡ ଈଶ୍ୱର
ମୁଁ ଛାର ଦୁଃଖୀ ବ୍ରାହ୍ମଣ ।
ତୁମ ଛତ୍ରଛାୟା ମୋର କଳ୍ପକାୟା
ମୁଁ ପରା ସ୍ୱୟଂ ନିର୍ଗୁଣ ।।
ନିର୍ଗୁଣ ମୁଁ ସତ ତୁମରି ଗୁଣର
ଛିଟା ଟିକେ ପାଇଅଛି ।
ସେଇଥିପାଇଁ ତ ନିର୍ଗୁଣେ ନିର୍ଗୁଣେ
ଗୁଣିଆନ ସାଜିଅଛି ।।
ନିଜ ଗୁଣ ନିଜେ କିଅବା ଗାଇବି
ତୁମକୁ କିସ ଅଜଣା !
ଆହେ ଦିବ୍ୟଜ୍ଞାନ ପରମ ନିର୍ବାଣ
ଅସୀମ ତୁମ କରୁଣା ।।
ପର୍ବ ପର୍ବାଣୀର ଆହେ ସୂତ୍ରଧର
ଓଡ଼ିଆଙ୍କ ଅଭିମାନ ।
ଓଡ଼ିଆ କାହିଁକି ସମଗ୍ର ବିଶ୍ୱର
ସର୍ବଶ୍ରେଷ୍ଠ ସ୍ୱାଭିମାନ ।।
ହେ ଜଗତ ନାଥ ମୁଁ ମାତ୍ର ପତିତ
ବନ୍ଦୀ ତୁମ ବନ୍ଦନାରେ ।
ନେତ୍ରରେ ନେତ୍ରରେ ତୁମ ଶ୍ରୀକ୍ଷେତ୍ରରେ
ଖୋଜୁଥାଏ ଅନ୍ତରରେ ।।
ଖୋଜି ପାଇଥାଏ ପାଇ ମଜ୍ଜିଥାଏ
ତୁମ ଗୀତ ଗୋବିନ୍ଦରେ ।
ସେ ଗୀତ ଗୋବିନ୍ଦ ପରମ ଆନନ୍ଦ
ମିଳେ ଥିଲେ ସୌଭାଗ୍ୟରେ ।।