କିଶୋରପଣରେ ପହିଲି ପୁଲକ
କିଶୋରପଣରେ ପହିଲି ପୁଲକ
କିଶୋରପଣରେ ପହିଲି ପୁଲକ
ଆଭାକାନ୍ତ ମହାନ୍ତି
କିଶୋରପଣରେ ପହିଲି ପୁଲକ
ପହିଲି ନୟନ ଭାଷା
ପହିଲି ସପନ, ପହିଲି ପ୍ରଣୟ
ପହିଲି ମିଳନ ନିଶା । ୦ ।
ଭୁଲିହେବନାହିଁ ଜୀବନଟା ସାରା
ମାରୁ ବି ସମୟ ଯେତେ ପଇଁତରା
ଶିରିଶିରି ଶତ ସୁଖର ସାରଣୀ
ସାରୁ ସହସ୍ରରେ କରି ଖିନିଭିନି
ଭୁଲି ନୁହେଁ କେବେ ସଂସାର ଜଞ୍ଜାଳେ
ବେଦନାର ଚଉତିଶା । ୧ ।
କିଶୋର ବେଳର ସେଇ କଷି କଥା
ବୁଣିଥିଲା ଯେଉଁ ହୃଦୟେ ମମତା
ଶୁଖିଥାଉ ଆଜି ସୁଖର ସନ୍ଧାନେ
ବଳି ପଡୁଥାଉ ବୟସ ବିଧାନେ
ଏକାକୀ ଅନ୍ତର ସାଥୀଟିଏ ସେହି
ଜୀବନର ପରିଭାଷା । ୨ ।
ଯେତେ ଅହଂକାର ଯେତେ ଅଭିମାନ
ଯେତେ ନିନ୍ଦା, ସ୍ତୁତି, ଯେତେ ଗୁଣଗାନ
ସକଳ ସାମର୍ଥ୍ୟ ଯେବେ ହେବ ବ୍ୟର୍ଥ
ତେବେ ବୁଝିହେବ ଜୀବନର ସତ୍ୟ
ବୁଦ୍ଧି ବ୍ୟତିବ୍ୟସ୍ତେ ସେ ପହିଲି ସ୍ମୃତି
ବତାଇବ ଦିବ୍ୟ ଦିଶା । ୩ ।
ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****