ନବରାତ୍ରିରେ ନବଦୁର୍ଗା
ନବରାତ୍ରିରେ ନବଦୁର୍ଗା
ଶରତ ଋତୁରେ ଆଶ୍ଵିନ ମାସରେ
ଆସନ୍ତି ମା'ଦଶଭୁଜା,
ଦୁର୍ଗତିନାଶିନୀ ମହିଷା ମର୍ଦ୍ଦିନୀ
ଉଡାଇ ବିଜୟ ଧ୍ବଜା ।
ନବଦୁର୍ଗା ରୁପେ ନଅଟିବେଶରେ
ହୋଇଥାନ୍ତି ଦେବୀ ଉଭା,
ପ୍ରଥମ ଦିବସେ ଶୈଳପୁତ୍ରୀ ରୂପେ
ଆଦିଶକ୍ତି ଚାରୁ ଆଭା ।
ଦ୍ଵିତୀୟ ଦିବସେ ବ୍ରହ୍ମଚାରିଣୀ ସେ
ତପସ୍ୱିନୀ ତେଜ ଭଳି,
ଏକହସ୍ତେ ତାଙ୍କ କମଣ୍ଡଳୁ ଥାଉ
ଅନ୍ୟ ହସ୍ତେ ଜପା ମାଳି ।
ଚନ୍ଦ୍ରଘଣ୍ଟା ବେଶେ ତୃତୀୟ ଦିବସେ
ଅସ୍ତ୍ର ଶସ୍ତ୍ର ସୁସଜ୍ଜିତା,
ସିଂହବାହିନୀ ସେ ଦୁଷ୍ଟ ସଂହାରିଣୀ
ଦଶଭୁଜା ଦୁର୍ଗା ମାତା ।
ଚତୁର୍ଥ ଦିନରେ କୁଷ୍ମାଣ୍ଡା ନାମରେ
ଅଷ୍ଟ ଭୁଜ ଦେବୀଙ୍କର,
ହସ୍ତେ କମଣ୍ଡଳୁ ଅମୃତ କଳସ
ଗଦାମାଳି ଧନୁଚକ୍ର ।
ପଞ୍ଚମ ଦିବସେ ସ୍କନ୍ଦମାତା ସେଯେ
ପୁତ୍ର ଯେଣୁ କାର୍ତ୍ତିକେୟ,
କୋଳରେ ସ୍କନ୍ଦଙ୍କୁ ଧରିଥିଲେ ମାତ
ଧରାଲାଗେ ସୁଧାମୟ ।
ଷଷ୍ଠ ଦିବସରେ ମାତା କାତ୍ୟାୟନୀ
ବିଶ୍ବାସେ ରହିଛି ଶକ୍ତି,
କୁଆଁରୀ ପୂଜନ୍ତି ବରପାତ୍ର ପାଇଁ
ଜଗାଇ ହୃଦୟେ ଭକ୍ତି ।
ସପ୍ତମ ଦିବସେ କାଳରାତ୍ରୀ ପୁଣି
ତ୍ରିନେତ୍ର ଧାରିଣୀ ମୁଖ,
କଳା ବର୍ଣ୍ଣ ଦେହ ଗର୍ଦଭ ଆରୁଢା
ଚତୁର୍ଭୁଜା ରୂପରେଖ ।
ଅଷ୍ଟମ ଦିବସେ ନାମ ମହାଗୌରୀ
ବୃଷଭ ବାହିନୀ ମାତା,
ଡମ୍ବରୁ ତ୍ରିଶୂଳ ଧାରଣ କରିଣ
ଶ୍ବେତବସ୍ତ୍ର ପରିହିତା ।
ନବମ ଦିବସେ ସିଦ୍ଧିଦାତ୍ରୀ ରୂପେ
ପଦ୍ମସନା ଚତୁର୍ଭୁଜା,
ଶଙ୍ଖ,ଚକ୍ର, ଗଦା ସାଥିରେ କମଳ
ଧରି ପାଉଥାନ୍ତି ପୂଜା ।
ଅଧର୍ମ ଉପରେ ଧର୍ମର ବିଜୟ
ଅସତ୍ୟ ଉପରେ ସତ୍ୟ,
ବିଘ୍ନବିନାଶିନୀ ଆରତ ନାଶିନୀ
ଶକ୍ତିପ୍ରଦାୟିନୀ ମାତ ।
ଅଧମ, ଅଜ୍ଞାନ ତୋର ଏ ସନ୍ତାନ
ଭାବର ଭରିଛି ଭକ୍ତି,
ଜଗତର ମାତ କରେ ଦଣ୍ଡବତ
ଆଶ୍ରିତା ମୁଁ ଆଦ୍ୟାଶକ୍ତି ।
