ସୂକ୍ଷ୍ମ ଦେହେ ହେବ ଦେଖା
ସୂକ୍ଷ୍ମ ଦେହେ ହେବ ଦେଖା
ଛାପି ରଖିଥିଲି ପ୍ରତିବିମ୍ବ ତୁମ
ଗଭୀର ଅନ୍ତରେ ମୋର,
ସ୍ଫଟିକ ବିନ୍ଦୁ କି ପାହାନ୍ତିଆ ତାରା
ଆକର୍ଷି ରଖେ ଏ ଡୋର ।
ବହଳ ନିଦର ସବୁଜ କ୍ଷେତରେ
ଦେଖାଦିଅ ବାରମ୍ବାର,
ପଡୁଛି ଉଛୁଳି ନପାରେ ଆସ୍ବାଦି
ଅଧରଅମୃତ ଧାର ।
ଯୁଗାନ୍ତରେ କିବା ଆସିଛ ମୋହିନୀ
ଅଳକାସୁନ୍ଦରୀ ସାଜି,
ବିରହ ବେଦନା ଖାଇ ଯାଉଅଛି
ଚନ୍ଦ୍ରମଲ୍ଲିକା ଗୋ ଆଜି ।
ଦୁଷ୍ମନ୍ତଙ୍କ ପୁରେ ଶକୁନ୍ତଳା ତୁମେ
ଲଙ୍ଘି ପ୍ରୀତି ପାରାବାର,
ଏତେ କାଳାନ୍ତରେ ଫେରି କି ଆସିଛ
କରିବାକୁ ଅଙ୍ଗୀକାର ?
ଦ୍ବିଧା ସଙ୍କଟରେ ମଳିନ ଗୋଧୂଳି
ମାନସେ ମୋ ଥିଲା ଘୋଟି,
ଆସ ସଖୀ ଆସ ବ୍ୟାକୁଳ ମୁଁ ତୁମ
ବାହୁରେ ଯିବାକୁ ଲୋଟି ।
କେତେ ବାଟେ ଆଉ ମୃତ୍ୟୁସିନ୍ଧୁ କୁହ
ସନ୍ତରି ହୋଇବା ପାର,
କହିଦିଅ ଥରେ ଦେହାତ୍ମା ଆସକ୍ତି
ନାହିଁ ଆଉ ଦରକାର ।
ଅପାର ଆବେଶେ ପରାକ୍ରମ ବହି
ଡେଇଁବି ଲକ୍ଷ୍ମଣ ରେଖା
ସ୍ଥୂଳ ଜଗତରୁ ଅନ୍ତରୀକ୍ଷେ ଯିବା
ସୂକ୍ଷ୍ମ ଦେହେ ହେବ ଦେଖା ।