ମୁଦ୍ରିତ ଠାଣି
ମୁଦ୍ରିତ ଠାଣି
ପଚାରେ ପ୍ରଦୃପ୍ତ ପ୍ରଦିଗ୍ଧ ଚନ୍ଦନ
ପ୍ରତ୍ୟୁତ୍ତର ଦିଅ କଳାଜହ୍ନ
ପାହାନ୍ତି ପ୍ରହରେ ପହଡ ଭାଙ୍ଗିଲ
ପ୍ରେୟସୀ କେ ନିଦ୍ରା କଲା ଭଗ୍ନ ।
ନୟନ ପଲକ ନୈତିକ ସେବାରେ
ନେପଥ୍ୟୁ ନିଷ୍ଠୁର କଲା ଘାତ
ନିଷ୍ପେଶିତ ହେଲେ ନିଷ୍ପାଦିତ ନିଦ୍ରା
ନିର୍ଲଜ ସାଜିଲା ଏ ନିଶୀଥ ।
କମ୍ପିତ ଶରୀରେ କହେ ବଂଶୀଧାରୀ
କିଏ ସେ ରମଣୀ ଝୁରେ ମୋତେ
କୋଠରୀ ଭିତରୁ କାହ୍ନୁ କାହ୍ନୁ ବୋଲି
କୁହୁଳି ଉଠୁଛି ପ୍ରେମ ଯେତେ ।
କମଳ ବଦନୀ କଟି ତରଙ୍ଗିଣୀ
କପୋଳ ଶତପତ୍ର ପାଖୁଡା
କବରୀ ବାନ୍ଧିଛି କଳାମେଘ କେଶେ
କୁହୁକ ଚାନ୍ଦିନୀ ତା ମୁଖୁଡା ।
ମୋହିନୀ ମାନିନୀ ମନେ ପ୍ରେମ ଭରି
ମତୁଆଲା ମୋର ନାମ ଧରି
ମତ୍ତନାଗ ଜେହ୍ନେ ମଦିରା ପିଇଣ
ମତି ହାରେ ନୃତ୍ୟେ ଘୁରି ଘୁରି ।
ମୁଦ୍ରିତ ତା ଠାଣି ମଦନ ମୋଦକ
ମୋ ପ୍ରାଣେ ସଞ୍ଚରି ଗଲା ସତେ
ମଦ୍ୱଚନ ମନ ମାନେନା ଏସନ
ମଧୁକର ରୂପେ ଚାହେଁ ମୋତେ ।
ପ୍ରଶାନ୍ତ ଚିତ ରେ ପ୍ରାଣ ଭକ୍ତି ଭରେ
ପ୍ରଶସ୍ତି କୀର୍ତ୍ତନ ନିଜ ଠାରେ
ପାହିବା ଆଗରୁ ପାହାନ୍ତି ପ୍ରହର
ପ୍ରସରିବି କିବା ତା ସଙ୍ଗରେ ।
ଭକତି ଶୃଙ୍ଗାର ଭିଆଣ କେ କଲା
ଭାବୋଦ୍ଦୀପନ ତା ଅଙ୍ଗେ ଅଙ୍ଗେ
ଭାଳି ଭାଳି ଚିତ ଭାରାକ୍ରାନ୍ତ ହୁଏ
ଭାସିଯାଇ ତାର ଭକ୍ତି ରଙ୍ଗେ ।
ଏକାଧିପତି ମୁଁ ଐଶ୍ବର୍ଯ୍ଯ ମୋ ଠାଣି
ଏକାଧାରେ ପ୍ରେମ ଠାଣି ଚୋର
ଏ ପ୍ରିତି ବାୟାଣୀ ମୁଦ୍ରିତ ତା ଠାଣି
ଏ କ୍ଷଣେ ପୋଛିଲା ଯଶ ମୋର ।
ଧନ୍ୟ ତୋର ଭକ୍ତି ଧ୍ୟାନର ଶକତି
ଧ୍ୱଜା ବାହିବ ତୋ ଭକ୍ତି ମୀରା
ଧ୍ୱଂସିତ ସମାଜେ ଧୋରଣିଟେ ହୋଇ
ଧରଣୀ ରେ ହେବୁ ଅପାଶୋରା ।