ରଜନୀ,ତୁ ନିଶିଗନ୍ଧା
ରଜନୀ,ତୁ ନିଶିଗନ୍ଧା
1 min
1.9K
ଆକାଶକୁ ଠାରି
ମାଗିଲି ମାଣିକ
ମୁଠାଏ ମମତା
ଅଜାଡି ଦେଲା ।
ସାଗର କୋଳରେ
ଖୋଜିଲି ଶାମୁକା
ଚେନାଏ ସପନ
ଦେଖାଇ ଦେଲା ।
ଜହ୍ନକୁ ମାଗିଲି
ତା'ଦେହ କଳଙ୍କ
ଜୋଛନାରେ ମୋତେ
ଭିଜେଇ ଦେଲା ।
ତାରା କୁ କହିଲି
ଦୀପାଳି ହେବାକୁ
ପୁଲକେ ମୋ'ମନ
ଚହଲି ଗଲା ।
ରଜନୀ ରାଣୀକୁ
ପଚାରିଲି ଧୀରେ
କୁହ ତୁ କାହିଁକି
ନୀରବି ଅଛୁ ।
ରଜନୀ ଗନ୍ଧାର
ଫିକା ପଗୁଣକୁ
ନିଜ ପଣତରେ
ଲୁଚାଉ ଅଛୁ ।
ରଜନୀ ହସିଲା
କୁହକେ କହିଲା
"ପ୍ରକୃତି ପଣତେ
ମୁଁ ନିଶିଗନ୍ଧା ।"
"ରୂପରେ ସିନା ମୁଁ
ଘୋର ଅମାବାସ୍ୟା
ଗୁଣରେ ପ୍ରକୃତି
ନିୟମେ ବନ୍ଧା ।"
"ତିମିର ପଣେ ମୁଁ
ଅଭିଶପ୍ତ ସିନା
ଦୁନିଆଁ ଦୁଆରେ
ଆଲୋକ ଆଣେ ।"
ଅନ୍ଧାର ନଥିଲେ
ଆଲୋକ ଅସତ୍ୟ
ଜଗତ ଥା'ନ୍ତା କି
କିଏ ବା ଜାଣେ !
ସୁଖ ଆଉ ଦୁଃଖ
ହସ ଅବା କାନ୍ଦ
ଜୀବନ ମରଣ
ପରିପୁରକ ।
ହେ ମଣିଷ ଭାଇ
ଏମାନଙ୍କୁ ନେଇ
ବଞ୍ଚିବାକୁ ହେବ
ଜୀବନ ଯାକ ।