ଶୈଶବର ଜଳକେଳି
ଶୈଶବର ଜଳକେଳି
ମନେପଡେ ଶୈଶବର ଗ୍ରାମ୍ଯ ଅନୁଭୂତି
କେତେ ସରଳ ସହଜ ସ୍ନେହବୋଳା ଶାନ୍ତି ।
ବୋଉର ମମତା ବୋଳା ଆଦର ସୋହାଗ
ବାପାଙ୍କ ଶାସନ ଡୋରି ପିଠି ପଟେ ଦାଗ ।
ତଥାପି ସାଂଗ ମେଳରେ ମଉଜ ଅସୀମ
କାଟେ ନାହିଁ ବର୍ଷା ଶୀତ ହେଉ ଅବା ଗ୍ରୀଷ୍ମ ।
ଜାମୁ କୋଳି କେନ୍ଦୁ ଆମ୍ବ ପିଜୁଳି ଆଶାରେ
ବାଡି ବଗିଚାରେ ପଶି ଧରା ପଡିବାରେ ।
ନଦୀ ପୋଖରୀରେ ଜଳକେଳିର ମଉଜ
ଏତେ ଡିଆଁ କୁଦା କିଛି ନଥାଏ ଦରଜ ।
ଆଖି ପଡିଯାଏ ନାଲି ଦେହ ହୁଏ ଛେତା
ତଥାପି ମନ ବୁଝେନା ନଥାଏ ତ ଚିନ୍ତା ।
ଜଣେ ଡିଏଁ ଆନ ଉପରକୁ ଅନାୟସେ
ଗଡାଗଡି ଭିଡାଭିଡି କାନେ ପାଣି ପଶେ ।
ବେଳ ଉଛୁର ହେବାରୁ ବାପାଙ୍କର ରଡି
ଶୁଣି ଧାଇଁଲେ କିହେବ ହାତେ ବେତ ବାଡି ।
ଆଣ୍ଠେଇ ଆଣ୍ଠେଇ ଘରଯାକେ ଗତି କରୁ
ବୋଉ ଲୋତକର ବିନ୍ଦୁ ଝରାଏ ଆଖିରୁ ।
ଶପଥ ନେଉ ଏପରି ନ କରିବୁ ଆଉ
ରାତି ପାହିଲେ କି ତାହା ମନେପଡେ ଆଉ !
ପ୍ରତିଯୋଗିତା ପ୍ରଚଣ୍ଡ ଜିତିବାର ନିଶା
ଭୁଲାଏ ବାପାଙ୍କ ଦଣ୍ଡ ପୁରେ ଅଭିଳାଷା ।
ବିଦ୍ୟାଳୟ ଗ୍ରୀଷ୍ମ ଛୁଟି କଟେ ଏହିପରି
ରଜ ଆସି ଗଲେ ଦିଏ ନିରାଶାଟି ଭରି ।
କିଏ ମତେ ଆଣିଦେବ ମୋ ପିଲାଦିନ
ହଜିଲା ସ୍ମୃତି ଟି ସାଥୀ ଫେରିବକି ଦିନ !!