ମୃତ୍ୟୁଞ୍ଜୟ
ମୃତ୍ୟୁଞ୍ଜୟ
ଜୀବନ ଯଜ୍ଞରେ ନିଶ୍ୱାସ ଆହୁତି
ସେ ନୀତି ନୀତି ଢାଳୁଥାଏ
ସମୟ ମଣ୍ଡପେ ତ୍ୟାଗର ସମିଧ
ଧୂପ ହୋଇ ବାସୁଥାଏ
ବିଳାସୀ ବେଳାରେ କାମନା ବାସନା
ଦୀପ ସାଙ୍ଗେ ଜଳୁଥାଏ
କିଏ ଯଜମାନ କିଏ ପୁରୋହିତ
ଆତ୍ମା ଏକା ସାକ୍ଷୀ ଇନ୍ଦ୍ରିୟ ଇଙ୍ଗିତେ
କର୍ତ୍ତା କର୍ମ କରୁଥାଏ ।।
ଯଜ୍ଞରୁ ବୃଷ୍ଟି
ବୃଷ୍ଟି ରୁ ସୃଷ୍ଟି
ସୃଷ୍ଟି ରୁ ସୃଜନୀ
ସୃଜନୀର ହାତ ଧରି
ଛବି କେତେ ଅଙ୍କା ହୁଏ ।।
ପାପ ପାଇଁ ଭୟ
ଭୟ ରୁ ବିଜୟ
ବିଜୟର ପଦଚିହ୍ନେ
ମାୟା ପରା ଟାଣିନିଏ
ନବପଲ୍ଲବ କଲ୍ଲୋଳିନୀ ତୀରେ
ଛାଏଁ ସେ ଅଟକିଯାଏ ।।
ଜ୍ଞାନର ଗାଣ୍ଡୀବେ
ବିବେକର ଶର
ଲକ୍ଷ୍ୟଭେଦୀ ଜିତେ ଋତୁ ସ୍ୱୟଂବର
ମୃତ୍ୟୁଞ୍ଜୟ ସିନା ସିଏ
ନବୀନ ଆଲୋକେ ନବ ଦିଗନ୍ତଟେ
ନୂଆ ନୀଡ଼ ଖୋଜୁଥାଏ ।।