ତମେ ଆସିବ ବୋଲି---୨୪
ତମେ ଆସିବ ବୋଲି---୨୪
ସେଦିନର ସେ ଝାଉଁବଣର ଶୀତଳତା
ମେଘର ବହଳ ଆସ୍ତରଣ ତଳେ
ସୋରିଷ ରଙ୍ଗର ଖରା
ଆଜି ବି ସତେଜ ,ପୁଣି ପୁଲକିତ ,
ତମ ଭିଜା ଭିଜା କବରୀର ମଧୁର ବାସ୍ନାରେ
ଆଜି ବି ମୁଁ ସତତ ବିଭୋର ,ଆତ୍ମହରା
ମଧୁମାଳତୀର କମନୀୟ ଶୋଭାରେ
ଆଜି ବି ମୁଁ ବିଗଳିତ
ତମ ପ୍ରଲମ୍ବିତ ପ୍ରଣୟର ପ୍ରଲୁବ୍ଧ ଡୋରରେ
ଆଜି ବି ମୁଁ ଆବଦ୍ଧ , ସୁନିୟନ୍ତ୍ରିତ ।
ମୋ ହୃଦୟର ବେଳାଭୂଇଁରେ
ଆଜି ବି ପିଟିହୁଏ ତମ ପ୍ରୀତିର ନୀଳଢେଉ
କେତେ କୋଳାହଳ କିଚିରିମିଚିରି
ହାତ ଠାରି ଡାକେ ସେହି ସବୁଜ ସମ୍ମୋହନ
ମୁଠା ମୁଠା ସ୍ମୃତିର ପାଉଁଶ ତଳେ
ଗୁଂଜରିତ ହୁଏ ଅଦିନିଆ ମେଘର ମଧୁ ମଲ୍ଲାର
ଜୀବନ୍ୟାସ ପାଏ ଗୁମୁରି ଗୁମୁରି କାନ୍ଦୁଥିବା
ଅସୁମାରି ପୁଣି ଦିଗନ୍ତବିସ୍ତାରି ନୀଳଶୂନ୍ୟତା
ଆକାଶ ଓହ୍ଲାଇ ଆସେ, ମାଟିକୁ ଛୁଏଁ
ବିଶ୍ବସନୀୟତାର ନୀଳ ବେଢଣରେ
ଛନ୍ଦି ହୋଇ ଯାଏ ମୋ ଗଭୀର ଆବେଗ ଓ
ଅଥଳ ସମୁଦ୍ରରେ ଉବୁଟୁବୁ ହେଉଥିବା
ମୋ ନିଃସଙ୍ଗ ଭାବନା , ସିକ୍ତ କାମନା
ବଦଳିଗଲା ଋତୁଚକ୍ର,ଦିନ-ମାସ-ବର୍ଷ
ଗ୍ରୀଷ୍ମ-ବର୍ଷା-ବସନ୍ତ, ସକାଳ ଓ ସଂଜ
ବଦଳିଗଲା ମୋ ଦୁନିଆର ଇତିବୃତ୍ତ
ବିଖଣ୍ଡିତ ହେଲା ମୋ କୋରକିତ ଆତ୍ମାର ଚୌହଦି
ଝାଉଁଳିଗଲା କୁଂଜବନ ବୈଶାଖର ପ୍ରଖର ଝଡରେ
ବିଭାଜିତ ହେଲା ମୋ ଚେତନାର ନଭଶ୍ଚୁମ୍ବୀ ଦିଗ ।
ତଥାପି, ତମ ନୀଳବାସ୍ନାର ମୋହ
ଆଜି ବି ଆଛନ୍ନ କରେ ମୋ ଦେହ-ମନ-ପ୍ରାଣ
ଉଜ୍ଜୀବିତ କରେ ମୋତେ
ତମ ଆଗମନୀର ସବୁଜ ସଙ୍କେତ
ନୀଳସ୍ବପ୍ନ ମୋର ଉଡିବୁଲେ ନୀଳଆକାଶରେ
ପାଇବାକୂ ତମ ସ୍ନିଗ୍ଧ ଶୀତଳ ପରଶ
ଆଉ ଭୋଦୁଅର ନୀଳ ସମ୍ମୋହନ ।।