ଯନ୍ତ୍ରଣା
ଯନ୍ତ୍ରଣା
ଟ୍ରେନ ଆସିବାକୁ ଆହୁରି ଚାରି ଘଣ୍ଟା ବିଳମ୍ବ ।
ଅଧା ବାଟରେ ହଠାତ୍ କୌଣସିି ଯାନ୍ତ୍ରିକ ସମସ୍ୟା ଯୋଗୁ ଏହି ଜରୁରୀ କାଳୀନ ଘୋଷଣା ।
ଷ୍ଟେସନ ରେ ବସି ବସି ବିରକ୍ତ ହେଉଥିଲା ଶୋଭନ ।
କେତେଦିନୁ ଆଶାଥିଲା ସିନେମା ଯିବ ବୋଲି , ଶୋଭନ ଭାବିଲା ହାତରେ ଘଣ୍ଟାଏ ସମୟ ଅଛି ଏଇ ପାଖରେ ନହେଲେ ବି ବେଶି ଦୂର ନୁହେଁ ପ୍ରେକ୍ଷାଳୟ । ତେଣୁ ସିନେମା ଦେଖିଗଲେ କେମିତି ହୁଅନ୍ତା ?
ଏଇଆ ଭାବୁ ଭାବୁ ହଠାତ୍ ସ୍ନେହୀର ଫୋନ୍ ଆସିଲା
-- ଭାଇ କୋଉଠି ଅଛୁ ?
-- ହଁ ଷ୍ଟେସନ ରେ ବସିଛି ।
-- ହଉ ଭଲରେ ଯିବୁ , ଆଉ ପହଞ୍ଚିଲେ ଆଗେ ଫୋନ କରିବୁ ହେଲା ?
-- ହଉ ଠିକ୍ ଅଛି ।
ସକାଳୁ ସକାଳୁ ସ୍ନେହୀ ସହିତ କଥା ହୋଇଗଲା ମାନେ ଆଜି ଦିନ ଟା ତାର ଖୁବ୍ ଭଲରେ କଟିବ ।
ଶୋଭନ ର ଆଉ କିଛି ଚିନ୍ତା ନାହିଁ , ଗୋଟିଏ ବୋଲି ଅଲିଅଳି ଭଉଣୀ କେବଳ ତାରି ଚିନ୍ତା । କେମିତି ସେ ଭଲ ପରିବେଶ ରେ ରହିବ ଭଲରେ ପାଠ ପଢିବ କେବଳ ସେଇଟା ତାର ବଡ଼ ଦାୟିତ୍ଵ ।
ଦଶମରେ ବିଦ୍ୟାଳୟ ସାରା ସବୁ ପିଲାଙ୍କ ଭିତରୁ ସ୍ନେହୀ ସର୍ବାଧିକ ନମ୍ବର ରଖିଥିଲା । କିନ୍ତୁ ବାପା ମନାକଲେ, ଆଗକୁ ଆଉ ପଢ଼ିବା ଦରକାର ନାହିଁ ।ପାଠ ପଢି କଣଟା ବା କରିବ ?
ଶାଶୂ ଘରକୁ ଯିବ ଚୂଲି ସମ୍ଭାଳିବ ରୋଷେଇ ବାସ କରି ଖାଇବା ପରଶିବ । କାହିଁକି ଅଯଥା ପଇସା ଖର୍ଚ୍ଚ କରି ..ଥାଉ ଆମର ପାଠ ସେତିକି ଥାଉ ।
ସ୍ନେହୀ ଦୁଇଦିନ କିଛି ଖାଇଲାନି କାନ୍ଦିଲା । ସେ ପାଠପଢ଼ା ବନ୍ଦ କରିବନି ଆଗକୁ ଆହୁରି ପଢିବ ।
ଭଉଣୀ ଆଖିର ଲୁହ ଦେଖି ଶୋଭନ ସହି ପାରିଲାନି ବାପାଙ୍କୁ ବୁଝେଇଲା , ବାପା ଅମଙ୍ଗ ହେଲେ ।
ଶୋଭନ ନିଜକୁ ଶକ୍ତ କଲା , ଭଉଣୀ ପଢ଼ିବା ଦାୟିତ୍ଵ ନିଜ ଉପରକୁ ନେଲା । ନିଜେ ପରିଶ୍ରମ କରୁଛି ଆହୁରି ଅଧିକ କରିବ କିନ୍ତୁ ଭଉଣୀ କୁ ନିଶ୍ଚୟ ଆଗକୁ ପାଠ ପଢେଇବ । ତା ରାକ୍ଷୀର ମୂଲ୍ୟ ସେ ଦେବ ତାକୁ ଖୁସି
ରେ ରଖିବ ।
ଘର ଠାରୁ ଟିକେ ଅଧିକ ଦୂର କଲେଜ୍ ରେ ପାଠ ପଢିଲା ସ୍ନେହୀ ,ସବୁଦିନ ଏତେଗୁଡେ ବାଟ ଯିବା ଆସିବା ସମ୍ଭବପର ହେବନି ତା ସହିତ ପାଠପଢ଼ାରେ ବି ବାଧା ଉପୁଜିବ ତେଣୁ ତାର ହଷ୍ଟେଲରେ ରହିବା ସୁବିଧା କରିଦେଲା ଶୋଭନ ।ଭଲ ହେଲା ଏଥର କେହି ଆଉ ତାକୁ ଆଉ ହଇରାଣ କରିବେନି କି ମନ ଅସ୍ଥିର ହେବନି । ନିରୋଳାରେ ମନ ଦେଇ ପାଠ ପଢ଼ିବ ସ୍ନେହୀ ।
କେବଳ ମେଟ୍ରିକ୍ ରେ ନୁହେଁ ଆଗକୁ ବି ଆହୁରି ଭଲ ପାଠ ପଢି ସର୍ବାଧିକ ନମ୍ବର ରଖି ବାପା ବୋଉ ର ନାଁ ରଖିବ ଆଉ ଭାଇର ବି । ତା ଭଉଣୀର ମନ ରଖି ଆଗକୁ ପାଠ ପଢେଇ ପାରୁଥିବାରୁ ମନେ ମନେ ବହୁତ ଗର୍ବ ଅନୁଭବ କରୁଛି ତା ସହିତ ଢେର୍ ଆତ୍ମସନ୍ତୋଷ ବି ପାଉଛି ଶୋଭନ , ଏଥର ଭାବନା ରାଇଜରୁ ଫେରି ଆସିଲା ।
ଆଉ ଡେରି କଲାନି ଅଟୋ ଟେ ରିଜର୍ଭ କରି ସୀଧାଯାଇ ପ୍ରେକ୍ଷାଳୟ ରେ ପହଞ୍ଚିଲା ଗୋଟେ ବାଲକୁନି ଟିକେଟ କାଟି ଭିତରକୁ ପ୍ରବେଶ କଲା ।
କିନ୍ତୁ ସେ ଜାଣିନଥିଲା ତାକୁ ହତବାକ କରିଦେଲା ପରି ଦୃଶ୍ୟ ଟେ ଭିତରେ ଅପେକ୍ଷା କରିଛି ତାକୁ ।
ଶୋଭନ ସିନେମା କଣ ଦେଖିବ ସେଠି ଯାହା ଦେଖିଲା ତା ଛାତି ଫାଟିଗଲା ପରି ଲାଗିଲା । ତା ମୁହଁ ସାରା ଯେମିତି କେହି ଅପମାନ ର ଅଲିଭା କାଳି ବୋଳିଦେଲା ସବୁଦିନ ପାଇଁ ।
ନିଜ ଆଖିକୁ ବି ବିଶ୍ବାସ କରି ପାରିଲାନି ସେ
ଥଣ୍ଡା ପାଣି ବୋତଲ ଟେ ଆଣି ମୁହଁ ଧୋଇଲା ଆଉ ଥମ୍ ହୋଇ ବସିଗଲା ତଳେ । ପୁଣି ସେ ଦୃଶ୍ୟ ଭାବୁ ଭାବୁ ଥଣ୍ଡା ପାଣି ଛାଟି ଦେଲା ଆଖିରେ ତା ସ୍ନେହର ଭଉଣୀ ସ୍ନେହୀ ଗୋଟେ ଟୋକା ସାଥିରେ କାନ୍ଧରେ ହାତ ଛନ୍ଦି ହାତ ଧରାଧରି ହୋଇ ବସି ଖୁସି ଗପରେ ମସଗୁଲ ।
ଇଛା ହେଉଥିଲା ଭିଡିଆଣି ଗାଲରେ ଗୋଟେ ଦୁଇଟା ଚଟକଣା ବସେଇ ଦେବାକୁ ,ହେଲେ ସେ ପାରିଲାନି ।
ଭଙ୍ଗା ମନ କ୍ଷତବିକ୍ଷତ ହୃଦୟ ନେଇ ଶୋଭନ ପ୍ରେକ୍ଷାଳୟ ଭିତରୁ ଫେରି ଆସିଲା ବେଳକୁ ତା ଛାତି ଭିତରେ ଗୋଟେ ଭିଷଣ ଯନ୍ତ୍ରଣା ଅନୁଭବ କରୁଥିଲା ଯେମିତି ସାରା ପୃଥିବୀର ଭାରା ତାରି ଛାତି ଉପରେ ।