The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gangadhar Nanda

Others abstract inspirational

3  

Gangadhar Nanda

Others abstract inspirational

ଯମୁନୀର ପୋଖରୀ ସ୍ନାନ

ଯମୁନୀର ପୋଖରୀ ସ୍ନାନ

4 mins
339


     ଛୋଟିଆ ଗାଁଟିରେ ପ୍ରଭାତର ଆଗମନ ହୁଏ ଯମୁନୀ ମା ର ଅଭିଶାପ ଓ ଗାଳିମନ୍ଦ ଗୁଡିକର ପ୍ରକୃତ ଭାବାର୍ଥ ଉତ୍ପନ୍ନକାରୀ ସହାୟକ ଶବ୍ଦଗୁଡ଼ିକର ସ୍ପଷ୍ଟ ଉଚ୍ଚାରଣର ଧ୍ବନି ଶ୍ରବଣରେ । ପ୍ରାୟତଃ ଫୁଲ ଚୋରୀ ଅଥବା ବାଡିପଟୁ ଅମୃତଭଣ୍ଡା ଓ ସେଗୁଡିକୁ ପାକ ଯୋଗ୍ୟ କରିବାପାଇଁ ଆବଶ୍ୟକୀୟ ଶୁଖିଲା ଜାଳ ଓ ଘଷି ଅଖାର ହରଣଚାଳ ନିମନ୍ତେ ଅନୁମାନିକ ଭାବରେ ଦାୟୀ ଥିବା କିଛି ଲୁଙ୍ଗୁଡ଼ା ଚୋରଙ୍କ ଉଦ୍ଦେଶ୍ୟରେ ଯଥାଯୋଗ୍ୟ କଟୁ ଶବ୍ଦ ପ୍ରୟୋଗ କରିସାରିବା ପରେ ଯମୁନୀ ମା ନିଜ ନିତ୍ୟକର୍ମ ଆରମ୍ଭ କରେ । ଗାଁରେ ଏମିତି କୌଣସି ବ୍ୟକ୍ତି ନାହିଁ , ଯେ ଯମୁନୀ ମା ଠାରୁ ଗାଳି ନଶୁଣିଛି ।


ପୁଅ ବୋହୁ ଓ ଏକମାତ୍ର ନାତୁଣୀ ଯମୁନୀକୁ ନେଇ ସଂସାର । ଯମୁନୀ ଜନ୍ମ ପରେ ପରେ ବୁଢିର ନାଁ ଟା ଗଉରା ବୋଉରୁ ପରିବର୍ତ୍ତନ ହୋଇ ବିବର୍ତ୍ତନବାଦକୁ ସମ୍ମାନ ଜଣାଇ ଯମୁନୀ ମାକୁ ରୂପାନ୍ତରିତ ହୋଇଗଲା । ବୁଢି ଯମୁନୀକୁ ଭାରି ଭଲପାଏ । ଗୋଡ଼େ ଗୋଡ଼େ ତାକୁ ଜଗିଥାଏ । ଯମୁନୀକୁ ଏବେ ଦଶବର୍ଷ । ଆସନ୍ତା ମାଘକୁ ଏଗାର ଚାଲିବ । ଆର ସାଲ ଗାଁ ସ୍କୁଲ ସାରି ପାଖ ଗାଁ ସ୍କୁଲକୁ ଯିବ । ବୁଢିକୁ ଭାରି ଚିନ୍ତା ଲାଗିଲେଣି । ଆଜିକାଲି ଯୁଗ କାଳ ଯାହା ହେଲାଣି , କେତେବେଳେ କଣ ଘଟିବ କିଏ କହିବ ? ଆଉ ଆଗକୁ ନପଢିଲେ କଣ ହ'ନ୍ତା ନାଇଁ ; ଛାଡ , ବୁଡିଟା କଥାକୁ କିଏ ବା କାହିଁକି ଭଲରେ ନବ ;


  ଆଜି ସକାଳୁ ଘର ପାଣିକଳଟା ଖରାପ ହେଇଯାଇଛି । ଗଉରା ମିସ୍ତ୍ରୀ ଡାକିବାକୁ ଯାଇଛି । ଏଣେ ଯମୁନୀର ସ୍କୁଲ ଯିବା ଡେରି ହେଉଛି । ଡେରି ହେଲେ ସାରେ ରାଗିବେ । ଯମୁନୀ ସୁକୁ ସୁକୁ ହେଲାଣି । 'ତୁ ଏତେ ଆଉ ସୁକୁ ସୁକୁ ହ'ନା ; ଗାଁ ମୁଣ୍ଡ ପୋଖରୀରେ ଗାଧେଇ ପଡ଼ି ଯଲ୍‌ଦି ଆ' ଭାରି । ଖାଇକି ସ୍କୁଲ ପଳେଇବୁ ।' ବୋଉ ଠାରୁ ଏ ଅନୁମତିଟା ପାଇବା ପାଇଁ କେତେବେଳୁ ଧକଉଥିବା ଯମୁନୀକୁ ପୋଖରୀରେ ପହଞ୍ଚିବା ପାଇଁ ଅଧିକ ବିଳମ୍ବ ହେଲା ନାହିଁ ।


ଘଣ୍ଟାଏ ପାଖ ହେଲାଣି , ଯମୁନୀର ଦେଖା ନାହିଁ । ମନକୁ ପାପ ଛୁଉଁଛି । 'ହେଇଟି ବୋଉ , ଟିକିଏ ଦେଖିବଟି ପିଲାଟା କୁଆଡ଼େ ଗଲା ; ବୋହୁ କଥାରେ ବୁଢି ଚିଡି ଯାଇ କଣ ଗୋଟାଏ ଅସାମ୍ୱିଧାନିକ କଥାଟେ କହୁ କହୁ ମୁହଁକୁ ଚାହିଁ ରହିଗଲା । 'ତୁ ବ୍ୟସ୍ତ ହ'ନା , ମୁଁ ଦେଖେ ' କହି ବୁଢି ପୋଖରୀଆଡେ ଚାଲିଲା । ବାଟ ଚାଳିଶ ଖୋଜରେ ପୋଖରୀ । କିନ୍ତୁ ସେତିକି ରାସ୍ତା ଅତିକ୍ରମ କରିବା ଭିତରେ ବି ବୁଢିକୁ ବ୍ୟସ୍ତ ଲାଗୁଥାଏ । କଣ ଗୋଟେ ଦୁର୍ଘଟଣା ଘଟିଲା କି ଆଉ ; ଏଡେ ସୁନ୍ଦର ଡଭଲ ଡାଉଲ ଛୁଆଟା । ମାଛି ଖସି ପଡିବ । ଘରେ ଗାଈ ଦୁହାଁଳ ଥାଉ କି ନ ଥାଉ ,ଲାଗୁଆ କ୍ଷୀର ବି ହେଉ ପଛେ ,ଦୈନିକ ଅଧସେରେ କ୍ଷୀର ନ ପିଇବା ପର୍ଯ୍ୟନ୍ତ ଯମୁନୀକୁ ତ୍ରାହି ନାହିଁ । ପିଲାଟି ଦିନୁ କ୍ଷୀର ଦହି ଛେନା ଖାଇ ପିଲାଟା ଟିକିଏ ବଢିଆଳ ଦେଖାଯାଉଛି । ମା ଲୋ , ମା ଜାଗୁଳେଇ , ତୋ ପର୍ବକୁ କାଳିଆ ଗଞ୍ଜାଟେ ନିଶ୍ଚିତ ବଳି ଦେବି ମା , ମୋ ପିଲାଟା ଠିକ ଥାଉ । ବୁଢି ପାଦର ଗତି ବଢୁଛି । ପୋଖରୀ ତୁଠରେ ପହଞ୍ଚି ବୁଢି ଦମ ନେଲା । ଯମୁନୀ ଗାଧୋଉଛି । ଓ . . . ହୋ . ବୁଢି ଅଣ୍ଟାରେ ହାତ ଆଶ୍ରା କରି ଟିକିଏ ସଳଖି ହେଲା । 'ଆଲୋ ତୁ ଏତେବେଳଯାଏଁ କି ଗାଧୁଆ ଗାଧୋଉଚୁ କି ? ଯମୁନୀ କିଛି ଉତ୍ତର ଦେଲାନି । ବରଂ ତ୍ରସ୍ତା ହରିଣୀର ଆକୁଳ ଚାହାଁଣୀରେ ଚତୁର୍ଦ୍ଦିଗକୁ ଥରେ ଦୃଷ୍ଟି ବୁଲାଇ ଆଣି ଗାଧୋଇବାରେ ମନ ଦେଲା । ବୁଢ଼ି ସାମାନ୍ୟ ସଚେତନ ହେଲା । ଯମୁନୀ ଦୃଷ୍ଟିର ଅନୁସରଣରେ ଚାରିଦିଗକୁ ଥରେ ଦୃଷ୍ଟି ପହଁରାଇ ଆଣିଲା । ପୋଖରୀ ହୁଡାକୁ ଲାଗି କଦମ୍ବ ଗଛରେ ବସି ଗାଈଆଳ ଟୋକାଟାଏ ଏକ ଲୟରେ ଗାଧୁଆ ତୁଠକୁ ନଜର ରଖିଛି । ତୁଠର ପ୍ରଥମ ପାହାଚରେ ବସି ଦାନ୍ତକାଠିରେ ଦାନ୍ତକୁ ଟିକିଏ ଟିକିଏ ଘସିବା ଅବସରରେ ଯମୁନୀ ଆଡକୁ ଅନାଇ ବସି ରହିଛି ତଳ ସାହି ଯଦୁଆ ପିହାଣ । ତୁଠର ବିପରୀତ ଦିଗରେ କିଛି ନ ଜାଣିବା ଢଙ୍ଗରେ ବସି ସୁର ଅବଧାନ ଦାନ୍ତରେ ଗୁଡାଖୁ ଡିହ ମାରୁଛି । ଏପଟ ସେପଟ ଟିକିଏ ଦୃଷ୍ଟି ଖେଳାଇସାରି ଯମୁନୀକୁ ଦେଖୁଛି । ବିଗତ ଦଶବର୍ଷ ଧରି ନିଜକୁ ଛପନ ବର୍ଷ ବୋଲି ଘୋଷଣା କରି ଆସୁଥିବା ଗୋକୁଳୀ ନନା କେତେବେଳୁ ଅଣ୍ଟାଏ ପାଣିରେ ଠିଆ ହୋଇ ପଶ୍ଚିମମୁଖା ହୋଇ ଯମୁନୀ ଉପରେ ଫାଳେ ଦୃଷ୍ଟି ନିବଦ୍ଧ ଅବସ୍ଥାରେ ସୂର୍ଯ୍ୟମନ୍ତ୍ର ବାରମ୍ଵାର ଗୁଣୁ ଗୁଣୁ କରି ବୋଲୁଛି । ଆଉ ଦୁଇ ତିନି ହଳ ଚକ୍ଷୁ ପୋଖରୀ ହୁଡାରେ ପଇଁତରା ମାରିବ ଅବସରରେ ଯମୁନୀ ଉପରୁ ଦୃଷ୍ଟି ବୁଲାଇ ଆଣୁଛନ୍ତି ।

ଯମୁନୀ ନିଜ ଫ୍ରକଟିକୁ ଉତ୍ତାରୀ ପାରୁନି କି ଲୁଗା ପାଲଟି ସେଠାରୁ ଆସି ପାରୁନି । ବୁଢି ଆସ୍ତେ ଆସ୍ତେ ତଳ ପାହାଚକୁ ଓହ୍ଲାଇଲା । ନାତୁଣି ଦେହରୁ ଓଦା ଫ୍ରକଟିକୁ କାଢିଲା । ଇତ୍ୟବସରରେ ବୁଢିର ନିତ୍ୟ ପୁରାଣ ଆରମ୍ଭ ହୋଇସାରିଥିଲା । 'ହଇରେ ଛତରଖିଆ ଗୁଡାକ ,ତୁମ ଆଖିରେ ଫୁଲା ପଡୁ , ତୁମ ମାନଙ୍କ ଡୋଳାରେ ପରଳ ବଢୁ । ତୁମ ପାପ ଆଖିରେ ରଡ ନିଆଁ କିଏ ଢାଳି ଦଉ ।" ଯୋଗଣୀଖିଥାଏ , ଗାତପଶାଦଳ , ତୁମର ଏତେ ବହପ ? ତମେମାନେ ମୋ ନାତୁଣୀକୁ . . . . I ଏହା ଭିତରେ ବୁଢୀ ଯମୁନୀକୁ ନିର୍ବସ୍ତ୍ର କରି ଘସି ଘାସି ଗାଧୋଇ ଦେଉଥିଲା । ନିକଟସ୍ଥ ଦର୍ଶକମଣ୍ଡଳୀ ନିଜ ନିଜ କାମରେ ମନ ଦେଲେ । ଯମୁନୀ ସ୍ନାନ ସାରି ଘରକୁ ଫେରିଲା ।

ଆଜି ପର୍ଯ୍ୟନ୍ତ ମୁଁ ବୁଝିପାରିଲିନି କି ଦର୍ଶକମଣ୍ଡଳୀର ଦୃଷ୍ଟି ଯମୁନୀ ଉପରୁ ହଟିବାର ପ୍ରକୃତ କାରଣ କଣ ହୋଇପାରେ ; ଯମୁନୀ ମା ର ଗାଳି ଅଥବା ଯମୁନୀ ନିର୍ବସ୍ତ୍ର ହେବାପରେ ସମସ୍ତ କୌତୁହଳର ପରିସମାପ୍ତି ? ଏ ସମାଜ ନାରୀ ପ୍ରତି କେଉଁ ଦୃଷ୍ଟିଭଙ୍ଗୀ ରଖି ଅଗ୍ରସର ହେଉଛି , ଏହାର ଏକ ବାସ୍ତବ ଓ ସତ୍ୟପୂର୍ଣ୍ଣ ଅନୁଶୀଳନର ଆବଶ୍ୟକତା ବର୍ତ୍ତମାନ ମଧ୍ୟ ରହିଛି ।



Rate this content
Log in