Kanan Bala Nayak

Others

4  

Kanan Bala Nayak

Others

~~~ ଯାହାକୁ ରଖିବେ ଅନନ୍ତ ~~~

~~~ ଯାହାକୁ ରଖିବେ ଅନନ୍ତ ~~~

6 mins
23.5K



     ୨୦୧୦ ମସିହା ନଭେମ୍ବର ମାସ ର ଘଟଣା। ତାରିଖ ଟା ସଠିକ୍ ଭାବରେ ମୋର ମନେ ନାହିଁ। ମୁଁ ମୋ ସାଙ୍ଗ ମାମି,ଆମ ଅଫିସର ଜଣେ ସହକର୍ମୀ ଚିନ୍ମୟୀ ଓ ମାମି ର ଭାଇ ମୁନା ସାଙ୍ଗ ହୋଇ ଅନ୍ୟ ଜଣେ ସହକର୍ମୀ ସ୍ବପ୍ନାର ଭାଇ ର ପୁଅର ଏକୋଇଶିଆ ଉତ୍ସବ ରେ ଯୋଗଦେବା ପାଇଁ ମାମିର ନୂଆ କିଣା ହୋଇଥିବା ଓ୍ବାଗନ୍ ଆର୍ ଗାଡିଟି ଧରି ବାଲେଶ୍ବର ରୁ କଟକ ଅଭିମୁଖେ ପାଖାପାଖି ତିନି ଟା ବେଳେ ବାହାରିଲୁ‌‌।ମୁନା ଗାଡ଼ି ଚଲା ଜାଣି ଥିବାରୁ ସାଥିରେ ଅନ୍ୟ ଡ଼୍ରାଇଭର ନେଇ ନଥିଲୁ। ମୁନା ଗାଡ଼ି ଚଲାଉ ଥାଏ।

    ମୋ ବଡ଼ ଭିଣୋଇ ଜଣେ ଶିଶୁ ରୋଗ ବିଶେଷଜ୍ଞ।ସେ ଭଦ୍ରକ ର ଡାହାଣୀ ଗଡିଆ ଛକରେ ନିଜ ର କ୍ଲିନିକ୍ ଟିଏ କରିଛନ୍ତି।ସେ ପ୍ରତ୍ୟେକ ଦିନ କଟକ ରୁ ଭଦ୍ରକ ଯିବା ଆସିବା କରନ୍ତି। ମୁଁ ମାମି କୁ କହିଲି ଆମେ ତ ଭଦ୍ରକ ଦେଇ ଯିବା। ରାସ୍ତା ରେ ମୋ ଭିଣୋଇ ଙ୍କୁ ନେଇ ଯିବା।ତୋ ନୂଆ ଗାଡି ଟା ବି ସେ ଦେଖି ଦେବେ। ମୋ କଥା ଅନୁସାରେ ଭିଣୋଇ ଙ୍କୁ ଆମ ସାଙ୍ଗରେ ନେଇ ଯିବା କଥା ସ୍ଥିର ହେଲା। ଆମେ ପାଖାପାଖି ପାଞ୍ଚ ଟା ତିରିଶ ବେଳକୁ ତାଙ୍କୁ କ୍ଲିନିକ୍ ରେ ପହଞ୍ଚି ଲୁ।ସେତେବେଳକୁ ସେ ପେସେଣ୍ଟ ଦେଖିବାରେ ବ୍ୟସ୍ତ ଥାଆନ୍ତି। ଆମକୁ ଦେଖି କହିଲେ ତୁମେ ମାନେ ଆଉ ଟିକେ ଅପେକ୍ଷା କର।।ଆଉ ଚାରି ପାଞ୍ଚ ଜଣ ପେସେଣ୍ଟ ଅଛନ୍ତି। ମୁଁ ଟିକେ ଦେଖିଦିଏ। 

   ପ୍ରାୟ ଛଅ ଟା ସମୟରେ ସେ ସମସ୍ତ ପେସେଣ୍ଟ ଦେଖି ସାରିଲେ।ତା ପରେ ଆମେ ତାଙ୍କୁ ନେଇ କଟକ ଅଭିମୁଖେ ବାହାରିଲେ। ଗାଡ଼ିରେ ବସି ଆମେ ନାନା ଗପରେ ମାତି ଗଲୁ।ଠିକ୍ ପାଣିକୋଇଲି ପାଖାପାଖି ହୋଇଛୁ କୁଆଡେ ଥିଲା କେଜାଣି କଳାହାଣ୍ଡିଆ ମେଘ ଟା ହଠାତ୍ ଘୋଟି ଆସିଲା ଓ ଯୋରରେ ବର୍ଷିବା ଆରମ୍ଭ କରିଦେଲା। ଆମେ ତ ଗାଡି ଭିତରେ ଥାଉ ତେଣୁ ଆମର ବର୍ଷା ରେ ଭିଜିବାର ଡର ନଥାଏ। ତେଣୁ ବର୍ଷାର ତାଳେ ଆମ ଗପର ଗତି ମଧ୍ୟ ବଢ଼ିଗଲା। ରାସ୍ତା ଉପରେ ଆଉ କାହା ନଜର ନଥାଏ। ଗାଡ଼ି ଚଳାଉଥିବା ମୁନା ମଧ୍ୟ ଆମ ଗପ ସହ ମଝିରେ ମଝିରେ ତାଳ ଦେଉଥାଏ। କଥାରେ ଅଛି "ସାବଧାନତା ହଟିଲା ଦୁର୍ଘଟଣା ଘଟିଲା"। 

  ଆମେ ପାଣିକୋଇଲି ଟୋଲ୍ ଗେଟ୍ ପାରେଇ ତିନି ଚାରି କିଲୋମିଟର ବାଟ ଯାଇଛୁ କି ନାହିଁ, ହଠାତ୍ ଆମକୁ ଲାଗିଲା ଗାଡ଼ି ଟି ଯେମିତି ଗୋଟେ ପାହାଡ଼ ଉପରେ ଚଢ଼ି ଯାଉଛି। କଣ ହେଉଛି ଗାଡିଟି କୁଆଡେ ଯାଉଛି ଆମେ କିଛି ଅନୁମାନ କରିବା ପୁର୍ବରୁ ଜୋର୍ ରେ ଢୋ କରି ଆବାଜ ହେଲା।ପଛ ପଟେ ବସିଥିବା ଆମ ତିନି ଜଣଙ୍କ ମଧ୍ୟରୁ ମାମି ଓ ଚିନ୍ମୟୀ ଗାଡ଼ିର ସାମ୍ନା ସିଟ୍ ରେ ପିଟି ହୋଇଗଲେ।ଆଉ ସେ ଦୁଇଜଣଙ୍କ ମଝିରେ ବସିଥିବା ମୁଁ ଗାଡ଼ିର ସାମ୍ନା ପଟ କାଚରେ ପିଟି ହୋଇଗଲି‌। ମୋ ଭିଣୋଇ ଓ ମୁନା ମଧ୍ୟ ସାମ୍ନା ପଟ କାଚରେ ପିଟି ହୋଇଗଲେ। ସେତେବେଳକୁ ସମସ୍ତଙ୍କର ଆଖି ଆପେ ଆପେ ମୁଦି ହୋଇ ଯାଇଥାଏ। 

   ଆଖି ଖୋଲିଲା ବେଳକୁ ଆମେ ମାନେ ଜାଣି ଯାଇଥିଲୁ ଯେ ଆମେ ମାନେ ଏକ୍ସିଡେଣ୍ଟ ର ଶୀକାର ହୋଇଛୁ। ଆଉ ଗାଡ଼ି ରାସ୍ତା ରେ ଥିବା ଡିଭାଇଡର୍ ଉପରେ ଯୋରରେ ଚଢ଼ି ପୁଣି ତଳକୁ ଖସି ପ୍ରାୟ ଅଢେ଼ଇ କିଲୋମିଟରର ପର୍ଯ୍ୟନ୍ତ ପଳାଇ ଆସିଛି ଓ ରାସ୍ତା ର ବାମ ପଟରେ ଛିଡା ହୋଇ ଯାଉଛି। ଗାଡିଟି ଯେଉଁଠି ଅଟକି ଥାଏ ଠିକ୍ ତା ତଳେ ନୟନ ଯୋଡି।ଆଉ ଯଦି ଚାଖଣ୍ଡେ ବି ବାଟ ଏପଟସେପଟ ହୋଇ ଥାଆନ୍ତା ଆମ ଗାଡ଼ି ସିଧା ନୟନ ଯୋଡି ଭିତରେ ପଡି ଥାଆନ୍ତା।ଆମକୁ ଲାଗିଲା ସତେ ଯେମିତି ଗାଡି ଟିକୁ କେହି ଜଣେ ପଛ ପଟରୁ ଠେଲି ଆଣି ସେଠାରେ ଛିଡ଼ା କରି ଦେଇଥିଲା। ଆମର ସୌଭାଗ୍ଯ ବଶତଃ ସେ ସମୟରେ ରାସ୍ତା ର ଉଭୟ ପଟରୁ କୈାଣସି ଗାଡ଼ି ମଧ୍ୟ ଆସୁ ନଥିଲା। ନହେଲେ କଣ ଯେ ହୋଇଥାନ୍ତା ଏବେ କିଛି କଳନା କରି ହେଉନି। କାରଣ ସେତେବେଳକୁ ଚାରିଆଡ଼େ କିଟିକଟି ଅନ୍ଧାର ମାଡି ବସିଥାଏ। 

    ଆମେ ମାନେ ମଧ୍ୟ ଯେତେ ଯୋର୍ ରେ ଗାଡିର କାଚ ଓ ସିଟ୍ ରେ ପିଟି ହୋଇଥିଲୁ, ଆମ ମାନଙ୍କର ସେ ଅନୁସାରେ ସେମିତି କିଛି କ୍ଷତି ହୋଇ ନଥିଲା। ଆମ ତିନି ଜଣଙ୍କ ର କାହାର ଖାଲି ଆଙ୍ଗୁଠି, କାହାର ଖିଲି ନାକ ଟିକେ ଟିକେ ଛିଣ୍ଡି ଯାଇଥିଲା।ମୋ ଭିଣୋଇ ଙ୍କ ର ଛାତିରେ ଖାଲି ପବନ ଅଟକି ଯାଇଥିଲା। ହେଲେ ଗାଡ଼ି ଚଲାଉ ଥିବା ମୁନା ର କିଛି ବି କ୍ଷତି ହୋଇ ନଥିଲା। ଏପରି କି ତା ଦେହରେ ଦାଗଟେ ମଧ୍ୟ ପଡି ନଥାଏ।ଗାଡିରୁ ଓହ୍ଲାଇ ଆମେ ଦେଖିଲୁ ଆମ ଗାଡ଼ି ର ସାମ୍ନା ପଟ ସକପଚର୍ ଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି।ଆଉ ଯେତେ ଚେଷ୍ଟା କଲେ ମଧ୍ୟ ଗାଡ଼ି ଆଉ ଇଞ୍ଚେ ମଧ୍ୟ ଆଗକୁ ବଢ଼ିଲା ନାହିଁ। ବର୍ଷା ଓ ଅନ୍ଧାର ଭିତରେ କେହି କୁଆଡେ ଦେଖା ଯାଉ ନ ଥାଆନ୍ତି।କଣ କରିବୁ କିଛି ସ୍ଥିର କରି ପାରୁ ନଥିଲୁ। ବାଲେଶ୍ଵର ଫେରି ଆସିବୁ ନା କଟକ ଯିବୁ।ଯଦି ଫେରିବୁ ତେବେ ମୋ ଭିଣୋଇ କଟକ ଯିବେ କେମିତି? ଆଉ ଆମେ ବି ଯଦି ବାଲେଶ୍ଵର ଫେରିବୁ କେମିତି ଫେରିବୁ। ଗାଡ଼ି ତ ଇଞ୍ଚେ ବି ହଲୁନି।

   ବର୍ଷା ଯୋଗୁଁ ବସ୍ କି ଅନ୍ୟ ‌କିଛି ଗାଡ଼ି ମଧ୍ୟ ଆସୁ ନଥାଏ।ତା ଛଡ଼ା ଗାଡ଼ି ଟିକୁ ସେଠାରେ ଛାଡି ତ ଆମେ ଆଉ କୁଆଡେ ଯାଇ ପାରିବୁନି। ସେତେବେଳକୁ ସ୍ବପ୍ନା ଘରୁ ବାରମ୍ବାର ଫୋନ୍ ଆସୁଥାଏ କେତେବାଟ ହେଲୁ ବୋଲି। ସ୍ବପ୍ନାକୁ ଆମେ ସବୁ କଥା ଜାଣାଇ କହିଲୁ ଆମ ଭାଗ୍ୟ ରେ ବୋଧେ ଏକୋଇଶିଆ ରେ ଯୋଗଦେବା ନାହିଁ। ତେଣୁ ଆମକୁ ଅପେକ୍ଷା କରିବା ଅନୁଚିତ।ତା ପରେ ଆମେ ସ୍ଥିର କଲୁ ଯଦି କୌଣସି ବସ୍ ଆସେ ତେବେ ମୋ ଭିଣୋଇ ସେ ବସ୍ ରେ କଟକ ଯିବେ ଓ ଆମେ ମାନେ ଗୋଟେ ମେକାନିକ୍ କୁ ଡାକି ଗାଡ଼ିକୁ ସଜାଡି ବାଲେଶ୍ଵର ଫେରି ଆସିବୁ। ହେଲେ ସେ ଯାଗାରେ ଆମେ ମେକାନିକ୍ ପାଇବୁ କେଉଁଠୁ?ସେଇ ସମୟରେ ମୋର ଜଣେ ସହକର୍ମୀ ଅଫିସର୍ ଗତିକୃଷ୍ଣ ଶତପଥୀ ଟ୍ରେଜେରୀ ଅଫିସର ରୂପେ ବାଲେଶ୍ଵର ରୁ ଯାଜପୁର ବଦଳି ହୋଇ ଆସି ଥାଆନ୍ତି‌। ଆମେ ମାନେ ତାଙ୍କ ର ସାହାଯ୍ୟ ଲୋଡ଼ିଲୁ।

   ସେ କହିଲେ ମେକାନିକ୍ ନେଇ ଯିବା ପାଇଁ ମୋତେ କମ୍ ସେ କମ୍ ଦୁଇ ଘଣ୍ଟା ଲିଗିବ। କାରଣ ସେ ପାଣିକୋଇଲି ଠାରୁ ପ୍ରାୟ ତିରିଶ କିଲୋମିଟର ଦୂର ଯାଜପୁର ଟାଉନ ରେ ରହୁଥିଲେ।ତା ଛଡ଼ା ବର୍ଷା ପାଗରେ ମେକାନିକ୍ ଟିଏ ପାଇବା ମଧ୍ୟ ସହଜ ନଥିଲା। ଆସ୍ତେ ଆସ୍ତେ ବର୍ଷା କମିବାରେ ଲାଗିଲା।ସେ ସମୟରେ ବାଲେଶ୍ଵର ରୁ କଟକ ପଟକୁ ଗୋଟେ ଆସୁଥିବା ର ଦେଖି ଆମେ ତାକୁ ଅଟକାଇଲୁ।ମୋ ଭିଣୋଇ ବସରେ କଟକ ପଳାଇ ଗଲେ ଓ ଆମେ ଗତିକୃଷ୍ଣ ସାର୍ ଙ୍କୁ ଅପେକ୍ଷା କଲୁ।ସେ ସମୟରେ ମୋର ଯାଜପୁର ରେ ରହୁଥିବା ମୋ ସାଙ୍ଗ ମାମା କଥା ମନେ ପଡ଼ିଲା। ଫୋନ୍ ରେ ତାକୁ ସବୁ କଥା କହିବାରୁ ସେ ମଧ୍ୟ ତା ବାପା ଓ ଭାଇ ଙ୍କୁ ଆମ ପାଖକୁ ପଠାଇଲା। ସେତେବେଳକୁ ମାମି ମଧ୍ୟ ଭଦ୍ରକ ରେ ରହୁଥିବା ତା ମାଇଁଙ୍କୁ ସବୁ କଥା ଜଣାଇଲା।ତା ମାଇଁ କହିଲେ ତୁମେ ମାନେ ବ୍ୟସ୍ତ ହୁଅନି ମୁଁ ଯାଇ ତୁମ ପାଖରେ ପହଞ୍ଚୁଛି।

    ଠିକ୍ ଦୁଇ ଘଣ୍ଟା ପାଖା ପାଖି ହେବ ଗତିକୃଷ୍ଣ ସାର୍ ଜଣେ ମେକାନିକ୍ କୁ ଧରି ଆମ ପାଖରେ ପହଁଞ୍ଚିଲେ। ମେକାନିକ୍ ଗାଡ଼ିକୁ ଦେଖି ଓ ଆମ ସମସ୍ତ ଙ୍କୁ ଅକ୍ଷତ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହେଲା। କହିଲା ଗାଡ଼ିର ଅବସ୍ଥା ଯାହା ସେଥିରେ ଆପଣ ମାନଙ୍କୁ ଏମିତି ଅକ୍ଷତ ଅବସ୍ଥାରେ ଦେଖି ଆଖି କୁ ବିଶ୍ୱାସ କରି ହେଉନି।ତା ଛଡ଼ା ଗାଡ଼ି ର ସାମ୍ନା ଚକର ଅବସ୍ଥା ଯାହା ତାହା କେମିତି ନୟନ ଯୋଡି ରେ ପଡିନି? ଆପଣ ମାନଙ୍କୁ ଈଶ୍ୱର ରକ୍ଷା କରି ଦେଇଛନ୍ତି। ତା ପରେ ଗାଡ଼ି ଟିକୁ ପରୀକ୍ଷା ନିରୀକ୍ଷା କରି କହିଲା ଯେ ଗାଡ଼ିର ଅବସ୍ଥା ଯାହା ତାଙ୍କୁ ସଜାଡିବା ମୋ କ୍ଷମତା ବାହାର କଥା ।ୟାକୁ ସୋରୁମ୍ ନେବାକୁ ପଡିବ। ହେଲେ ଯେତେ ଚେଷ୍ଟା କଲେ ମଧ୍ୟ ଗାଡ଼ି ଜମାରୁ ଷ୍ଟାର୍ଟ ହେଲାନି। ମେକାନିକ୍ କହିଲା ୟାକୁ କ୍ରେନ୍ ସାହାଯ୍ୟ ରେ ଟାଣିକି ନେବା ପାଇଁ ପଡ଼ିବ। ସେତେବେଳକୁ ମାମି ର ମାଇଁ ମଧ୍ୟ ତାଙ୍କ କାର୍ ଧରି ଆମ ପାଖରେ ପହଞ୍ଚି ଗଲେ।

  ଗତିକୃଷ୍ଣ ସାର୍ ଓ ସେ ମେକାନିକ୍ ର ସହାୟତା ରେ ଗୋଟେ ଗାଡ଼ି ଟଣା କ୍ରେନ୍ ଠିକ୍ ହେଲା।ମୁନା, ଗତିକୃଷ୍ଣ ସାର୍ ଓ ସେ ମେକାନିକ୍ ଆମକୁ କହିଲେ ରାତି ଏତେ ହେଲାଣି। ତୁମେ ମାନେ ଏତେ ରାତିରେ ଆଉ ଏଠାରେ ରହିବା ଠିକ୍ ନୁହଁ। ତୁମେ ମାନେ ମାଇଁଙ୍କ ସହିତ ପଳାଅ। ଆମେ ମାନେ ସବୁ ସମ୍ଭାଳି ନେବୁ।ତା ପରେ ମୁଁ,ମାମି ଓ ଚିନ୍ମୟୀ ମାମିର ମାଇଁଙ୍କ ସହିତ ତାଙ୍କ ଘରକୁ ଭଦ୍ରକ ଆସିଲୁ। ଏତେ ରାତିରେ ସେ ଆମକୁ ଆଉ ବାଲେଶ୍ଵର ଛାଡିଲେ ନାହିଁ।ସେ ଦିନ ଆମେ ତାଙ୍କ ଘରେ ରହି ତା ପରଦିନ ବାଲେଶ୍ଵର ଫେରିଲୁ।ହିନ୍ଦୀ ରେ ଗେଟେ କଥା ଅଛି "ଦାନେ ଦାନେ ପେ ଲିଖା ହୁଆହେ ଖାନେ ବାଲା କା ନାମ୍"। କଟକରେ ସ୍ବପ୍ନା ଘରେ ଭୋଜି ଖାଇବାର ଥିବା ଲୋକ କୁ ଯେ ଭଦ୍ରକ ରେ ମାମିର ମାମୁଁ ଘରେ ରୋଟି ତରକାରୀ ଖାଇବାର ଅଛି ସେକଥା ବାଲେଶ୍ଵର ରୁ ବାହାରିବା ବେଳେ କିଏ ସ୍ବପ୍ନ ରେ ସୁଦ୍ଧା କଳ୍ପନା କରି ନଥିଲା। ସେ ଦିନ ର ସେଇ ବିପଦ ସମୟରେ ଆମକୁ ସାହାଯ୍ୟ କରିଥିବା ଗତିକୃଷ୍ଣ ସାର୍, ମାମି ର‌ ମାଇଁ ,ଗାଡ଼ି ସଜାଡିବାକୁ ଆସିଥିବା ମେକାନିକ୍,ଗାଡି ଟଣା କ୍ରେନ୍ ର ଡ୍ରାଇଭର୍ ର ସାହାଯ୍ୟ କୁ ଜୀବନ ସାରା ଭୁଲି ହେବନି।

   ମୁନା ଓ ଗାଡ଼ି ଟଣା କ୍ରେନ୍ ର ଡ୍ରାଇଭର୍ ଗାଡ଼ିକୁ ଧରି ପ୍ରାୟ ରାତି ଗୋଟେ ରେ ବାଲେଶ୍ଵର ରେ ପହଞ୍ଚିଲେ। ତା ପର ଦିନ ଯିଏ ଗାଡ଼ି କୁ ଦେଖିଲା ଓ ଆମକୁ ଦେଖିଲା ସେ ଆମକୁ ଜୀବିତ ଥିବା ର ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା ଏତେ ବଡ଼ ଏକ୍ସିଡେଣ୍ଟ ହୋଇଛି ଅଥଛ ତୁମ ମାନଙ୍କ ର କାହାରି କିଛି କ୍ଷତି ହୋଇନି କେମିତି। ତାଙ୍କ କଥା ଶୁଣି ଆମେ ମାନେ ଗୋଟେ କଥା ଭାବୁଥିଲୁ କଥାରେ ଅଛି ପରା" ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ"।ଆମେ ସବୁ ବେଳେ ସେଇ କଥା ଶୁଣୁ ଥିଲୁ ହେଲେ ଆଜି ନିଜେ ଅନୁଭଵ କରିଥିଲୁ.

  ସତରେ ଯାହାର ରକ୍ଷା ଈଶ୍ୱର କରିବେ ତାର କିଏ ବା କଣ କରି ପାରିବ?


Rate this content
Log in