Bimala Sankar Dash

Others

4  

Bimala Sankar Dash

Others

ଊପୁମା ଓ ନନା

ଊପୁମା ଓ ନନା

3 mins
201


                

କେହି କେହି ବାପାଙ୍କୁ ବାପା, ପାପା, ବାବା , ଦାଦା ...ଏମିତି କେତେ ନାଁ ରେ ଡାକନ୍ତି । 

 ମୁଁ କିନ୍ତୁ ବାପାଙ୍କୁ ନନା ବୋଲି ଡାକେ । ନନା ଶବ୍ଦଟି ମୋ ପାଇଁ ଅମୃତର ଧାର , ଏକ ଶୁଦ୍ଧ ପୂତ ଉଚ୍ଚାରଣ । ଆଜି ନନା ଡାକିବାକୁ ନନା ପାଖରେ ନାହାଁନ୍ତି । ମୋତେ ବାପଛେଉଣ୍ଡ କରି ଅଦୃଶ୍ଯ ଆକାଶର କେଉଁ ଏକ ଅଫେରା ମୁଲକକୁ ସେ ଚାଲିଯାଇଛନ୍ତି ସତ ହେଲେ ତାଙ୍କ ସୂକ୍ଷ୍ମ ସତ୍ତା ଅନୁଭବ କରିପାରେ କୋଣେ ଅନୁକୋଣେ । ପାଖରେ ନ ଥିଲେ ବି ଅନୁଭବ ହୁଏ ନନା ଯେମିତି ମୋ ପାଖରେ ଅଦୃଶ୍ଯ ଭାବେ ଅଛନ୍ତି , ତାଙ୍କ ସୂକ୍ଷ୍ମ ଆଶୀର୍ବାଦ ଭିଜା ହାତ ଦୁଇଟି ମୋ ମୁଣ୍ଡ ଉପରେ ରହିଛି ।  


ନନାଙ୍କ କଥା ମନେ ପଡିଗଲେ ଆଖି ଜକେଇଯାଏ । ଅନେକ ମଧୁର ସ୍ମୃତି ମନ୍ଥି ହୋଇ ପଡେ । ଅଜଣା ପୁଲକରେ ପୁଲକିତ ହୋଇ ନନା ନନା ବୋଲି ବାଉଳି ଖାଏ । 


ଅନେକ ସୁଖ ଦୁଃଖ, ହସ କାନ୍ଦ ଭରା ସ୍ମୃତି ଭିତରୁ ନନାଙ୍କ ସହ କଟେଇଥିବା ଗୋଟିଏ ଆନନ୍ଦପୂର୍ଣ୍ଣ ମୁହୂର୍ତ୍ତ ଏବେବି ଖୁବ୍ ତାଜା ଲାଗେ ।


 ନନା ମୋର ପ୍ରଥମ ଶିକ୍ଷକ ଥାଆନ୍ତି । ଯେଉଁ ପ୍ରାଥମିକ ବିଦ୍ଯାଳୟ ରେ ପଢୁଥିଲି ସେଇଠି ନନା ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟ କରୁଥାଆନ୍ତି । ଆଜିର ଆଧୁନିକ ଶିକ୍ଷାଦାନ ପଦ୍ଧତି ସଂପର୍କରେ ସେ ବିଶେଷ ତାଲିମପ୍ରାପ୍ତ ନ ହୋଇଥିଲେ ବି ଆନନ୍ଦ ଭିତ୍ତିକ ଶିକ୍ଷାଦାନ ଶୈଳୀରେ ସେ ପାଠ ପଢାଇ ଆସୁଥିଲେ । ମୋ ସହ ମୋ ସାଙ୍ଗ ମାନେ ବି ବେଶି ଆଗ୍ରହ ପ୍ରକାଶ କରୁଥିଲୁ ତାଙ୍କ ଶିକ୍ଷାଦାନ ଶୈଳୀ କୁ । ଶ୍ରେଣୀ କକ୍ଷ ଭିତରେ ସୀମିତ ନ କରି ବଗିଚାରେ କି କେଉଁ ଗଛ ମୂଳେ ଗୀତ ନାଚ ଅଭିନୟ ମାଧ୍ୟମରେ ପାଠ ପଢାଉଥିଲେ । କିଏ ତ ଗୋରା କିଏ ତ କଳା ...ଧୀରେ ଘେନ କାନନରେ ...ଆମେ ତ ଭାଗ୍ଯବାନ ପିଲାରେ ..ଏସବୁ ପଂକ୍ତି ଏବେ ବି ପ୍ରତିଧ୍ବନିତ ହୁଏ ଯାହାକୁ ସୁନ୍ଦର ଅଭିନୟ ମାଧ୍ୟମରେ ଆମେ ପଢୁଥିଲୁ । 


ସକାଳ ନଅଟାରେ ଖାଇସାରି ଆମେ ବାପ ପୁଅ ଦୁହେଁ ସ୍କୁଲକୁ ପଳାଉ । ଆଗେ ଆଗେ ନନା, ତାଙ୍କ ପଛରେ ସ୍କୁଲ୍ ମୁଣା ଧରି ମୁଁ ଚାଲିଥାଏ । ଦି' ପହର ଯାଏଁ ବାପା ଖୁବ୍ ଡିଆଁ ଡେଇଁ କରି ପଢାନ୍ତି । ବୟସ ଦୃଷ୍ଟିକୋଣରୁ ସେ ଦିପହର ଛୁଟିରେ ସ୍କୁଲ ବାରଣ୍ଡାରେ ଶୋଇ ପଡନ୍ତି । ଦିନେ ବାପା ଏମିତି ଘୁଙ୍ଘୁଡି ମାରି ଶୋଇ ଥାଆନ୍ତି । ସେତେବେଳେ ମଧ୍ଯାହ୍ନ ଭୋଜନର ସୁବିଧା ନ ଥିଲା । ସ୍କୁଲ୍ ଛୁଟିବେଳକୁ ଗହମରେ ଊପୁମା ପ୍ରସ୍ତୁତ କରି ପିଲାମାନଙ୍କୁ ଦିଆ ଯାଉଥାଏ । ଏଣୁ ଖାଇଛୁଟିରେ ପିଲାମାନେ ଘରକୁ ଖାଇବାକୁ ଯାଇ ପୁଣି ଦୁଇଟାରେ ସ୍କୁଲକୁ ଫେରୁଥିଲେ । ପିଲାମାନଙ୍କ କୋଳାହଳରେ ନନାଙ୍କ ନିଦ ଭାଙ୍ଗିଯାଏ । ଉପର ଓଳା ଅନ୍ୟ ଶିକ୍ଷକ ମାନେ ପଢାନ୍ତି । ରାନ୍ଧୁଣିଆ ନିଯୁକ୍ତ ହୋଇ ନ ଥିବାରୁ ନନା କିନ୍ତୁ ଗହମ ଊପୁମା ପ୍ରସ୍ତୁତିରେ ଉପରବେଳା ବ୍ଯସ୍ତ ରହି ଯାଆନ୍ତି । ଖୁବ୍ ସୁଆଦିଆ ଊପୁମା ସେ ବନାନ୍ତି । ଚିନି ସାଥୀରେ ଆମେ ତାକୁ ଖାଇ ସ୍କୁଲ ରୁ ଫେରୁ । 


ଦିନେ ଦିପହରରେ ସ୍କୁଲ ବାରଣ୍ଡାରେ ନନା ଏମିତି ଘୁଙ୍ଗୁଡି ମାରି ଶୋଇ ଥାଆନ୍ତି । ଶୋଉ ଶୋଉ ତିନିଟା ବାଜି ସାରିଥାଏ । ଅଚାନକ୍ ଡି ଆଇ ଅଫ୍ ସ୍କୁଲ ପରିଦର୍ଶନରେ ଆସିଗଲେ । ନନା କିନ୍ତୁ ସେମିତି ଶୋଇ ଥାଆନ୍ତି । ଜିପ୍ ଆସିବାର ଶବ୍ଦ ଦେଖି ନନାଙ୍କ ନିଦ ଭାଙ୍ଗି ଗଲା । ବୟସ ଦୃଷ୍ଟି କୋଣରୁ ଅଧିକାରୀ ଜଣକ ନନାଙ୍କ ପ୍ରତି କିଛି କାର୍ଯ୍ଯାନୁଷ୍ଠାନ ନେଇ ନ ଥିଲେ ବି କିଞ୍ଚିତ ବିରକ୍ତି ପ୍ରକାଶ କରିଥିଲେ । ତା ପରେ ଅଧିକାରୀ ଜଣକ ପିଲାମାନଙ୍କୁ କିପରି ଗହମ ଊପୁମା ପ୍ରସ୍ତୁତ କରି ଖାଇବାକୁ ଦିଆ ଯାଉଛି ଦେଖିବାକୁ ଚାହିଁଲେ । ଏ କଥା ଶୁଣି ନନାଙ୍କ ମୁଣ୍ଡ ଘୂରେଇବାକୁ ଲାଗିଲା । କ'ଣ କହିବେ କେମିତି କହିବେ ଯେ ସେ ଦିନ ଗହମ ଊପୂମା ପ୍ରସ୍ତୁତ ହୋଇପାରିନି ବୋଲି । ସେଦିନ ନନା ଜଣେ ଥିଲେ ସ୍କୁଲରେ । ଅନ୍ୟ ଜଣେ ଶିକ୍ଷକ ଛୁଟିରେ ଥିଲେ । ସେ ଚିନ୍ତା କଲେ ସେଦିନ ଜମାରୁ ଊପୁମା ପ୍ରସ୍ତୁତ ହୋଇ ନ ଥିବ । 


 ହଠାତ୍ କେହି ଜଣେ ବେଲ୍ ବଜାଇଦେଲା । ସମସ୍ତେ ଧାଡିରେ ଠିଆ ହେଲୁ ନିଜ ନିଜ ପ୍ଲେଟ୍ ଧରି । ଦୂରରୁ ନନା ଦେଖି ତଟସ୍ଥ ହୋଇଗଲେ । ସେ ତ ଊପୁମା ପ୍ରସ୍ତୁତ କରି ନାହାନ୍ତି , ତା' ହେଲେ ଊପୁମା ପ୍ରସ୍ତୁତ କରିଛି କିଏ , ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ ।  


ଶୃଙ୍ଖଳିତ ହୋଇ ଊପୁମା ନିଜ ନିଜ ପ୍ଲେଟ୍ ରେ ନେଇ ସବୁ ଖାଇବାକୁ ଲାଗିଲୁ । ଅଧିକାରୀ ଜଣକ ପିଲାଙ୍କ ଏଇ ଶୃଙ୍ଖଳା ଦେଖି ଖୁସି ହେବା ସହ ଉପମାର ସ୍ବାଦ ଚାଖି ନନାଙ୍କୁ ଖୁବ୍ ପ୍ରଶଂସା କଲେ। 


ଅଧିକାରୀ ଜଣକ ଚାଲିଯିବା ପରେ ନନା ପଚାରିଲେ ଊପୁମା କିଏ ପ୍ରସ୍ତୁତ କରିଥିଲା । 


ଡରି ଡରି କହିଲି ମୁଁ ଆଉ ମୋର ଜଣେ ସାଙ୍ଗ ମିଶିକି ତିଆର କରିଛୁ । ଆମେ ସବୁଦିନ ଦେଖି ଦେଖି ଜାଣିଗଲୁ କେମିତି ପ୍ରସ୍ତୁତ କରାଯାଏ । ଆପଣ ଶୋଇଥିବା ଦେଖି ଭାବିଲୁ ଆଜି ଆମେ ନିଜେ ତିଆରି କରି ଦେଖିବୁ କେମିତି ଲାଗୁଛି ।


ଏ କଥା ଶୁଣି ନନା ସେଦିନ ମୋ ପ୍ରତି ଖୁସି ହୋଇ ଖୁବ୍ ସ୍ନେହରେ ଛାତିରେ ଏମିତି ଜକେଇ ଧରିଥିଲେ ଯେ ସେ ସ୍ପର୍ଶ କଥା ଭାବିଲେ ଏବେ ବି ଲୋମମୂଳ ଟାଙ୍କୁରି ଉଠେ । 

ସେ ଦିନଠୁ ଅବସର ନେବା ଯାଏଁ ଦି ପହରରେ ନନାଙ୍କୁ ଶୋଇଥିବାର ଦୃଶ୍ୟ କେବେ ବି ଦେଖି ନ ଥିଲି । 


ଆଜି ଯଦି କେବେ ସେଦିନର କଥା ମନେ ପଡିଯାଏ ମନେ ମନେ ହସେ ଆଉ ନିଜେ ଗହମ ଊପମା ପ୍ରସ୍ତୁତ କରି ମୋ ଝିଅକୁ ଖୁଆଏ ...!! 

   

 


Rate this content
Log in