Santosh Kumar Ojha

Others

4  

Santosh Kumar Ojha

Others

ଉପଯୁକ୍ତ ପାତ୍ର

ଉପଯୁକ୍ତ ପାତ୍ର

5 mins
374


ଆରେ ଶଙ୍ଖ ମାର । ଶୁଭ କାମରେ ଘରୁ ବାହାରକୁ ଗଲାବେଳେ ଶଙ୍ଖ ଧ୍ବନି ଶୁଣିକି ଗଲେ କୁ ଶୁଭ ହୁଏ ବୋଲି ତମେ କ'ଣ ଜାଣିନ ? ମାହେନ୍ଦ୍ର ବେଳା ଗଡ଼ିଯାଉଛି । ଆମେ ହେଲେ ଝିଅ ତରଫ । ଠିକ୍ ସମୟର ଘଣ୍ଟେ ଅଧଘଣ୍ଟେ ଆଗରୁ ପହଞ୍ଚିବା କଥା । ଡେରି ହେଲେ ପୁଅ ଘର ଲୋକ ଖରାପ ଭାବିବେନି ? ଆରେ ଶୁଭୁଚି ନା ନାହିଁ ? ଭଲକି ଟିକେ ଶଙ୍ଖ ମାର । ସବୁ ଠିକ୍ ଠିକ୍ ଦେଇଛ ? ସେମାନେ ସବୁ କୁଆଡ଼େ ଗଲେ ?

- ଖାଲି ତମକୁ ଛାଡ଼ି ସମସ୍ତେ ଗାଡ଼ିରେ ବସିଲେଣି । ତମେ ଗଲେ ଗାଡ଼ି ଛାଡ଼ିବ । ନିଜେ ଡେରି କରିବେ ଓଲଟି ସମସ୍ତଙ୍କୁ ଛାନିଆ କରିବେ ।

       ଶଙ୍ଖ ଫୁଙ୍କିଲେ ମିନୁ ବୋଉ । ଦୟାନିଧି ବାବୁ ଝିଅ ମିନୁ ପାଇଁ ବର ପାତ୍ର ଦେଖିବାକୁ ଗଲେ । ସାଙ୍ଗରେ ମିନୁର ମାମୁଁ , ପିଉସା , ଦାଦା ଓ ଅନ୍ୟ ଦି'ଜଣ ଗାଆଁ ଲୋକ । ମିନୁ ବୋଉ ତାରିଣୀଙ୍କୁ ନଡ଼ିଆ ମନାସିଲେ - ମାଆ ତାରିଣୀଲୋ ଏଇ ଥର ବର ପସନ୍ଦ କରେଇ ଦେ' । ତିନି ବର୍ଷ ହେଲା ବୁଲି ବୁଲି ମୁଣ୍ଡ ଚନ୍ଦା ହେଇ ଗଲାଣି । କୋଉଠି ବର ପସନ୍ଦ ହେଲାଣି ତ କୋଉଠି ଘର ପସନ୍ଦ ହଉନି । ଆଉ କୋଉଠି ଘର ବର ପସନ୍ଦ ହେଲାଣି ତ ବଂଧୁ ପସନ୍ଦ ହଉନି । କୋଉଠି ବୟସ ବେଶି ହେଇଗଲାଣି ତ କାହାର ରୋଜଗାର ନାହିଁ । ଏଇମିତି ଦୁନିଆ ଅସୁବିଧା । ତିନି ବର୍ଷ ଭିତରେ ଅନ୍ତତଃ ତିରିଶି ରୁ ଅଧିକ ବର ଦେଖା ସରିଲାଣି । ଯିଏ ଆମର ପସନ୍ଦ ହେଲା , ତାଙ୍କର ଆମ ଝିଅ ପସନ୍ଦ ହେଲାନି । ପଚିଶି ପାରେଇଲେ ଝିଅ ବୁଢ଼ୀ । ଏଣିକି ଏଣିକି ପୁଅ ବାଲାଏ ବାଛିବେ । ବାଛି ବେ କ'ଣ ବାଛି ଲେଣି । ମୁଁ କହୁଚି ପୁଅ ପିଲାର ଗୋଟେ ବୟସ କ'ଣ ? ଆମ ବେଳେ ପୁଣି କନିଆଁ ଦଶା ବର ତିରିଶା ଥିଲାନା । ସେ ତ ପୁଣି ଘର ସଂସାର କରୁଥିଲେ ? ନା , ଆମର ଝିଅ ଠାରୁ ପୁଅ ୨/୩ ବର୍ଷ ବଡ଼ ହେଇଥିବା ଦରକାର । ଅତି ବେଶିରେ ୫ବର୍ଷ ହେଲେ ଚଳିବ । ତାଠୁ ବର୍ଷେ କ'ଣ ମାସେ ବଡ଼ ହେଲେବି ହବନି । ଯାଙ୍କ କହିବା କଥା ପୁଅ-ଝିଅ ଭିତରେ ବୟସ ବେଶି ତଫାତ ରହିଲେ ବୁଝାମଣା ଠିକ୍ ରହିବନି । ପାଖା ପାଖି ହେଲେ ବଂଧୁତା ବଢ଼ିବ । ମୋର ଯୁକ୍ତି ହେଲା ୮/୧୦ ବର୍ଷ ସାନ ବଡ଼ ହେଲେ ଭଲ । ଝିଅ ପୁଅକୁ ମାନିବ , ଟିକେ ଭୟ ରହିବ , ମୁହଁ ଉପରେ ଜବାବ ଦବନି । ବାପ ମାନିଲେ ତ ? ଆଜି କାଲିକା ଝିଅ ପାଠ ଦି' ଅକ୍ଷର ପଢ଼ି ଦେଲାବେଳକୁ ତ ଇନ୍ଦ୍ର ଚନ୍ଦ୍ର ମାନୁ ନାହାଁନ୍ତି । ମୋ ଝିଅ ହଉ କି ଆଉ କାହା ଝିଅ ହଉ । ସବୁ ସମାନ । ଛୋଟ ଛୋଟ କଥାରେ କଳି ଝଗଡ଼ା । ସହିବାର ନାହିଁକି ବୁଝାମଣା ନାହିଁ । କହିଲେ ଇଂଲିଶ୍ ଝାଡ଼ିବେ- No compromise । ଯାହା କରୁଛନ୍ତି କରନ୍ତୁ ; ମୁଁ ଯାଏ ଘରଟା ଯାକର କାମ ପଡ଼ିଛି ।

                   ସଂଧ୍ୟା ରତରତ । ମିନୁ ବୋଉ ଚଉଁରା ରେ ସଂଜବତୀ ଦେଇ ଶଙ୍ଖ ଫୁଙ୍କୁଚିକି ସେମାନେ ସବୁ ଆସି ପହଞ୍ଚିଲେ । ମିନୁ ବୋଉର ମନଟା ଟିକେ ଖୁସି ହେଇଗଲା । ଯା' ହଉ ମାଆ ତାରିଣୀ ତା ଡାକ ଶୁଣିଚନ୍ତି । ଶଙ୍ଖ ଧ୍ବନିରେ ଗଲେ ଆଉ ଆସିଲେ । ନିଶ୍ଚୟ ଶୁଭ ଖବର ଥିବ । ମନକୁ ମନ କହୁ କହୁ ଉତ୍କଣ୍ଠା ର ସହ ଗାଡ଼ି ପାଖକୁ ଧାଇଁ ଗଲେ ମିନୁ ବୋଉ । ଗାଡ଼ିରୁ ଓହ୍ଲଉ ଓହ୍ଲଉ ହାତ ବ୍ୟାଗଟାକୁ ମିନୁ ବୋଉକୁ ବଢ଼େଇ ଦେଇ ଘର ଭିତରକୁ ଚାଲି ଗଲେ ଦୟାନିଧି । ପଛେ ପଛେ ମିନୁ ବୋଉ ଓ ଅନ୍ୟମାନେ । ମିନୁ ବୋଉକୁ ବୁଝିବାକୁ ବେଶି କିଛି ଅଡ଼ୁଆ ହେଲାନି । ଆଜିବି ନିରାଶ । ଝିଅଟା ଆଉ ବାହା ହେଇ ପାରିବନି । ବାପର ଯୋଉ ବୁଦ୍ଧି ବାଡ଼ୁଅ ହେଇ ରହିଯିବ ।

- କ'ଣ ହେଲାକି ଭାଇ ? ମିନୁ ମାମୁଁଙ୍କୁ ପଚାରିଲା ।- କ'ଣ ଆଉ ହବ ? ସବୁ ଥର ଯାହା ହୁଏ , ସେଇଆ ହେଲା । ନ ର ବାଡ଼ି ନା । ଭିତରକୁ ଚାଲ କହୁଚି ।

        ସମସ୍ତେ ଏକାଠି ବସିଲେ । ବିଚାର ବିମର୍ଷ କରିବେ । ତାଙ୍କୁ କଥା ଦେଇ ଆସିଛନ୍ତି କାଲି ସୁଧା ଜଣେଇବେ ବୋଲି । ହଁ ନାଁ ତ କହିବାକୁ ପଡ଼ିବ । କିଛି ଆଲୋଚନା ପର୍ଯ୍ଯାଲୋଚନା ନକରି କେମିତି କହି ଦେବେ ।

- ସବୁ ମୋ ମୁହଁକୁ ବଲ ବଲ କରି ଚାହିଁଲ , କ'ଣ କହୁନ ? ସମସ୍ତଙ୍କର ମତ ନେଇକି ତ ପୁଣି ଯାହା କିଛି ହବ । ମୁଁ ଏକା କହିଲେ ହବକି ?

- ଝିଅର ମାମୁଁ ଆଗ କୁହନ୍ତୁ !

- ତମେ ଯାହା କହୁଚ କୁହ ମୋର କିନ୍ତୁ ପସନ୍ଦ । ମୋର ଯଦି ବଢ଼ିଲା ଝିଅ ଥା'ନ୍ତା ତେବେ କାହାକୁ କିଛି ନପଚାରି ବାହା କରେଇ ଦେଇଥାନ୍ତି ।

- ଭାଣିଜି କିଏ ଝିଅ କିଏ ? ସେଇଠି କରି ଦିଅ ।

- (ଦୟାନିଧି ଗର୍ଜି ଉଠିଲେ )କ'ଣ ତାର ଭଲ ଦେଖିଲୁ ଯେ ତୋ ମନକୁ ପାଇଗଲା ? ଘର ଖଣ୍ଡେ ଅଛି ? ମୋ ସମାସ୍କନ୍ଦ ବଂଧୁ ? ସଃ-

- ପିଲା ପସନ୍ଦ ତ ?

- ହଁ ପିଲାଟା ମନକୁ ଯାଉଚି ।

- ୟେ ଯାଉଚି କ'ଣ ହେ ? ଆମ ମିନୁକୁ ପୁରା ମାନିବ । ରାମ ସୀତା ଯୋଡ଼ି ତ ଆଉ ..!

- ଯାହା କହିଲ ପଦିଆ ଭାଇ କଥାଟା ଏକଦମ୍ ଠିକ୍ । ବାକି ଘର କଥା । ଆଜି ନହେଲେ କାଲି ଘର କରି ଦବନି ?

- ଆରେ.. କଥାରେ ଅଛି ପରା , ପୁଅ ଯଦି ଯୋଗ୍ୟ ଧନ ସଂଚୁ କାହିଁକି ? ପୁଅ ଯଦି ଅଯୋଗ୍ୟ ଧନ ସଂଚିବୁ କାହିଁକି ?

- ଆଛା ମୁଁ ବାହା ହେଇ ଏ ଘରକୁ ଆସିଲା ବେଳେ ତମର କୋଉ କୋଠା ବାଟି ଥିଲା ଯେ ମୋ ବାପକୁ ଜ୍ବାଇଁ ମିଳୁ ନଥିଲା ଯେ ତମରି ବେକରେ ଛନ୍ଦି ଦଉଥିଲା । ଚା ବଢ଼ଉ ବଢ଼ଉ ମିନୁ ମାଆ ପାଟିରୁ କଥା ପଦକ ବାହାରି ଆସିଲା । ବାସ୍ ଏଥର ଦୟାନିଧିଙ୍କୁ କିଏ ସମ୍ଭାଳେ ?

- କ'ଣ କହିଲ ? ନାଇଁ ନାଇଁ ମୁଁ ପଚାରୁଚି କ'ଣ କହିଲ ? ତା ବୋଲି ମୋ ଝିଅକୁ ଗୋଟେ ଭିକାରୀ ଘରେ ଦେଇ ଦେବିନା କ'ଣ ? କ'ଣ ହେଇଚିକି ମୋ ଝିଅର ? ମୋ ଝିଅ କ'ଣ ଅସୁନ୍ଦରୀ ନା ଅପାଠୋଇ ? ନା ବୟସ ସେମିତି ଗଛ ଅଗକୁ ଚାଲି ଗଲାଣି ଯେ ବୁଢ଼ା ବର ଖୋଜିବାକୁ ପଡ଼ିବ ? ୩ ବର୍ଷ ଗଲାଣି ନହେଲେ ଆଉ ବର୍ଷେ ଦି'ବର୍ଷ ଯିବ । କ'ଣ ହେଇଯିବ ସେଇଠୁ ?

- ଭାଇ ଆପଣ ଥଣ୍ଡା ହୁଅନ୍ତୁ । ଏସବୁ କାମ ଗରମ ମିଜାଜ୍ ରେ ହୁଏନି । ତା ଛଡ଼ା ମିନୁ ବୋଉ ଭୁଲ୍ କିଛି କହୁନି । ଅଙ୍ଗେ ନିଭା କଥା କହୁଚି । ଦୁନିଆଁ ର କୌଣସି ଟା ସ୍ଥାୟି ନୁହଁ । ଆଜି ଯିଏ ଅମିର୍ କାଲି ସେ ଫକିର୍ । ଯିଏ ଆମ ଗାଆଁର ଧନୀ ସେ ଆର ଗାଆଁରେ ଗରିବ । ଓଡ଼ିଶାର ଧନୀ ଦିଲ୍ଲୀ ରେ ଗରିବ । ସେଇଟା ଦେଇକି କିଛି କଥା ନାହିଁ । ଆମ ମିନୁ କରେଇ ନବନି ? ତମରି ଭଳି କରେଇ ନବାରେ ସେ ଓସ୍ତାଦ୍ ।

- ତମେ ଯେତେ ଯାହା କୁହ ସେ ଘର ଦେଖିକି ମୋର ଜମା ଇଛା ହଉନି ।

- ଗୋଟେ କଥା କହିବି ଦୟାନିଧି ?

- ହଁ କୁହନ୍ତୁ ଦାଦା । ଆମ ଭିତରେ ଆପଣ ହିଁ ଏକ ମାତ୍ର ଗୁରୁଜନ । ଆମ ମାନଙ୍କ ଅପେକ୍ଷା ଅଭିଜ୍ଞତା ଆପଣଙ୍କର ବେଶି । କୁହନ୍ତୁ ?

- ସେ କ'ଣ କାହା କଥା ଶୁଣିବେ ? ଯାହା ବୁଝିଥିବେ ସେଇଆ । ବ୍ରହ୍ମା-ବିଷ୍ଣୁ-ମହେଶ୍ବର ବି ବୁଝେଇ ପାରିବେନି । ମିନୁ ବୋଉ ଚା କପ୍ ଉଠଉ ଉଠଉ କହିଲେ ।

- ମିନୁ ବୋଉ ଠିକ୍ କଥାଟା ଠିକ୍ ସମୟରେ ମନେ ପକେଇ ଦେଲେ ।

- କି କଥା କି ଦାଦା ?

-ଏଇ ଯୋଉ ତ୍ରିଦେବ ଙ୍କ କଥା କହିଲେ , ତାଙ୍କ ଭିତରୁ କାହାର ଘର ଭଲ ?

- ମାନେ ?

- ଦେବ ଦେବ ମହାଦେବ ର ଘର ନାହିଁ , ମଶାଣିରେ ରହୁଛନ୍ତି । ବସ୍ତ୍ର ବି ତ ନାହିଁ । ତାଙ୍କୁ ତ ପୁଣି ଦକ୍ଷ ପ୍ରଜାପତି ଝିଅ ଦେଲେ ? ବିଷ୍ଣୁ ତ କ୍ଷୀର ସାଗର ରେ ଅନନ୍ତ ଶୟନରେ ବ୍ୟସ୍ତ । ତାଙ୍କୁ ତ ପୁଣି କର ରେ ଯାହାର ରତ୍ନ , ରତ୍ନାକର , ରାଜା ବରୁଣ ଝିଅ ଦେଇଛନ୍ତି ? ଆଉ ସୃଷ୍ଟି କର୍ତ୍ତା ବ୍ରହ୍ମା । ତାଙ୍କ କଥା ତ ନ କହିଲେ ଭଲ । ଘର ଅଛି ନା ଦ୍ବାର ଅଛି ? ଏମାନଙ୍କର ତ ବସିବା ପାଇଁ ଜାଗା ଖଣ୍ଡେ ଅଛି ; ବ୍ରହ୍ମାଙ୍କର ତ ସେତକ ବି ନାହିଁ । ଶୂନ୍ୟେ ବିହାର । ବିଷ୍ଣୁଙ୍କ ନାଭିରୁ ଯେ କମଳ ବାହାରିଛି ସେଇ ପଦ୍ମ ପତ୍ରଟା ଉପରେ ବାସ । ପବନରେ ଦୋହଲୁ ଥିବ । କହିଲା କ'ଣ ନା ଘର ପସନ୍ଦ ହଉନି ? ୟେ ଗୋଟେ କଥା ?

                ସମସ୍ତେ ହା ହା ହେଇ ହସିଲେ ।

            ମିନୁ ବୋଉ ଘରଟା ଭିତରେ ଏକୁଟିଆ ଛିଡ଼ା ହେଇ ମାଆ ତାରିଣୀ ମାଆ ତାରିଣୀ ହେଉଥାନ୍ତି ।

- ଏବେ ତ ଦୟା କର ଦୟା ନିଧି !

                  ପୁଣି ଥରେ ସମସ୍ତେ ଏକା ସାଙ୍ଗେ ହା ହା ହେଇ ହସିଲେ ....ଦୟାନିଧି ବି ।

   

                      


Rate this content
Log in