Santosh Kumar Ojha

Others

4  

Santosh Kumar Ojha

Others

ସରଳା

ସରଳା

4 mins
290


    - କଲମ ଦେବି ?

- କାହିଁକି ?

- ନା , କବି ଭାବୁକ ଭଳି ଭାବନାରେ ହଜିଯାଇଛ ତ ! କେତେବେଳୁ ପାଣି ଗ୍ଲାସ୍ ଟା ବଢ଼େଇଲିଣି ହାତ ଧୋଇବ ବୋଲି , ଆଜି ରଜ ପରାଦିନେ ତମେ ବିରି ଚକୁଳି ଖାଇବାକୁ ଭଲପାଅ ବୋଲି ପତଳା କରିକି ଦି'ଖଣ୍ଡ କରିଥିଲି । ତମେ ଦେଖିଲା ବେଳକୁ ଭାବନା ରାଇଜରେ ବୁଲୁଛ ।

- ଓ ..ହୋ ..! ତମେ ପିଠା କରି ସାରିଲଣି ?

- ହଁ । କାହିଁ ,କ'ଣ ହେଲାକି ?

- ମୁଁ ସେଇକଥା ଭାବୁଥିଲି ତ !

- କୋଉ କଥା ?

- ଏଇ ତମକଥା । ମାନେ ତମମାନଙ୍କ କଥା ।

- କ'ଣ ୟାଡ଼ୁ ସାଡ଼ୁ କହୁଛ , ମୁଁ କଥା କିଛି ବୁଝି ପାରୁନି । ତମେ ଗଲ ହାତ ମୁହଁ ଧୋଇବ , ଗାଆଁ ସାରା ଲୋକ ପିଠାପଣା ଖାଇ ଯିଏ ଯୁଆଡ଼େ ଗଲେଣି । ତମର ନିଦ ଭାଙ୍ଗୁନି । ଭାବନାରେ ଭାସୁଛ ।

- ଆରେ ମୁଁ ସବୁ ସ୍ତ୍ରୀ ଲୋକଙ୍କ କଥା ଭାବୁଛି ।

- ନିଆଁଲଗା ଲୋକଙ୍କର ନିଆଁଲଗା ବୁଦ୍ଧି । କିହୋ ! ଘର ଭାତ ଖାଇବ , ପରକଥା କାହିଁକି ଭାବିବ ? ପୁଣି ସ୍ତ୍ରୀ ଲୋକଙ୍କ କଥା । ପର ସ୍ତ୍ରୀ ମାଆ ସମାନ । ତାଙ୍କ କଥା କାହିଁକି  ଭାବିବ ? ନିଜ ପିଲାଛୁଆ ଏଣେ ଗଡ଼ି ଯାଉଛନ୍ତି ; ତାଙ୍କ କଥା ତ ଦିନେ ଭାବିବାର ନାହିଁ ଖାଇ ପି' ବସିଗଲେ ପର ସ୍ତ୍ରୀ କଥା ଭାବିବାକୁ । ଛେଃ...

- ଆରେ ମୁଁ କ'ଣ କହୁଛି ତ ଶୁଣ । କିଛି ନବୁଝି ନଶୁଣି ମଝିରେ ଫାଳ ପୁରେଇ ଦେଲ । କୋଉ କଥା କୁଆଡ଼େ ନେଇଗଲ । ଆସ ବସ । ଆଗ ଶୁଣ , ତାପରେ ଯାହା କହିବ ମୁଁ ସବୁ ଶୁଣିବି ।

- ହଉ କୁହ , କ'ଣ କହିବ ?

-ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ।

- ଏଇଟା କୋଉ ନୂଆ କଥା ?

- ହେ ଶୁଣ।ସବୁବେଳେ ଗୋଟେ କଚର କଚର ?

......ହଉ ଶୁଣ । ଏଇ ତେର ପର୍ବରେ ଛବିଶି ପିଠା । ତା ସାଙ୍ଗକୁ ହରେକ ରକମର ଶାଗ ତିଅଣ । ପୁଣି ମିଠା, ମାଛ , ମାଂସ ଇତ୍ୟାଦି ଇତ୍ୟାଦି । ଦି' ଦିନ ଆଗରୁ ପାଗ ଜାଗ । ମାନେ ଘରଟା ଜାକର ଝଡ଼ାଝଡ଼ି ଧୁଆ ମଜା । ତାପରେ ନିତିଦିନିଆ ପାଇଟି । କେତେ କାମ ?  ସମସ୍ତେ ଖୁସି ମନେଇବା ପାଇଁ ନିଜ ନିଜର ପସନ୍ଦ ମୁତାବକ ବ୍ୟଞ୍ଜନ ବରାଦ କରିଦେଇ ଗୋଡ଼ ଉପରେ ଗୋଡ଼ ପକେଇ ବସିଯା'ନ୍ତି । ପାଣି ଗ୍ଲାସ୍ ଟେ ବି ଆଣିବାର ନାହିଁ । କରିବା ଲୋକ ମାତ୍ର ଜଣେ । ସେଇ ସ୍ତ୍ରୀ ଲୋକଟି ।

- ହଁ ତ ! ଇଏତ ସବୁରି ଘରର କଥା, ପ୍ରଥା ବି ।

- ହଁ ସେଇ କଥା କହୁଛି । ଆଜି ଜଣେ କେହି ପୁରୁଷ ପାଇଲିନି ଯିଏ ଏହି ସବୁଦିନ ମାନଙ୍କରେ ସ୍ତ୍ରୀଙ୍କ କଥା ଭାବୁଥିବ ।

           କିଣା ମୁଢ଼ି ଲାଳେଇ ଯାଉଛି ଶ୍ବଶୁର ଖାଇବେନି , ମୁଢ଼ି ଭାଜିବାକୁ ପଡ଼ିବ । ଶାଶୁ ଗ୍ରାଇଣ୍ଡର୍ କୁଟା ଚାଉଳର ପିଠା ଖାଇବେନି ତାଙ୍କ ପାଇଁ ଶିଳରେ ବାଟିକି ପିଠା କରିବାକୁ ପଡ଼ିବ । ସ୍ବାମୀଙ୍କ ପସନ୍ଦର ନହେଲେ ସୃଷ୍ଟି ପ୍ରଳୟ । ଛୁଆ ପିଲାଙ୍କ କଥା । ଦିଅର ନଣନ୍ଦଙ୍କ କଥା , ବନ୍ଧୁ ବାନ୍ଧବ । ନଣନ୍ଦ ମାନଙ୍କ ଘରକୁ ପୁନିଅଁ ପର୍ବରେ ଭାର ଥୁର ଗଲାକି ନାହିଁ । ବନ୍ଧୁବାନ୍ଧବ ଆସିଲେ ଠିକ୍ ରେ ଚର୍ଚ୍ଚା ହେଲେକି ନାହିଁ । ସବୁକଥା ବୁଝିବାକୁ ପଡ଼ିବ । ନଣନ୍ଦେଇଙ୍କର ତ ପାନରୁ ଚୂନ ଖସିଗଲେ ସଂସାର ଓଲଟ ପାଲଟ ହେଇଯିବ । ପରିବାର ସାରା ଲୋକଙ୍କର ଦେହ ପା ଅଛି । ସକାଳ ଠାରୁ ରାତି ଅଧ ଯାଏଁ ଟିକେବି ଫୁର୍ସତ ନାହିଁ । ମେସିନ୍ ଭଳି ଦୌଡ଼ୁଥିବ । କେହି ଟିକେ ଆହା ପଦେ କହିବାର ନାହିଁ । ଓଲଟି ସାମାନ୍ୟ ବ୍ୟତିକ୍ରମରେ କଟୁକଥା ,ଗାଳି , ଗଞ୍ଜଣା । ବାପ ଗୋସାଁପ ପର୍ଯ୍ୟନ୍ତ କଥାଯାଏ । ରାନ୍ଧି ବାଢ଼ି ସାରି ସମସ୍ତଙ୍କୁ ଖାଇବାକୁ ଦେଇ ସବା ପଛରେ ଖାଇବ । ସେତେବେଳକୁ ଥିଲେ ଖାଏ ନହେଲେ ସୁକୁଟା ଆମ୍ବୁଲ କଞ୍ଚା ଲଙ୍କା ଦଳିକି , କରେଇ ଚାଟିକି ଖାଏ । ଅଇଁଠା ବାସନ ମାଜି ସାରି ଶାଶୁ ଶ୍ବଶୁରଙ୍କ ପାଦ ସେବା ପରେ ସ୍ବାମୀ ସେବା କରିବା ପରେ ଯାଇ ଶୋଇବ । ପୁଣି ସମସ୍ତଙ୍କ ଆଗରୁ ଉଠିବ । ବାସିପାଇଟି ସାରିବ , ଗରମ ପାଣି କରିକି ଦେଲେ ଶାଶୁ ଶ୍ବଶୁର ଗାଧୋଇବେ । ସମସ୍ତଙ୍କର ବେଡ୍ ଟି' । ସେଥିରେ ପୁଣି ଡେରିରେ ବିଛଣାକୁ ଗଲେ ସ୍ବାମୀଙ୍କର ମୁହଁ ଫୁଲା ତ ସକାଳେ ଟିକେ ଜଲ୍ଦି ଉଠି ଆସିଲେ ଅଭିମାନ । କିଏ ଟ୍ୟିୁସନ୍ ଯିବ , କିଏ ସ୍କୁଲ୍ ଯିବ । କାହାର କଲେଜ୍ ଟାଇମ୍ ଡେରି ହଉଛି ତ କାହାର ଅଫିସ୍ ଟାଇମ୍ । ଟାଇମ୍ ଏପଟ୍ ସେପଟ୍ ହେଲେ ଅଦିନରେ ଜାଗର । ତା ପଛକୁ ଠାକୁର ପୂଜା, ଦାଣ୍ଡ ବାଡ଼ି , ଗୋରୁ ଗାଈ ...ହେଃ ! ପାଗଳ ହେଇଯିବ ମଣିଷ ।

- ବୁଝୁଛ ଟି ?

- ଏତେ କାମ କେମିତି କର ସରଳା ? ବିରକ୍ତ ଲାଗେନି ?

- ଆମ କପାଳ ତ ସେଇଆ । କାହାକୁ କହିବୁ କିଏ ଶୁଣିବ ? ବାପା ମାଆଙ୍କୁ ଛାଡ଼ି ଆସି ଏଠି ଯୋଉ ବାପା ମାଆ ତୁଲ୍ୟ ଶାଶୁ ଶ୍ବଶୁର ପାଇଲୁ ; ଆମେ ସିନା ତାଙ୍କୁ ବାପା ମାଆ ବୋଲି ଭାବୁ , ବାପ ମାଆଙ୍କ ଠାରୁ ଅଧିକ ସେବା କରୁ , ଯତ୍ନ ନେଉ , ହେଲେ ସେମାନେ ଦିନେ ବି ଆମକୁ ନିଜ ଝିଅ ଆସନରେ ବସାନ୍ତିନି । ଅବଶ୍ୟ ଜଣେ ଜଣେ ଅଛନ୍ତି ; କିନ୍ତୁ ବହୁତ କମ୍ । ଶହେରେ ଜଣେ ମିଳିବା କଷ୍ଟ । ତମ ବାପା ବୋଉ ଙ୍କ ଆଡ଼କୁ ଟାଣି ନବନି ।

- ଆଜି ତମକୁ କିଛି ବି କହିବିନି । ତମ ମନକୁ ଯାହା ଆସୁଛି , ଯାହା ଦୁଃଖ ଅଛି କୁହ । ମୁଁ ସବୁ ଶୁଣିବି । କୁହାଯାଏ ଦୁଃଖ କହିଦେଲେ କମିଯାଏ । କୁହ ମୁଁ ଶୁଣିବି । ବାପଘରେ ବେପରୁଆ ଅମାନିଆ ଅଲିଅଳୀରେ ବଢ଼ିଥିବା ଝିଅଟା କେମିତି ଶାଶୁଘରେ ଆଜ୍ଞାଧିନା ଛାତ୍ରୀ ହୋଇଯାଏ , ସେ କଥା ଗୋଟି ଗୋଟି ସବୁ ଶୁଣିବି । ସେଥିପାଇଁ କାହା ପାଖରେ ସମୟ ନାହିଁକି ଧୈର୍ଯ୍ୟ ନାହିଁ । ଚିନ୍ତାଦକ , ସମବେଦନା କିଛି ବି ନାହିଁ । ମୁଁ କିନ୍ତୁ ଆଜି ତମକୁ ପୁରା ଦିନଟା ସମୟ ଦେବି । ଏକଥା ରାତିରୁ ଭାବିଛି , ସକାଳ ହେଲେ ତମକୁ କହିବି ଆଜି ତମକୁ କିଛି କରିବାକୁ ପଡ଼ିବନି । ବର୍ଷର ଗୋଟେ ଦିନ ଅତନ୍ତଃ ବିଶ୍ରାମ ନବ ସବୁ କାମ ମୁଁ କରିବି । ହେଲେ ମୋ କହିବା ପୂର୍ବରୁ ତମେ ପିଠା କରିସାରିଲଣି । ହଉ ଏବେ ଆଉ କିଛି କରିବନି ହେଲା ? ବାକି ସବୁ ମୁଁ କରିବି ।

- ଧେତ୍ ! ସେମିତି କ'ଣ ହୁଏ ? ତମକୁ କିଏ ମାଇଚିଆ କହିଲେ ମୋତେ କ'ଣ ଭଲ ଲାଗିବ ? ମୋ ମାଆ କହୁଥିଲା ତ୍ୟାଗରେ ଯୋଉ ଆନନ୍ଦ ଅଛି ସ୍ବାର୍ଥରେ ନଥାଏ । ତମର ଏଇ ସ୍ନେହବୋଳା କଥା କେଇପଦ ଶୁଣିଦେଲେ ମୋର ସବୁ କଷ୍ଟ ଦୂର ହେଇଯାଏ । ତମେ ସବୁ ଦିନ ଏମିତି ଭଲ ପାଇବ ନା ?

- ସରଳା ..କହି କୋଳେଇ ନେଲେ ବିବେକ ।

           


Rate this content
Log in