Santosh Kumar Ojha

Others

3  

Santosh Kumar Ojha

Others

ନୂଆ ସକାଳ

ନୂଆ ସକାଳ

7 mins
225


   ରାତି ଏଗାରଟା । ଶୂନ୍ ଶାନ୍ ବସ୍ ଷ୍ଟାଣ୍ଡ୍ । ନିର୍ଦ୍ଧାରିତ ସମୟର ବହୁତ ବିଳମ୍ବରେ ପହଞ୍ଚିଲା ବସ୍ । ଅଳ୍ପ କିଛି ଯାତ୍ରୀ ସହ ଓହ୍ଲେଇଲା ଏକ ନବ ଯୌବନା ତରୁଣୀ । ତଳକୁ ଓହ୍ଲେଇବା ମାତ୍ରେ ଘେରି ଗଲେ ଶୃଗାଳ ଦଳ । 

- ଉଁ...କି ମାଲ୍ ବେ ସାଙ୍ଗ । 

- ଜିନିଷ ଖଣ୍ଡେ ଏକା ।

- ଶଳା ଉପରବାଲା ଖାସ୍ ଆମ ପାଇଁ ବନେଇଚି ।

- ଗୁରୁ ! କ୍ୟା କରୁଁ ? 

- ଲେ ଚଲୋ ହମାରେ କମରେ 

- ଲେ ଯାଏଙ୍ଗେ...ଲେ ଯାଏଙ୍ଗେ....

ଦିଲ୍ ବାଲେ ଦୁଲହନିଆ ଲେ ଯାଏଙ୍ଗେ

       - ଆରେ ଆରେ ଇଏ କ'ଣ ହଉଚି ? ତରୁଣୀ ଆଡ଼କୁ ଚାହିଁ - ତମକୁ ଲିଙ୍କ୍ ରୋଡ଼ରେ ଓହ୍ଲେଇବାକୁ କହିଥିଲି ନା ? ତମେ ସେଠି ନଓହ୍ଲେଇ ଏଠିକି ଚାଲି ଆସିଲ ଯେ ? ମୁଁ କେତେ ଖୋଜିଲିଣି । ହଉ ଚାଲ ଯିବା ।

- ତୁ ଶଳାଟି କିଏ ବେ ମଝିରେ ଷଣ୍ଢ ପୁରଉଚୁ ?

- ହେଇଟି ମଣି ! ଯୋଉ ବାଟେ ବାଟେ ଆଇଥେଲ ବନ୍ଧୁ ସେଇ ବାଟ ଦେଇ ଯା ।

- ହେଇଟି ଅନାନି... ସିଧା କମାର ଶାଳରୁ ଆଣିଚି, ତୋରି ବେକରେ ଶୁଭାରମ୍ଭ କରିବି । 

          ଏମିତି ୧୦/୧୫ ମିନିଟ୍ ଧସ୍ତା ଧସ୍ତି ଚାଲିଥାଏ । ପୋଲିସ୍ ସାଇରନ୍ ଶୁଭିଲା ।

- ଇଏ ଶଳେ କୁଆଡ଼ୁ ଆସିଲେ ବେ ?

- ଧେତ୍ ଠିକ୍ ସମୟରେ ଶଶୁର ପୁଅ ପହଞ୍ଚି ଗଲେ । ଚାଲ ବେ....

      ଯିଏ ଯୁଆଡ଼େ ଧାଇଁକି ପଳେଇଲେ । ବାକି ରହିଲେ ସେ ତରୁଣୀ ଆଉ ସମୟ । ସମୟ ସାମନ୍ତ, ଇଲେକ୍ଟ୍ରିକାଲ୍  ଇଞ୍ଜିନିୟର । ବିଡ଼ାନାସି ଷ୍ଟକ୍ଚର ହାଉସ୍ ରେ କାର୍ଯ୍ୟ ରତ । ତୁଳସୀପୁର ରେ ଭଡ଼ା ଘରେ ରୁହନ୍ତି ଏକା । ହଠାତ୍ ଗାଆଁକୁ ଯିବାକୁ ପଡ଼ିବାରୁ ବସ୍ ଅନ୍ୱେଷଣରେ ବାଦାମବାଡ଼ି ଆସିଥିଲେ ।

- ଆସ ଯିବା ।

       ତରୁଣୀ କିଛି ଉତ୍ତର ନଦେଇ ପଛେ ପଛେ ଚାଲିଲେ । କିଛି ବାଟ ଯାଇଛନ୍ତି କି ନାହିଁ ଗୋଟେ ଫେରନ୍ତା ଅଟୋ ଦେଖା ଗଲା । ସମୟ ଅଟୋ ଅଟକେଇଲେ । ଦୁହେଁ ମିଶି ତୁଳସୀପୁର ରୁମକୁ ଗଲେ । ବାଟରେ ଉଁ ଚୁଁ କିଛି ନାହିଁ । ଚିହ୍ନା ନାହିଁ ଜଣା ନାହିଁ କି କଥା ହେବେ । ପରିଚୟ ପଚାରିଲେ ଅଟୋବାଲା ଜାଣିଦବ । କାଳେ ପୁଣି କିଛି ଅଘଟଣ ଘଟିବ ? ଅଟୋ ତୁଳସୀପୁର ହେଲା । ସମୟ ଭଡ଼ା ଦେଇ ଅଟୋ ବିଦା କଲେ । ରୁମ୍ ଖୋଲି ଭିତରକୁ ପଶିଲେ । ପଛେ ପଛେ ତରୁଣୀ । ବେଡ୍ ଉପରେ ବସିବାକୁ କହି ନିଜେ ବାଥ୍ ରୁମକୁ ପଶିଗଲେ । ତରୁଣୀ ଚୁପ୍ ଚାପ୍ ବେଡ୍ ଉପରେ ଲଥ୍ କରି ବସି ପଡ଼ିଲା । ଭାବୁଚି ସମୟ ଠିକ୍ ସମୟରେ ପହଞ୍ଚିନଥିଲେ କ'ଣ ହେଇଥା'ନ୍ତା ? ସବୁ କିଛି ସରି ଯାଇଥାନ୍ତା । ସେଇ ଗୁଣ୍ଡା ମାନଙ୍କ ଦ୍ୱାରା ଧର୍ଷିତା ହେଇ ମରିଥାନ୍ତି ନହେଲେ ଆତ୍ମହତ୍ୟା କରିଥାନ୍ତି । ସମୟ ଆସିଲେ -

- ଆରେ କ'ଣ ଭାବୁଚ ? ଭୟ କରିବାର କିଛି ନାହିଁ ।

- ଆସି ସାରିଚି ତ ଭୟ କରିବି କାହିଁକି ?

- ହଉ ଯାଅ, ଧୁଆ ଧୋଇ ହେଇ ଆସ 

- ହଁ ଯାଉଚି ।

- ହଁ ଶୁଣ ମୁଢ଼ି ଚଳିବ ?

- କିଛି ଦରକାର ନାହିଁ ।

- ଦରକାର ନାହିଁ ମାନେ ? ଉପାସରେ ଶୋଇବନା କ'ଣ ?

- ନା ଭୋକ ନାହିଁ ।

- ସେ ବାଜେ କଥା କୁହନି, ଯାଅ ଧୋଇ ଆସ, ମୁଁ ରେଡି କରୁଚି ଆସିଲେ ଖାଇବା । ଭୋକ କଲାଣି ।

          ତରୁଣୀ ବାଥ୍ ରୁମରୁ ଆସିବା ପରେ ଦୁହେଁ ଖାଇ ବସିଲେ ।

- ପ୍ରକୃତରେ ମୋତେ ଭୋକ ନାହିଁ । ଏଇ କିଛି ସମୟ ପୂର୍ବରୁ ଖାଇକି ଘରକୁ ଯିବି ବୋଲି ବାଦାମବାଡ଼ି ଯାଇଥିଲି । କେବଳ ତମେ ଏକା ଖାଇବନି ବୋଲି ମୁଁ ଖାଉଚି ।

- ମୋ ପାଇଁ ଆପଣ ବହୁତ ହଇରାଣ ହେଲେ ।

- ଆରେ ନା ନା ....

- ତୁଳସୀ । ତୁଳସୀ ସାମଲ ମୋ ନାଆଁ । ଘର ଜଗତସିଂହପୁର । 

- କଥା କେତେବେଳେ ହେଲେ ଯେ ତମ ନାଆଁ ଜାଣିବି ?

- ହୁଁ, ମୁଁ କିନ୍ତୁ ଆପଣଙ୍କ ନାଆଁ ଜାଣିଚି । ସମୟ ସାମନ୍ତ, ଇଞ୍ଜିନିୟର । ଠିକ୍ ନା ?

- ହଁ, କେମିତି ଜାଣିଲ ?

- ଟିପୟ ଉପରେ ଏଇ ଇନଭାଇଟେସନ୍ କାର୍ଡଟା ପଡ଼ିଥିଲା, ସେଥିରେ ଆପଣଙ୍କ ନାଆଁ ଆଉ ଡେଜିଗନେସନ୍ ଲେଖା ଅଛି ।

- ଓଃ.. ରାଇଟ୍ ।

- ତୁଳସୀ କୁହ, ତମେ ଏତେ ରାତିରେ କେମିତି ?

- ମୁଁ ଘରୁ ରାଗିକି ପଳେଇ ଆସିଚି ।

- କାହିଁକି ?

- ମୋ ବାପା ମୋ ବାହାଘର ଗୋଟେ ଘୋଡ଼ା ମଦୁଆ ସହ ବାହା କରେଇ ଦବାକୁ ବସିଥିଲେ । କାଲି ମୋର ଲଗ୍ନ ।

- ଆରେ ଆରେ... ଇଏ କି କଥା । ଝିଅର ଅନିଚ୍ଛା ସତ୍ତ୍ୱେ ବାହା କରେଇବାକୁ ବସିଥିଲେ ? ବାପା ଜାଣନ୍ତି ?

- ହଁ । କହିଲେ ଆଜି କାଲି କିଏ ପିଉନି ? ବାହାଘର ଆଗରୁ ସିନା ମଦୁଆ ବୋଲି ବାରୁଚୁ, ବାହା ହେଲାପରେ ସେ ଯଦି ମଦୁଆ ହେଲା ତେବେ..? ସବୁ ଭାଗ୍ୟର କଥା । ତୁ ବାହା ନହେଲେ କ'ଣ ସେ ମଦୁଆ ବୋଲି କେହି ବାହା ହେବେନି ? ସଂସାରର ସବୁ ମଦୁଆ ଅବିବାହିତ ? ଓଥରା ? ପିଲାର ଚାକିରି ଅଛି, ବାପର ସମ୍ପତ୍ତି ଅଛି, ପିଇଲା ତ କ'ଣ ହେଲା ? ମୋର ପିଲା ପସନ୍ଦ ମାନେ ମୁଁ ସେଇଠି କରିବି । କହା କଥା ଶୁଣିବିନି । ବାପା ଟିକେ ଜିଦିଆ । ଯାହା ବୁଝିଥିବେ ସେଇଆ ।

- ହଉ ପ୍ରୋବ୍ଲେମ୍ କ'ଣ ? ବାପା ଯଦି କହୁଚନ୍ତି ତମେ ବାହା ହେଇଯାଇଥାନ୍ତ !

- ମୋତେ ଜମାରୁ ମଦୁଆ ଭଲ ଲାଗନ୍ତିନି ।

     ସମୟକୁ ସଙ୍କୋଚ ଲାଗିଲା । କାରଣ ସନ୍ଧ୍ୟାରେ ଗାଆଁକୁ ପଳେଇବେ ବୋଲି ସାଙ୍ଗମାନେ ଛାଡ଼ିଲେନି ଟିକେ ଚିକେନ୍ କଷା ସହ ମାରିଦେଇଚି । ଅବଶ୍ୟ ଏବେ ଏତେ ବାସ୍ନା ନଥିବ । ତାପରେ ସେ କୋଉ ମୁହଁକୁ ମୁହଁ ଲଗେଇ କଥା ହଉଚି ଯେ ଜାଣିଯିବ ? 

- ହୁଁ, ତାପରେ ? 

- ମୋର ଜମା ଇଚ୍ଛା ନଥାଏ ।

- ସେ ପୁଅ କି ଚାକିରି କରେ ? 

- ଶିକ୍ଷକ

   ଯା ଶଳା । ମୁଁ ଭାବେ ଆମରି ଭଳି ଇଞ୍ଜିନିୟର ଡକ୍ଟର ମାନେ ପାଠ ପଢ଼ା ବେଳୁ ପ୍ରାୟ ପିଅନ୍ତି ତ ଅଭ୍ୟାସଟା ଥିବ । କିନ୍ତୁ ଶଳା ଶିକ୍ଷକ ମାନେ ବି ପିଅନ୍ତି ମୁଁ ଜାଣି ନଥିଲି । ହଁ ! ସାଆରେ ନା, ସବୁ ସାରିଲା ପରେ ସାଆରେ । ମଦ ପିଇଲେ, ନ ପିଇଲେ କ'ଣ ହୁଏ ପିଲାଙ୍କୁ କହିବେ କେମିତି ? ପାଠ ପଢ଼େଇବାକୁ ହେଲେ ଅଭିଜ୍ଞତା, ଅନୁଭୂତି ଦରକାର ନା ? 

- ଠିକ୍ ଠିକ୍ । ତାପରେ ?

- ଫାଇନାଲ୍ ଦେଖା ଠାରୁ କ'ଣ କରିବି କ'ଣ କରିବି ଭାବି ଭାବି କିଛି ସ୍ଥିର କରି ପାରିଲିନି । ଘରୁ ପଳେଇ ଆସିଲି । ହେଲେ ଯିବି କୁଆଡ଼େ ? ଏଇଠି ମୋର ଜଣେ ଦୂର ସମ୍ପର୍କୀୟ ମାମୁଁ ଚାକିରି କରିଚନ୍ତି । ଆକାଶବାଣୀରେ । ତାଙ୍କ ପରିବାର ନେଇ ରହୁଚନ୍ତି । ଭାବିଲି ରେଡିଓ ସେଣ୍ଟରକୁ ଯାଇ ପଚାରି ଦେଲେ କହି ଦେବେ ତାଙ୍କ ଘର । ବସ୍ ସନ୍ୟାତି ୭ଟା ରେ ପହଞ୍ଚିବା କଥା । ସିଧା ଗାଆଁରୁ କଟକ ଆସୁଚି ତ । 

- ଏତେ ଡେରି ହେଲା ଯେ ?

- ବାଟରେ ବସ୍ ଖରାପ ହେଇଗଲା । ସଜାଡ଼ୁ ସଜାଡ଼ୁ ବହୁତ ଡେରି କରିଦେଲା ବସ୍ । ଜଗତ୍ ପୁର, ଶିଖରପୁର, ଓ'ମ୍ପି, ଲିଙ୍କରୋଡ଼ରେ ପ୍ରାୟ ଯାତ୍ରୀ ଓହ୍ଲେଗଲେ । ବାକି ଆମେ ୪/୫ ଜଣ ଥିଲୁ । ସେମାନେ ଏଇ କନ୍ଦରପୁରରୁ ଉଠିଲେ । ଉଠିବା ଠାରୁ ମୋତେ କେମିତି କେମିତି ଚାହୁଁ ଥିଲେ । ମୁଚୁକି ମୁଚୁକି ହସୁଥିଲେ । ମୋତେ ଭାରି ଭୟ ଲାଗୁଥିଲା । କିନ୍ତୁ କିଛି ଉପାୟ ନଥିଲା । ଭାବିଲି ଷ୍ଟାଣ୍ଡରେ ଲୋକ ଥିବେ ।

- ଏଇଟା ବାଦାମବାଡ଼ି । ଏଠି ଥାଆନ୍ତି, ନଥାନ୍ତି ବି ।

- ମୋର ଭୁଲ୍ ହେଇଯାଇଛି ବାବୁ

- ଭାବି ପାରୁଛ ଠିକ୍ ସମୟରେ ପୋଲିସ୍ ଆସି ନଥିଲେ ଆମ ଅବସ୍ଥା କ'ଣ ହେଇଥାନ୍ତା ? 

     ତଳକୁ ମୁହଁ ପୋତି ଚୁପ୍ ରହିଲା ତୁଳସୀ ।

- ସେ ଗୁଣ୍ଡାଙ୍କ ଭଳି ମୁଁ ବି ତମ ପାଇଁ ଅପରିଚିତ । ତମେ ମୋ ସହ ଚାଲି ଆସିଲ ଯେ ?

- ଆପଣ ଭଲ ଲୋକ । ନହେଲେ କାହିଁକି ନିଜ ଜୀବନକୁ ପାଣି ଛଡ଼େଇ ମୋତେ ବଞ୍ଚେଇବାକୁ ଆସିଥାନ୍ତେ ?

- ମୁଁ ଫିଲ୍ମ ଷ୍ଟାଇଲି କରିଥାଇ ପାରେ ? ମାନେ ସେମାନଙ୍କୁ ମୁଁ ସେଟ୍ କରିଥାଇପାରେ ।

- ହଁ ହେଇପାରେ । କିନ୍ତୁ ପୁଞ୍ଜେ ଶୃଗାଳଙ୍କ ପଞ୍ଝାରେ ଖିନ୍ ଭିନ୍ ହବା ଅପେକ୍ଷା ଗୋଟେ ବାଘ ଆଞ୍ଚୁଡ଼ା ଖାଇବା ଭଲ 

- ଚାଲାକ୍ ଅଛ ତାହାଲେ ?

- ଆପଣଙ୍କ ଠୁଁ କମ୍ । ଭାବିଲି ଯିଏ ବଞ୍ଚେଇଲେ ସେ ଯଦି ମାରିବେ ମାରନ୍ତୁ । ସେ ଘୋଡ଼ା ମଦୁଆକୁ ବାହା ହେଇ ସଂସାର କରିବା ଅପେକ୍ଷା ଶତ ଗୁଣ୍ ଭଲ ଆପଣଙ୍କ ହାତରେ ମରିବା । ଏବେ ଆପଣଙ୍କ ଇଚ୍ଛା ।

- ନଟି ବି ! ସେମିତି କିଛି ବି ହବନି ।

- ଜାଣିଚି । 

- ହୁଁ ? ହଉ ଚାଲ ଶୋଇବା ।

- ଟିକେ ବାହାରକୁ ଚାହିଁଲ ?

- କ'ଣ ?

-ସିନ୍ଦୂରା ଫାଟି ଣି । 

- ଆରେ ସତେତ ! ଆଉ କ'ଣ ଶୋଇବ ? ସାଙ୍ଗମାନେ ଦେଖିଲେ ଟାହି ଟାପରା କରିବେ । ଭଲ ଲାଗିବନି । ରେଡି ହୁଅ ଯିବା ।

- କୁଆଡ଼େ ?

- ତମ ଗାଆଁକୁ, ଆଉ କୁଆଡ଼େ ? ଥରେ ବାପାଙ୍କ ଉପରେ ରାଗିକି ଯାହା ହେଲା ବୁଝିପାରିଲନି କି ?

- କ'ଣ ସେଇ ମଦୁଆ ପାଖକୁ ?

- ହଁ ।

- ବାବୁ ଆପଣ ?

- ହଁ ମୁଁ କହୁଚି । ତମେ ସେ ମଦୁଆକୁ ବାହା ହବ । ସବୁ ମଦ ପିଉଥିବା ଲୋକ କ'ଣ ଖରାପ ? 

- ହେଲେ ବି ? ଜାଣି ଜାଣି...

- ସହଜରେ ମିଳେ ସୁଖ ଯେଉଁଠି, ସୁଖ ଚିହ୍ନିବାରେ ଭୁଲ୍ ସେଇଠି । ଗୋଟେ ଚେଲେଞ୍ଜ ନିଅ । ସେ ମଦୁଆକୁ ସୁଧାରିବ । ତାକୁ ଭଲ ରାସ୍ତାକୁ ଆଣିବ ।

- ସେ କ'ଣ ମୋ କଥା ମାନିବ ?

- ନିଶ୍ଚୟ ମାନିବ । ତମେ ତାକୁ ଏତେ ଭଲପାଇବ ଯେ, ଏତେ..ଏତେ ପ୍ରେମ ରସ ପିଆବ ଯେ ସେ ଆଉ ସୋମରସ ପିଇବନି । 

- ମୁଁ କ'ଣ ପାରିବି ?

- ହଁ ପାରିବ । ତମେ ନିଶ୍ଚୟ ପାରିବ । ସ୍ନେହ ଦେଇ ହାତୀ ବାଘକୁ ପୋଷା ମଣା ଯାଉଚି । ମାହୁନ୍ତ ହେଇ, ଜୋକ୍କର୍ ହେଇ ମନ ଇଚ୍ଛା ନଚେଇ ଖେଳେଇ ପାରୁଛି ; ତମେ ମଣିଷଟାକୁ ମନେଇ ପାରିବନି । ନାରୀର ହୃଦୟ କୋମଳ ବୋଲି ତାକୁ ଭଗବାନ ସମ୍ମୋହନ ଶକ୍ତି ଦେଇଛନ୍ତି । ମାଆ ଦୁର୍ଗାଙ୍କ ପରି ଶତୃକୁ ନାଶ କରି ପାରିବ, ମୋହିନୀ କନ୍ୟାଙ୍କ ପରି ଶତୃଙ୍କୁ ନିଜର କରି ପାରିବ । ତମେ ସବୁ ପାରିବ । ତମର ସେ ଶକ୍ତି ଅଛି ।

- ମୋର ବିଶ୍ୱାସ ହଉନି ସାର୍ !

- ମୋର ସେ ବିଶ୍ୱାସ ଅଛି । ଆରେ ! ଯିଏ ତା ରୂପର ଯାଦୁରେ ପାଞ୍ଚ ପାଞ୍ଚଟା ଗୁଣ୍ଡାଙ୍କୁ ଡାକି ଆଣିଲା, ଯିଏ ମୋ ଭଳି ୠଷି କୁମାର ବଜରଙ୍ଗୀ ଭକ୍ତ ସମୟ ସାମନ୍ତକୁ ଜୀବନ ହାରି ଦେବାକୁ ବିବଶ କରି ଦେଲା ସେ କହୁଚି ଗୋଟେ ମଦୁଆକୁ ପରିବର୍ତ୍ତନ କରିପାରିବନି ? ସେ ପୁଣି ପେଷାରେ ଜଣେ ଶିକ୍ଷକ । ଚୁଟ୍କି ରେ ବଦଳି ଯିବେ..।

- ନା ସାର୍ ! ସେମାନଙ୍କର ବଦଳେଇବାର ଅଭ୍ୟାସ ଅଛିନା ? ସେମାନେ ଏତେ ଶୀଘ୍ର ବଦଳିବେନି ସାର୍ !

- ଆରେ ଚେଷ୍ଟା ତ କର । ଡେରି ହଉଚି ଚାଲ ଯିବା । ସକାଳ ହେଲେ ସମସ୍ତେ ଜାଣିବେ । ବାର ଲୋକଙ୍କର ବାର ପ୍ରଶ୍ନ । ତାପରେ ଗଆଁରେ ସମସ୍ତେ ବ୍ୟସ୍ତ ହଉଥିବେ । ଲଗ୍ନ ପାଇଁ ପୁଅ ଘର ଲୋକ ପହଞ୍ଚି ଯିବେ । 

- ନା ସାର୍ ମୁଁ ଯିବିନି ।

- ଆଛା କହିଲ, ମୁଁ କ'ଣ ଖରାପ ?

- ନା ଆପଣ ବହୁତ ଭଲ । ଆପଣ ମଣିଷ ରୂପି ଦେବତା ।

- ମୁଁ ବି ମଦ ପିଏ । କାଲି ପିଇଥିଲି ।

- ଟିକେ ଟିକେ ବାସୁଥିଲା । ସନ୍ଦେହ କରୁଥିଲି, କହି ପାରିଲିନି ।

- କଥା ଦଉଚି, ମୁଁ ବି ମଦ ଛାଡ଼ି ଦେବି ।

- ସତ କହୁଛନ୍ତି ?

- ହଁ ! ସତ କହୁଚି । ଏଇ ନିଆଁ ଲଗା ମଦ ପାଇଁ କେତେ ଭଲ ଭଲ ଲୋକ ଖରାପ ହେଇଯାଉଛନ୍ତି । କେତେ ସଂସାର ଉଜୁଡ଼ି ଯାଉଛି । କେତେ ଘର ବୁଡ଼ି ଯାଉଛି । କେତେ କେତେ ମଧୁର ସମ୍ପର୍କ ଭାଙ୍ଗି ଯାଉଚି । ଚାଲ ମିଶିକି ନିଶା ମୁକ୍ତ ଅଭିଯାନ କରିବା । ପ୍ରଥମେ ତମ ଭାବି ସ୍ୱାମୀକୁ ନିଶା ମୁକ୍ତ କରିବା, ତାପରେ ତାଙ୍କୁ ନେଇ ଅନ୍ୟମାନଙ୍କ ପାଖକୁ ଯିବା । ନା କ'ଣ କହୁଚ ?

- ଆଜ୍ଞା ! ବହୁତ ଭଲ କାମ ।

- ଏଥର ଯିବା ?

       ତୁଳସୀ ମୁଣ୍ଡ ହଲେଇ ସମ୍ମତି ଦେଲା। ଦୁହେଁ ତୁଳସୀର ଘର ଅଭିମୁଖେ ଯାତ୍ରା କଲେ, ଏକ ନୂଆ ସକାଳର ଅନ୍ୱେଷଣେ।



Rate this content
Log in