Santosh Kumar Ojha

Others

4  

Santosh Kumar Ojha

Others

ନିର୍ଭୂଲ ବୁଝାମଣା

ନିର୍ଭୂଲ ବୁଝାମଣା

4 mins
358


    ଆଲୋ ଏ..ନେତ ବୋଉ ! ନେତ ବୋଉ ! କୁଆଡ଼େ ଗଲୁବା ? ସଞ୍ଜ ବେଳଟାରେ ତାଟି କବାଟ କିଳି ଘର ଭିତରଟାରେ କ'ଣ କରୁଚୁ ବା ? ଏତେ ଡାକିଲିଣି ଶୁଭା ଯାଉନି । ହେଇଟି ନେତ ବୋଉ !!

- ହଁ ଯାଉଚି ଦେଇ , ଟିକେ ରୁହ ।

- କ'ଣ କରୁଥିଲୁ କି ଲୋ ?

- ଏଇ ଚା ଟିକେ କରୁଥିଲି ତ , କୁହ କ'ଣ କହୁଥିଲ ?

- ନା ଲୋ କହିବି କ'ଣ , ତୋ ଭାଇ ହାଟରୁ ଏଯାଏଁ ଆସିନାହାଁନ୍ତି ଯେ ; ସେଇ ଚା ଟିକେ କରିବି ବୋଲି ଭାବିଲା ବେଳକୁ ଚା ପତି ନାହିଁ ସରିଯାଇଛି । ଚା ପତି ଟିକେ ଦେଇଥା'ନା ।

- ହଉ ନବ , ଟିକେ ବସ । ମୁଁ ଚା ଆଣୁଚି ଦି'ଜଣ ମିଶି ଖାଇବା । ଭଲ ହେଲା ତମେ ଆସିଲ । ଏକା ଏକା ଚା ପିଇବାକୁ ଭଲ ଲାଗେନି । ନା କ'ଣ କହୁଚ ଦେଇ ?

- ହଉ ଏତେ କରି କହୁଚୁ ଯେତେବେଳେ ଆଣ ସାଥି ହେଇ ପିଇବା ।

        ଚା ପିଉ ପିଉ ରୁକୁଣା ଦେଇ ନେତ ବୋଉକୁ ପଚାରିଲା -

- ସୁରେଶ ଦେଖା ଯାଉ ନାହାଁନ୍ତି କୁଆଡ଼େ ଯାଇଛନ୍ତି କି ?

- ଅଫିସ୍ କାମରେ ଦିଘା ଯାଇଛନ୍ତି ; ୨/୩ ଦିନ ପରେ ଫେରିବେ । କିଛି କାମ ଥିଲାକି ଦେଇ ?

- ନା , କାମ କ'ଣ ? ଘରେ ଥିଲେ ଯାଉଣୁ ଆସୁଣୁ ନୂଆବୋଉ ! ନୂଆବୋଉ ଡାକି ଦିଅନ୍ତି ତ !

- ଓଃ , ଇଏ ଆସନ୍ତୁ କହିବି ଯେତେ ଦିନ ଡାକି ନାହାଁନ୍ତି ସବୁ ହିସାବ କରିକି ଡାକି ଦେବେ ।

- ହେଃ ! ତୋର ଯୋଉ କଥା ନା ..

   ହାଃ ହାଃ ହାଃ

- ଗୋଟେ କଥା ପଚାରି ପଚାରିବି ଭାବୁଚି , କାଳେ ଖରାପ ଭାବିବୁ ପଚାରିପାରୁନି ।

- ମୁଁ ପୁଣି ତମକୁ ଖରାପ ଭାବିବି ?

- କଥାଟା ସେମିତି ତ !

- କୁହ କ'ଣ କଥା ? କିଛି ବି ଭାବିବିନି ।

- ମୋ ରାଣ ପକାନା ।

- ଆରେ କୁହ , କ'ଣ କହିବ ?

- ନା ତୁ ରାଣ ପକଉନୁ ।

- ହଉ ହେଲା , ତମ ରାଣ ମୁଁ ଖରାପ ଭାବିବି ନାହିଁ । ହେଲା ? ଏଥର କୁହ ?

- ମୁଁ ଟିକେ କଥା ପେଟରେ ପୁରେଇ ରଖି ପାରେନି । ଯିଏ ଯାହା ଭାବୁ କହିଦିଏଁ । ପୁଣି ପଛରେ ଭାବେ ମୁଁ ନିଆଁ ଖାଇ କହୁଥିଲି କାହିଁକି ? କାଳେ କ'ଣ ହବ ? ପେଟ କଥା ପେଟରେ ପଚି ଯାଇଥିଲେ ଯାଇଥାନ୍ତା ।

- ଏତେ କଥା ନକହି କଥାଟା କୁହ ।

- ନା ଥାଉ ।

- ହେଃ କୁହ । ତମେ ନକହିଲେ ରାତି ସାରା ମୋ ମନଟା ଗୋଳେଇ ଘାଣ୍ଟି ହବ ତମକୁ ଭଲ ଲାଗିବ ? ମୁଁ ତ କହୁଚି କିଛି ବି ଭାବିବିନି କୁହ ବୋଲି ।

- ହଉ କହୁଚି । ମୁଁ କ'ଣ କହୁଥିଲିକି ? ମୁଁ କାହିଁକି କହିବି ବା , ଏଇ ରତନୀ କହୁଥିଲା ।

- କ'ଣ ?

- ଆମ ସୁରେଶ କୁଆଡ଼େ ଆଉ କୋଉ ସ୍ତ୍ରୀ ଲୋକ ପାଲରେ ପଡ଼ିଚି ? ମତେ ପରତେ ଗଲାନି । କଥାଟା ଶୁଣିଲା ଠାରୁ ଜମା ଭଲ ଲାଗିଲାନି । ଥରେ ଅଧେ କହିଥାନ୍ତା କି ୟାକୁ ଲଗେଇ ଦଶ ଥର କହିଲାଣି । ମୁଁ ବାହା ହେଇକି ଆସିଲା ବେଳକୁ ସୁରେଶ ଅଷ୍ଟମରେ ପଢ଼ୁଥିଲେ । ନିଶ ଉଠି ନଥାଏ , ମୁଁ ତାକୁ ଚିହ୍ନିନି ? ଭାବୁଥିଲି ଦି' ଚାରି ପଦ ଶୁଣେଇ ଦିଅନ୍ତି ; କିନ୍ତୁ ତା ପାଟିକି କଂସ ବି ଡରେ । ତା ମୁହଁରେ କିଏ କଥା କହିବ ଲୋ ବାପ ।

- ଓ' ଏଇ କଥା ? ଯିଏ ଯେମିତି ସେ ଅନ୍ୟକୁ ଭାବେ ସେମିତି । ଚୋର ମାଆକୁ ସମସ୍ତଙ୍କ ପୁଅ ଚୋର ଚୋର ଲାଗନ୍ତି । କିଏ ଶୁଣେ ତା କଥା ? ଅସଲ କଥା ହେଲା ସେ ଆମର ଉନ୍ନତି ସହି ପାରୁନି । ହିଂସାରେ ଜଳୁଚି ।

- କହୁଚି ନିଇତି ଛାତ ଉପରେ ଘଣ୍ଟା ଘଣ୍ଟା କାହା ସହ କଥା ହଉଚି ? ଅଫିସ୍ କଥା ହେଲେ ହେଁ ହେଁ ଫେଁ ଫେଁ କାହିଁକି ହବ ? ଆଉ ଗୋଟେ ମାଈ ପାଲରେ ପଡ଼ିଚି । ଏଥର ଗଲା । ତୋ ଆଡ଼କୁ ଆକ୍ଷେପ କରି କହେ - ନେତ ବୋଉର ନେତ ଉଡ଼ିବ । ନେତ ବୋଉ ଗାତକୁ ଯିବ ନହେଲେ ଏ ଗାଆଁରୁ ବିଦା ହବ । ନେଡ଼ି ଗୁଡ଼ କହୁଣିକୁ ବୋହି ଗଲେ ବଳେ ବୁଝିବ ।

- ଏଇ ବୁଦ୍ଧିରୁ ତା ଘରେ daily ପାଟି ହଉଚି , ତମେ ଦେଖୁନ କି ଦେଇ ?

- ହଁ କିଏ ଦେଖୁନି ଯେ ମୁଁ ଦେଖିବି । ଏମିତି ଗୋଟେ ଦିନ ନାହିଁ ଯୋଉ ଦିନ ତାଙ୍କ ଗେରସ୍ତ ଭାରିଯାଙ୍କର ପାଟି ଶୁଭି ନଥିବ ।

- ସେ ତ ଯେମିତି କହୁ ଥିଲା ଯେମିତି ଆଖିର ଦେଖିଛି ।

- ତମେ କହୁନ ଦେଇ , ଭାଇଙ୍କର ତମର କେବେ ଝଗଡ଼ା ଲାଗିଚି ? ନା ଆମ ଝଗଡ଼ା ତମେ କେହି ଶୁଣିଚ ? ତା ଛଡ଼ା ସେମାନେ ପୁରୁଷ, ବାହାରକୁ ଯିବେନି ତ ରୋଜଗାର କେମିତି କରିବେ ? କାମ କ'ଣ କେବଳ ପୁରୁଷ କରୁଛନ୍ତି , ସ୍ତ୍ରୀ ଲୋକ କରୁ ନାହାଁନ୍ତି ? ସେମାନଙ୍କ ସହ ଭଲରେ ମନ୍ଦରେ କଥା ହେବେକି ନାହିଁ ? କାହା ସହ କିଏ କଥା ହେଇଗଲେ କି କାହାକୁ ଗାଡ଼ି ପଛରେ ବସେଇ ନେଇଗଲେ କ'ଣ ସେ ତାର ହେଇଗଲା ? କିଏ କାହା ସହ ଥଟ୍ଟା ମଜା କରିଦେଲା ତ ସେ ଖରାପ ? କହୁନ ଦେଇ ?

- ଇଏ ହଁ ବା ! ଶାଳୀ ଭିଣେଇ ଥଟ୍ଟା ହଉ ନାହାଁନ୍ତି ନା ଅଜା ନାତୁଣି , ଦିଅର ଭାଉଜ ଥଟ୍ଟା ହଉ ନାହାନ୍ତି ?

- ସେଇ କଥା । ସ୍ବାମୀ ସ୍ତ୍ରୀ ଭିତରେ ଯଦି ଟିକେ ବି ସନ୍ଦେହ କି ସଂଶୟ ରହିଲା ତେବେ ସୁନା ଘର ଚୂନା ହବାକୁ ବେଶି ସମୟ ଲାଗିବନି ।

- କଥା ପଦେ କହିଲୁ ଏକା

- ମତେ କୁହ ଦେଇ , ଯୋଉମାନେ ରୋଜଗାର କରିବାକୁ ବିଦେଶ ଯାଉଛନ୍ତି , ବର୍ଷେ ଦି'ବର୍ଷ ଅନ୍ତରରେ ଘରକୁ ଆସୁଛନ୍ତି , ତାଙ୍କର ତ ଅବିଶ୍ବାସ ହଉନି ? ସେମାନେ ବାହାରେ ରହିବା ବେଳେ ଆମେ ଏକା ଏକା ଘରେ ରହୁଛନ୍ତି ; ଆମେ କ'ଣ କରୁଛନ୍ତି ସେମାନେ ତ ଅବିଶ୍ବାସ କରୁ ନାହାନ୍ତି ? " ବୁଝା ମଣା ର ନିର୍ଭୁଲ ପରିଧି ହିଁ ସୁଖର ଚାବି କାଠି "।

- ହଁ ସତ କଥା ।

- ପୁରୁଷ ହେଲେ ଭଅଁର ଜାତି, ସେମାନେ ଏ ଫୁଲ ସେ ଫୁଲ  ହେବେ । ତାକୁ ନେଇ ଅବିଶ୍ବାସ କରି ଅଶାନ୍ତି ସୃଷ୍ଟି କରିବା ଅର୍ଥ ଝଗଡ଼ା କରିବା । ମୋ ଭଅଁର ମୋ ପାଖକୁ ଫେରୁଛନ୍ତି ସେଇ ମୋ ପାଇଁ ଢେରେ ।

                      


Rate this content
Log in