Santosh Kumar Ojha

Others

4  

Santosh Kumar Ojha

Others

ଆମ ଘର କଥା

ଆମ ଘର କଥା

6 mins
298


      ନୂଆଉ ! ନୂଆଉ..! ଏ ନୂଆଉ କୁଆଡ଼େ ଗଲ ? ଦାଣ୍ଡକୁ ଆସ ଦେଖ ।

- କ'ଣ ହେଲା ? ରୁହ ଯାଉଛି ।

       ଛେଃ , ଯୁଗ ଆସି କ'ଣ ହେଲା ? ଓଡ଼ିଆ ଘରର ସଂସ୍କାର, ସଂସ୍କୃତି,ଚାଲି ଚଳଣ କ'ଣ ଏଇଆ ? ପାଠ ସାଠ ପଢ଼ି ଏଇ ସାଧାରଣ କଥାଟାକୁ କେମିତି ଭୁଲି ଗଲେ ? କହିଲେ ତ ଖରାପ , ଯାହାର ଯାହା ଇଛା ହଉଛି କରନ୍ତୁ । ମୁଁ ସବୁ କଥାକୁ ବାରଣ କରି କାହିଁକି ଭଲରୁ ଭେଲ ହେବି ଚୁପ୍ ରହିବା ଭଲ ।

     ବିଜୟ ସ୍କୁଟରକୁ ଦାଣ୍ଡ ପଟେ ଥୋଇ ଦେଇ ବାଡ଼ି ଦ୍ବାର ଦେଇ ବିଷର୍ଣ୍ଣ ବଦନରେ ଘର ଭିତରକୁ ପଶି ଗଲେ । କେମିତି ଗୋଟେ ବିରକ୍ତି ଭାବରେ ପ୍ୟାଣ୍ଟ ସାର୍ଟ ବଦଳାଇ ଟିୱେଲ୍ ପାଖକୁ ଚାଲି ଗଲେ ଗୋଡ଼ ହାତ ଧୋଇବାକୁ । ବଡ଼ ଭାଉଜ ଆସି ବିଜୟ ସ୍ତ୍ରୀକୁ ପଚାରିଲେ -

- କ'ଣ ହେଇଛି କି ? ବିଜୟ ପାଟି କରୁଥିଲେ କାହିଁକି ?

- କେଜାଣି , ମୋତେ କିଛି କହି ନାହାଁନ୍ତି । ସ୍ୟାଡ଼ୁ ତ ଆସିଲେ ତମ ତମ ହେଇ ଟିୱେଲ୍ ପାଖକୁ ଚାଲି ଗଲେ । ତାଙ୍କ ପାଟିକୁ ତ ମୋର ଡର । ପଚାରିଲେ ଏଇନେ ଭାଁ ପୁଣି ଗର୍ଜିବେ । ଆସନ୍ତୁ ପଚାରିବ । ମୁଁ ଖାଇବା ବାଢ଼େଁ ।

- ଦାଣ୍ଡରେ କ'ଣ ଦେଖିବାକୁ କହୁଥିଲେ , ଦେଖେଁ...ଆଲୋ ଆଲୋ , ଲୋ ଇଏ କ'ଣ ?

      ଦାଣ୍ଡରେ ଯାଇ ଯାହା ଦେଖିଲେ , ଏକ ପ୍ରକାର ଚମକି ପଡ଼ିଲେ । ସାନ ବୋହୂ ଦାଣ୍ଡ ବାରଣ୍ଡାରେ ପଡ଼ିଥିବା ଖଟରେ ଶୋଇଛି । ତାକୁ ହଲେଇ ଦେଇ ଡାକି ଦେଲେ ବଡ଼ ଯାଆ । କହିଲେ-

- ଘରେ ଜାଗା ନାହିଁକି , ଦାଣ୍ଡ ବାରଣ୍ଡାରେ ଶୋଇଚୁ ?

- ନା ମ ଦେଇ , କରେଣ୍ଟ୍ ନଥିଲା ତ ଘର ଭିତରଟା ପୁରା ବାମ୍ଫୁଚି । ଏଇଠି ଟିକେ ପବନ ଦଉଥିଲା ତ ବସିଥିଲି । ବସୁ ବସୁ ଶୋଇ ଯାଇଛି।

- ଆଲୋ ନୂଆ ବୋହୂଟା , ବାହାଘର ଦି'ମାସ ହେଇନି । ତୁ ବାହାରେ ଆସିକି ଶୋଇଚୁ ? ଲୋକ ଦେଖିଲେ କ'ଣ କହିବେ ?

- ନା ମ ଦେଇ , ଖରା ବେଳଟାରେ କିଏ ଯିବଯେ ଦେଖିବ ? ଦେଖିଲେ ବି କ'ଣ ହବ ? ଦେଖିବା ଲୋକ କ'ଣ ଜାଣିନି କରେଣ୍ଟ ନାହିଁ ବୋଲି ? ହଉ ଦେଖନ୍ତୁ ।

- ଆଲୋ ମୁଁ ଦେଖିଥିଲେ କିଛି କଥା ଥିଲାନି , ତୋ ଦେଢ଼ସୁର ଦେଖିଲେ । ଇଏ ଦେଖିଥାନ୍ତେ କି ?

- ଆଉ କିଏ ମଝିଆଁ ଭାଇ ଦେଖିଲେ ?

- ହଁ , ତାଙ୍କ ପାଟିକୁ ଏଇନେ କିଏ   ସମ୍ଭାଳିବ ?

- ମୁଁ ତ କହିଲି, ବସୁ ବସୁ ଶୋଇଯାଇଛି । କ'ଣ ଏମିତି ମହାଭାରତ ଅଶୁଦ୍ଧ ହେଇ ଗଲା ଯେ ପାଟି କରିବେ ?

- ନା , ପାଟି କାହିଁକି କରିବି ?  ତମର ଯାହା ଇଛା ହଉଛି କର । ବାହାଘର ଦି'ମାସ ଯାଇନି ଦାଣ୍ଡକୁ ଆସିଲ ଆସିଲ ଦାଣ୍ଡ ଖଟରେ ଶୋଇ ଯାଉଛ ? ଲଜ୍ଜା ବୋଲି ଅଛିନା ନାହିଁ ?

- ତମେ ଖାଇବ ଆସତ , ସେ ବସୁ ବସୁ ଶୋଇଯାଇଛି । ଆଉ ଶୋଇବନି ଆସ, ଖାଇବ ।

- ସବୁ ତମରି ପାଇଁ , ସେ ଯଦି ଶୋଇ ଗଲେ ତମେ ଦି'ଜଣ କ'ଣ କରୁଥିଲ ଶୁଣେ ?

- ହଉ ଆଉ ପାଟି କରନି , ଆମ ସମସ୍ତଙ୍କର ଭୁଲ୍ ହେଇଛି , ଦ୍ବିତୀୟ ଥର ଆଉ ଏ ଭୁଲ୍ ହବନି , ହେଲା । ଆସ ଖାଇ ଦିଅ ।

         ସମସ୍ତ ଖାଇ ପିଇ ବିଶ୍ରାମ ନେଲେ । ବିଜୟ ବି ଟିକେ ବିଶ୍ରାମ ନେଇ ସବୁ ଦିନ ପରି ସ୍କୁଟର ନେଇ ନିଜ କାମରେ ଚାଲି ଗଲେ । ବଡ଼ ସଂଜୟ ମିସ୍ତ୍ରି କାମରେ ସକାଳୁ ଯାଆନ୍ତି ଯେ ସଂଜକୁ ଫେରନ୍ତି । ଆଉ ସାନ ଅଜୟ ଟିକେ ଦୂରିଆ ସ୍କୁଲ୍ ରେ ଶିକ୍ଷକତା କରନ୍ତି । ଘରକୁ ଫେରିବା ବେଳକୁ ସଂଧ୍ୟା ପାଞ୍ଚଟା ହୁଏ । ବିଜୟଙ୍କର ଫେରିବା ସମୟର କିଛି ଠିକଣା ନାହିଁ । ତଥାପି ରାତି ଦଶରୁ କୋଉ ଦିନ କମ୍ ରେ ଫେରନ୍ତିନି । ସେଦିନ ବି ସାନ ବଡ଼ ନିଜ ନିଜ ସମୟରେ ଫେରିଲେ । ଅଜୟ ଫେରିବା ପରେ ଦିପ୍ରହରର ସବୁ ଘଟଣା ସ୍ତ୍ରୀ ପାଖରୁ ଶୁଣିଲେ । - ହଉ ଭାଇ ଆସୁ ମୁଁ ପଚାରିବି କହି ସ୍ତ୍ରୀକୁ ସାନ୍ତ୍ବନା ଦେଲେ ।

            ବିଜୟଙ୍କର ଫେରିବା ଟିକେ ବିଳମ୍ବ ହେଲା ସେଦିନ । ଘରେ ସମସ୍ତେ ଖାଇ ସାରି ବିଛଣାକୁ ଗଲେଣି । ବିଜୟ ଆସି ନାହାଁନ୍ତି ବୋଲି ସ୍ତ୍ରୀ ଅପେକ୍ଷା କରିଛନ୍ତି । ସବୁ ଦିନର ରୁଟିନ୍ । କିନ୍ତୁ ମିଛରେ ମିଛରେ ସାନ ବୋହୂ ମନେ ମନେ ଜଗିକି ରହିଛି ।   ବିଜୟ ଫେରିଲେ ଅଜୟଙ୍କୁ  ଡାକି ଦବ ପଚାରିବା ପାଇଁ ।

- ଯାଉନୁ ଶୋଇବୁ , ଏଙ୍କୁ ଫୋନ୍ କରିଥିଲି କହିଲେ ଆସୁଛନ୍ତି । ଆସିଲେ ବାସନ ଗୁଛେଇ ଶୋଇବି ।

- ନା ମ ମଝିଆଁ ଦେଇ ,ଏଇ ଲୁଗା ଦି'ଖଣ୍ଡ ଅସନା ହେଇଛି ଯେ ସଫା କରି ଦେଇକି ଶୋଇବି ।

- କାଲି ଦିନରେ ସଫା କଲେ ହବନି ?

- ନାଇଁ ମ ବଡ଼ ଦେଇ , ଲୁଗାଟା ପୁରା ମଳି ପିଇ ଯାଇଛି , ଟିକେ ଉଷୁମ ପାଣି କରି ରାତିରେ ଭିଜେଇ ଦେଲେ ସକାଳକୁ ଛାଡ଼ିଯିବ । ସରିଲାଣି ଯାଉଚି ।

        ବଡ଼ ବୋହୂ ବୁଝି ଗଲେ ସାନ ବୋହୂର ଚାଲାକି । ଲୁଗା ସଫା କରିବା ଗୋଟେ ବାହାନା । ଅସଲ କଥା ଆଉ କିଛି । ବଡ଼ ବୋହୂ କାହାକୁ କିଛି ନକହି ଶୋଇବା ଘରକୁ ଚାଲି ଗଲେ । ସ୍ବାମୀ ଗୋଡ଼ରେ ତେଲ ଲଗେଇ ଘସୁ ଥାନ୍ତି ; ଏପଟେ କାନ ଡେରି ଥାନ୍ତି । କାଳେ କିଛି ଘଟଣା ଘଟିବ ?

       ବିଜୟ ଫେରିଲେ । ଗାଡ଼ି ଘର ଭିତରକୁ ଦେଇ , ଗୋଡ଼ ହାତ ଧୋଇ ଖାଇବାକୁ ବସିଲେ । ପାଖରେ ସ୍ତ୍ରୀ ବି ଅଲଗା ବାସନରେ ଖାଇ ବସିଲେ । ଖାଇବା ଅଧାରେ ଅଜୟ ଆସି ପାଖା ପାଖି ଚେୟାରଟେ ପକେଇ ବସିଲେ । ବିଜୟ ବୁଝିଗଲେ ଅଜୟର କିଛି କଥା ଅଛି । ପଚାରିଲେ-

- କ'ଣ କିଛି କହିବୁ ?

- ହଁ , ତୁ ତାକୁ ଗାଳି ଦେଲୁ କାହିଁକି ?            (ବିଜୟ ବଡ଼ ହେଲେ ବି ପିଲା ଦିନରୁ ତୁ ସମ୍ବୋଧନ କରେ)

- କାହାକୁ ?

- ସାନ ବୋହୂକୁ ।

- ତତେ କିଏ କହିଲା ?

- ସାନ କହିଲା ।

- ସେ କହି ନଥିବେ କି କାହିଁକି ଗାଳି ଦେଲି ବୋଲି ?

- କାଇଁ ତୁ କହୁନୁ । ସେ ଯାହା କହିଲା କ'ଣ ଠିକ୍ ? ଉଭୟଙ୍କ କଥା ଶୁଣିଲେ ତ ଯାହା କହିବି ।

- ଶୁଣ୍ , ମୁଁ ଯାହା କହିବି ହୁଏତ ସେ କହି ନଥିବେ । ସେ ଯାହା କହି ଥିବେ ହୁଏତ ମୁଁ କହି ନପାରେ । ୟା ଦ୍ବାରା କ'ଣ ହବ ନା ସେ କହିବେ ସେ ଯାହା କହୁଛନ୍ତି ମିଛ କହୁ ନାହାଁନ୍ତି ସତ କହୁଛନ୍ତି ; ମୁଁ ବି ଯୁକ୍ତି କରିବି ମୁଁ ସତ କହୁଛି । ତତେ ସତ ଜାଣିବା ପାଇଁ ଆମ ଦି'ଜଣଙ୍କୁ ଆଖଣ୍ଡଳମଣି ଫଟୋ ଛୁଇଁ , କି କାହା ମଥା ଛୁଇଁ ନିୟମ କରିବାକୁ କହିବୁ । ଯିଏ ମିଛ କହୁଥିବ ତାର ତ କ୍ଷତି ହବ ନିଶ୍ଚୟ । ସେଇ ଜଣକ ବି ମୋର ,ତୋର , ଆମ ସମସ୍ତଙ୍କର ନିଜ ଲୋକ । ଅର୍ଥାତ ନିଜର କ୍ଷତି ।

- ତେବେ କ'ଣ ହବ ?

- କିଛି ନାହିଁ । very simple । ମୁଁ ତୋର ଭାଇ , ସେ ତୋର ସ୍ତ୍ରୀ , ଦୁଇ ଜଣ ଯାକ ତୋ ନିଜର । ଆମ ଭିତରୁ ଜଣକୁ ବିଶ୍ବାସ କରିବାକୁ ହବ ତତେ । ଯାହାକୁ କଲେ ଚଳିବ ।

- ସେ ଯାହା କହିଲା କ'ଣ ସତ ?

- ହଁ ସତ ।

- ସେ କ'ଣ କହିଲା କିଛି ନଶୁଣିକି କେମିତି କହୁଚୁ ସତ ବୋଲି ?

- ଏଥି ପାଇଁ କହୁଚି କି ଆମ ଭିତରେ କେହି କାହା ପାଖରେ ମିଛୁଆ ପ୍ରମାଣିତ ହେଇ ଛୋଟ ହେଇ ନଯାଉ । କି ଘର କଜିଆ ବାହାରକୁ ନଯାଉ । ସେ ମିଛ କୁହନ୍ତୁ କି ସତ କୁହନ୍ତୁ ; ସେ ଯାହା ଯାହା କହିଲେ ସବୁ ସତ ।

- ସବୁ ସତ ।

- ହଁ ସତ । ଏବେ କହ କ'ଣ ତୋର ବିଚାର ? ସେ କହିବାନୁଯାୟି ମୋର କ'ଣ ଭୁଲ୍ ଅଛି କହ ଆଉ ମୋ ପାଇଁ ଦଣ୍ଡ କ'ଣ ଅଛି କହ । ଯାହା ଦଣ୍ଡ ଦବୁ ବିନା ଆପତ୍ତି ରେ ମାନି ନେବି ।

- କ'ଣ ଦଣ୍ଡ ଦେବି ? ନା ତତେ ଦେଇ ପାରିବି ନା ତାକୁ !

- ତେବେ ନିରବ ରହିଯା ସବୁଠୁ ଭଲ । ତୁ ଜାଣିଚୁ ମୁଁ ବିନା କାରଣରେ କାହାକୁ କିଛି କହେନି । ଆଉ ମୋ କଥା ବୁଝି ନପାରିଲେ ମୁଁ ଅବିଳମ୍ବେ ଭୁଲ୍ ମାଗି ନିଏ । କହିବୁ ତ ସାନ ବୋହୂଙ୍କୁ ଭୁଲ୍ ମାଗି ନେବି ।

- କିଛି ଦରକାର ନାହିଁ । ଆଜିଠୁ ତୁ ତାକୁ କିଛି କହିବୁନି କି ସେ କିଛି କହିବନି । ଯାହାର ଯାହା କହିବାର ଅଛି ନୂଆଉଙ୍କୁ କହିବ ।

              ନୂଆଉ ସବୁ ଶୁଣୁଥିଲେ । ବଡ଼ ଆଶ୍ବସ୍ତ ହେଲେ । ଯାହା ହଉ ଝଡ଼ଟା ଥମି ଗଲା । ବିଜୟଙ୍କୁ ଡର ଥିଲା । କାଳେ ରାଗି ଯାଇ କିଛି କରି ବସିବେ । କିନ୍ତୁ ଖୁବ୍ ସୁନ୍ଦର ଭାବରେ ବିଜୟ ଝଡ଼ଟାକୁ ରୋକି ଦେଲେ । ନହେଲେ କ'ଣ ଯେ ହେଇଥାନ୍ତା ? ହେ ଭଗବାନ ତୁମକୁ ଅଶେଷ ଅଶେଷ ଧନ୍ୟବାଦ । ସାନ ବୋହୂର ବୁଦ୍ଧି ଶୁଦ୍ଧି କିଛି ଟିକେ ନାହିଁ । ଏଇ ସାମାନ୍ୟ କଥାକୁ କ'ଣ ଦରକାର ଥିଲା ଅଜୟଙ୍କ ପାଖରେ ମିଛ ସତ କରି କହିବା ? ଘର କରି ଥିଲେ କେତେ ଝଡ଼ ଅଛି   । ତା ବୋଲି ସବୁ କଥା କ'ଣ ପରୁଷଙ୍କୁ କୁହଯାଏ ? ଆମେ ନାରୀ , ଘରର , ପରିବାର ମଙ୍ଗଳ ପାଇଁ କେତେ କେତେ କଥା ଲୁଚେଇବାକୁ ପଡ଼େ । ଛାଡ଼ , ରାତି ଅନେକ ହେଲାଣି ଯାଉଚି ଶୋଇବି ।

                     


Rate this content
Log in