ପୋକା ଫୁଲ
ପୋକା ଫୁଲ


ଆରେ ମଦନ ! ଖବର କ'ଣ ? ସବୁ ଭଲ ତ ? କ'ଣ କିରେ ଦାଢ଼ି କାଟିନୁ କ'ଣ ବାବାଜୀ ହେଇଗଲୁ କି ?
- ନାଇଁ ମ ସାଆନ୍ତ , ଆଜି ଆଠ ଦିନ ହେଲା ।
- କ'ଣ ହେଇଛି ?
- ସାନ ଭାଇଟା ଦୁର୍ଘଟଣାରେ ଚାଲିଗଲା ....ଭୋ ଭୋ କାନ୍ଦି ପକେଇଲା ମଦନ ।
- ଆଃ ହାଃ! ଚଃ ଚଃ ! କ'ଣ କହିଲୁରେ ମଦନ ।
ଲୁହ ଟୋପେ ଗଡ଼ି ପଡ଼ିଲା ସାଆନ୍ତଙ୍କର ।
- ହଁ ସାଆନ୍ତ ଆମ ସମସ୍ତଙ୍କୁ ଠକି ଦେଇ ଚାଲିଗଲା । ଆମ ପାଞ୍ଚ ଭାଇଙ୍କ ଭିତରୁ ସେ ହିଁ ଭଲ ଥିଲା । ଗାଆଁରେ କାହାକୁ ତୁ ବୋଲି କହେନି । ସବୁବେଳେ ହସହସ ମୁହଁ । ମୁଁ ଯଦି ଛିଡ଼ା ହବାକୁ କହିଥିବି, ତେବେ ମୁଁ ନକହିବା ଯାଏ ସେଠୁ ସେ ହଲିବନି ।
- ମୁଁ କ'ଣ ଜାଣିନି ? ଆରେ ଆମ ଗାଆଁରେ ବି ତା'ଭଳି ପିଲା ଥିବେନି । ତୁ କାନ୍ଦନା ତ । ଯିଏ ଯେତେ ଦିନ ପାଇଁ ଆସିଥିବ...
- ମୁଁ ଦଶ ବର୍ଷ ବଡ଼ ତା' ଠାରୁ ସାଆନ୍ତ । କେମିତି ଧୈର୍ଯ୍ୟ ଧରିବି । କ'ଣ କହି ତା ପିଲା ଛୁଆଙ୍କୁ ବୁଝେଇବି ? ଭଗବାନ ମୋତେ ନେଇଯାଇ ଥାନ୍ତେ ହେଲା ।
- ଆରେ ଶୁଣ୍ , ତୁ କି ମୁଁ କହିଲେ କ'ଣ ଭଗବାନ ନେବେ କି ? ତୁ କାନ୍ଦ ବନ୍ଦ କର୍ ତ ମୁଁ ଗୋଟେ କଥା କହୁଛି ଶୁଣ୍ । ବଗିଚାରୁ କେବେ ଫୁଲ ତୋଳିଛୁ ?
- ହଁ , ସବୁ ଦିନ ତୋଳେ । ମୁଁ ଫୁଲ ତୋଳିକି ଆଣିଲେ ତମ ବୋହୂ ପୂଜା କରେ ।
- ଭଲ କଥା । ମୋତେ କହ ବଗିଚାରୁ ଭଲ ଫୁଲ ତୋଳୁ କି ମନ୍ଦ ?
- ଭଲ
- ଭଗବାନଙ୍କର ବି ସେଇ ଏକା ନିୟମ । ତାଙ୍କ ବଗିଚାରୁ ସେ ବାଛି ବାଛି ଭଲ ଫୁଲ ଗୁଡ଼ିକୁ ଆଗ ଆଗ ତୋଳି ନିଅନ୍ତି । ତୁ ଖୁସି ହ'ରେ ମଦନ ତୋ ଭାଇ ଭଗବାନଙ୍କ ନଜରରେ ଭଲ ଫୁଲ ଥିଲା, ତେଣୁ ତାକୁ ଆଗ ତୋଳି ନେଲେ । ଆମେ ସବୁ ପୋକା ଫୁଲ, ମଉଳି ପଡ଼ିବା ସିନା ତୋଳା ହବାନି ।
- ତମେ ଠିକ୍ କହିଛ ସାଆନ୍ତ, ଆମେ ସବୁ ପୋକା ଫୁଲ ।
ଆଖିରୁ ଲୁହ ଟୋପାଏ ଝରି ଆସିଲା ସାଆନ୍ତଙ୍କର ।
- ପୁଣି ଥରେ ତମେ କାନ୍ଦିଲ ସାଆନ୍ତ ? ଆମେ ପରା ପୋକା ଫୁଲ ।
ପୋକା ଫୁଲ କ'ଣ କାନ୍ଦି ପାରେ ?
ସାଆନ୍ତ କାନ୍ଧ ଗାମୁଛା ଆଖିକୁ ପାଖକୁ ନେଲେ..