Santosh Kumar Ojha

Others

3  

Santosh Kumar Ojha

Others

ଅବାଟରୁ ବାଟ

ଅବାଟରୁ ବାଟ

8 mins
159


ସମସ୍ତେ ଶୋଇ ପଡ଼ିଲେଣି । ରାତି ବି ଅନେକ ହେଲାଣି । ଘରଟା ସାରା ଅନ୍ଧାରର ରାଜୁତି । ସଞ୍ଜନା ରୁମର ହାଲ୍କା ଆଲୁଅ ଚିହ୍ନେଇ ଦେଉଥିଲା ସେଇଟା ସଞ୍ଜନା ରୁମ୍ ଆଉ ଏଯାଏଁ ସଞ୍ଜନା ଶୋଇନାହିଁ ବୋଲି । ହେଲେ କାହିଁକି ସଞ୍ଜନା ଏତେ ରାତି ଯାଏ ଅନିଦ୍ରା ଅଛି ? ସଞ୍ଜୁ ଘରକୁ ଫେରିନି କି ? ବାହାଘର ତିନି ପୁରି ଚାରି ବର୍ଷ ଚାଲିଲା । କୋଳକୁ ଛୁଆଟିଏ ଆସିଲାନି । ଘରଟା ଯାକର ପାଇଟି ସାରୁ ସାରୁ କେମିତି ଦିନଟା ବିତି ଯାଏ ଜଣାପଡ଼େନି । ହେଲେ ରାତିଟା ? ଭାରି ଖାଁ ଖାଁ ଲାଗେ ସଞ୍ଜନାକୁ । ଭାରି ଏକା ଏକା । ରୋଷେଇ ସାରି ପ୍ରାୟ ସବୁଦିନ ରାତି ନଅଟା ବେଳକୁ ସଞ୍ଜନା ତା ବୋଉ ସହ ଟିକେ ଫୋନରେ ସୁଖ ଦୁଃଖ ହୁଏ । ତାପରେ ଶୂନ୍ ଶାନ୍ । ବୋଉ କଥା ହେଲା ବେଳେ ଦୁଃଖ କରନ୍ତି । କେବେ ସେ ଘରକୁ ଶାନ୍ତି ଫେରିବ ? ସଞ୍ଜୁ କ'ଣ ଆଉ ସୁଧୁରିବେନି ? ସେ କ'ଣ ଆଈ ଡାକ ଶୁଣି ପାରିବେନି ? ଇମିତି କେତେ କ'ଣ ଅସମାହିତ ପ୍ରଶ୍ନ । ମଝିରେ ମଝିରେ ସୁଉଁ ସୁଉଁ ହେଇ କାନ୍ଦି ପକାନ୍ତି, ସଞ୍ଜନାର କାନ୍ଦ ସହ । ତାପରେ ସଞ୍ଜନା ରସୁଣ ତେଲ ଫୁଟେଇ ଶାଶୁ ଶ୍ୱଶୁରଙ୍କ ଗୋଡ଼ ଘସି ଦେବାକୁ ଯାଏ । କି ଶୀତ କି ଖରା ସବୁଦିନ ରାତିରେ ଶାଶୁ ଶ୍ୱଶୁରଙ୍କ ସେବା କରେ । ଏମିତିକି ନିଜର ଦେହ ଖରାପରେ ବି ଶାଶୁ ଶ୍ୱଶୁରଙ୍କୁ କିଛିବି ଅବହେଳା କରେନି ।ପାରୁ ପର୍ଯ୍ୟନ୍ତ ଚେଷ୍ଟା କରେ ବୋହୂର କର୍ତ୍ତବ୍ୟ ନିଭେଇବା ପାଇଁ । ସଞ୍ଜନା ତ ତାଙ୍କୁ ଦେବତା ତୁଲ୍ୟ ପୂଜା କରେ । ବଡି ଭୋଅରୁ ଉଠି ବାସି କାମ ସାରେ । ଦାଣ୍ଡ ବାଡ଼ି ଘର ଓଳାଏ ।ସବୁ ଆଡ଼େ ଗୋବର ପାଣି ସିଞ୍ଚେ । ହଁ ଭୁଲି ଗଲି ଆଗ ଉଠିପଡ଼ି ଶୁଭ ଶଂଖଟେ ବଜାଏ । ତାପରେ ଏସବୁ କାମ ସାରି ଗାଧାଏ । ତାପରେ ଠାକୁର ପୂଜା । ଠାକୁର ଘର ତ ନୁହଁ ସତ ସତିକା ମନ୍ଦିରଟେ । ବାହାରୁ କିଏ ଆସିଲେ ପ୍ରଥମେ ସେଇ ଠାକୁର ଘରକୁ ଆଗ ଯାଆନ୍ତି । ଆଖି ପୁରେ ଘଡ଼ିଏ ଦେଖନ୍ତି । ଆସିଥିବା ପଥ କ୍ଳାନ୍ତ ନିମିଷକେ ଦୂର ହେଇଯାଏ । ପରମ ଆନନ୍ଦ ଲାଭ କରନ୍ତି । ସେ ଯୋଉ ଗାୟତ୍ରୀ ମନ୍ତ୍ର ପଢ଼େ ମନ୍ଦିରରେ ନନା ବି କାହିଁକି ଏମିତି ପଢ଼ି ପାରିବେ ? ବାଟ ଗଲା ଲୋକ ଦଣ୍ଡେ ଘଡ଼ିଏ ଛିଡ଼ା ହେଇ ଶୁଣନ୍ତି । ଯାଉ ଯାଉ ପ୍ରଶଂସାରେ ପୋତି ପକାନ୍ତି ସଞ୍ଜନାକୁ । ରାଗ,ହିଂସା,ଛଳ କପଟ କିଛି ନାହିଁ ତା' ଅନ୍ତରରେ । ପର ଆପଣା କିଛି ନାହିଁ, ସମସ୍ତଙ୍କ ସହ ହସି ହସି କଥା ହୁଏ । ଚିହ୍ନା ଅଚିହ୍ନା କିଛି ବି ଫରକ୍ ପଡ଼େନି ତା' ପାଖରେ । ସମସ୍ତଙ୍କୁ ନିଜର କରେ । ପୂଜା ସାରି ଶ୍ୱଶୁରଙ୍କ ପାଖକୁ ଯାଏ । ଧୁଆ ଆସନଟେ ପକେଇ ଆସନ ଉପରେ ଛିଡ଼ା ହେବାକୁ କହେ । ତାପରେ ପାଦ ଧୋଇଦେଇ କାନିରେ ଓଦା ପାଦକୁ ପୋଛି ଦିଏ । ପାଦରେ ମୁଣ୍ଡ ଲଗେଇ ଜୁହାର ହୁଏ । ଗିନାରେ ଆଣିଥିବା ଚଳୁଏ ପାଣିରେ ଶ୍ୱଶୁର ପାଦ ଛୁଆଁଇ ଦେଇ ମହାଦେବ ପାଦୁକା ସମ କଣ୍ଠସ୍ଥ କରେ । ତାପରେ ଶାଶୁକୁ ମୁଣ୍ଡିଆ ମାରି ପାଇଟି କରିବାକୁ ଚାଲିଯାଏ । ଶାଶୁ ଶ୍ୱଶୁର ବି ତାକୁ ବହୁତ ଭଲ ପାଅନ୍ତି । ନିଜ ଝିଅ ଭଳି ଦେଖନ୍ତି । ସଞ୍ଜନା ଗୋଡ଼ ଘସିଲା ବେଳେ ଶ୍ୱଶୁର କଅଁଳେଇକି ପଚାରନ୍ତି - ମାଆରେ ! ସେ ଅକାଳ କୁଷ୍ମାଣ୍ଡ ସଞ୍ଜୁ ଆସିଲାଣି ? ଡରେ ତ ମୋ ଆଗକୁ ଆସୁନି । ଭାବିଥିଲି ହାତକୁ ଦି'ହାତ କରିଦେଲେ ସୁଧୁରି ଯିବ । ନାଃ ହେଲାନି । ପାଉଁଶ ପାଉଁଶ ହେଇ ରହିଗଲା । ଅଙ୍ଗାର ଶତ ଧୌତେନ ମଳିନତ୍ୱଂ ନଯାଏତେ । ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରି ପ୍ରକୃତି ପଙ୍କେ ଲୋଟେ । କୋଉ ଜନ୍ମରେ କି ପାପ କରିଥିଲି କେଜାଣି ବଅଁଶ ବୁଡ଼ିଗଲା ବେଳକୁ ଘୋଡ଼ାମୁହାଁ ପୁଅର ଜନ୍ମ । ଛାଡ଼, କାହାକୁ କହିବା, କପାଳରେ ସିନା କର ମାରିବା ? ନାତି ମୁହଁ କ'ଣ ଦେଖି ପାରିବିନି ? ସଞ୍ଜନା ଆଖିରୁ ଅଜଣା ଅଶ୍ରୁ ଗାଲ ଦେଇ ବହି ଯାଉଥିବା ବେଳେ ସଞ୍ଜନା ତରବରରେ ନିଜ କାନିରେ ପୋଛିଦିଏ । କାଳେ ଦ'ଟୋପା ଶ୍ୱଶୁର ଗୋଡ଼ ଉପରେ ଖସିପଡ଼ିବ, ଆଉ ସେ କାନ୍ଦୁଛି ବୋଲି ଶ୍ୱଶୁର ଜାଣିପାରି ମନ କଷ୍ଟ କରିବେ ସଞ୍ଜନା ପୋଛି ପକାଏ । ଭାଗ୍ୟକୁ ନିନ୍ଦା କରି ନିଜ ରୁମକୁ ଚାଲି ଆସେ । ରାତି ଅଧରେ ବାସନ ଶବ୍ଦରେ କାଳେ ଶ୍ୱଶୁରଙ୍କ ନିଦ ଭାଙ୍ଗିଯିବ ସେଥିପାଇଁ ସଞ୍ଜୁ ତା'ର ଭାତ ବାଢ଼ି ଆଣି ନିଜ ରୁମରେ ଥାଳି ଢାଙ୍କି ଦେଇ ସଞ୍ଜୁ ଆସିବା ବାଟକୁ ଚାହିଁ ବସିଥାଏ । ସଞ୍ଜୁ ଟାଙ୍କେ ମଦ ପିଇ ଝୁଲି ଝୁଲି ଆସେ । ଗୋଟେ କିଲୋମିଟର ଦୂରରୁ ରଡ଼ି ଛାଡ଼ି ଆସେ । ସାହି ପଡ଼ିଶା ସମସ୍ତେ ଜାଣି ପାରନ୍ତି ସଞ୍ଜୁ ଆସିଲା । ସମସ୍ତଙ୍କ ପାଟିରୁ ଆହା ପଦେ ଆପେ ଆପେ ବାହାରି ଆସେ । ବିଚାରି ଟା । ଏଇଟା ନିତି ଦିନିଆ ଜୀବନ ଶୈଳୀ ସଞ୍ଜନାର । ଦେହସୁହା ହେଇ ଗଲାଣି । ସବୁ ଦିନ ପରି ଆଜିବି ସଞ୍ଜୁ ଏଯାଏଁ ଘରକୁ ଫେରିନି । ଚାତକ ପରି ଚାହିଁ ରହିଚି ସଞ୍ଜୁ ଆସିବା ବାଟକୁ । ଭୋକରେ ପେଟ କାଟିଲାଣି । ଶିକ୍ଷିତା, ଆଧୁନିକା ହେଲେ ମଧ୍ୟ କାହିଁକି କେଜାଣି ସଞ୍ଜନାକୁ ଓଡ଼ିଆ ଘରର ରୀତି ନୀତି, ଚାଲି ଚଳନ, ପରମ୍ପରା, ସଂସ୍କୃତି ସବୁ କିଛି ସଞ୍ଜନାକୁ ଭଲ ଲାଗେ । ସଂସ୍କାରୀ ଘରେ ବଢ଼ିଛି । ସ୍ୱାମୀ ଶ୍ୱଶୁର ଖାଇ ସାରିଲେ ଖାଇବ । ଯଦିଓ ଏ ସବୁ ଆଧୁନିକ ଯୁଗରେ ମୂଲ୍ୟ ହୀନ, ତଥାପି ସଞ୍ଜନାର ପ୍ରିୟ । ସଞ୍ଜନାର ଏକାକୀ ମନରେ ଅନାବନା ଭାବନାର ଭସା ବାଦଲ ସବୁ ଭାସି ଯାଉଛନ୍ତି । ଖଟଟା ଉପରେ ଗୋଡ଼ ଭାଙ୍ଗି ବସିଛି । ଦୁଇ ଆଣ୍ଠୁ ଉପରେ ମୁଣ୍ଡ ରଖି ବେଡସିଟ୍ ଉପରେ ଆଙ୍ଗୁଳି କ'ଣ ସବୁ ଲେଖୁଛି ସେଇ ଜାଣେ । ବିଛଣା ଅଡ଼ୁଆ ହେଇଗଲେ ପୁଣି ସବୁକୁ ପୋଛି ଦିଏ, ବିଛଣା ସିଧା ହେଇ ଯାଏ । ଝରକା ଦେଇ ବାହାରକୁ ଟିକେ ଚାହେଁ, ଅଣ୍ଟା ସିଧା କରିନେଇ ପୁଣି ଭାବନାରେ ଘୂରି ବୁଲେ । କୋଳରେ ପିଲାଟେ ଥିଲେ ତା' ସାଙ୍ଗରେ ହସ ଖୁସି ହେଇ ଦିନ କାଟି ଦିଅନ୍ତା, ସେତକ ବି ତା ଭାଗ୍ୟରେ ନାହିଁ । କେମିତି ହବ ? ସବୁ ଦିନ ଯଦି ସଞ୍ଜୁ ମାତାଲ୍ ହେଇ ସ୍ତ୍ରୀ ମୁହଁକୁ ନଚାହିଁ ଶୋଇପଡ଼େ.... । କେତେ ଥର ଅଲାଜୁକୀ ହେଇ ସଞ୍ଜନା ନିଜ ଆଡ଼ୁ ଚେଷ୍ଟା କରିଛି, ହେଲେ ପ୍ରତିଥର ବିଫଳ ହେଇଛି । ଅତ୍ୟଧିକ ନିଶା ସେବନ ପାଇଁ ସଞ୍ଜୁର ପୌରୁଷ କ୍ଷୀଣ ହେଲାଣି । ବିଚାରି ସ୍ୱାମୀ ସୁଖ ବି ଟିକେ ପାଇ ପାରୁନି । ତା'ରି ସାଙ୍ଗରେ ବାହା ହେଇ ତାଙ୍କ ଛୁଆ ସବୁ ଅଙ୍ଗନବାଡ଼ିକୁ ଗଲେଣି ।

       ଭଗବାନ ନାରୀ କପାଳରେ ଏତେ ଦୁଃଖ କାହିଁକି ଲେଖିଲେ ? ନାରୀ ତାଙ୍କର କି ଅପରାଧ କରିଥିଲା ? ସବୁ ମାଡ଼, ଗାଳି, ଗଞ୍ଜଣା ସହିବା ପରେବି ଏରୁଣ୍ଡି ବନ୍ଧ ଡେଇଁ ପାରୁନି ସଞ୍ଜନା ।

  ସଞ୍ଜୁ ଆଉ ମଦ ଖାଉନି, ଏଣିକି ମଦ ସଞ୍ଜୁକୁ ଖାଇଲାଣି । ହାଡ଼ ଦି'ଖଣ୍ଡ ପଡ଼ିଛି । ସଞ୍ଜନାର ଠିକ୍ ଠିକ୍ ମନେ ଅଛି, ସଞ୍ଜୁ ବର ବେଶରେ ଯେବେ ତାଙ୍କ ଗାଆଁ ଦାଣ୍ଡରେ ପହଞ୍ଚିଲା, କୁଆଁରୀ ମାନେ କ'ଣ ବାହା ହେଲା ଝିଅ ବୋହୂ ବି ଲୋଭ କଲେ । ଡାହାଣା ଆଖିରେ ଚାହିଁ ରହିଲେ । ଅଧରପଣା ପେଇବା ପାଇଁ ତ ଝିଅଙ୍କ ଭିତରେ ଏକ ପ୍ରକାର ଯୁଦ୍ଧ ଲାଗି ଗଲା । ଗୋଟି ଗୋଟି ମନେ ଅଛି ସଞ୍ଜନାର । କାଲି ପରି ଲାଗୁଛି । କାଲି ଆଉ ଆଜି ଭିତରେ ଅନେକ ଫରକ୍ । ମଦ ପିଇଲେ ଚାଲୁଛି ନହେଲେ ମଲା ସାପଟେ ପରି ଶୋଇ ରହୁଛି । ସଞ୍ଜନାର ଗୋଟିଏ ଚିନ୍ତା ସଞ୍ଜୁ କେମିତି ମଦ ଛାଡ଼ିବ । କେତେ ଦିଅଁ ଦେବତାଙ୍କୁ ମାନସିକ ବି କରିଛି । ଯିଏ ଯାହା କହିଲା ସବୁ ଉପାୟ କରିଛି । ଟିଭିର ବିଜ୍ଞାପନ ଦେଖି ଔଷଧ ମଗେଇ ଦେଇଛି । ଖବର କାଗଜରେ ବିଜ୍ଞାପନ 'ଗୁପ୍ତରେ ମଦ ଛାଡ଼ନ୍ତୁ' ଦେଖି ସଞ୍ଜନା ଖୁସି ହେଇ ତୁରନ୍ତ ମଗେଇ ସଞ୍ଜୁକୁ ଖାଇବାକୁ ଦେଲା । କିଛିଦିନ ଖାଇବା ପରେ ସଞ୍ଜୁ ମଦ ପିଇବା ଛାଡ଼ି ଦେଲା । ଖୁସିରେ ସଞ୍ଜନାର ଗୋଡ଼ ତଳେ ଲାଗୁ ନଥାଏ । ମଦ ଛୁଇଁବା ତ ଦୂରର କଥା ଚାହିଁଲା ବି ନାହିଁ ସଞ୍ଜୁ । ତିନି ମାସ ଯାଇନି ଯୋଉ କଥାକୁ ସେଇ କଥା । ପୁଣି ସଙ୍ଗ ଦୋଷରେ ପିଇବା ଆରମ୍ଭ କଲା ସଞ୍ଜୁ । କାଉଡ଼ିଆ ମାନେ ଗଞ୍ଜେଇକୁ ଭୋଗ କହି ଆକଣ୍ଠ କଲା ଭଳି ମଦୁଆ ମାନେ ମଦକୁ ସୁରାର ଆଖ୍ୟା ଦିଅନ୍ତି । ସୁର ମାନେ ପାନ କରନ୍ତି ବୋଲି ୟା ନାଆଁ ସୁରା । ମାନେ ଦେବତାମାନେ ୟାକୁ ପାନ କରନ୍ତି । ଏହା ସାମାନ୍ୟ ଜିନିଷ ନୁହଁ । ମଦ ଅମୃତ ସମାନ । ମ ଦ, ମରେ ମରଦ, ଦରେ ଦରଦ । ଯିଏ ନପିଏ ମଦ, ସେ ନୁହେଁ ମର୍ଦ । ଏମିତି କେତେ କ'ଣ ମଦର ବିଶ୍ଳେଷଣ । ସଞ୍ଜନା ଭାଙ୍ଗି ପଡ଼ୁଥାଏ । ଉପାୟ ଖୋଜି ବୁଲୁ ଥାଏ । ଆଶାର କ୍ଷୀଣ ଆଲୋକଟିଏ ଦେଖା ଦେଲା । ପଡ଼ିଶା ଘର ବୋହୂ ତା ବାପ ଘରକୁ ଯାଇଥିଲା । ସଂପର୍କରେ ସଞ୍ଜୁର ଭାଉଜ ହେବେ । କେବେ ଘରକୁ ଆସନ୍ତିନି । ସଞ୍ଜନାର ଦୁଃଖ ସହି ନପାରି ଘରକୁ ଆସି କହିଲେ - ତାଙ୍କ ଗାଆଁର ଜଣେ ଲୋକ ଏମିତି ସବୁ ବେଳେ ମଦରେ ବୁଡ଼ି ରହୁଥିଲା । ତାକୁ 'ନିଶା ନିବାରଣ ସମିତି'ରେ ନେଇ ଛାଡ଼ି ଦେଲେ । ଛ' ମାସ ପରେ ଘରକୁ ଫେରିଲା ଯେ ଆଉ ମଦର ନାଆଁ ଧରୁନି । ମଦ ନାଆଁ ଶୁଣିଲେ ଡେଉଁଛି । ମଦ ବାସ୍ନା ଯଦି ନାକରେ ବାଜିଲା ଭଳଭଳ ବାନ୍ତି କରୁଚି । ତୁ ସଞ୍ଜୁକୁ ସେଇଠିକୁ ପଠା । ସଞ୍ଜୁ ଭଲ ପିଲାଟେ । ସାଙ୍ଗମାନଙ୍କ ବୁଦ୍ଧିରେ ପଡ଼ି ଏମିତି ହେଇଛି । ଏଇ ମଦ ପାଇଁ କେତେ ସୁନା ଘର ଚୂନା ନହଉଛି ସତେ ? କେତେ କେତେ ଲୋକ ସୁଦୁ କଂଚା ବୟସରେ ଅକାଳରେ ମରି ଯାଉଛନ୍ତି । ଆଜିକାଲି କଲେଜ ପଢ଼ୁଆ ଛୁଆଟା ମାନେ ସ୍ପଷ୍ଟ ନିଶ ଉଠୁନି, ମଦ ପିଇକି ବାତେରା ହଉଛନ୍ତି । ଖାଲି ଟୋକା କ'ଣ ପିଉଛନ୍ତି ଆଜି କାଲିକା ଝିଅ ମାନେ ବି ପାଠ ପଢ଼ା ନାଆଁରେ ହଷ୍ଟେଲ୍ରେ ରହି ସବୁ ନହେଲେ ବି କେତେକ ଛତିରି ପିଉଛନ୍ତି । ଛାଡ଼ ସେ କଥା, ତୁ ଆମର ସଞ୍ଜୁକୁ ସେଇ ନିଶା ନିବାରଣ କେନ୍ଦ୍ରକୁ ପଠାନା । ମୋ ମନ କହୁଛି ସଞ୍ଜୁ ନିଶ୍ଚୟ ଭଲ ହେଇ ଯିବେ । ଏକରକମ ହାତ ଧରି ପକେଇଲେ ସଞ୍ଜନାର । ସଞ୍ଜନା କାନ୍ଦ କାନ୍ଦ ହେଇ ପଡ଼ିଲା । ଛାତି ଉପରକୁ ଆଉଜି ନେଲେ ଭାଉଜ ।

- ତମ ଗାଆଁ କଟକରେ ବୋଲି ସେମାନେ ସିନା ସେଠିକୁ ନେଇ ଗଲେ, ଇଏ କ'ଣ ଏତେ ବାଟରେ ଯାଇ ରହିବେ ? ବାପା ମାଆ ରାଜି ହେବେନି ।

- ତୁ ବ୍ୟସ୍ତ ହଅନି, ବାପା ମାଆଙ୍କୁ ବୁଝେଇବା କାମ ତୁ ମତେ ଛାଡ଼ି ଦେଏ । ତାଛଡ଼ା ତାଙ୍କୁ କଟକ ଯିବାକୁ ପଡ଼ିବନି ।

- ଆଉ ?

- ସବୁ ଜିଲ୍ଲାରେ ନିଶା ନିବାରଣ ସମିତି ଅଛି । 

- ଆମ ଜିଲ୍ଲାରେ ଅଛି ?

- ହଁ ଅଛି । 

- ସେମାନେ କେତେ ନେବେ ?

- ନା, କିଛି ନେବେନି । ରହିବା ଖାଇବା ସବୁ ମାଗଣା । କିଛି ଅସୁବିଧା ହବନି । ଡାକ୍ତର ଦେଖେଇବେ, ଔଷଧ ବି ଦେବେ । ଯୋଗ ଶିଖେଇବେ । ଆଧ୍ୟାତ୍ମିକ ଜ୍ଞାନ ଦେବେ । ସକାଳ ସନ୍ଧ୍ୟାରେ ପ୍ରାର୍ଥନା ବି କରେଇବେ । ସବୁ ସୁବିଧା ଅଛି । ମଝିରେ ମଝିରେ ଘର ଲୋକ ବି ଯାଇକି ଦେଖା କରିପାରିବେ । 

      ସଞ୍ଜନା ମୁହଁରେ ଟିକେ ହସ ଫୁଟି ଉଠିଲା । ଆସନ୍ତା ରବିବାରକୁ ସଞ୍ଜୁକୁ ନେଇ ନିଶା ନିବାରଣ କେନ୍ଦ୍ର ଯିବାକୁ ସ୍ଥିର କଲେ । 

- ଅପା ମୁଁ ଗୋଟେ କଥା କହନ୍ତି ।

- ହଁ କହ ।

- ମୋ ଭଳି ଅନେକ ସ୍ତ୍ରୀ ଏମିତି ଦୁଃଖ ଭୋଗୁଛନ୍ତି । ଆମେ ସ୍ତ୍ରୀ ଲୋକମାନେ ମିଶି ଏଇ ଅଭିଯାନ ଆରମ୍ଭ କଲେ କେମିତି ହୁଅନ୍ତା ?

- ମୋ ମନର କଥା କହିଦେଲୁ ଏକା । 

    ରବିବାର ସଞ୍ଜୁଙ୍କୁ ଛାଡ଼ି ଆସିବା ପରେ ଦି'ଯାଆ ମିଶି ଗାଆଁରେ ଘରକୁ ଘର ଯାଇ ବୁଝେଇଲେ । ଚାରି ମାସ ପରେ ସଞ୍ଜୁ ନିଶା କେନ୍ଦ୍ର ରୁ ଫେରି ସଞ୍ଜନା ସହ ଅଣ୍ଟା ଭିଡ଼ିଛି । ନିଜ ଗାଆଁ ସହ ପାଖ ଗାଆଁରେ ବି କାମ କରୁଛନ୍ତି । ଯେଉଁମାନଙ୍କୁ ନେଇ ନିଶା କେନ୍ଦ୍ରରେ ଛାଡ଼ୁଚନ୍ତି ସେମାନଙ୍କ ସ୍ତ୍ରୀଙ୍କୁ ତାଙ୍କ କାମରେ ସାମିଲ୍ କରୁଛନ୍ତି । ସଞ୍ଜୁ ବି ପୁରା ଦମରେ ଲାଗି ପଡ଼ିଛନ୍ତି । ଦିନ କେଇଟାରେ ଗୋଟେ ବିଶାଳ ସଂଗଠନ ଗଢ଼ି ଉଠିଛି । ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି । କିଛି ପରବାରରେ ଖୁସି ଫେରି ଆସିଥିବାରୁ ସଞ୍ଜୁ ସଞ୍ଜନା ନିଜକୁ ଧନ୍ୟ ମନେ କରୁଛନ୍ତି ।

- କେତେ ରାତି ହେଲାଣି ଜାଣିଛ ? କୁଆଡ଼େ ଯାଇଥିଲ କି ?

- ଆରେ ଭାଟିକୁ ।

- ମାନେ ? ମଦ ଭାଟିକୁ ? ପୁଣି ଥରେ ତମେ....

- ଆଲୋ, ପିଇବା ପାଇଁ ନୁହଁ...

- ଆଉ ?

- କିଏ କିଏ ଭାଟିକୁ ଆସୁଛନ୍ତି । ତାର ଗୋଟେ ଲିଷ୍ଟ୍ କରିବାକୁ ଯାଇଥିଲି । ତାଙ୍କ ନାଆଁ ଗାଆଁ ଠିକଣା ସବୁ ଲେଖି ଆଣିଛି । ଆସୁ ଆସୁ ମଦନ ଭାଇ ଦେଖା ହେଲା ଯେ ...ତମେ ତ ଜାଣ ସେ ଗପୁଡ଼ାଟା, କଥା ସରେନି । କ'ଣ କହିଲା ଜାଣିଛ ; ' ମରେ ମହତ ଯିବ, ଦରେ ଦରିଦ୍ର ହବୁ" । କଥାଟା ଏକଦମ ଠିକ୍ କହିଲେ । ଏମିତିରେ ପଡ଼ିଗଲେ ସମସ୍ତେ ଦୌଡ଼ି ଆସିବେ ଉଠେଇବାକୁ, କିନ୍ତୁ ମଦ ପିଇ ପଡ଼ିଗଲେ ଉଠଉ ଥିବା ଯଦି ଜାଣିଗଲା ତେବେ ହାତ ଛାଡ଼ି ଦବ । ପୁଣି କେଞ୍ଚେ ଖାଇବୁ । ଡାକ୍ତର ବି ଇଂଜେକ୍ସନ୍ ଦେଲା ବେଳେ ମୁହଁ ବଙ୍କା କରି ଛୁଞ୍ଚି ଫୁଡ଼ୁଥିବେ । ଧେତ୍ ବହୁତ ଖରାପ କଥା ।

- ଏବେ ବୁଝିପାରିଛ ତାହାଲେ । 

- ସେଇ ପାଇଁ ଟିକେ ଡେରି ହେଇଗଲା । ବାଢ଼ ଖାଇବା, ଭୋକରେ ପେଟ କ'ଣ ନାଇଁ କ'ଣ ହେଲାଣି ।

- ତମର ମନେ ଅଛି ତ ଚାରି ମାସର ଛୁଆ ପେଟରେ ଅଛି ବୋଲି ?

- (ଜିଭ କାମୁଡ଼ି) ହଁ ଲୋ ହଁ 

- ଏତିକି ରାତି ଯାଏ ଏ ସମୟରେ ଅଖିଆ ଅପିଆ ଅନିଦ୍ରା ରହିଲେ ପିଲାର ଅବସ୍ଥା କ'ଣ ହବ ଜାଣିଛ ଟି ?

- Sorry, ଇଏ ଭୁଲ୍ ଆଉ କେବେ ହବନି, ହେଲା !

- ୟା ପୂର୍ବରୁ ବି ଏମିତି କହିଥିଲ ।

- ୟା ପରଠୁ ଆଉ ହବନି, ମୋ ରାଣ

- ହେଃ, ପୁଣି ଥରେ ତମେ...



Rate this content
Log in