ପରଶ
ପରଶ
ସଞ୍ଜ ରତ ରତ । ହାଟ ସାରି ଫେରୁଛି ନାରଣ । ଘର ମୁହାଁ ହେଲେ ସହଳ ପାଦ ପଡ଼େ । ଗୋଡ଼ ଛାଟି ଛାଟି ନାରଣ ଏକ ମୁହାଁ ପରିବା ଝୁଲା ଧରି ଚାଲିଛି । ପଛରୁ ଡାକ ଶୁଭିଲା -
- କିରେ ନାରଣ ! କ'ଣ ହାଟରୁ ଆସିଲୁ ?
- ହଁ ହରିଆ ଭାଇ ।
- ମୁଁ ଆଉ ହାଟ ବଜାର ଯାଉ ନାହିଁ । ମଝିଆଁ ପୁଅ ମନା କଲା ।
ରାସ୍ତା ଘାଟ ଗାଡ଼ି ମଟର କଥା ତ ଜାଣୁ । ଏ ବୟସରେ ପଡ଼ି ଗଲେ ଆଉ ଉଠି ହବନି କି ଭଙ୍ଗା ହାଡ଼ ଯୋଡ଼ିବନି । ବହୁ କଷ୍ଟ । ସେଥିପାଇଁ ପୁଅ ମାନେ ରାଜି ହେଲେନି ।
- ସେମିତି କର୍ମ କରିଛ ହରିଆ ଭାଇ , ସୁଖ ତମେ କରିବନି ଆଉ କ'ଣ ମୁଁ କରିବି ?
- କାହିଁ ତୋ ପୁଅ ତ ଭଲ ପିଲାଟେ । ତା କଥାବାର୍ତ୍ତା ଚାଲି ଚଳଣ ତ ଭଲ । ସୁନ୍ଦର ବ୍ୟବହାର । ଯୋଉଠି ଦେଖିଲେ ବଡ଼ବାପା କହି ମୁଣ୍ଡିଆଟେ ମାରେ । ହସି ହସି ଭଲ ମନ୍ଦ ପଚାରେ । ତୁ ଏମିତି କହୁଚୁ ଯେ ?
- କେତେ ନେଇଛି ହରିଆ ଭାଇ ? ପଇସା ବା
- ଆରେ ତୁ ସେଥିରୁ କ'ଣ ପାଇବୁ ? ବାପ ପୁଅର କଥା । କେତେବେଳେ କେମିତି ପାଞ୍ଚ ଦଶ ନିଏ , ଛାଡ଼ ସେ କଥା ।
- ନା ହରିଆ ଭାଇ , କେବଳ ତମେ ନୁହଁ ବଂଧୁ ବାନ୍ଧବଙ୍କ ଠୁ ଆରମ୍ଭ କରି ସାହି ପଡ଼ିଶା ସବୁଠି ମୋ ମୁଣ୍ଡ ତଳକୁ କରି ସାରିଲାଣି । କାହା ଅଣ୍ଟିରେ ହାତ ନମାରିଛି ବୋଲି କହିବନି । ତାରି ପାଇଁ ମୁଁ ମଥା ଟେକି ବାଟ ଚାଲିପାରୁନି । କେତେ ଜାଗା ଅପମାନ ବି ପାଇଛି । ତା ସାଙ୍ଗରେ ଜୋରିମାନା ବି ଦେଇଛି ।
- କ'ଣ କରୁଛି ସେ ?
- କ'ଣ ଆଉ କରିବ ? ମଦ ପିଉଛି , ଜୁଆ ଖେଳୁଛି । କାମ ଧନ୍ଦା କିଛି ନାହିଁ । ଦିନେ ଗଲେ ଦି ଦିନ ବନ୍ଦ ।
- ରେ ରେ , ମୁଁ ଭାବୁଚି ଭଲ ପିଲାଟେ ବୋଲି ।
- ଭଲ ! ଏଇ ଭଲ ।
- ତୁ ତାକୁ ଶାସନ କରିପାରିଲୁ ନାହିଁ ।
- କ'ଣ ଆଉ ଶାସନ କରିବି ? ଦି' ଦି'ଟା ଛୁଆର ବାପ । ତଥାପି ଗୋରୁ ଗାଈଙ୍କୁ ପିଟିଲା ପରି ପିଟି ପକାଏ । ଅଙ୍ଗାର ଯେତେ ଧୋଇଲେ କ'ଣ ହବ ? ଯେତେ ରାଣ ନିୟମ ପକେଇ ବୁଝେଇଲେ କ'ଣ ହବ , ଯୋାଉ ଚାଉର କୁ ସେଇ ଚାଉର । ଚାଉଳ ହେଲା ନାହିଁ । ଶେଷରେ ଛାଡ଼ିଦେଲି , ଯାହା କରୁଛି କରୁ । ତାରି ଚିନ୍ତା କରି କରି ତା ମାଅା ମଲା , ମୋର ବି ଆଉ ବେଶି ଦିନ ନୁହଁ । ଏଇ ବୟସରେ ପାଞ୍ଚ ପ୍ରାଣୀ କୁଟୁମ୍ବକୁ ପୋଷିବାକୁ ପଡ଼ୁଛି ।
- ସବୁ ଭୁଲ୍ ତୋର ।
- ମୁଁ କ'ଣ କଲି ?
- ତୁ ତା ବାପ । ଭଲରେ ବୁଝେଇଥିଲେ ସେ ଆଜି ଅବାଟକୁ ଯାଇ ଥାନ୍ତା ?
- କେତେ ବୁଝେଇଛି , ତା ମାଆ ବୁଝେଇଛି , ବୋହୂ ବି ବୁଝେଇଛି । କାହା କଥା ଶୁଣେନି ।
- ଆରେ ଜଙ୍ଗଲର ବାଘ , ସିଂହ , ହାତୀକୁ ବି ମଣିଷ ପୋଷା ମନଉଛି । ସାପୁଆ କେଳା ବିଷଧର ସାପକୁ ତ ଖେଳଉଛି ! ତୁ ମଣିଷ ଛୁଆଟାକୁ ଅମଣିଷ ହବାକୁ ଛାଡ଼ି ଦେଲୁ ? କିଛି ଠିକ୍ କଲୁନି ।
- ସବୁ ପ୍ରକାର ଚେଷ୍ଟା ତ କଲି , ଏତେ ବଡ଼ ଭେଣ୍ଡିଆ ଟୋକାକୁ ସ୍ତ୍ରୀ ପିଲାଙ୍କ ଆଗରେ ତ ବାଡ଼େଇଲି, ଆଉ କ'ଣ କରିଥାନ୍ତି କୁହ ? ଯାହା ହେଇଥାନ୍ତା ତା ମାଆ ମୁହଁ ପାଇ ଏମିତି ଅବାଟକୁ ଗଲା ।
- ଆମ ପୁରୁଷ ମାନଙ୍କର ଏଇ ପ୍ରୋବ୍ଲେମ, ସବୁ କଥାରେ ସ୍ତ୍ରୀକୁ ଦୋଷ ଦେବା । କିରେ ତୁ ଯୋଉଠି ପାରିଲୁନି ସେ ସ୍ତ୍ରୀ ଲୋକଟା କ'ଣ କରିପାରି ଥାନ୍ତେ ?
- ତମେ ଯାହା କୁହ ହରିଆ ଭାଇ ମୁଁ କିନ୍ତୁ ମାନିବିନି । ଆଜି ଯାଏ ଯେତେ ପୁଅ ଝିଅ ଖରାପ ହେଇଛନ୍ତି ସବୁରି ମୂଳରେ ମାଆ । କି ହୋ ଆମେ ପୁରୁଷ ଲୋକ, ରାତି ପାହିଲେ ଧନ୍ଦାକୁ ବାହାରି ଗଲେ, ପୁଣି ରାତି ହେଲେ ଘରକୁ ଫେରିଲେ । ଦିନ ସାରା ପିଲା ଭଲ କଲାକି ମନ୍ଦ କଲା ମାଆ ଖବର ନବନି ?
- ତୁ ଭୁଲ୍ କହୁଚୁ ନାରଣ । ମାଆ କ'ଣ ଖାଲି ଘରେ ବସୁଛନ୍ତି ? ତା ଛଡ଼ା ଆମେ ବାହାରୁ ପିଲାଙ୍କ କଥା ଶୁଣି ଦେଇକି ମାଆ ଉପରେ ଗରମ ହୁଅନ୍ତି, ପିଲାକୁ ଡାକି ପଚାରନ୍ତି ନାହିଁ । ଓଲଟି ସ୍ତ୍ରୀ ଉପରେ ଅଯଥା ଗରଗର ହୁଅନ୍ତି । କହନ୍ତିନି ମାଆ ମାଡ଼ କୁଆ ପାଡ଼, ମାଆକୁ କେହି ପିଲା ମାନେ ? ମୁଁ ଗୋଟେ କଥା କହୁଚି ଶୁଣ୍ ନାରଣ । ମୋତେ କହ ତୋ ହାତରୁ କେବେ ବାସନ ଖସିପଡ଼ିଛି ?
- ହଁ, କେତେ ଥର ।
- ବାସନ ପଡ଼ିଯିବାର କର୍କଶ ଶବ୍ଦ ଶୁଣିବାକୁ ଭଲ ଲାଗେ ? ନା, ତୁ ସେତେବେଳେ କ'ଣ କରୁ ?
- ବାସନ ଉପରେ ହାତ ପକେଇ ଦିଏ ।
- ଏବେ କହ, ବାସନ ନିର୍ଜୀବ କିନ୍ତୁ ତୋ ହାତ ପରଶ ପାଇ ଚୁପ୍ ହେଇଗଲା, ଅଥଚ ତୁ କହୁଚୁ ତୋ ପୁଅ ସଜୀବ, ତୋ ରକ୍ତର ତଥାପି ଚୁପ୍ ହେଲାନି ? ଅସଲ କଥା ହେଲା ଆମେ କେବେ ଆମ ପିଲାଙ୍କୁ ପାଖକୁ ଡାକନ୍ତିନି କି ତା କାନ୍ଧରେ ହାତ ପକାନ୍ତି ନାହିଁ । ତା ମୁଣ୍ଡ ଆଉଁସି କଥା ହୁଅନ୍ତି ନାହିଁ । ବରଂ ଚଢା ଗଳାରେ ପାଟି କରନ୍ତି । ମାଆକୁ ତାଗିଦ୍ କରନ୍ତି । ହଁ କି ନାହିଁ ?
- ହଁ ହରିଆ ଭାଇ, ଏକଦମ୍ ଠିକ୍ କଥା କହିଲ । ଆମେ ମିଛରେ...
- ଆରେ ସେ ବାସନ ଉପରେ ଯଦି ଜୋରେ ହାତ ପକେଇବୁ ସେ ବନ୍ଦ ହେବା ବଦଳରେ ଜୋର ଶବ୍ଦ କରିବ । ତେଣୁ ଶ୍ରଦ୍ଧା ସହକାରେ ହାତ ପରଶ ଦରକାର ।
- ହଁ ହରିଆ ଭାଇ, ସବୁ ବାପା ମାନେ ଯଦି ଏଇ କଥା ବୁଝନ୍ତେ ; କେତେ କେତେ ପୁଅ ଝିଅ ସୁଧୁରି ଯାଆନ୍ତେ ।