Sanjeeb Kumar Nag

Others

3  

Sanjeeb Kumar Nag

Others

ଉପଯୋଜନ

ଉପଯୋଜନ

3 mins
282


କାନ୍ଦିବାର ସୁଁ ସୁଁ ଶବ୍ଦ ଶୁଣି ଶ୍ରେଣୀ ପ୍ରକୋଷ୍ଠର ଝରକା ଦେଇ ଭିତରକୁ ଅନେଇ ଦେଖିଲେ ପ୍ରଦୀପ ସାର। ସାମାନ୍ୟ ଅନ୍ଧାରୁଆ କୋଠରୀର ଏକ କୋଣରେ ବସି କାନ୍ଦୁଥାଏ ପୂଜା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏମ.ଡି.ଏମ ଖାଇ ଖେଳକୁଦ କରୁଥାନ୍ତି। ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏମ.ଡ଼ି.ଏମ (ମିଡ.ଡେ.ମିଲସ)ର ବ୍ୟବସ୍ଥା ନଥିବାରୁ ଘରକୁ ଯାଇଥାନ୍ତି ମଧ୍ୟାହ୍ନ ଭୋଜନ ପାଇଁ। ପୂଜା ବି ଯାଏ କିନ୍ତୁ ସେଦିନ ସେ ଘରକୁ ଯାଇନି। ବିଦ୍ୟାଳୟରେ କାର୍ଯ୍ୟରତ ସ୍ଥାନୀୟ ଶିକ୍ଷକ ମାନେ ମଧ୍ୟ ନିଜ ନିଜ ଘରକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥାନ୍ତି। ସଂସ୍କୃତ ଦିଦି ଓ ପ୍ରଦୀପ ସାର ଦୁହେଁ ପନ୍ଦର କିଲୋମିଟର ଦୂରରୁ ଆସୁଥିବାରୁ ଘରୁ ଖାଇବା ନେଇ ଆସନ୍ତି। ଦୁଇଜଣ ସମାନ ଦୂରରୁ ଆସୁଥିଲେ ବି ବିପରୀତ ଦିଗରୁ ଆସନ୍ତି। ପ୍ରଦୀପ ସାର ପୂଜା ପାଖକୁ ଯାଇ ତାର କାନ୍ଦିବାର କାରଣ ପଚାରିବାରୁ ପୂଜା ଆହୁରି ଜୋରରେ କାନ୍ଦି ପକେଇଲା। ଅନେକ ଥର ପଚାରିବା ପରେ ବି ସେ କିଛି କହିଲାନି। ତେଣୁ ଆଉ ଅଧିକ କିଛି ନପଚାରି ପଳେଇ ଆସିଲେ ସେ ଅଫିସ ରୁମକୁ। କିଛି ସମୟ ପରେ ପୂଜାର ସାଙ୍ଗ ହରିପ୍ରିୟାକୁ ପୂଜା ବିଷୟରେ ଅନେକ ଥର ବୁଲେଇ ବଙ୍କେଇ ପଚାରିଲା ପରେ ତା ଠାରୁ ଯାହା ଶୁଣିଲେ ସେଥିରେ ବେଶ ମର୍ମାହତ ହୋଇପଡିଲେ ସାର।


ସେଦିନ ସଂସ୍କୃତ ଦିଦି ଦୁଇଜଣ ପିଲାକୁ ଡାକି ନଳକୂଅରୁ ବୋତଲରେ ପାଣି ଭରି ଆଣିବା ପାଇଁ ପଠେଇ ଥିଲେ କିନ୍ତୁ ପାଣି ବୋତଲ ନେଇ ଆସିଲା ବେଳକୁ ତିନିଜଣ ନେଇ କି ଆସିଥିଲେ। ହାତରେ ବୋତଲ ଧରି ଖୁସିରେ ଆସୁଥିବା ତୃତୀୟ ଜଣକୁ ଦେଖି ରାଗିଗଲେ ଦିଦି। କହିଲେ, "ତୋତେ ପାଣି ଆଣିବା ପାଇଁ କିଏ କହିଲା? ତତେ ପଠେଇ ଥିଲି କି ମୁଁ?" ଦିଦି ପାଣି ବୋତଲକୁ ହାତ ବି ଲଗେଇଲେନି। ପିଲାମାନେ କିଛି ବୁଝିପାରିଲେନି, ପାଖରେ ବୋତଲ ରଖିଦେଇ ଦୌଡ଼ି ପଳେଇଲେ ଖେଳିବା ପାଇଁ।


ଦୂରରୁ ନିରୀକ୍ଷଣ କରୁଥିବା ପୂଜା କିନ୍ତୁ ସବୁ ବୁଝି ପାରୁଥିଲା। ତା ଭାଇ ପୀୟୂଷ ଅନ୍ୟ ଦୁଇପିଲାଙ୍କ ଠାରୁ ବେଶ ସଫା ସୁତୁରା। ନାକରୁ ସିଙ୍ଗାଣୀ ବାହାରୁନି, ହାତର ନଖ ବି ବଢିନି, ଅନ୍ୟ ଦୁଇ ଜଣଙ୍କ ଭଳି ମଇଳା ପୋଷାକ ବି ପିନ୍ଧିନି। ତଥାପି ସେ ଛୁଇଁଦେଲା ବୋଲି ଦିଦି ପାଣି ବୋତଲକୁ ହାତ ବି ଲଗେଇଲେ ନାହିଁ। ତାଙ୍କ ଘରେ କଣ ପୋଷା ବିଲେଇ ନାହିଁ! ତାଙ୍କ ପୋଷା କୁକୁର ବିଲେଇ କଣ ତାଙ୍କର ଦୁଆର ମାଡନ୍ତିନି! ଆମେ କଣ ତାଙ୍କ ବିଲେଇ କୁକୁରଠୁ ବି ହୀନ! କାହିଁକି ଆମେ ଅସ୍ପୃଶ୍ୟ? ଏବେବି ଏ ଛୁଆଁ ଅଛୁଆଁ ଏତେ ପରିମାଣରେ ରହିଛି? ଆମ ପୂର୍ବପୁରୁଷ କେମିତି ଜୀବନ ଜୀଇଁଥିବେ? ସବୁବେଳେ ଧର୍ମକର୍ମ ଉପରେ ପ୍ରବଚନ ଦେଉଥିବା ଦିଦିଙ୍କ ଏତେ ସଂକୀର୍ଣ୍ଣ ମାନସିକତା! ମାସସାରା ତାଙ୍କର ଯୋଉ କିଛି ନା କିଛି ପୂଜାପାଠ, ବ୍ରତ, ଉପବାସ ଆଦି ଲାଗି ରହିଥାଏ ଏସବୁ ତାହେଲେ ଲୋକ ଦେଖାଣିଆ! ଏଇ ପୂଜାପାଠ ବ୍ରତ ନାଁରେ ପ୍ରତି ସପ୍ତାହରେ ଦୁଇଦିନ ସ୍କୁଲ ନଆସି ଘରେ ରହିଥାନ୍ତି ଓ ହେଡ ମାଷ୍ଟରଙ୍କ ଠାରୁ ଗାଳି ବି ଖାଆନ୍ତି। ପ୍ରଦୀପ ସାର ଏସବୁକୁ ଲୋକ ଦେଖାଣିଆ ଧର୍ମ କର୍ମ କହନ୍ତି ବୋଲି ତାଙ୍କୁ ବି ରାଗିଥାନ୍ତି ଦିଦି। ମାନବର ଯଦି ମାନବିକତା ନାହିଁ ତେବେ ସେ କୌଣସି ଉପାୟରେ ବି ଧାର୍ମିକ ହୋଇପାରିବନି। ଏମିତି ଅନେକ କଥା ପୂଜାର ମନ ଭିତରେ ଜୁଆର ସୃଷ୍ଟି କରୁଥିଲା। 


ତୃତୀୟ ଶ୍ରେଣୀର ଛାତ୍ର ପୀୟୂଷ ବେଶ ଖୁସିରେ ଖେଳୁଥାଏ। ସତେ ଯେମିତି କିଛି ଘଟିନି। ପୂଜା ଶ୍ରେଣୀକୋଠରୀ ଭିତରୁ ଝରକା ଦେଇ ତାକୁ ଅନେଇଥାଏ। ପ୍ରଦୀପ ସାର ବାରଣ୍ଡାରେ ପଡିଥିବା ଚୌକିରେ ବସି ପିୟୁଷକୁ ଦେଖି ଭାବୁଥାନ୍ତି ତାଙ୍କ ପିଲାବେଳର କଥା। ଗୋଲକ ସାହୁ ଘରକୁ ଟିଭି ଦେଖିବାକୁ ଯାଇ କେମିତି ସେ ଘର ବାହାରୁ ଦେଖୁଥିଲେ। ଘରର କୌଣସି ମହିଳା ବାହାରକୁ ବାହାରିଲେ ବା ଘରକୁ ପଶିଲେ କେମିତି ତାଙ୍କୁ ଦୂରରୁ ବାଟ ଛାଡିବା ପାଇଁ କହୁଥିଲେ, ସତେ ଯେମିତି ସେତେବେଳେ ତାଙ୍କୁ କରୋନା ହେଇଥିଲା! ସ୍କୁଲରେ ଭାତହାଣ୍ଡି ଛୁଇଁ ଦେଲା ବୋଲି ଘାସୀରାମକୁ ରାନ୍ଧୁଣୀ ବୁଢ଼ୀ ଯୋଉ ଗାଳି ଦେଇଥଲା, ସେଇ ଶବ୍ଦ ଏବେ ବି କାନରେ ପ୍ରତିଧ୍ୱନିତ ହୁଏ। ହାଣ୍ଡିଯାକ ଭାତକୁ ବୁଢ଼ୀ ସେଦିନ ଫିଙ୍ଗି ଦେଇଥିଲା ଅଳିଆ ଗଦାରେ ଏବଂ କୌଣସି ସାର କିଛି କହି ନଥିଲେ। ପ୍ରଦୀପ ସାର କେବେ ବି ଚାହାନ୍ତିନି ତାଙ୍କ ଭଳି କୌଣସି ଦଳିତ ଛୁଆ ସାମାଜିକ ହୀନମନ୍ୟତାର ଶିକାର ହେଉ ବୋଲି।


ସେଦିନ ପୀୟୂଷକୁ ଦେଖି ଦେଖି କିଛି ଲେଖୁଥିଲେ ପ୍ରଦୀପ ସାର। ହଠାତ କୋଉଠୁ କୁଟା, କାଠି, ନଡ଼ା, ଶୁଖିଲା ପତ୍ର ଗୁଡାଏ ଧରି ମାଡ଼ିଆସିଲା ଏକ ଅଦିନିଆ ଖଣ୍ଡିଆଭୂତ। ତାଙ୍କ ହାତରୁ କାଗଜ ଖଣ୍ଡିକ ଉଡ଼ିଗଲା ସେଇ କୁଟା କାଠି ସହ ଚକା ଭଉଁରୀ ଖେଳି ଖେଳି। ଝରକା ପଟରୁ ବାହାରକୁ ଅନଉଥିବା ପୂଜାର ମୁହଁକୁ ଯାଇ ଚିପକୀ ଗଲା ସେଇ କାଗଜ ଖଣ୍ଡିକ। ପୂଜା କାଗଜଟିକୁ ମୁହଁରୁ କାଢି ଫିଙ୍ଗି ଦେଉ ଦେଉ କାହିଁକି କେଜାଣି ଅଟକି ଗଲା। ଥରେ ଦୁଇଥର କାଗଜଟିକୁ ଓଲଟ ପାଲଟ କଲାପରେ ଵେଞ୍ଚରେ ବସି ମନେ ମନେ ପଢିବାକୁ ଲାଗିଲା ପ୍ରଦୀପ ସାରଙ୍କ ସେଇ ଲେଖାକୁ।


ସେଥିରେ ଲେଖାଥିଲା, "ସ୍ୱପ୍ନର ଉଡାଣ ପାଇଁ ଉତ୍କଣ୍ଠିତ ଏଇ କୋମଳ ଶିଶୁ କି ଜାଣିଛି, ଏଠି ଆକାଶର ବି ସୀମା ଅଛି; ସୀମା ଆରପାରି ତାପାଇଁ ନିଷିଦ୍ଧ। ସୀମା ବି ଏକ ନୁହଁ ଅନେକ କେଉଁଠି ବର୍ଣ୍ଣର ତ କେଉଁଠି ଜାତିର, କେଉଁଠି ସମ୍ପ୍ରଦାୟର ତ କେଉଁଠି ଜୀବନ ଶୈଳୀର। ଆଖିରେ ଆଖିଏ ସ୍ୱପ୍ନ ନେଇ ପରିବାରର ଆବଦ୍ଧ ପରିବେଶରୁ ବାହାରି, ସମାଜର ଅସଲି ରୂପକୁ ଯେବେ ସେ ଦେଖିବ, ବିଜ୍ଞାନ ବହିର ଖାଦ୍ୟ ଓ ପରିସଂସ୍ଥା ପାଠ ମନେ ପଡିବ, ଖାଦ୍ୟଜାଲି ଓ ଖାଦ୍ୟ ଶୃଙ୍ଖଳ ମନେପଡ଼ିବ। ସମୟ ଗଡି ଚାଲିବ ହୃଦୟ ଭାଙ୍ଗିବ। ବେଳେବେଳେ ଭଙ୍ଗାହୃଦୟକୁ ଖୋଳପା ପରି ଘୋଡେଇ ରଖିଥିବା ଶରୀର ବି ଭାଙ୍ଗି ଦରମରା ହେବ। ପୁଣି ବିଜ୍ଞାନ ବହିର ବିବର୍ତ୍ତନ ପାଠ ମନେ ପଡିବ ଜୀବନ ସଂଘର୍ଷରେ ଜିତିଗଲେ ପ୍ରାଣୀଟା ଉପଯୋଜିତ ହୋଇ ବଞ୍ଚିବା ଶିଖିଯିବ ନଚେତ ବିଲୁପ୍ତ ହୋଇଯିବ।"


Rate this content
Log in