STORYMIRROR

Suchismita Sahoo

Others

2  

Suchismita Sahoo

Others

ତୁମକୁ ପାରୁନି ତ ଭୁଲି (ଭାଗ-୫)

ତୁମକୁ ପାରୁନି ତ ଭୁଲି (ଭାଗ-୫)

4 mins
83


ଶାଶୁଙ୍କ ପଛେ ପଛେ ରୁମ ବାହାରକୁ ଆସି ଦେଖିଲି, ହଲର ସୋଫା ଉପରେ ବୋଉ ବସିଛି ଆଉ ତା ପାଖକୁ ବାପା, ମୋ ବାପା! ଆଖିକୁ ଵିଶ୍ଵାସ କରିପାରୁ ନଥିଲି ମୁଁ, ସତ ନା ସ୍ୱପ୍ନ ଦେଖୁଛି। ପାଟ ଧୋତି ଉପରେ ଧଳା ରଙ୍ଗର କୁର୍ତ୍ତା ଆଉ କାନ୍ଧରେ ନୀଳ ରଙ୍ଗର ଗାମୁଛା ପକେଇ ମୋ ବାପା ବସିଛନ୍ତି ମୋ ଶାଶୁଘର ସୋଫା ଉପରେ। ହେଲେ ବାପାଙ୍କୁ ତ ନୀଳ ରଙ୍ଗ ଭଲ ଲାଗେନି, ନୀଳ ହେଉଛି ମୋ ପସନ୍ଦର ରଙ୍ଗ। ତା ମାନେ କଣ ବାପା ମୋ ପସନ୍ଦର...। ଛାଡ..। ଶାଶୁଘରେ ନିଜ ବାପାଙ୍କୁ ଦେଖି କେତେ ଯେ ଖୁସି ଲାଗେ, ସେଇଟା କେବଳ ଜଣେ ବିବାହିତ ନାରୀ ଅନୁଭବ କରିପାରିବ, ସେ ସୁନ୍ଦର ଅନୁଭବକୁ କିଛିଟା ଶବ୍ଦରେ ଛନ୍ଦିବା ଏତେ ସହଜ ନୁହେଁ। ବାପାଙ୍କୁ ଦେଖି ଆଶ୍ଚର୍ଯ୍ୟରେ ମୁଁ ମୂର୍ତ୍ତି ପ୍ରାୟ ହେଇଗଲି, ଗୋଟିଏ ପାଦ ବି ଆଉ ଆଗକୁ ବଢେଇ ପାରିଲିନି। ଏକ ଲୟରେ ବାପାଙ୍କୁ ଚାହିଁଥିଲି। ଏ ଭିତରେ, ବୋଉ କେତେବେଳେ ମୋ ପାଖକୁ ଆସି, ମୋ ମୁଣ୍ଡରେ ହାତ ବୁଲେଇଦେଇ, ମତେ କୁଣ୍ଡେଇ ପକେଇଲାଣି, ତାହା ବି ମୁଁ ଜାଣି ପାରୁନଥାଏ। ମତେ କୁଣ୍ଡେଇ ଧରି, ମୋ ଧନ, ମୋ ବାୟାଣୀ, ମୋ ରାଣୀ, କାହିଁ କେତେ ଦିନୁ ତତେ ଦେଖିନି ଲୋ କହି ବୋଉ ବହୁତ ଜୋରରେ କାନ୍ଦୁଥାଏ। ଠିକସେ ଖିଆପିଆ କରୁନୁ କି ଲୋ, ନିଜର ଯତ୍ନ ନେଉନୁ କି, କେତେ ଝଡି ଯାଇଛି ମୋ ପାଗିଳି, ମୋ ଝିଅ, ଏମିତି ଅନେକ ତା ମନର କଥା ବୋଉ କହି ଚାଲିଥାଏ। ତଥାପି ବି ମୁଁ ବାପାଙ୍କ ଉପରୁ ମୋ ଆଖି ହଟେଇ ପାରୁନଥାଏ, ମୋ ଖିଆଲରେ ବୋଉକୁ ଆଣି ପାରୁନଥାଏ। ଛୋଟ ବେଳୁ ମତେ ନିଜ ଝିଅ ବୋଲି ଗ୍ରହଣ କରି ପାରୁନଥିବା ବାପା ଆଜି ମୋ ସାମନାରେ, ମୋ ଶାଶୁଘରେ। ଦେହରେ ପ୍ରେମ, ଭଲପାଇବାର ଏକ ଭିନ୍ନ ଅଦ୍ଭୁତ ଶିହରଣ ଖେଳୁଥାଏ। ବୋଉର ବାହୁ ବନ୍ଧନରୁ ନିଜକୁ ମୁକୁଳାଇ, ମୁଁ ବାପାଙ୍କ ଆଡକୁ ଚାଲିଲି। ବାପାଙ୍କୁ ଏତେ ପାଖରୁ ଦେଖି, ଖୁସିରେ ଲୁହଧାର ଜମା ବୋଲ ମାନୁ ନଥିଲେ, ମୁଁ ବି ତାଙ୍କୁ ରୋକିଲିନି। ବାପା ମତେ ସାଙ୍ଗେ ସାଙ୍ଗେ ପାଖକୁ ଭିଡ଼ିନେଇ କୁଣ୍ଡେଇ ପକେଇଲେ, ମତେ କ୍ଷମା କରିଦେ ଲୋ ମାଆ କହି ଛୋଟ ପିଲା ପରି କାନ୍ଦିବାକୁ ଲାଗିଲେ, ତାଙ୍କ କାନ୍ଦ ଦେଖି ମୁଁ ବି ନିଜକୁ ରୋକି ପାରୁନଥାଏ। ଝିଅ ଜୀବନର ପ୍ରଥମ ପୁରୁଷ ହେଉଛନ୍ତି ତା ବାପା, ଯାହା ବାହୁ ବନ୍ଧନରେ ସେ ସର୍ବଦା ସୁରକ୍ଷିତ, ଯାହାର ହାତ ମୁଣ୍ଡ ଉପରେ ଥିଲେ, ମନରେ ସୂର୍ଯ୍ୟତେଜ ପରି ବଳ ଆସିଥାଏ। ମୁଁ ଆଜି ପ୍ରଥମ ଥର ପାଇଁ, ସେଇ ପୁରୁଷର ବାହୁ ବନ୍ଧନରେ। ହେ କାହ୍ନା, ତତେ କୋଟି କୋଟି ପ୍ରଣାମ। ମୋ ଭଳି ଅଭିଶପ୍ତା ଝିଅ ଭାଗ୍ୟରେ ତୁ ଏତେ ଖୁସି ଲେଖିଥିଲୁ? ପରିବେଶକୁ ଟିକେ ସନ୍ତୁଳନ କରିବାକୁ ଯାଇ, ଶଶୁର କହି ଉଠିଲେ, ଝିଅ କଣ କୁଆଡେ ପଳେଇ ଯାଉଛି। ଏତେ ଦୂରରୁ ଆସିଲ, ଟିକେ ଚା, ଜଳଖିଆ ଖାଇ ଆରାମସେ ଝିଅ ସହ ଦୁଃଖ ସୁଖ ହୁଅ। ମୁଁ ଆଖିରୁ ଲୁହ ପୋଛି କହିଲି, ଏଇ ସାଙ୍ଗେ ସାଙ୍ଗେ ଚାହା ଓ ଜଳଖିଆ ତିଆରି କରି ଆଣୁଛି ବାପା (ଶଶୁର)। ହେଲେ ଶାଶୁ ମତେ ଅଟକେଇ କହିଲେ, ନା ଥାଉ, ତୁ ତୋ ବାପା ବୋଉଙ୍କ ସହ ବସି କଥା ହଅ, ମୁଁ ବରଂ କରି ଆଣୁଛି। ହେଲେ ଶଶୁର ଶାଶୁଙ୍କୁ ଚିଡ଼େଇବାକୁ ଯାଇ କହିଲେ, ତମେ କଣ ନିଜକୁ five star ହୋଟେଲର ବଡ଼ ସେଫ ଭାବୁଛ ନା କଣ? ତମେ ଯୋଉ ଜଳଖିଆ କରି ଆଣିବ, ତାକୁ ଆମ ସମୁଦି ଖାଇବେ? ସମୁଦିଙ୍କ କଥା ଛାଡ, ସାଥିରେ ପରା ସମୁଦୁଣୀ ଆସିଛନ୍ତି, ହଳଦୀ ରଙ୍ଗର ଶାଢୀ ପିନ୍ଧି ପୁରା ହଳଦୀ ବସନ୍ତ ପରି କେତେ ସୁନ୍ଦର ଦେଖା ଯାଉଛନ୍ତି, ଟିକେ ଦେଖତ। (ବାପାଙ୍କୁ ଦେଖି ମୁଁ ବୋଉକୁ ଜମା ବି ଭଲସେ ଦେଖିନଥିଲି। ସତରେ ହଳଦିଆ ଶାଢୀରେ ମୋ ବୋଉ କେତେ ସୁନ୍ଦର ଦେଖାଯାଉଥିଲା, ପୁରା ଲକ୍ଷ୍ମୀ ଠାକୁରାଣୀଙ୍କ ପରି।) ତାଙ୍କୁ ତମ ହାତରନ୍ଧା ଖୁଆଇବ? ମୁଁ ଚଳେଇନେଉଛି ବୋଲି କଣ ସଭିଏଁ ଚଳେଇବେ ନା କଣ? ଏତକ ଶୁଣି ଶାଶୁ ମୋର ପୁରା ଖପା, ଚିଡି କହିଲେ, ହୋଉ ହେଲା, ମତେ ରୋଷେଇ ଆସେନି। ତାହେଲେ ତମେ ଯାଅ, ଜଳଖିଆ ବନେଇ ଆଣ, ମୁଁ ବି ଦେଖିବି ତମେ କେତେ ପାରିବାର। ଶଶୁର ହସିଦେଇ କହିଲେ, ଆମ ଚନ୍ଦ୍ରମୁଖୀ ତ ଖାଲି ରାଗିଲେ ଆଉ, ମୁଁ ନୁହେଁ ବୋହୁ ମା କରନ୍ତୁ। ତାଙ୍କ ବାପାଙ୍କ ମନ ପସନ୍ଦ ସବୁ ଖାଇବା ସେ ନିଜ ହାତରେ କରି ତାଙ୍କ ବାପାଙ୍କୁ ଖୁଆନ୍ତୁ। ମୁଁ ରୋଷେଇ ଘରକୁ ଯିବାକୁ ବାହାରିଲା ବେଳକୁ ପ୍ରିୟା ଆସି ସେଠି ପହଞ୍ଚିଲା। ପ୍ରିୟାକୁ ମୋ ଘରେ ଦେଖି ବାପା ପୁରା ଆଶ୍ଚର୍ଯ୍ୟ ହେଇଗଲେ, ପ୍ରିୟା ବି ଚିହ୍ନା ଚିହ୍ନା ନଜରରେ ବାପାଙ୍କୁ ଦେଖୁଥିଲା, ଲାଗୁଥିଲା ଯେମିତି ସେ ଦୁହେଁ ପରସ୍ପରକୁ ପୂର୍ବରୁ ଜାଣିଛନ୍ତି। ବାପା ପଚାରିଲେ, ମାଆ ଇଏ? ଶଶୁର କହିଲେ, ଏ ମୋ ଝିଅ। ବାହାଘର ବେଳେ ଟିକେ ଅସୁସ୍ଥ ଥିଲା, ତେଣୁ ଉପସ୍ଥିତ ନଥିଲା। ଆପଣଙ୍କୁ ତ ବାହାଘର ପୁର୍ବରୁ ସବୁ ଜଣେଇଥିଲି ମୋ ଝିଅ ବିଷୟରେ। ପ୍ରିୟା ଟିକେ ବ୍ୟସ୍ତ ଥିଲା, ତେଣୁ ଯଥା ଶୀଘ୍ର ସେ ତା କାମରେ ବାହାରିଗଲା ଆଉ ମୁଁ ରୋଷେଇ ଘରକୁ। ଜଳଖିଆ ବନେଇସାରି, ଆଜି ଗାଧୁଆ ବେଳ ଖିଆରେ କଣ କଣ ବାପାଙ୍କ ମନ ପସନ୍ଦର ସବୁ କରିବି, ସେ ବିଷୟରେ ଭାବୁଥିଲି। କିଛି ସମୟ ପରେ ବାପା ରୋଷେଇ ଘରକୁ ଆସିଲେ। ବାପାଙ୍କୁ ରୋଷେଇ ଘରେ ଦେଖି ପଚାରିଲି, ବାପା ତମେ ଏଠି? କିଛି ଦରକାର? କିଛି ଦେବି? ପାଣି ଦେବି? ବାପା ମୁଣ୍ଡ ହଲେଇ ମନା କଲେ ଓ ପ୍ରିୟାର ଦେହ ଏବେ କେମିତି ଅଛି ବୋଲି ପଚାରିଲେ? ସେ ଭଲ ଅଛି ବାପା, ଏଇ କିଛି ଦିନ ହେବ ସେ ଭଲ ଅବସ୍ଥାକୁ ଫେରିଛି। ପୁଣି ବାପା ପଚାରିଲେ, ତାର ପୂର୍ବକଥା କିଛି ମନେ ଅଛି? ସେ ଭଲ ହେବା ପରେ କିଛି କହୁଥିଲା। ବାପା ଏମିତି ସବୁ ପ୍ରିୟା ବିଷୟରେ କାହିଁକି ପଚାରୁଛନ୍ତି, ସେ ସତରେ କଣ ତାକୁ ପୂର୍ବରୁ ଜାଣନ୍ତି? ସାହସ ଜୁଟେଇ ବାପାଙ୍କୁ ପଚାରିଲି, ତମେ କଣ ମୋ ନଣନ୍ଦ ପ୍ରିୟାକୁ ବାହାଘର ପୂର୍ବରୁ ଜାଣ ବାପା। ମୋ ପ୍ରଶ୍ନ ଶୁଣି ବାପା ବାରମ୍ବାର ଛେପ ଧୋକିବା ଆରମ୍ଭ କରିଦେଲେ, ମୁଁ ତାକୁ ଜାଣେ, ନା ନା ଜାଣେନା, ହଁ, ନା, ମାନେ... । ବାପା, କଣ କହୁଛନ୍ତି ଆପଣ, ହଁ, ନା, ମାନେ, ଏହାର ଅର୍ଥ କଣ? ବାପା ହଠାତ କହି ଉଠିଲେ, ହଁ, ମୁଁ ଏଇ ଝିଅଟିକୁ ଜାଣେ, ଏଇ ଝିଅକୁ ଦେଖିବା ପରେ ତା ବିଷୟରେ କିଛି କହିବାକୁ ତୋ ପଛେ ପଛେ ରୋଷେଇ ଘରକୁ ଆସିଛି। ବାପା ପ୍ରିୟା ବିଷୟରେ କିଛି କହିବାକୁ ଚାହାଁନ୍ତି ଶୁଣି ଆଶ୍ଚର୍ଯ୍ୟ ଲାଗିଲା, ବାପା କୋଉ କଥା କହିବାକୁ ଚାହାଁନ୍ତି ପ୍ରିୟା ବିଷୟରେ? ମୁଁ କହିଲି କୁହ ବାପା, କଣ କହିବାକୁ ଚାହଁ। ବାପା କହିଲେ ନାଇ, ଏବେ ନୁହେଁ। ମୁଁ ତତେ ଏକାକୀ ନିରଳାରେ କହିବାକୁ ଚାହେଁ। ତୁ ଏବେ ରୋଷେଇ ସାରି, ଖାଇପିଇ ବିଶ୍ରାମ ନେ। ଅପରାହ୍ନରେ ତମ ବଗିଚାରେ କଥା ହେବା କହି ବାପା ରୋଷେଇ ଘରୁ ଚାଲିଗଲେ। ମୁଁ ତରତର ହେଇ ରୋଷେଇ ସାରି ସଭିଁଙ୍କୁ ଖାଇବା ପରସିଦେଲି। ଆଜି ସବୁ ଖାଇବା ମୋ ବାପାଙ୍କ ମନ ପସନ୍ଦର ଥିଲା। ଭାତ, ଡାଲମା ସହ ବୋଇତାଳୁ ଘାଣ୍ଟ, ଛତୁ ବେସର, ଦହି ବାଇଗଣ, ଓଉ ଖଟା, ବଢି ଦେଇ କୋଶଳା ଶାଗ ଭଜା, କଦଳୀ ଆଳୁ ଭଜା, କଲରା, ଭେଣ୍ଡି, ବାଇଗଣ ଗୋଟି ଭଜା, ଆହୁରି କେତେ କଣ। ସମସ୍ତେ ଖାଇ ନିଜ ନିଜ ରୁମକୁ ଗଲେ ବିଶ୍ରାମ ନେବାକୁ ଆଉ ମୁଁ ବି ମୋ ରୁମକୁ। ହେଲେ ମତେ ପୁରା ଅସ୍ଥିର ଲାଗୁଥିଲା, ବାପା କଣ କହିବେ ବୋଲି ଭାବି ଭାବି। ବିଛଣାରେ ପଡି ପଡି ମୁଁ କେବଳ କରୁଥିଲି ଅପରାହ୍ନର ଅପେକ୍ଷା।

ଆଉ ତା ପରେ.....



Rate this content
Log in