ଠକ ଗରୀବ।
ଠକ ଗରୀବ।
ଫଣି ମହାବାତ୍ୟା ପରେ ଭୁବନେଶ୍ୱରକୁ ଦେଖିବାକୁ ମନରେ ଆଗ୍ରହ ବଢିଯାଇଥିଲା । ଯୋଗକୁ "ରଜ" ପଡୁଥିଲା । ଏକା ମାଡ଼ରେ ଦୁଇ ଦୁଇଟା ଅଭିଳାଷ ପୁରା ହେଇଯିବ ଭାବି ଖୁସି ହୋଇଗଲି । ପୂର୍ବ ଯୋଜନା ଅନୁଯାୟୀ ଭୁବନେଶ୍ୱର ଦେଇ ଝାରସୁଗୁଡ଼ା ଫେରିବା ନିଶ୍ଚିତ ଥିଲା । ସକାଳୁ ସକାଳୁ ଡି:ଏମ୍ :ୟୁ ଟ୍ରେନରେ ଭୁବନେଶ୍ୱର ଯିବାର ଆଶଙ୍କା ନଥିଲା, କାରଣ କେନ୍ଦୁଝର -ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ ଏଇ କେଇ ମାସ ହେଲା ରେଳଧାରଣାରେ ଗଡ଼ିବା ଆରମ୍ଭ ହୋଇସାରିଥିଲା । ପ୍ରଥମ ଥର ପାଇଁ ଏଇ ଟ୍ରେନରେ ବସିବାର ମଜା ଲୁଟିଲି । ଖୁବ କମ୍ ସମୟରେ ଜେନାପୁର ରେଳ ଷ୍ଟେସନରୁ ମହନଗରୀ ଭୁବନେଶ୍ୱରର ରେଳ ଷ୍ଟେସନରେ ପହଞ୍ଚିଗଲି । ଝାରସୁଗୁଡା ଯିବାକୁ ଥିବା ଭୁବନେଶ୍ୱର -ରାଉରକେଲା ସୁପରଫାଷ୍ଟ ଟ୍ରେନଟି କଛପ ଗତିରେ ଚାଲୁଛି ଏହା "କେଉଁଠି ମୋ ଟ୍ରେନ" ଆପ୍ ରୁ ଜାଣିଗଲି । ଭାବିଲି ଯାଉଛି ମୁଖ୍ୟଦ୍ୱାର ବାହାରକୁ ଯିବି ମାଷ୍ଟର କ୍ୟାଣ୍ଟିନ୍ ପାଖା ପାଖି ଇଲାକାରୁ କିଛି "ବହି"କିଣିବି, କିଛି ଖିଆ ପିଆ କରିନେବି । ଟ୍ରେନ ଆସିବାକୁ ତ ଅନେକ ବିଳମ୍ବ ଅଛି ।
ଏକ ନମ୍ବର ପ୍ଲାଟଫର୍ମ ଦେଇ ପଦାକୁ ଆସିଲି ।
ସତରେ !!!!! ମହାନଗରୀ ଭୁବନେଶ୍ୱର ଅନେକ କ୍ଷତିର ଶିକାର ହେଇଛି । ମୋ ନଜର ଯେତିକି ଯାଉଥିଲା ସବୁଠି ଧ୍ୱଂସ ଓ ଭଗ୍ନାବଶେଷ ଦିଶୁଥିଲା ।
ଶ୍ରୀହୀନ ଦିଶୁଥିଲା ସତେ ରାଜଧାନୀ । ଓଡ଼ିଶାର ବିକାଶ ପରି ଷ୍ଟେସନ ପାଖକୁ ଲାଗିଥିବା ଦୁଇ ଚକିଆ ଯାନ ରହିବା ସ୍ଥଳୀଟି ଦିଶୁଥିଲା । ସତେ ଅବା ଓଡ଼ିଶାର ଏଇ ଯାଗାଟା କେନ୍ଦ୍ର ସରକାରଙ୍କ ବିନା ସହାୟତାରେ ଉଦ୍ଧାର ହେଇପାରିବ ନାହିଁ !!! । ଫଣିର କୁପ୍ରଭାଵ ଶାନ୍ତ ହେବାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ବର ଗଛ ଗୁଡାକ ଭୁଲୁଣ୍ଠିତ ହୋଇ ଦୁଇଚକିଆ ଯାନ ରହଣି ସ୍ଥଳୀରେ ପଡିଛି । ବୋଧହୁଏ କାହାକୁ କୁରାଢ଼ୀ ଅବା "ପାୱାର ସ" ମିଳୁନାହିଁ,ନହେଲେ ଏତେଦିନ ହେଲା କାହିଁକି ପଡି ରହିବ । ତା ପରେ ଭାବିଲି !!!
ନା!!!
ଏଥିପାଇଁ କେନ୍ଦ୍ରଦାୟୀ । କାରଣ ରେଳବାଇ ତ କେନ୍ଦ୍ରସରକାର ଅଧିନରେ ଯାଉଛି ।
ମୋବାଇଲ ଓ ମୋ ପେଟ ଉଭୟଙ୍କୁ ଭୋକ ଲାଗୁଥିଲା ।
ଭାବିଲି ମଧ୍ୟାହ୍ନ ଭୋଜନଟା ଯେଉଁ ହୋଟେଲରେ କରିବି ସେଇଠି ମୋବାଇଲକୁ ବି ପେଟେ ଖୋଇଦେବି । ଝାରସୁଗୁଡା ପହଞ୍ଚୁ ପହଞ୍ଚୁ ତ ରାତି "ନଅ"ଟା ବାଜିବ । ମୋବାଇଲଟା ଭୋକିଲା ରହିଲେ ଭାରି ବିରକ୍ତି ଲାଗିବ । ତା ଛଡା ପ୍ରବଳ ଗୁଳୁଗୁଳି ହେଉଥିଲା । ରାସ୍ତା କଡରେ ଭଲ ଭଲ ବିଜ୍ଞାପନଟିଏ ଲାଗିଥିଲା । ତୀର ଚିହ୍ନକୁ ଅନୁସରଣ କରି ଗଲି । ବିଜ୍ଞାପନ ଯେମିତି ଥିଲା ହୋଟେଲଟି ସେମିତି ନଥିଲା । ଲାଗିଲା ସମ୍ବଲପୁରୀ ଶାଢ଼ୀର ନକଲି ସଂସ୍କରଣ କରି କିଏ ବିକୁଛି । ହୋଟେଲ ଭିତରେ ପଶିଗଲି, ଦୁଇଜଣ ପ୍ରେମୀ ଯୁଗଳହିଁ ଥିଲେ । ନିର୍ଧୁମ ଖରାବେଳେ ଚାଇନା ଦେଶର ଲୋକଙ୍କ ପସନ୍ଦର ଖାଦ୍ୟ ଖାଇବାକୁ ଅର୍ଡର କରି ଟେବୁଲ ଅକ୍ତିଆର କରିଛନ୍ତି ।
ହାତ ମୁହଁ ଧୋଇବା ଆଗରୁ ଚାର୍ଜରଟା ବାହାର କଲି ମୋବାଇଲର ବ୍ୟାଟେରୀକୁ ପ୍ରଥମେ ତାର ମନ ପସନ୍ଦର ବୈଦୁତିକ ସ୍ରୋତ ବାଢ଼ିଦେଲି । ଆଃ ଯାହା ହେଉ । ଏଠି କମ୍ ସେ କମ୍ ଚାଳିଶ ମିନିଟ ପାର କରିଦେବି ।
ସୋମବାର ତା ସାଙ୍ଗକୁ ଦେବ ସ୍ନାନ ପୂର୍ଣ୍ଣିମା । ସାଧା ମିଲ ଗୋଟେ ମାଗିଦେଲି । ଏଣୁତେଣୁ କଣ ଟିକେ ଭାବୁଥିଲି ।
ଅନୁଭୂତ ହେଲା ପ୍ରକୃତରେ ଭୁବନେଶ୍ୱରକୁ ଫଣି ଚୋଟ ମାରିଛି । ଆଉ ତାର ବିଷର ପ୍ରଭାବ ଏପର୍ଯ୍ୟନ୍ତ ଯାଇନାହିଁ । ନହେଲା ମୋ ଶରୀରକୁ ବିଷ କେମିତି ଚଢିଗଲା । କେତେ ଆଶା ନେଇ ଆସିଥିଲି ଟିକେ ପଙ୍ଖା ତଳେ ବସିବି, ଆରାମରେ ଖାଇବି, ମୋବାଇଲଟିକୁ ଚାର୍ଜ କରିଦେବି । କିନ୍ତୁ ସେ ସ୍ୱପ୍ନ ମୋର ଦ୍ୱିପ୍ରହର ସ୍ୱପ୍ନ ପରି ଭାଙ୍ଗିଗଲା । ସୁନ୍ଦରିଆ ଛୋଟିଆ ହୋଟେଲର ସୌନ୍ଦର୍ଯ୍ୟରେ ସ୍ଥାୟୀତ୍ୱ ଆଣିବାପାଇଁ ଇନଭର୍ଟର ବି ଲଗାଇ ନଥିଲା ମାଲିକ । ତତକ୍ଷଣାତ ମିଲ ପହଞ୍ଚିଗଲା । ଆଉ ମନା କରିହେଲା ନାହିଁ । ଚଟାପଟ୍ ଖାଇ ବାହାରିଗଲି । ଭାବିଲି ଯାଉଛି ପ୍ଲାଟଫର୍ମରେ ହିଁ ବିଶ୍ରାମ ନେବି ।
ମୁଖ୍ୟ ଫାଟକର ଅନତି ଦୂରରେ ପଦଚଲା ରାସ୍ତାକୁ ଉଠା ଦୋକାନୀ ମାନେ ମୋଗଲ ସାମ୍ରାଜ୍ୟ ପରି ଅଧିଗ୍ରହଣ କରି ରଖିଛନ୍ତି ।
ଯିବା ଆସିବା କଲାବେଳେ ସ୍ୱାଭାବିକ ନଜରକୁ ଆସିଯାଏ ।
ବେଳେବେଳେ ମଣିଷ ଅଣଦେଖା କରି ଚାଲିଯାଏ ।
ମୋ ଆଖି ଲାଖିଗଲା ପ୍ୟାକେଟ ଗୁଡିକ ଉପରେ ।
ପାଖକୁ ଯାଇ ଦର ଓ ଓଜନ ବୁଝିଲି ।
୨୫୦ ଗ୍ରାମ କୁ ୧୦୦ ଟଙ୍କା, ୫୦୦ ଗ୍ରାମ କୁ ୨୦୦ ଟଙ୍କା, ଏହି କ୍ରମରେ .....
ଦର ଶୁଣି ମୁଁ ଆକ୍ତାମାକ୍ତା!!! ବାପରେ ଏତେ ଶସ୍ତା ।
ହଁ କାଜୁ ମ !!! କାଜୁ ।
ଯାହା ଭୋଜି ପାଏସରେ ପଡେ । ବଡ଼ ବଡ଼ିଆ ମାନେ ସ୍ନାକସ୍ ଭାବି ଖାଆନ୍ତି । ଜରି ପ୍ୟାକ ଗୋଟେ ହାତରେ ତଉଲିଲି ଓଜନ ଠିକ୍ ଠାକ୍ ଥିଲା । ଜିଭ ଲାଳସା ଓ ମାତ୍ରାଧିକ ଶସ୍ତାଥିଲା । ଆପଣମାନେ ସମସ୍ତେ କାଜୁର ଦର ଜାଣିଛନ୍ତି ।
କାଜୁ ବେପାରୀ ମାନଙ୍କ ମଧ୍ୟରେ ପ୍ରାୟ ସମସ୍ତେ ଦକ୍ଷିଣ ଭାରତୀୟ ଥିଲେ । ଭାଷାରୁ ଜଣା ପଡୁଥିଲା ତେଲଗୁ ଭାଷାଭାଷୀ ବୋଲି ।
ସେମାନେ ଖଣ୍ଡି ହିନ୍ଦୀରେ କହୁଥିଲେ ।
-ଆଚା କାଆଜୋ
-କାଏଗା ଅଚା ଟେଷ୍ଟ ହେ ।
-ଆରେ ଏ କଣ ଏଥିରେ ଏମିତି ହଳଦିଆ ଆଉ ବାଦାମୀ କାହିଁକି ଦେଖାଯାଉଛି!!! କଣ ଏଗୁଡା ପଚା କାଜୁ ନା କଣ !!!
ମୁଁ ପଚାରିଲି ଆରେ ମାଉସୀ ଏଗୁଡା କଣ ଏମିତି ଦେଖାଯାଉଛି ଯେ !!!!
-ନେଇଁ ବେଟା । ଅଚା କାଆଜୋ । ଫ୍ରାଇ ...ଫ୍ରାଇ
ମୁଁ ବୁଝିଗଲି ବୁଢ଼ୀ କହୁଛି ଏଗୁଡା ଭାଜି ହେବା ଦ୍ୱାରା ଏମିତି ରଙ୍ଗ ହୋଇଛି ।
ମନେ ମନେ ଭାବିଲି ଆରେ ବାଃ ...!!!
ଏତେ ଶସ୍ତା ଓ ଭାଜିକରି ଦେଉଛି ।
ଏ ସଂସାରର ସମସ୍ତ କାଜୁ ବେପାରୀ ସେଦିନ ମୋତେ ଠକ ଆଉ ଏ ବୁଢ଼ୀ ମାଉସୀ ଜଣଙ୍କ ଧର୍ମବତାର ପରି ଲାଗୁଥିଲା । ସତେ ଅବା ଏ ଅସଂସ୍କାରି ସମାଜରେ ସେ ବୈପାରିକ ସଂସ୍କାର ଆଣିବାକୁ ଚେଷ୍ଟା କରୁଛି ।
ମୁଁ ନିଶ୍ଚୟ ତାର ଗ୍ରାହକ ସାଜିବି ଓ ତାର ଏ ନ୍ୟାୟର ସେତୁ ବନ୍ଧ ନିର୍ମାଣ ରେ ମୁଁ ଗୁଣ୍ଡୁଚି ମୂଷା ସାଜିବି ।
ତଥାପି, ମନ କୁନ୍ଥୁ କୁନ୍ଥୁ ହେଉଥିଲା । ମନର କେଉଁ କୋଣରେ ଯେଉଁ କାଣିଚାଏ ସନ୍ଦେହ ଥିଲା ତାକୁ ବାହାର କଲି ଓ କହିଲି ।
-ମାଉସୀ ମୋର ବିଶ୍ୱାସ ହେଉନି । ସତରେ କଣ ଏ ବାଦମୀ ରଙ୍ଗର କାଜୁ ଗୁଡ଼ିକ ଭଲ ଅଟେ ?????
ଟିକେ ଟେଷ୍ଟ କରିବା ଦଉନ ।
ବୁଢ଼ୀ ବୋଧେ ମୋ କଥାକୁ ବୁଝିପାରିଲା ।
ଗୋଟିଏ ଅଖାରୁ ଅଧା ଖୋଲା ସେମିତିକା ଏକ ଜରିରୁ ୧୦/୧୫ ଫାଳ କାଜୁ ମୋତେ ବଢ଼ାଇଦେଲା ।
ପାଟିରେ ପକାଇଦେଲି ।
ଆହା !!! ଚମତ୍କାର ବଢ଼ିଆ ସୁଆଦିଆ ଲାଗିଲା ।
ବାଦାମୀ ରଙ୍ଗର କାଜୁ ମଧ୍ୟ କେଇଟା ଚାଖିଲି । ସେଗୁଡିକ ବି ସ୍ୱାଦିଷ୍ଟ ଥିଲା ।
୫୦୦ ଗ୍ରାମର ଗୋଟେ ପ୍ୟାକେଟ କିଣିଲି । ବ୍ୟାଗରେ ଭରି ବୀର ଦର୍ପରେ ଷ୍ଟେସନ ଆଡକୁ ମାଡି ଆସିଲି ।
ମନେ ମନେ ଭାବୁଥିଲି ଘରଣୀ ଆଗରେ ବହାଦୁରୀ ମାରିବି, କହିବି ଦେଖ କେତେ ଶସ୍ତାରେ କାଜୁ ନେଇ ଆସିଛି ।
ଟ୍ରେନ ଚାଲୁଥିବା ବେଳେ ଭୋକ ଲାଗିଛି କିନ୍ତୁ ନିୟନ୍ତ୍ରଣରେ ରହିଲି । ମନେ ମନେ ଭାବିଲି ଘରଣୀଙ୍କ ସାମ୍ନାରେ ହିଁ ପ୍ୟାକେଟ ଖୋଲିବି ।
ଏକମୁହାଁ ହୋଇ ଘରେ ପହଞ୍ଚଲି । ଅତି ସରାଗରେ ଘରଣୀଙ୍କୁ ଡାକିଲି ।
-ହେଇଟି ଶୁଣୁଛ !!
-କଣ ହେଇଛି । ଏତେ ଶ୍ରଦ୍ଧାରେ ଡାକୁଛନ୍ତି ଯେ ?
-ଆରେ ଦେଖ କଣ ଆଣିଛି ।
-କଣ ଆଣିଛ ?
-ଦେଖ, ଏମିତି କାଜୁ ଆଣିଛି ଖାଇଲେ ପାଟିରେ ଲାଗିଯିବ । ସେ ପୁଣି ଏତେ ଶସ୍ତା । ୨୦୦ ଟଙ୍କାରେ ୫୦୦ ଗ୍ରାମ ।
-ସତେ
-ନିଜେ ଖୋଲିକି ଦେଖ ।
-ଏଁ
-କଣ ହେଲା ??
-ଏଗୁଡା ତ ପଚା ସଢା କାଜୁ ।
-ନାଇଁ ମ !!! କଣ କହୁଛ ତୁମେ !!! ପଚା କାଜୁ!!
-ହଁ ଆଜ୍ଞା ।
-ହୈ ତୁମେ କିଛି ଜାଣି ପାରୁନ ।
-ଭଲ କାଜୁ, ମୁଁ ପରା ଚାଖିକି ଆଣିଛି ।
-ବେକରିଆ କାଜୁ ଗୁଡାକ । ଶସ୍ତାରୁ ହୀନସ୍ତା ।
-ଆରେ ମୁଁ କାଜୁ କିଣିଲା ବେଳେ କେବେଳ ଶସ୍ତା କଥା ଭାବି ନଥିଲି । ଭାବିଥିଲି ବିଚାରୀ ବୁଢ଼ୀ ମାଉସୀଟା ଖରାରେ ବସି ବିକୁଛି । ୨୦୦ ଟଙ୍କା ଦେଇ ଗୋଟେ ପ୍ୟାକେଟ ନେଇଗଲେ, ଦୁଇ ପଇସା ପାଇଯିବ ଗରିବ ବୁଢୀଟା । ନାଇଁ ମ ଭଲ ସେ ଚାଖ, ଭଜା କାଜୁ ଗୁଡା ହେଇଥିବ ସେଥିପାଇଁ ଏମିତି ବାଦାମୀ ଦିଶୁଛି ।
ଏମିତି ଘରଣୀ ଆଉ ମୋ ଭିତରେ କଥାକଟି ଚାଲିଥବା ବେଳେ ବନ୍ଧୁ ଗୁଡୁଙ୍କ ଆମା ମାନେ ମାଉସୀ ଆସି ପହଞ୍ଚିଲେ । କାଜୁ ବାବଦଙ୍କୁ ତାଙ୍କର ଅସରନ୍ତି ଅନୁଭବ । କହିବା ବାହୁଲ୍ୟ ତାଙ୍କ ନିଜର ମଧ୍ୟ କାଜୁ ପ୍ରକ୍ରିୟାକରଣ କାରଖାନା ଅଛି ।
ସେ ବି ଜରି ଭିତରେ ଥିବା କାଜୁ ଦେଖି ମତାମତ ଦେଇଦେଲେ ମୁଁ ଘୋର ଠକାମୀର ଶିକାର ହୋଇଛି ।
ସେତେବେଳେ ପର୍ଯ୍ୟନ୍ତ ମୋର ନିଜ ଉପରୁ ଭରସା ତୁଟି ନଥାଏ । ଦୁଇଜଣଙ୍କ ପରୀକ୍ଷାଲବ୍ଧ ସିଦ୍ଧାନ୍ତ ଓ ମତାମତକୁ ଭୁଲ ପ୍ରଣାମ କରିବାକୁ ହାତ ଉଠାଇଲି କିଛି ବାଦାମୀ ରଙ୍ଗର କାଜୁ ମୁଠାରେ ନେଇ ଉଦରସ୍ତ କରିବାକୁ ଚେଷ୍ଟା କଲି । ପାଟି ସ୍ନାୟୁର ଇଙ୍ଗିତରେ ଖୋଲିଗଲା । ଦାନ୍ତ ବି ମସ୍ତିଷ୍କର ଆଦେଶ ମାନି ଚୋବେଇବା ଆରମ୍ଭ କଲା । କିନ୍ତୁ ଜିଭ ଅନିଚ୍ଛା ପ୍ରକାଶ କଲା । ଥୁ ଥୁ କରି ଫୋପାଡ଼ି ଦେଲା ପାଟି ବାହାରକୁ । ମନ ଆପେ ପରିତାପ କରିବାକୁ ଲାଗିଲା, ଗରୀବ ବୁଢୀ ବେପାରୀଟା ଠକି ଦେଲା ମୋତେ ।
