Mamatamanjari Das

Children Stories Inspirational

3.0  

Mamatamanjari Das

Children Stories Inspirational

ଠେଲା ଘର

ଠେଲା ଘର

4 mins
283


ଜୀବନଟା ସଂଘର୍ଷ ରେ ଭରା ଏକ ଠେଲା ଘର କହିଲେ ଅତ୍ୟୁକ୍ତି ହେବନାହିଁ । ଏଠାରେ ବଞ୍ଚିବା ପାଇଁ ସଂଘର୍ଷ କରିବା ପାଇଁ ପଡେ।ଭାଗ୍ୟକୁ ଆଦରି ବେଳେବେଳେ ମଣିଷ ଜୀବନର ଠେଲା ଘରେ ସଂଘର୍ଷ କରେ ।

ଜୀବନକୃଷ୍ନ ନାଆଁ ଟି ତାଙ୍କର । ତିନି ପ୍ରାଣୀ କୁଟୁମ୍ବ ତାଙ୍କର। ସ୍ତ୍ରୀ ଜାହ୍ନବୀ ଓ ପୁଅ ଜନ୍ମେଜୟ । ପୁଅଟି ଜନ୍ନରୁ ଭିନ୍ନକ୍ଷମ । ଗୋଟିଏ ହାତର କହୁଣୀ ଠାରୁ ନାହିଁ ।

ଜୀବନ କୃଷ୍ନ ଭାରି ପରିଶ୍ରମୀ । ପର ବିଲରେ ଖଟି ଯେତିକି ରୋଜଗାର କରନ୍ତି ତିନିପ୍ରାଣୀ ଖୁସିରେ ଚଳି ଯାଆନ୍ତି । ଆଉ ଯାହା ବଳେ ପିଲାଟିର ପାଠ ପଢାରେ ଖର୍ଚ୍ଚ ହୁଏ । ପିଲାଟି ପାଠ ପଢିବାକୁ ଭାରି ଭଲ ପାଏ ,ତେଣୁ ଅଭାବ ଭିତରେ ବି ସେ କେବେ ମନା କରି ନାହାନ୍ତି ପାଠ ପଢିବାକୁ ।

ଖୁସିର ସଂସାର ରେ ହଠାତ୍ ତାଙ୍କର ଚଡକ ପଡିଲା । କାଳ ବୈଶାଖୀ ରେ ତାଙ୍କର ଝାଟି ମାଟି ଘର ଦି ବଖରା ମାଟିରେ ମିଶିଗଲା । ଯୋଉ ସରକାରୀ ଯାଗାରେ ଘର ଖଣ୍ଡେ କରିଥିଲେ ସେପଟେ ରାସ୍ତା ଯିବ କହି ସରକାରୀ ବାବୁ ମାନେ ଆଉ ଘର କରେଇ ଦେଲେନି । ଭାଙ୍ଗି ପଡିଥିଲେ ଜୀବନ ବାବୁ । ମାତ୍ର ପୁଅ ଜନ୍ମେଜୟ ବାପକୁ ସାହସ ଦେଲା । ତାଙ୍କ ଘରେ ଥିବା ଭଙ୍ଗା ଖଟ ଉପରେ ଟିଣ ପକାଇ ଘର ସଦୃଶ୍ୟ ତିଆରି କଲେ ବାପ ପୁଅ ମିଶି । ସେଥିରେ ସାଇକଲ ଚକା ଲଗେଇ ଠେଲା ଘର ତିଆରି କଲେ ।

ଜୀବିକା ନିର୍ବାହ ପାଇଁ ରାସ୍ତା କଡରେ ସେହି ଗାଡି ଛିଡା କରି ,ଜୀବନ କୃଷ୍ଣ ଛୋଟ ମୋଟ ଜିନିଷ ବିକ୍ରୀ କରି ଯାହା ରୋଜଗାର କରେ ସେଇଥିରେ ଚଳିଯାଏ ସିନା ସଂସାର, ହେଲେ ପୁଅର ପାଠପଢା ଖର୍ଚ୍ଚ କୁ ନିଅଣ୍ଟ ହୁଏ ପଇସା । ନିଜକୁ ଭାରି ଦୋଷୀ ମନେକରେ ଜୀବନକୃଷ୍ନ । ସଂଧ୍ୟା ହେଲେ ନିଜ ମନର ବେଦନା କୁ କୁହେ ସ୍ତ୍ରୀ ମାଳତୀ ଆଗରେ । ମାଳତୀ ବି ପରଘରେ ବାସନ ଧୋଇ ଦି ପଇସା ଆଣେ ହେଲେ ଆଜିର ମହଙ୍ଗା ଯୁଗରେ ସମୁଦ୍ର କୁ ଶଙ୍ଖେ ଭଳିଆ ସବୁ ସରିଯାଏ ସିନା ପୁଅର ଖାତା କଲମ କିଣିବା ପାଇଁ ପଇସା ଅଣ୍ଟେନି ।

ସେହି ଗାଁ ର ବିଶ୍ୱନାଥ ବାବୁ ଜଣେ ଭଲ ମଣିଷ । ସେ ଧୂପ କାଠି ବେପାର କରନ୍ତି । ଦିନେ ଏମିତି ସେ କଥା ଛଳରେ କହିଲେ କିରେ ଜନ୍ମେଜୟ ତୋର ଆରସନ ପରା ମାଟ୍ରିକ ପରୀକ୍ଷା , ଆଉ ପଢା ପଢି କିପରି ଚାଲିଛି ? ଜନ୍ମେଜୟ ଲୁହ ଛଳ ଛଳ ଆଖିରେ କହିଲା " ମଉସା , ସରକାର ସିନା ବହି ଦିଖଣ୍ଡ ଦେଉଛନ୍ତି , ହେଲେ ଖାତା କଲମ ପାଇଁ ପଇସା ବା କାହିଁ ? ବିଶ୍ୱନାଥ ବାବୁ କହିଲେ "ଦେଖ୍ ପୁଅ ତୁ'ମୋ ପୁଅ ବୟସର ଯଦି ପାଠ ପଢା ସହ ମୋ କମ୍ପାନୀ ର ଧୂପ କାଠି କିଛି ବିକି ପାରନ୍ତୁ……"ଆଉ ଆଗକୁ କହିବା ପୂର୍ବରୁ ଜନ୍ମେଜୟ କହିଲା ମୁଁ ପାରିବି ମଉସା । କିନ୍ତୁ ତୁମକୁ ଆଗୁଆ କିଛି ପଇସା ଦେଇ ପାରବିନି ।

ବିଶ୍ୱନାଥ କହିଲେ ଆଗୁଆ ଦେବା କିଛି ଦରକାର ନାହିଁ । ଧର ଦଶ ପକେଟ୍ ଧୂପ କାଠିର ଦାମ୍ ସତୁରୀ ଟଙ୍କା ତୁ କିନ୍ତୁ ବିକିବୁ ଶହେ ଟଙ୍କାରେ । ମୋତେ ସତୁରି ଟଙ୍କା ଦେଲାପରେ ବଳକା ତିରିଶ ଟଙ୍କା ତୋର । ଖୁସି ହୋଇଗଲା ଜନ୍ମେଜୟ । ସବୁଦିନ ସେ ଘଣ୍ଟାଏ ଧୂପକାଠି ବିକେ । ଯାହା ପଇସା ହୁଏ ମୂଳ ବିଶ୍ୱନାଥ ବାବୁଙ୍କୁ ଦେଇ ବାକି ଡବାରେ ରଖେ ।

ଏସନ ତାର ଦଶମ ହେଲା । ମନରେ ବହୁତ ଆଶା ସେ ପାଠ ପଢିବ ଆଉ ଜଣେ ବଡ ଓକିଲ ହେବ । ଦିନକର ଘଟଣା , ବୈଶାଖ ମାସର ଡହ ଡହ ଖରା । ବାପା ବୋଉ ତାର ଠେଲା ଘର ଭିତରେ ଖରାବେଳେ ବିଶ୍ରାମ ନେଉଛନ୍ତି ସେ କିନ୍ତୁ ଖରାକୁ ଖାତିର ନକରି ଧୂପକାଠି ବିକିବା ପାଇଁ ରାସ୍ତାରେ ଏପଟ ସେପଟ ହେଉଥାଏ । ଏହି ସମୟରେ ଗୋଟିଏ ବଡ କାର୍ ଆସିଲା । ସିଏ ହାତଠାରି ଡାକି ଲା ବାବୁ ଧୂପକାଠି ନିଅ , ଆଜି ମୋର ଯମାରୁ ବିକ୍ରୀ ହୋଇନି ।

ବାବୁ ଜଣଙ୍କ କାର୍ ର ଡୋର୍ ଖୋଲିଲେ। ସେ ପିଲାଟିକୁ କାରର ସିଟ୍ ରେ ବସିବା ପାଇଁ କହି ଡିଗିରୁ ଗୋଟିଏ ଆପଲ ଖାଇବା ପାଇଁ ଦେଲେ ଓ ଜୁସ୍ ଟିଏ ପିଇବାକୁ ଦେଲେ । ପିଲାଟି କିନ୍ତୁ ପ୍ରତିବାଦ କରି କହିଲା ବାବୁ ମୋର ଦୟା ଦରକାର ନାହିଁ । ଯଦି ଆପଣ କିଛି ଧୂପକାଠି କିଣି ନିଅନ୍ତେ ମୋର ଦି ପଇସା ହୁଅନ୍ତା । ବାବୁ ଜଣଙ୍କ ତା ପିଠିରେ ହାତ ଥାପୁଡେଇ କହିଲେ ବାବୁରେ ମୁଁ ତତେ ଦୟା କରୁନି । ଏତେ ବଡ ଖରାରେ ଛିଡାହୋଇ ବେପାର କରୁଛୁ ଶୋସ ଲାଗୁଥିବ ସେଥିପାଇଁ ଦେଲି । ତୁ ଆଗେ ପିଇଦେ ତା'ପରେ ଆମେ କଥା ହେବା । ପିଲାଟି ଜୁସ୍ ପିଇଲା ।

ବାବୁ ଜଣଙ୍କ କହିଲେ ତୁ' ଏ ଖରାବେଳେ ଧୂପକାଠି ବେପାର କରୁଛୁ ଯେ ? ପାଠ ପଢିବାର ବୟସ ଏବେ ତୋର । ତୋର କଣ ଘର ଦ୍ୱାର ନାହିଁ ?ପିଲାଟି ଠେଲାଘର କୁ ଅଙ୍ଗୁଳି ଦେଖେଇ କହିଲା ," ବାବୁ ଏଇଟା ଆମ ଘର ।ସେ ଘର ଭିତରେ ବିଜୁଳି ଆଲୁଅ ନାହିଁ । ଗରମରେ ପଢି ହୁଏ ନାହିଁ । ସେଥିପାଇଁ ଏହି ସମୟରେ ମୁଁ ବେପାର କରି ଦି ପଇସା ରଖେ ମୋ ପାଠ ପଢା ପାଇଁ । ବାବୁ ଜଣଙ୍କ ପଚାରିଲେ ଗୋଟିଏ ଧୂପକାଠି ପକେଟ୍ କେତେ ଟଙ୍କା ? ପିଲାଟା ନିର୍ଭୀକ ଭାବରେ କହିଲା ବାବୁ ମାଲିକ ନେବ ସାତ ଟଙ୍କା , ମୁଁ କେତେବେଳେ ଦଶଟଙ୍କା କେତେବେଳେ ଆଠ ଟଙ୍କାରେ ଦେଇ ଦିଏ । ବ୍ୟାଗକୁ ଦେଖେଇ ପିଲାଟି କହିଲା ଏହି ବ୍ୟାଗରେ ଯେତିକି ଅଛି ସେତିକି ସରିବାଯାଏଁ ବେପାର କରିବି । ବାବୁ ପଚାରିଲେ କାହିଁକି ? ଆଜ୍ଞା ଆଉ କେତେ ଦିନ ଅବା ମାଟ୍ରିକ ପରୀକ୍ଷା ରହିଲା କହୁ ନାହାନ୍ତି ? ପାଠ ପଢିଲେ ସିନା ପାସ୍ କରି ସ୍ୱପ୍ନ ପୁରଣ କରିବି ।

ବାବୁଙ୍କ ର ଆଖି ଛଳ ଛଳ ହୋଇଗଲା । ସେ କହିଲେ ଆଛା ଏ ବ୍ୟାଗ୍ ରେ କେତେ ଧୂପକାଠି ଅଛି ? ଆଜ୍ଞା ଦୁଇ ହଜାର ଟଙ୍କାର ପିଲାଟି କହିଲା । ବାବୁ ଜଣଙ୍କ ପିଲାଟିକୁ ଦୁଇହଜାର ଟଙ୍କା ବଢେଇ ଦେଇ ବ୍ୟାଗଟି ନେଇଗଲେ ।

ଛଅ ମାସ ପରେ……

ଆଜି ବି ଉଦୁ ଉଦିଆ ଖରାବେଳ । ପିଲାଟି ସବୁଦିନ ଏଇଠି କାହାକୁ ଅପେକ୍ଷା କରି ଛିଡାହୁଏ । ହଠାତ୍ ଗୋଟିଏ ଗାଡି ଆସିଲା ପିଲାଟିର ମୁହଁରେ ହସର ଝଲକ ଖେଳିଗଲା । ଦଉଡି ଗଲା ପିଲାଟି ଗାଡି ପାଖକୁ । ବାବୁ ଜଣଙ୍କ ବି ଗାଡିରୁ ଓହ୍ଲେଇ ଲେ ହାତରେ ଅନେକ ଜିନିଷ । ପିଲାଟି ବାବୁଙ୍କ ର ପାଦ ଛୁଇଁଲା । ବାବୁ ଜଣଙ୍କ ତାକୁ କୁଣ୍ଢେଇ ପକେଇ କହିଲେ ମୁଁ ଜାଣିଥିଲି ତୁମେ ନିଶ୍ଚୟଁ ଭଲ ରେଜଲ୍ଟ କରିବ । ହେଲେ ତୁମ ରେଜଲ୍ଟ ମୋ ଆଶା କରିବା ଠାରୁ ଉର୍ଦ୍ଧ୍ବ ରେ । ମୁଁ ବହୁତ ଖୁସି ଆଜି । ସେଦିନ ତୁମକୁ ମୁଁ କିଛି କହି ନଥିଲି । ମୁଁ ଚାହିଁ ଥିଲେ ତୁମକୁ ଦୁଇ ହଜାର କଣ ଢେର ଅଧିକ ଦେଇ ପାରି ଥାଆନ୍ତି । ମାତ୍ର ସେଥିରେ ତୁମର ଆତ୍ମବଳ ଭାଙ୍ଗି ଯାଇ ଥାଆନ୍ତା ।

ତୁମେ ଆଜି ସମଗ୍ର ଓଡ଼ିଶାର ଟପର୍ । ସରକାରୀ ସହାୟତା ତୁମପାଇଁ ଖୋଲା ।ଏ ଠେଲା ଘରେ ତୁମେ ଆଉ ରହିବନି । ତୁମ ବାପାଙ୍କୁ ମୁଁ ମୋ କମ୍ପାନୀ ରେ କାମ ଦେଉଛି ତୁମର ସଚ୍ଚୋଟ ପଣିଆ ଓ ନିଜସ୍ୱ ଆତ୍ମ ନିର୍ଭରଶୀଳ ଗୁଣ ପାଇଁ ।ଜନ୍ମେଜୟ ର ଆଖିରୁ ଝରି ପଡିଲା ଖୁସିର ଲୁହ ଦୁଇବୁନ୍ଦା…


Rate this content
Log in