ଠାକୁରମୁଣ୍ଡାରେ ଦିନେ
ଠାକୁରମୁଣ୍ଡାରେ ଦିନେ
ସେ ଦିନ ଥିଲା ମହାବିଷୁବ ପଣା ସଂକ୍ରାନ୍ତି। ଓଡି଼ଆ ନୂଆ ବର୍ଷ ସକାଶେ କଳମୁଖରିତ ପ୍ରତିଟି ଘର ଓ ସହର। ସ୍ତ୍ରୀ,ପୁଅ ଓ ମୁଁ ଘରେ ନିଜର ନିତ୍ୟକର୍ମ,ପୂଜାପାଠ ଓ ପଣା ପିଇବା ସହ ଖିଆପିଆ ପରେ ବାହାରିଲୁ ସୁଦୂର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରକୁ ଯେଉଁଠି ଉଡା଼ପର୍ବ ପାଇଁ ଓଡି଼ଶାରେ ପ୍ରସିଦ୍ଧ ଅଟେ। ଆମେ ଭୁଲିଗଲୁ ଡହଡ଼ହ ଖରାର ଦାଉକୁ। ନିଶା ତ ରହିଛି ଅବଶ୍ଯ ଉଡା଼ପର୍ବ ଦେଖିବୁ ହିଁ ଦେଖିବୁ। କେତେ ବିଲ,ବନ,ନଦୀ ଓ ପାହାଡ଼ ଅତିକ୍ରମ କରି ଆଗେଇ ଯାଉଥାଏ ବୋଲେରୋ ଗାଡି଼ଟି। ପୁଅ ଦିନେଶ ଝରକା ଫାଙ୍କରୁ ଅନେଇ ହୃଦୟ ଭିତରେ ଯେମିତି ନାଚି ଯାଉଥାଏ। ସେ କହି ଉଠିଲା,"ମାଆ ! ଦେଖ ତ ଦୂର ଦିଗବଳୟ କେମିତି ଦୌଡୁଛନ୍ତି। ଖାଲି ସେତିକି ନୁହଁ ଏହି ଗଛମାନେ ବି ଦୌଡି଼ବା ଭଳି ମନେ ହେଉ ନାହିଁକି?" ଏ କଥା ଶୁଣି ମାଆ କହିଲେ,"ଦିନେଶ ! ଏହା ଆମକୁ ଦୌଡି଼ବା ପରି ମନେ ହେଉଥିଲେ ହିଁ ଅସଲରେ ଆମେ ହିଁ ଦୌଡୁଛେ। ଆମର ଏ ଗାଡି଼ର କ୍ଷୀପ୍ରତା ଯୋଗୁଁ ଏମିତି ଜଣା ଯାଉଛି। ତୁ ନୀରବରେ ବସ ତ ଆଉ କିଛି ସମୟ ପରେ ପହଞ୍ଚି ଯିବା ଠାକୁରମୁଣ୍ଡାରେ।" ବଡ଼ ବ୍ୟସ୍ତ ଓ ବିବ୍ରତ ହେଉଥିଲା ପୁଅ ଦିନେଶ। ତାର ଟିକିମନ ଭିତରଟି ଚହଲି ଯାଉଥିଲା ବିଭିନ୍ନ ପରିବେଶର ରୋଷଣୀକୁ ଦେଖି ତ ଝରକା ଫାଙ୍କରେ ମୁହଁ ରଖି ବସିଥିଲା।
ଦେଖୁ ଦେଖୁ ପହଞ୍ଚିଗଲୁ ଠାକୁରମୁଣ୍ଡା ବଜାରରେ ଓ ସିଧା ଚାଲିଲୁ ଯାତ୍ରା ପଡି଼ଆ ଯେଉଁଠି କି ବଣିଜ ଓ ବେପାର ଭରପୂର ଚାଲୁଥିଲା। କିସମ କିସମ ଦୋକାନ,ମୀନା ବଜାର ଆସି ନିଜର ପସରା ମେଲେଇ ବିକ୍ରି କରିବାରେ ଲାଗି ପଡି଼ଲେ। ଗ୍ରାହକଙ୍କ ଭିଡ଼ ଅସମ୍ଭାଳ ଥିଲା। ଠେଲାପେଲା ଜନ ଗହଳି ଭିତରେ କାହାକୁ ଖୋଜିବା କାଠିକର ପାଠ ହେବ। ଆମେ ବିଭିନ୍ନ ଦୋକାନ ଦେଖିବା ସହ ହୋଟେଲରୁ ଖାଇଲୁ। କେତେ ଘର କରଣା ଜିନିଷ କିଣିଲୁ। ସଞ୍ଜର ସୌନ୍ଦର୍ଯ୍ୟ ବେଶ ଉପଭୋଗ୍ୟ ଥିଲା। ଆଲୋକ ମାଳାରେ ଝଲସୁଥିଲା ଯାତ୍ରା ପଡି଼ଆ ଓ ପୂରା ଠାକୁରମୁଣ୍ଡା ବଜାର। ଆମେ ଏବେ ଉଡା଼ପର୍ବର ରୋଷଣୀ ଦେଖିବାକୁ ମନସ୍ତ କଲୁ। ପ୍ରଥମେ ମାଆ ବାସୁଳୀଙ୍କୁ ଭୋଗ ଲଗେଇ ଦର୍ଶନ କଲୁ। ସେତେବେଳେ ପୂରା ପ୍ରସ୍ତୁତି ଚାଲିଥିଲା। ଜଙ୍ଗଲରୁ କାଠ ଆସିବା ଓ ତାକୁ କାଠମିସ୍ତ୍ରୀଙ୍କ ଦ୍ୱାରା ସାଜସଜ୍ଜା ହେବାର ଦେଖିଲୁ।
ସେତେବେଳକୁ ରାତ୍ରି ନଅଟା ହୋଇ ସାରିଥିଲା। ଆମେ ପୁଣି ହୋଟେଲରୁ ଖିଆପିଆ ପରେ ପରେ ଉଡା଼ପର୍ବର ଚମକ ଦେଖିବାକୁ ଆକୁଳ ନୟନରେ ଚାହିଁ ରହିଲୁ। କାଠ ସାଛସଜ୍ଜା ପରେ ଭୋକ୍ତାମାନେ ମାଆ ବାସୁଳୀଙ୍କ ଦର୍ଶନ ଓ ପ୍ରଣାମ କରି ପୋଖରୀକୁ ଗଲେ। ସେଠାରେ ପୂଜାପାଠ କରି ପିଠିରେ କଣ୍ଟା ଫୋଡା଼ ହେଲା ପରେ ଠିକଣା ସ୍ଥାନକୁ ଆସିଲେ। ବାଜାର ରୋଷଣୀ ବେଶ ଉପଭୋଗ୍ଯ ଥିଲା। କାଠବାଜା,ଚଡ଼ଚଡି଼ ଓ ମହୁରୀର ତାଳେତାଳେ ଭୋକ୍ତାମାନଙ୍କ ନୃତ୍ଯ ଆହୁରି ଦିଗୁଣିତ ବଢି଼ ଯାଇଥିଲା। ଭୋକ୍ତାମାନେ ନିଜର କ୍ରମାନ୍ୱୟରେ ଉଡି଼ଲେ। ଉଡି଼ବା ସମୟର ଦୃଶ୍ୟ ବେଶ ମନୋମୁଗ୍ଧକର ଓ ଆକର୍ଷକ ଅଟେ। ଭୋକ୍ତାମାନେ ହରିବୋଲ,କରତାଳି ଓ ହୁଳହୁଳିରେ ପ୍ରକମ୍ପିତ ପାଇଁ ଉସ୍କାଉଥିଲେ। ଦର୍ଶକ ଅର୍ଥାତ୍ ଭକ୍ତଗଣ ଭୋକ୍ତାଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ଆହୁରି ରୋମାଞ୍ଚକର ପରିବେଶ ସୃଷ୍ଟିକରି ଚାଲିଲେ।
ରାତ୍ରି ଚାରିଟାଠାରୁ ସକାଳ ଆଠଟା ଯାଏ ଭୋକ୍ତାମାନେ ଉଡି଼ବା ଜାରି ରଖିଥିଲେ। ସବୁବର୍ଷ କୁଆଡେ଼ ଶହେ ଉପରେ ଉଡି଼ଥାନ୍ତି ଏ ବର୍ଷ କିନ୍ତୁ ଶତାବନ ଜଣ ଭୋକ୍ତାଙ୍କର ଉଡି଼ବା ହେଲା। ସବୁଠୁ ମୁଖ୍ଯ ଆକର୍ଷଣ ଥିଲା ଜନସମୁଦ୍ର। ସମୁଦ୍ର ଯେପରି ଲହଡି଼ ଭାଙ୍ଗି ପୁଣି ଭିତରକୁ ଚାଲିଯାଏ ଠିକ ସେହିପରି ଭୋକ୍ତାଙ୍କ ଉଡି଼ବା ସମୟରେ ଜନ ସମୁଦ୍ରର ଲହଡି଼ ଦେଖିବା ଭାଗ୍ଯରେ ଥିଲେ ମିଳେ।
ଆମେ ସକାଳୁ ପ୍ରାୟତଃ ନଅଟା ବେଳକୁ ଠାକୁରମୁଣ୍ଡା ବଜାରରୁ ବାହୁଡି଼ଲୁ। ପୁଅ ଓ ପତ୍ନୀଙ୍କ ଆନନ୍ଦ କହିଲେ ନ ସରେ। ପୁଅ କହିଲା,"ବାପା ! ଆସନ୍ତା ବର୍ଷକୁ ପୁଣି ଆସିବା କ'ଣ କହୁଛ କୁହ?" ମୁଁ ନାହିଁ ନ କରି ହଁ ଭରିଲି। ପତ୍ନୀଙ୍କର ମୁଖରେ ବି ହସର ଢେଉ ଖେଳିଗଲା। ଆସନ୍ତା ବର୍ଷ ଯେ ପୁଣି ଆସି ଉଡାପର୍ବ ଦେଖିବେ ଏଇ ଚିନ୍ତା କରି ମାଆ ବାସୁଳୀଙ୍କୁ ଅନନ୍ତ କୋଟି ପ୍ରଣାମ ଓ ପ୍ରାର୍ଥନା କରିବା ଭିତରେ ନିଜ ଗାଆଁରେ ଫହଞ୍ଚି ଯାଇଥିଲୁ।
ସତରେ ! ଭ୍ରମଣ କରିବାରେ ଏକ ନିଆରା ଆନନ୍ଦ ରହିଛି। ଏକଥା ମୁଁ ମୋର ପୁଅ ଓ ପତ୍ନୀଙ୍କର ମନ ଓ ହୃଦୟରୁ ବେଶ ବାରି ପାରୁଥିଲି। ହେ ଓଡି଼ଶାବାସୀ ! ଆପଣ ବି ଆସନ୍ତା ବର୍ଷକୁ ଥରେ ତ ଭ୍ରମଣରେ ଆସନ୍ତୁ ଅବଶ୍ୟ ବୁଝିବେ ଉଡା଼ପର୍ବର ଚମକ କେତେ ଓ ଉପଭୋଗ୍ୟ।
***
