ତରଙ୍ଗ
ତରଙ୍ଗ
(ଗଳ୍ପଟି ଅନାବନା ଲେଖା ହୋଇଥିଲା ୧୯୮୧ କିମ୍ବା ୧୯୮୨ ମସିହାରେ ସ୍କୁଲବେଳେ ଯେତେବେଳେ ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ଥିଲେ ଆସିଫ ଇକବାଲ ଓ ଭାରତର ସୁନିଲ ଗାଭାସ୍କର, ତେବେ, ଗଳ୍ପଟି ସଂପାଦିତ ହୋଇଛି ୧୯୮୬ରେ ଡାକ୍ତରୀ ପାଠର ପ୍ରଥମ ବର୍ଷରେ। ୨୦୧୭ରେ ଲେଖକର ବୟସ ପଚାଶ ବେଳେ ତାଙ୍କ ପ୍ରଥମ ଗପଟିକୁ ସେ ଚୟନ କରନ୍ତି ଗଳ୍ପ ବିଂଶତି ପାଇଁ କିନ୍ତୁ ସେ କଞ୍ଚା ବୟସର ଶୈଳୀରେ ପରିବର୍ତ୍ତନ ଆଦୌ କରାଯାଇନାହିଁ।)
ସେଦିନ ଅକ୍ଟୋବର ପାଞ୍ଚ ତାରିଖ ୧୯୮୨ ମସିହା । ହାଇସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର ମୁଁ । ଭାରତ ପାକିସ୍ଥାନ ଟେଷ୍ଟ କ୍ରିକେଟ୍, ପାଞ୍ଚଦିନ ତୀବ୍ର ପ୍ରତିନ୍ଦ୍ୱନ୍ଦ୍ୱିତା ପରେ ଅମିମାଂସିତ ରହିଲା । ଟିଭିର ପ୍ରସାର ହୋଇନଥାଏା ରେଡ଼ିଓ ଧାରା ବିବରଣୀ ଶୁଣିବାକୁ ପଡ଼ୁଥିଲା । ଖେଳସିନା ହାରଜିତ୍ ହେଲା ନାହିଁ ମୋ କୈଶୋର ମନରେ ଏକ ଲଢ଼େଇ ସୃଷ୍ଟି କରିଦେଲା । କଥାଟା ନିହାତି ଏକ ଅମୂଳକ ବିନ୍ଦୁରୁ ଆରମ୍ଭ ହୋଇ ଏକ ବାସ୍ତବ ବୃତ୍ତରେ ପରିଣତ ହେଲା । ତା ମଧ୍ୟରେ ମୁଁ ସମ୍ପୂର୍ଣ୍ଣ ଆବୃତ ହୋଇପଡ଼ିଲି ।
ଖେଳ ଶେଷ ହେଲାପରେ ପ୍ରାୟ ଘଣ୍ଟାଏ କଳ ସାଙ୍ଗମାନଙ୍କ ସହ ଯୁକ୍ତିତର୍କ ପରେ ନୀରବତାକୁ ଖସି ଆସିବାର ଆନନ୍ଦ ସେହି ପନ୍ଦର ବର୍ଷ ବୟସରୁ ବେଶ୍ ଅନୁଭବ କରିଛି।
ସନ୍ଧ୍ୟା ଆସିଯାଇଥାଏ, ପୂଜା ଛୁଟି ସମୟ ନିକଟ, ପ୍ରିଟେଷ୍ଟ ପରୀକ୍ଷା ସଦ୍ୟ ସମାପିତ । ସ୍କୁଲ ପାଖ ପୋଖରୀ ହୁଡ଼ାରେ ନଡ଼ିଆ ଗଛକୁ ଆଉଜି ହୋଇ ବସିଗଲି । ଅସ୍ତରାଗର ସୁନେଲି ଆଭାରେ କଇଁ ଫୁଲଗୁଡ଼ା ଚିକ୍ ଚିକ୍ କରୁଥାଏ, ଆଉ କିଛି ଅପେକ୍ଷା କରୁଥାନ୍ତି ଶୁକ୍ଳପକ୍ଷ ଚାନ୍ଦକୁ ସେମାନେ ଆଜି ପ୍ରସ୍ଫୁଟିତ ହେବେ । ନିର୍ବୋଧ ମନରୁ ବି କବିତା ଝରିପଡ଼ିବାର ଏ ପରିବେଶ କିନ୍ତୁ ଭାରତ ପାକିସ୍ଥାନ ଖେଳ ବାହାରକୁ ନେଇ ପାରିନଥିଲା ମତେ। ଅବାସ୍ତବ ଚିନ୍ତା ଆସୁଥିଲା; ଇମ୍ରାନ୍, କପିଳ୍ ଦେବ, ଗାଭାସ୍କର, ମୁଦାସାର, ବିଶ୍ୱନାଥ, ଜାହିର ଆବାସ୍, ଭେଙ୍ଗସରକର, ମିଆଁଦାଦ୍ ଯଦି ଗୋଟିଏ ଦଳରେ ଖେଳୁଥାନ୍ତେ, ଭାରତ ପାକିସ୍ଥାନର ସାମରିକ ଶକ୍ତି ଯଦି ଏକାଠି ହୁଅନ୍ତେ ! ଛାଡ଼, ଛାଡ଼, ପରିବାର ଦୁଇ ଭାଇତ ଏକାଠି ରହିପାରୁନାହାନ୍ତି ଦୁଇଟି ଦେଶ କଥା କଣ ଚିନ୍ତା କରାଯିବ।
ପରିବାର କଥା ମୁଣ୍ଡକୁ ପଶିଲା ପରେ ମୋର ଖାଲି ମନେ ପଡ଼ୁଥିଲେ, ଆମଘର ମୋ ବୋଉ, ମୋ ବଡ଼ବୋଉ, ବାପା, ବଡ଼ବାପା, ବୁଢ଼ବାପା।
ମନେପଡ଼େ ମୁଁ ଭୁବନେଶ୍ୱର ଇଂଲିଶ୍ ସ୍କୁଲରେ ପଞ୍ଚମ ଷ୍ଟାଣ୍ଡାର୍ଡରେ ପଢ଼ୁଥାଏ । ଘରେ ଗୋଟିଏ ବୋଲି ପୁଅ, ବହୁତ ଗେହ୍ଲା। ମନେଅଛି, ଦିନେ ସନ୍ଧ୍ୟାରେ ବାପା ଅଫିସରୁ ଫେରି ଜଣାଇଲେ, ତାଙ୍କର କଳାହାଣ୍ଡି ବଦଳି ହୋଇଯାଇଛି। ସେଦିନ ମୋ ପାଇଁ ଏହି ବଦଳିର ଗୁରୁତ୍ୱ ଦୁର୍ବୋଧ୍ୟ ଥିଲେ ବି ପରେ ଏହାର ପ୍ରଭାବ ଅନୁଭବ କରିଥିଲି। ବୋଉ ସେଦିନ ଆଉ ଦଶଜଣଙ୍କ ଉଦାହରଣ ଦେଇ କହୁଥାଏ ଟଙ୍କା ପଇସା ଲାଞ୍ଚ ଦେଇ ବଦଳି ବାତିଲ କରିବା ପାଇଁ। ବାପା କହୁଥିଲେ, ଅସୁବିଧା କ'ଣ, ବୋଉ ଆଉ ମୁଁ ଗାଁକୁ ଚାଲିିଯିବୁ। ବଡ଼ବାପା ମତେ ଓଡ଼ିଆ ପଢ଼ାଇ ଠିକ୍ କରି ଦେବେ ମତେ ପ୍ରସ୍ତାବଟି ବେଶ୍ ଖୁସି କରିଥିଲା। ବଡ଼ ବାପାଙ୍କ ପୁଅ ସୌରଭ ସହ ପଢ଼ିବି, ବୁଢ଼ାବାପାଙ୍କ ଠାରୁ କେତେ ଗପ ଶୁଣିବି, ବଡ଼ବୋଉ, ବଡ଼ ନାନୀ, ରୁମୀ ନାନୀ, କୁନି ନାନୀ ଏମାନେ ସବୁ କେତେ ଭଲ ପାଆନ୍ତି। ବୋଉର କିନ୍ତୁ ମତ, ଗାଆଁରେ ପୁଅ ମୂର୍ଖ ହୋଇଯିବ।
ଆମେ ଗାଁଆକୁ ଆସିଲୁ । ବଡ଼ ବାପା ଥିଲେ ସ୍କୁଲର ପ୍ରଧାନ ଶିକ୍ଷକ, ତାଙ୍କ ସୁନଜରରେ ଖୁବ୍ ଶୀଘ୍ର ମୁଁ ଓଡ଼ିଆ ଶିଖିଗଲି । ସୌରଭବି ମତେ ବେଶ୍ ଅଭ୍ୟସ୍ତ କରିଦେଲା। ସୌରଭ ତଳକୁ ଦ୍ୱିତୀୟ ସ୍ଥାନରେ ରହି ବହୁତ ଖୁସି ହୋଇଥିଲି। ତାର ଅଭିଯୋଗ ଥିଲା ବଡ଼ ବାପା ଆମ ଉଭୟଙ୍କୁ ଯୁଗ୍ମ ପ୍ରଥମ କାହିଁକି ନକଲେ? ବଡ଼ ବାପା ଦୁଇ ଜଣଙ୍କ ମୁଣ୍ଡ ଆଉଁସି ଦେଲା ବେଳେ ମୁଁ ଦେଖିଥିଲି ସୌରଭ ଆଖିରେ ଲୁହ।
ସେଦିନ ପୋଖରୀ କୂଳରେ ଏକଥା ମନେ ପକାଇ ମତେ କାନ୍ଦ ଆସିଯାଇଥିଲା।
ବେଶ୍ ଖୁସିରେ ଥିଲୁ ଆମେ ସମସ୍ତେ । ଡାକ ପିଅନଠାରୁ ବାପା ପଠାଉଥିବା ମନି ଅର୍ଡର ଗ୍ରହଣ କଲାବେଳେ ବୁଢ଼ାବାପା ଡାକବାଲାକୁ ଦିଅନ୍ତୁ ଟଙ୍କାଏ, ମତେ ଆଠ ଅଣା, ସୌରଭକୁ ଆଠଅଣା । ସେ କହନ୍ତି ଗୋଟି ଗୋଟି କରି ପଇସା ସଞ୍ଚିଲେ ହୁଏ ଶହ ଶହ ଟଙ୍କା । ଆମେ ଅଗତ୍ୟା ସେ ପଇସାକୁ ନେଇ ଆମର ଡଉଲ ଡାଉଲ ମାଛ ମୁହାଁ, ଅମୁହାଁରେ ଗଳାଇ ଦେଉ। ଯେଉଁଠୁ ଯେତେବେଳେ ଯାହା ପାଉ ସବୁ ନେଇ ତହିଁରେ ପକାଇ ଦେଉ। ସେଇଟାର ଓଜନ ବଢ଼ି ଚାଲିଥିଲା ଆମେ ଭାବୁଥିଲୁ ଲକ୍ଷେ ଟଙ୍କା ହେବ।
ବର୍ଷେ ନ ପୁରୁଣୁ ବୁଢ଼ା ବାପା ଚାଲିଥିଲେ। ଦୁଃଖ, ବାପାଙ୍କୁ ଦେଖି ପାରିଲେ ନାହିଁ। ଏଥୁ ଅନ୍ତେ ଦିନ ଗଡ଼ି ଚାଲିଲା। ଆମର ପଞ୍ଚମ, ଷଷ୍ଠ ଯାଇ ସପ୍ତମ ଶ୍ରେଣୀ ହେଲାଣି। ବାପା ଏଣିକି ବଡ଼ବାପାଙ୍କ ନାଆଁରେ ଟଙ୍କା ପଠାନ୍ତି, ତଥାପି ଆମ ଭାଗ ଆମେ ପାଉଥାଉ।
ଥରେ ସମସ୍ତେ ଯାଇଥାନ୍ତି ସୌରଭର ମାମୁଁ ଘରକୁ। ତାଙ୍କର ପୁଅ ବାହାଘର। ବଡ଼ ବାପାଙ୍କ ତାଗିଦ୍ରେ, ଆମର ବୋର୍ଡ ପରୀକ୍ଷା ପାଖେଇ ଆସିଥିବାରୁ ଆମେ ଯାଇ ନଥାଉ। ଘରେ ଥାଏ ବୋଉ। ଦିନକର କଥା, ଆମେ ସ୍କୁଲକୁ ଫେରି ଖାଉଥାଉ। ବୁଢ଼ୀ ରାଧିମା, ବୋଉ ସହ କଣ ଗପ ହେଉଥାଏ। ରାଧିମାକୁ ଗାଁରେ ଖବର କାଗଜ କହନ୍ତି। ଗାଆଁର ସବୁ କଳିର ଖବର ତାହାରି ପ୍ରେସରେ ଥାଏ। ଏହାର ତ ଦିନେ ଆମ ଘରେ ଦେଖା ନ ଥିଲା! ଶୁଣିଲି ସେ କହୁଥିଲା ସୁବୁଦ୍ଧିଟା କପାଳିଆ, ବାପା ବଡ଼ ଚାକିରି, ଭଉଣୀ ନାହାନ୍ତି ଯେ ବାହାଘର ଖର୍ଚ୍ଚ ଇତ୍ୟାଦି ଇତ୍ୟାଦି। ଏସବୁ ଶୁଣିଲାବେଳେ ମୋର କାହିଁକି ଭୀଷଣ ରାଗ ହେଉଥିଲା। ହୁଏତ ଏହାର ମାନେଗୁଡ଼ା ମୁଁ ବୁଝିପାରୁଥିଲି। ବଡ଼ ପାଟିରେ ସୌରଭ ସହ କଥା ଆରମ୍ଭ କଲି ଯେପରି ବୁଢୀର କଥା ଆମେ ଶୁଣି ନପାରିବୁ। ଅନୁଭବ କରୁଥିଲି ସୌରଭ ବି ଅନ୍ୟ ମନସ୍କ ଭାବେ କଣ ଗୋଟାଏ ଚିନ୍ତା କରୁଛି। ଏଣିକି ରୋଜ ରୋଜ ବୁଢ଼ୀ ଆସି ଚା, ପାନ ଖାଉଥିଲା। ଆମ ନାନୀ ମାନେ ଫେରିବା ପର୍ଯ୍ୟନ୍ତ।
ତା ପରେ ଆମ ଘରେ ଝଡ଼ଝଞ୍ଜା ଆରମ୍ଭ ହୋଇଗଲା। ବୋଉ ଦେହ ଖରାପ ବାହାନାରେ ରୋଷେଇ କଲା ନାହିଁ। ଭଉଣୀମାନେ ଚଳେଇ ନେଲେ, କିଛି ଅସୁବିଧା ହେଲା ନାହିଁ । ବାପା ଆସିଲେ ବୋଉର ଅଭିଯୋଗ ଏତେ ବଡ଼ ପରିବାର ପାଇଁ କାମ କରି କରି ସେ ଅସୁସ୍ଥ ହୋଇପଡ଼ୁଛି। ପ୍ରଥମେ ପ୍ରଥମେ ଧୀରେ କହୁଥିଲା। ପରେ ପରେ ସମସ୍ତଙ୍କୁ ଶୁଣାଇ କହିଲା। ବାପା ବୁଝାଉଥିଲେ, ଏମିତି ହେଲେ ଲୋକେ କଣ କହିବେ। କଲେଜରେ ପାଠ ପଢ଼ିବାବେଳେ ଶହ ଶହ ଟଙ୍କା ଗଣି ନେଇଛି, ଗାଡ଼ି ଦୁର୍ଘଟଣା ବେଳେ ପନ୍ଦର ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବୋଉ କିନ୍ତୁ ଏଥର ହାରିବାକୁ ଚାହୁଁ ନ ଥିଲା। ତାର ଜିଦ୍, ମାସକୁ ମାସ ଟଙ୍କା ପଠାଇ ସେସବୁ କେବେଠୁ ସୁଝା ସରିଛି। ବାପା କହୁଥିଲେ ଭାଇ ଭାଇର ସମ୍ପର୍କଟା କଣ ପଇସାପତ୍ରର ହିସାବ? ପିଲାଙ୍କ ମନରେ ଖରାପ ପ୍ରଭାବ ପଡ଼ିବ। ବୋଉ କହୁଥିଲା, ପିଲା ବୋଲି ତ ଗୋଟିଏ, ତା’ର ଭଲ ପାଇଁ ଏସବୁ କହୁଛି। ସେ ଯାହା ହେଉ ଚାରିଦିନର ଛୁଟିରୁ ଦୁଇଦିନ ନପୁରୁଣୁ ବାପା ପଳାଇଗଲେ।
ପରେ ପରେ ବୋଉ କିଛି କାମ କଲା ନାହିଁ ବରଂ ରୁମୀ ନାନୀ, କୁନୀ ନାନୀ ନୀରବ ରହିଯାଉଥିଲେ। ମୁଁ ମଧ୍ୟ ଅନୁଭବ କରିବା ଆରମ୍ଭ କରିଥିଲି ସେମାନେ ମୋ ନିଜ ନାନୀ ନୁହନ୍ତି, ସୌରଭ ମୋ ନିଜ ଭାଇ ନୁହେଁ। ଏମିତି ଅସ୍ୱସ୍ତିକର ପରିବେଶକୁ ବଡ଼ ବାପା ତିନିମାସ ସହିଗଲେ, ଆଉ ପାରିଲେ ନାହିଁ। ବାପାଙ୍କୁ ଡକାଗଲା। ବଡ଼ ବାପା ନିଜେ ଅଲଗା ହେବାର ପ୍ରସ୍ତାବ ଦେଲେ ଗମ୍ଭୀରତାର ସହ। ବାପାଙ୍କ ଆଖିରୁ ଠକ୍ ଠକ୍ ଲୁହ ଗଡ଼ିଯିବାର ଦେଖି ସମସ୍ତେ କାନ୍ଦି ପକାଇଥିଲେ। ବାପା ସେଥର ଫେରିଗଲେ। ବୋଉର ବି କେମିତି କେମିତି ପରିବର୍ତ୍ତନ ହେଲା, କିନ୍ତୁ ବେଶୀ ଦିନ ନୁହେଁ। ସେ ମାସର ଟଙ୍କା ଡାକବାଲା ଠାରୁ ବଡ଼ ବାପା ରଖିବା ପରେ ବୋଉର ପାଗଳାମୀ ପୁଣି ବାହାରିଲା।
ବାପା ପୁଣି ଆସିଲେ । ବଡ଼ ବାପା ବୁଝାଇ ଦେଲେ, ଏମିତି ଅଶାନ୍ତିରେ ବଞ୍ଚିବା ଅପେକ୍ଷା ବରଂ ଅଲଗା ହୋଇଯିବା ଭଲ। ଆମ ଘର ଭାଗ ବଣ୍ଟାରେ କେହି ଭଦ୍ର ଲୋକ ଆସିବା ଦରକାର ପଡ଼ିନି।
ଜମିବାଡ଼ି ମାପଚୁପ ହୋଇ ଭାଗ ହେଲା, ସବୁ ଜିନିଷ ଦୁଇ ଭାଗ ହେଲା । ଶେଷରେ ପଡିଲା ଆମ ଅମୁହାଁର ପାଳି। ସୌରଭ କହିଲା ସେଇଟା ସୁବୁଦ୍ଧି ରଖୁ। ଅବଶେଷରେ, ସେଇଟା କୋଠ ସମ୍ପତ୍ତି ହୋଇ, ମଝା ମଝି ଏକ ଠଣାରେ ରଖାଗଲା ଏବଂ ଅଦ୍ୟାବଧି ରହିଛି।
ବାପା ଗଲେ ଚାକିରିକି, ବୋଉ ଅଣ୍ଟା ଭିଡ଼ିଲା ଭାଗଜମିରେ ଚାଷ କରାଇବ, ଘର ବାଡ଼ିର ଯତ୍ନ ନେବ ଏବଂ ଯାବତୀୟ କାମ କରିବ। ବହୁ ଅଧିକ ପରିଶ୍ରମ କରି ସେ ଅତ୍ୟଧିକ ରୁଗ୍ଣ ଦେଖା ହେଲେ ବି ବେଶ୍ ଫୁର୍ତ୍ତି ରହିଲା ଏଣିକି।
ପ୍ରଥମେ ପ୍ରଥମେ ବହୁତ ଖରାପ ଲାଗିଲା। ଅନୁଭବ କଲି ମୁଁ ଯେପରି ସେମାନଙ୍କୁ ଲାଜ କରୁଛି। କାଲି ଯେଉଁଟା ମୋ ଡିଆଁ କୁଦାର ପରିସର ଥିଲା ଆଜି ସେଇଟା ତାଙ୍କ ଘର। ତାଙ୍କ ଘରକୁ ଯିବାକୁ ସେଠାରେ ଖାଇବାକୁ ମତେ ବାରଣ। ତାଙ୍କ ଘର, ବଡ଼ ବାପା ଘର, ସୌରଭ ଘର ଇତ୍ୟାଦି କହିବାକୁ ଜିଭ ଓଲଟୁ ନଥିଲା। କିଛି କିଛିତ ତଫାତ୍ କରି କହିବାକୁ ପଡ଼ିବ। ଆମ ଘର କହିଲେ ଲୋକେ ତ ଏବେ ବୁଝିବେ ମୋ ବାପା ମୋ ବୋଉ ଏବଂ ମୁଁ ରହୁଥିବା ଘର। ଯେଉଁଟା, ବୁଢ଼ାବାପାଙ୍କ ଘରର ଏକ ଅଂଶ, ମୋ ବୁଢ଼ାବାପାଙ୍କ ଘର ତ ଭାଙ୍ଗି ଯାଇଛି। ଏଣିକି ମତେ ଘରେ ଯେତିକି ଖରାପ ଲାଗୁଥିଲା। ବାହାରେ ତାଠୁ ଅଧିକ ଅସ୍ୱସ୍ତି ଅନୁଭବ ହେଉଥିଲା। ମୁଁ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଥିଲି। ମୁଁ ଏବେ ବୋଉ ଉପରେ ରାଗୁଥିଲି। ଯାହା କହୁଥିଲା ଓଲଟାଇ କହୁଥିଲି, ଭଲ କହିଲେ ବି ତା କଥା ମାନୁ ନଥିଲି। ସେ ଦେଖେଇ ଶେଖେଇ କହୁଥିଲା, ବଡ଼ବୋଉର କୁଶିକ୍ଷାରେ, ମୁଁ କୁଆଡ଼େ ବିଗିଡ଼ି ଯାଉଛି। ଏହି ବୋଲଣାରୁ ମୁକ୍ତି ପାଇବା ପାଇଁ ସେମାନେ କେହି ମୋ ସହ କଥା ହେଉ ନଥିଲେ। ବଡ଼ ବାପା ସୌରଭକୁ ପାଠ ପଢ଼ାଇବା ବେଳେ, ମୁଁ ଯାଏ। ଏଥିପାଇଁ ବୋଉ ଗାଳି କରେନା ସିନା ଖୁବ୍ ଶୀଘ୍ର ଏଥିରୁ ମୁକ୍ତି ପାଇଁ ମତେ ହଷ୍ଟେଲ ପଠାଇବାର ଚିନ୍ତା କରେ। ବୋଉ ବିରୁଦ୍ଧରେ ମୋର ବିଦ୍ରୋହ ତୀବ୍ରତର ହେଉଥାଏ।
ଏବେ ରାଧିମା ବହୁତ ଆସୁଥିଲା। କାନୀରେ ଚାଉଳ ବାନ୍ଧି ନେଉଥିଲା। ବାପା ଆଉ ଡାକରେ ଟଙ୍କା ପଠାଉ ନଥିଲେ। ସାଥିରେ ଧରି ଆସୁଥିଲେ। ଆମ ହାତ ଖର୍ଚ୍ଚ ବୁଡ଼ିଯାଇଥିଲେ । କେଉଁ ଏକ ପର୍ବରେ ବୋଉ ଦେଇଥିବା ଦୁଇ ଟଙ୍କା ସେହି ଅମୁହାଁରେ ପକାଇ ଦେବାରୁ, ସେ ବି କେବେ ଚାରଣାଏ ଦିଏ ନାହିଁ। ବାପା ଆସିଲେ ମୋ ବିରୁଦ୍ଧରେ ନାନା ଅଭିଯୋଗ ହୁଏ। କହେ ମୁଁ ଗାଆଁରେ ରହିଲେ ସେମାନେ ମତେ ଖରାପ କରିଦେବେ। ମୋର ପିଲାବେଳେ ଧାରଣା ଥିଲା ସହରରେ ପିଲାଏ ଖରାପ ହୋଇ ଯାଆନ୍ତି। ବୋଉ କହୁଥିଲା ମୁଁ ଗାଆଁରେ ରହିଲେ ନଷ୍ଟ ହୋଇଯିବି। ମୋ ମନରେ ଗଭୀର ଦ୍ୱନ୍ଦ୍ୱ ଉପୁଜିଥିଲା।
ଗାଁରେ ସୌରଭ ପଢ଼ିବ। ମୁଁ ପଢ଼ିବି ବଡ଼ ହାଇସ୍କୁଲରେ, କଥାଟା ଅନ୍ୟାୟ ଲାଗୁଥିଲା। ଯେଉଁ ଦିନ କଟକ ଆସିଲି ପୂର୍ବରାତ୍ରୀ କଥା ମନେ ପଡ଼େ। ସମସ୍ତେ ସୁପ୍ତ, ଅର୍ଦ୍ଧରାତ୍ରୀରେ ମଝି କାନ୍ଥ ଡେଇଁ ବଡ଼ବାପାଙ୍କ ପାଖକୁ ଆସିଲି। ତାଙ୍କୁ ଗୁହାରୀ କଲି, ବାପାଙ୍କୁ ବୁଝାଇବାକୁ, ମୋତେ ଗାଁ ସ୍କୁଲରେ ପଢାଇବା ପାଇଁ ରାଜି କରିବାକୁ। ବଡ଼ ବାପା ବୋଧହୁଏ ମୋ ମନରେ କଥା ବୁଝୁଥିଲେ। ଅନେକ ଉପଦେଶ ଦେଲେ। ଦୂରରେ ରହିଲେବି କିଭଳି ସୌରଭ ମୁଁ ସାଥୀ ହୋଇପାରିବୁ ବୁଝାଉଥିଲେ। ଭଲ ପଢ଼ିବାର ଅନେକ ବାଟ ବତାଇଲେ। ଦୁଇଜଣଙ୍କ ମୁଣ୍ଡ ଆଉଁସି ଦେଲା ବେଳେ ଚାରି ଧାର ଲୁହ ବୋହି ଯାଉଥିଲା। ଦୁଇଟି କଅଁଳ ମୁହଁ ଉପରେ। ମୋତେ କୋଡ଼ିଏ ଟଙ୍କିଆ ନୋଟଟିଏ ଦେଇଥିଲେ, ମୁଁ ତାକୁ ଆଣି ଅମୁହାଁରେ ଗଳାଇ ଦେଇଥିଲି। ତାଙ୍କ ଅତିପ୍ରିୟ କଲମଟି ମତେ ଦେଇଥିଲେ। ମଝି କବାଟ ଫିଟାଇ ଦେଇଥିଲେ ମୁଁ ଚୁପ୍ ଚୁପ୍ ଆସି ବୋଉ ପାଖରେ ଶୋଇ ପଡ଼ିଥିଲି। ବଡ଼ ବାପା କି ପ୍ରକାରେ ବୁଝାଇ ଦେଲେ କେଜାଣି, ମୋର ଆଉ ବୋଉ ଉପରେ ରାଗ ହେଉ ନଥିଲା, ବରଂ ଭାବୁଥିଲି ତାକୁ ଛାଡ଼ି ରହିବି କିପରି?
ଏହା ଭିତର ଚାରିବର୍ଷ କଟିଗଲାଣି ସୌରଭକୁ ଅନେକ ଚଠିି ଦେଇଛି। ଆମ ସ୍କୁଲ ସମ୍ପର୍କରେ ଖରାପ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରିଛି। ଏପରି କଲେ ହୁଏ ତ ସିଏ ଭାବିବ ଗାଁ ସ୍କୁଲରେ ପଢ଼ିବା ଭଲ। ପ୍ରତି ଥର ଘରକୁ ଗଲେ ଆମ ଅମୁହାଁରେ କିିଛି ପଇସା ପକାଇଛି। ଏହା ଭିତରେ ବଡ଼ ନାନୀ ଆଉ ରୁମୀ ନାନୀଙ୍କର ବାହାଘର ଭଲ ଯାଗାରେ ହୋଇଛି। ବଡ଼ବାପା ଜମି ବିକିଛନ୍ତି। ବାପା ସାହାଯ୍ୟ ହୋଇ ନାହାନ୍ତି। ବୋଉର ଗହଣା ସୋଉକ ବଢ଼ିଛି। ଗୋଟିଏ କାନଫୁଲ ହଜିଲା ଦିନୁ ରାଧିମାକୁ ସେ ସୁଆଗ କରେ ନାହିଁ। ରାଧିମା ଏବେ ଆଉ କାହାଘରେ ଡେରା ପକାଉଥିବା।
ଲୁଚି ଲୁଚି ବଡ଼ନାନୀ । ରୁମିନାନୀଙ୍କ ଶାଶୁ ଘରକୁ ଯାଇ ସେମାନଙ୍କଠୁ ଏତାଦୃଶ କାର୍ଯ୍ୟ ପାଇଁ ଗାଳି ଶୁଣିଛି।
ସୌରଭକୁ ଖୋଲା ଖୋଲି ଭାବେ ନ ହେଲେ ବି ଆଭାସ ଦେଇଛି, ସେ ବି ରାଜି। ବଡ଼ ହେଲେ ଆମେ ଏକାଠି ହୋଇଯିବା। ସେମିତି ଭାରତ ପାକିସ୍ଥାନ, କାହିଁକି ଏକାଠି ହୋଇପାରିବେନି? ଏମତି ଭାବୁ ଭାବୁ ସଂଧ୍ୟା ପ୍ରାର୍ଥନା ଘଣ୍ଟା ବାଜିଲା। ହଷ୍ଟେଲର ନିୟମ, ମନର ସମସ୍ତ ବିଦ୍ରୋହର ପରିସମାପ୍ତି ଘଟିଲା। ମୁଁ ବିଭୁ ଅର୍ଚ୍ଚନା ଉଦ୍ଦେଶ୍ୟରେ ବାହାରିଲି।
