T.Durga Prasad Rao

Others

4.3  

T.Durga Prasad Rao

Others

ତକିଆ

ତକିଆ

3 mins
836


ତକିଆ


ଶୋଇବାକୁ ଯେତେ ଚେଷ୍ଟା କଲି ନିଦ ହେଲା ନାହିଁ। ମୁଣ୍ଡଟା ଘୁରିଲା ଘୁରିଲା ପରି ଲାଗିଲା। ଅସନ୍ତୁଳନୀୟ ଅବସ୍ଥା। ନିଦ ନ ହେବାର କାରଣ ଖୋଜୁ ଖୋଜୁ ଜାଣି ପାରିଲି ସ୍ପଞ୍ଜ ତକିଆ ମୁଣ୍ଡ ତଳେ ଦେଇ ଶୋଇବାର ଅଭ୍ୟାସ ମୋର ନାହିଁ। ତକିଆଟିକୁ ମୁଣ୍ଡ ତଳୁ ଠେଲି ଦେଇ ବିନା ତକିଆରେ ଶୋଇଗଲି। ସେତିକି ଆରାମ ମନେ ନ ହେଲେ ମଧ୍ୟ ନିଦ ହେଇଗଲା। ଦ୍ଵିତୀୟ ଦିନ ବି ସେଇ ଅବସ୍ଥା। ଠିକ୍ ଶେଯରେ ଗଡ଼ିବାର କିଛି ସମୟ ପରେ ହିଁ ମୋର ତକିଆ କଥା ମନକୁ ଆସେ। ସେତେବେଳେ ଲାଇଟ୍ ଦେଇ ତୁଳା ତକିଆ ଖୋଜିବାକୁ ଆଉ ଇଚ୍ଛା ହୁଏ ନାହିଁ। ତକିଆଟେ ଥିଲେ ମୋର ଯେମିତି ଶୀଘ୍ର ନିଦ ହୋଇଥାଆନ୍ତା, ବିନା ତକିଆରେ ନିଦଟା ଡେରିରେ ଆସେ। ମୁଁ ଟିକିଏ ହାତଟାକୁ ଏପଟ ସେପଟ ଅଣ୍ଡାଳିଲି। ତୁଳାର ତକିଆ ଅବା ମୋଟା ଚଦର କି ସେମିତି କିଛି ପାଖରେ ଥିଲେ ମୋର ଚଳିଯିବ। ମିଳିଗଲା। ନବ ବିବାହିତ ପତ୍ନିଙ୍କ ମୁଣ୍ଡ ତଳୁ ତୁଳାର ତକିଆ ପାଇଗଲି। ତାକୁ ଧୀରେ ବାହାର କରି ସ୍ପଞ୍ଜ ତକିଆ ତାଙ୍କ ମୁଣ୍ଡ ତଳେ ଗୁଞ୍ଜିଦେଲି। ବାସ୍, ଆରାମରେ ନିଦ ହୋଇଗଲା।

ପତ୍ନି ମୋର ଧନୀ ଘର ଝିଅ। ବିବାହ ସମୟରେ ଯୌତୁକ ବାବଦକୁ ମୁଁ ଢେର ସାରା ଜିନିଷ ପାଇଛି। ସବୁ ଦାମୀ ଦାମୀ ଚିଜରେ ଶ୍ୱଶୁର ମୋର ବିଦା କରିଛନ୍ତି ତାଙ୍କ ଝିଅକୁ। ଆଲମିରା, ସୋଫାସେଟ୍, ଡାଇନିଙ୍ଗ୍ ସେଟ୍, ଲାପଟପ୍, ପଲଙ୍କ ଇତ୍ୟାଦି ଅନେକ ଘରକରଣା ଚିଜ ସାଙ୍ଗରେ ଫଟଫଟିଆ ବୁଲେଟ୍ ଗାଡ଼ିଟିଏ ମଧ୍ୟ। ଅବଶ୍ୟ ଗାଡ଼ିଟା ମୁଁ ପସନ୍ଦ କରି ବରାଦ କରିଥିଲି। ଏସବୁ ପରେ ଅନେକ ଛୋଟ ଛୋଟ ଆବଶ୍ୟକୀୟ ଜିନିଷ ମଧ୍ୟ ସାଙ୍ଗରେ ଆଣିଛନ୍ତି ମୋ ପତ୍ନି। ସେ ଭିତରେ ସ୍ପଞ୍ଜ ତକିଆ ଦୁଇଟା ବି ସାମିଲ୍। ହେଲେ ପତ୍ନି ମୋର ସ୍ପଞ୍ଜ ତକିଆ କେବେ ମୁଣ୍ଡ ତଳେ ଦେବାର ମୁଁ ଦେଖୁନାହିଁ। ପ୍ରତି ରାତିରେ ସେ ଗୋଟିଏ ରଙ୍ଗବେରଙ୍ଗର ଶସ୍ତା ତୁଳା ତକିଆଟିଏ ମୁଣ୍ଡ ତଳେ ଦେଇ ଶୁଅନ୍ତି। ଯାହାକି ମୁଁ ଶୋଇଲା ବେଳେ ଟାଣି ଆଣେ ତାଙ୍କ ମୁଣ୍ଡ ତଳୁ।

ପତ୍ନି ମୋର ଭାରି ପତିବ୍ରତା। ସକାଳୁ ଉଠି ମୋ ପାଇଁ ଚାହା ତିଆରି କରି ବେଡ୍ ପାଖକୁ ନେଇ ଆସନ୍ତି। ଅଫିସ୍ ଯିବା ପୂର୍ବରୁ ମୋ ମନ ମୁତାବକ ସୁସ୍ୱାଦୁ ଜଳଖିଆ ଟିକକ ରୋଷେଇ କରି ଡାଇନିଂରେ ଥୋଇଦିଅନ୍ତି। ଲଞ୍ଚ ଆଉ ଡିନର୍ ବି ସେମିତି। ଦିନକୁ ଦିନ ଏକରୁ ବଳି ଆରେକ ସୁସ୍ୱାଦୁ ଡିସ୍ ଟେବୁଲରେ ସଜାଡ଼ି ରଖନ୍ତି। ତାଙ୍କ ହାତରେ ମ୍ୟାଜିକ୍ ୱାଣ୍ଡ କିଛି ଅଛି ବୋଧେ।

ଦୁଇ ତିନି ଦିନ ପରେ ମୁଁ ଦେଖିଲି ତାଙ୍କ ରୁଟିନରେ ଧିରେ ଧିରେ ଅନିୟମିତତା ଦେଖାଦେଲା। ଅଫିସ୍ ଯିବା ପୂର୍ବରୁ ଜଳଖିଆ ଟିକକ ବି ମୁଁ ପାଇଲି ନାହିଁ, ବେଡ୍ ଟି ତ ଦୂରର କଥା। କିଛି କହିଲି ନାହିଁ। ନବ ବିବାହିତ ଦମ୍ପତି ଆମେ। କିଛି କହିବା ଉଚିତ୍ ହେବ ନାହିଁ। କଟିଗଲା କିଛିଦିନ। ଅଫିସରୁ ଫେରି ଦେଖେ ପ୍ରାୟ ସମୟ ସେ ଦିନରେ ବି ଶୋଇ ରହନ୍ତି। ଯେତିକି ମୁଁ ତାଙ୍କୁ କର୍ମଠ ବୋଲି ଭାବୁଥିଲି, ଇଏ ତ ଅଳସୁଆ ମନେ ହେଲେଣି। ନା, ସିଧାସଳଖ ଦୁଇପଦ ନ କହିଲେ ନ ଚଳେ। ଦିନେ ତାଙ୍କୁ ପୁରା ଭାଗବତ ଶୁଣାଇଲି। ସେ ମୋତେ ରାଗିକି ଅନେଇଲେ। ସତେ ଯେମିତି ଏଇଲେ କଞ୍ଚା ଖାଇଯିବେ। ମୁଁ ଦେଖିଲି କଥା ବଢ଼ାଇ ଲାଭ ନାହିଁ ବରଂ ଭାଗବତର ପ୍ରଭାବ ପଡ଼ିଲା ପର୍ଯ୍ୟନ୍ତ ଅପେକ୍ଷା କରିଯିବା ଭଲ।

ରାତିରେ ଚିରାଚରିତ ଭାବରେ ଯେମିତି ତାଙ୍କ ତକିଆଟିକୁ ମୁଣ୍ଡ ତଳୁ ଟାଣିଲି, ଯେଉଁ ସହଜରେ ହାତକୁ ଆସିବା କଥା ଆସୁନାହିଁ। ବୋଧହୁଏ ପତ୍ନି ବଳପୂର୍ବକ ଅଟକାଇ ରଖିଛନ୍ତି ତକିଆଟିକୁ। ଆରେ, ଇଏ କଣ? ସକାଳ କଥାଟା ଆହୁରି ଧରି ବସିଛନ୍ତି ନା କଣ? ଏତେବେଳ ଯାଏଁ ସହଜ ହୋଇ ପାରିନାହାନ୍ତି ବୋଧହୁଏ। ମୁଁ ଆଉ ଟିକିଏ ବଳ ପ୍ରୟୋଗ କଲି। ପତ୍ନି ମୋର ଆଉ ସେତିକି ଶକ୍ତି ସାମର୍ଥ୍ୟ ଯୋଡ଼ି ତକିଆଟିକୁ ତାଙ୍କ ମୁଣ୍ଡ ତଳେ ଅଟକାଇ ରଖିଲେ। ଏଥର ମୁଁ ଶେଯ ଉପରେ ଉଠି ବସି ପୁରୁଷପଣିଆର ସବୁ ବଳ ଖଟାଇ ଟାଣିଦେଲି ତକିଆ ତାଙ୍କ ମୁଣ୍ଡ ତଳୁ। ଯାଃ ଜିତିଗଲି ମୁଁ। ଗୋଟେ ରାଜ୍ୟ ଜୟ କଲା ପରି ମୋର ଛାତିଟା ଫୁଲି ଉଠିଲା। ତକିଆକୁ ମୁଣ୍ଡ ତଳେ ଦେଇ ଶୋଇବାକୁ ଉଦ୍ୟତ ହେଉଛି, ପତ୍ନି ଶେଯରେ ଉଠି ବସିଲେ ଆଉ କୋହ ଉଚ୍ଛ୍ବାସରେ ଫାଟି ପଡ଼ିଲେ। ମୋର ମୁଣ୍ଡ ଖରାପ ହୋଇଗଲା। କିଛି ବୁଝିପାରିଲି ନାହିଁ। ଏଇଟା ତ ଏମିତି ଦୁଃଖ କଲା ଭଳି କିଛି କଥା ନ ଥିଲା। କଣ କରିବି ଏବେ? ଅଗତ୍ୟା ପତ୍ନିଙ୍କୁ ଲୋଭେଇଲା ପରି ଅନେକ ସ୍ନେହ ଅନୁରାଗପୂର୍ଣ୍ଣ କଥା କହି କାନ୍ଦିବାର କାରଣଟା ପଚାରିଲି। ପତ୍ନି ପ୍ରଥମେ ତକିଆଟିକୁ ମୋ ଠାରୁ ଛଡ଼େଇ ନେଇ ଛାତିରେ ଜାକି ଧରିଲେ। ତାପରେ କହିଲେ ଏ ତକିଆରେ ତାଙ୍କ ମାଆଙ୍କର ଏକ ପୁରୁଣା କଟନ ଶାଢ଼ୀର ଟିକି ଟିକି ଅଂଶ ତୁଳା ପରି ଭିତରେ ଦିଆ ଯାଇଛି। ତାର କଭର୍ ବି ମାଆଙ୍କ ଶାଢ଼ୀରେ ତିଆରି। ସେ ତକିଆ ତାଙ୍କ ପାଖରେ ଥିଲେ ତାଙ୍କୁ ଲାଗେ ମାଆ ତାଙ୍କର ପାଖରେ ଅଛନ୍ତି। ସେ ତକିଆ ବିନା ତାଙ୍କୁ ମୋଟେ ନିଦ ହୁଏନି। ରୋଜ୍ ରାତିରେ ସେ ଅନିଦ୍ରା ହୁଅନ୍ତି ତକିଆ ନ ଥିବାରୁ, ଆଉ ସେଇଥିପାଇଁ ତକିଆଟିକୁ ଧରି ଦିନରେ ଶୋଇପଡ଼ନ୍ତି। ଏତେବେଳକେ ମୁଁ ଜାଣିପାରିଲି ତକିଆ ମାହାତ୍ମ୍ୟ। ମୋ ପତ୍ନି ତାଙ୍କ ମାଆଙ୍କୁ ଝୁରି ହେଉଛନ୍ତି ଜାଣି ପାରି ତା ପରଦିନ ହିଁ ମୁଁ ପତ୍ନିଙ୍କୁ ନେଇ ତାଙ୍କ ମାଆ ଘର ଅଭିମୁଖେ ଯାତ୍ରା କଲି।


ଟି. ଦୁର୍ଗା ପ୍ରସାଦ ରାଓ


Rate this content
Log in