Aravinda Das

Others

2  

Aravinda Das

Others

ସୁଖ ନିଦ୍ରାର ରହସ୍ୟ

ସୁଖ ନିଦ୍ରାର ରହସ୍ୟ

3 mins
7.2K


ବାବୁଙ୍କ ଘରେ ଭୋଜିଭାତ ଖାଇବାକୁ କିଛି କୁଣିଆ ଆସୁଛନ୍ତି ବୋଲି ଜାଣିଥିଲା ରମା।

ହେଲେ ସମସ୍ତେ ଏକାଠି ମିଶି ପଖାଳ ଭୋଜି ଖାଇବେ ବୋଲି ଶୁଣି ଆଶ୍ଚର୍ଯ୍ୟ ହୋଇଗଲା।

"ଆଜି ପରା ପଖାଳ ଦିବସ।ଗେଷ୍ଟଙ୍କ ପାଇଁ ସବୁ ଜଲଦି ରେଡି କରିବାକୁ ପଡିବ।ହାତ ଟିକେ ଶୀଘ୍ର ଚଲା।"

ମା'ଙ୍କ କଥା ଶୁଣି ରମା ପଚାରିଲା, "ସଜ ନା ବାସି ପଖାଳ ?"

" ଚୋପ୍, ମୂର୍ଖ କେଉଁଠିକାର।ସମସ୍ତେ ବାବୁଙ୍କର ଅଣଓଡ଼ିଆ ସାଙ୍ଗ।ବଡ଼ ବଡ଼ ଧନୀ ଲୋକ ସେମାନେ।ବାସି ଖାଇବେନି। ସଜ ଦହି ପଖାଳ ସାଙ୍ଗକୁ କଷା ମାଂସ,ମାଛ ବେସର, ଚିଲି ଚିକେନ ହେବ ବୋଲି ବାବୁଙ୍କ ଅର୍ଡର।ତା ସହିତ ପୋଟଳ ଭଜା, ଛୁଇଁ ବେସର ଭଜା, ପାମ୍ପଡ଼ ଓ ସାଲାଡ଼।ସେଥିରେ ପୁଣି କାଳେ ପଖାଳ ସେମାନଙ୍କ ମନକୁ ଯିବ କି ନାହିଁ, ମଟନ ବିରିୟାନୀ ,ଚିକେନ ବିରିଆନି ହୋଟେଲରୁ ମଗାହୋଇଛି। ପଖାଳ ଅଳ୍ପ କରିବା।ସେମାନେ ଖାଇବେ ବୋଲି ମୋର ମଧ୍ୟ ବିଶ୍ବାସ ନାହିଁ।ଭାତ ରାନ୍ଧି ପାଖାଳିଦେ ଓ ପରିବା ଭଜା କରିଦେ।ଆଇଁଷ ତରକାରୀ ସବୁ ହୋଟେଲରୁ ଆସିବ।ଆଜି ପାର୍ଟି ସରିଲା ପରେ ଘରକୁ ଯିବୁ । "

ପୁଣିଥରେ ଆଶ୍ଚର୍ଯ୍ୟ ହେଲା ରମା।ପଖାଳ ସହିତ ଏତେ ଆଇଁଷ ଜିନିଷ କଣ ଦରକାର ?ପୁଣି ବିରିଆନି !ବଡ଼ ଲୋକଙ୍କ ମିଞ୍ଜାସ୍ ସତରେ ଅଲଗା।

ପଖାଳ କଂସାକୁ ଆମ୍ବ ନସି, ରସୁଣ ଲଙ୍କା ଝୋଳ, ବଡ଼ି ଚୁରା କି ଆଳୁ ଭର୍ତ୍ତା କାହିଁରେ କଣ।ଆମ୍ବୁଲ ଫଡାଏ କିମ୍ବା ଆଚାର ନହେଲେ ଶୁକୁଆ ପୋଡା ହେଲେ ଦୁଇକଂସା ପଖାଳ ଉଠିଯିବ।ଆଉ ଯଦି ଦହି ପଖାଳ ରେ ଜୀରା ଲଙ୍କା ଗୁଣ୍ଡକୁ ଲେମ୍ବୁ/କମଳା ପତ୍ର ଟିକେ ପଡ଼ିଗଲେ ମଣିଷ ଅମୃତ କୁ ବି ମନା କରିଦେବ।ତା ବର, ମଦନା ଟ୍ରଲି ଟାଣେ।ଦୁଇ ଛୁଆଙ୍କ ଭଳି ସେ ବି ପଖାଳ ଭଲ ପାଏ। ଆଜି ବି ରମା ସବୁ ପାଗ କରିଦେଇ ଆସିଛି।ଗରିବ ଓଡ଼ିଆଙ୍କର ତ ସବୁଦିନ ପଖାଳ ।କାମରେ ଲାଗିଗଲା ରମା।ମାଆଙ୍କୁ କହି ,ପଖାଳ ପାଇଁ ନିଜ ବାଗରେ ଅତିଥିମାନଙ୍କ ପାଇଁ ପାଗ ସଜାଡ଼ିବା ଆରମ୍ଭ କଲା।

ବଡ଼ି ଚୁରା,ଶାଗ ଭଜା,ପତର ପୋଡା,ଆଳୁ ଭର୍ତ୍ତା,କଷି ଆମ୍ବଛେଚା।

ଗେଷ୍ଟମାନେ ଆସିଲାପରେ, ଗୋଟେ ପଖାଳ କଂସା ଆକୃତିର କେକ୍ ଉପରେ ମହମବତୀ ଲଗାହୋଇ "ହାପି ପଖାଳ ଡେ଼ " ଗୀତ ବୋଲାହୋଇ କେକ୍ କଟା ହେଲା।ଵହେ ନାଚିଲା ପରେ ସମସ୍ତେ ପଖାଳ ଖାଇବାକୁ ବସିଲେ।ବାବୁ ,ମା ଡରୁଥିଲେ ; ହେଲେ ସମସ୍ତେ ଚାଟିଚୁଟି ସବୁ ଖାଇଲେ।ଦେଶୀ ଜିନିଷର ଚାହିଦା ଅଧିକ ଥିଲା।ସମସ୍ତେ ବାବୁଆଣୀଙ୍କ ପ୍ରଶଂଶା କରୁଥିଲେ

କାରଣ ଦେଶୀ ଜିନିଷ ସବୁ ମ୍ୟାଡମ ରାନ୍ଧିଛନ୍ତି ବୋଲି କହିଥିଲେ।ରମା କିନ୍ତୁ ଖୁସି ଥିଲା।ତା ହାତତିଆରି ଜିନିଷକୁ ସମସ୍ତେ ବାବାହଃ କଲେ, ଏତିକି କଣ କମ କଥା !

କାମ କରି ହାଲିଆ ହୋଇଯାଇଥିଲା ରମା।ପଖାଳ ଗଣ୍ଡେ ଖାଇବାକୁ ଇଛା ଥିଲା ତାର।ହେଲେ ଆଜି ହାଣ୍ଡି ଖାଲି।

ବାବୁଆଣୀ କହିଲେ, " ବିରିଆନି ସବୁ ପ୍ୟାକେଟ ଖୋଲା ହୋଇନି। ତୁ ଖାଇଦେ ଓ ପିଲାଙ୍କ ପାଇଁ ନେଇଯା।"

"ଘରକୁ ଯାଇ ଧୁଆଧୋଇ ହୋଇ ଖାଇବି।"

ପ୍ୟାକେଟ ଧରି ଘରେ ପହଂଚିଲା ବେଳକୁ ସମସ୍ତେ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଥିଲେ।ପିଲାଙ୍କୁ ଲୋଭ ଦେଖାଇଲା, " ଆରେ ଉଠ ; ମାଂସ, ଚିକେନ ଓ ବିରିଆନି ଆଣିଛି।"

"ବିରକ୍ତ ହୋଇ ନିଦବାଉଳାରେ ଦୁଇ ପିଲା କହିଲେ, " ପେଟରେ ଜାଗା ନାହିଁ।ପଖାଳ ,ଶୁଖୁଆ ପୋଡା ଓ ବଡ଼ି ଭଜା ଖାଇଛୁ ।ରଖିଦେ, କାଲି ସକାଳୁ ଆମେ ଖାଇବୁ।ତୁ ଖାଇଦେ।"

ବାବୁଙ୍କ ଘରେ ମସଲା ଓ ଆଇଁଷ ବାସ୍ନାରେ ରମା'କୁ କେମିତି ଅଶ୍ଵସ୍ତି ଲାଗୁଥିଲା।ଶିକାରେ ସବୁ ଓହଳାଇଦେଇ ,ପାଣି ଦି ନୋଟା ଢାଳିହୋଇ ପଖାଳ ହାଣ୍ଡି ଟାଣି ଆଣି ହତବାକ ହୋଇଗଲା।

ହାଣ୍ଡିରେ ଖାଲି ତୋରାଣି।ଭାତ ମୁଠାଟେ ହେବ ଅଛି।ପାଟିକୁ ସୁଆଦ ତଥା ଭୋକ ଲାଗିଥିବ ବୋଲି ସବୁ ଖାଇଦେଇଛନ୍ତି।ଗରିବ ଘରେ ଏସବୁ ସାଧାରାଣ କଥା।ମୁଢି କି ଚୁଡା ଖାଇବାକୁ ପଡେ ବେଳେବେଳେ।ଖୁସି ହେଲା ରମା।ତା ପରିବାର ଆନନ୍ଦ ରେ ଶୋଇଛନ୍ତି।

ଆଇଁଷର କଡା ବାସ୍ନା ଶିକାରୁ ଆସୁଥିଲା।ବେଲାରେ ତୋରାଣି ତକ ଢ଼ାଳି , ଭାତ ଦୁଇମୁଠା ସହ ପିଆଜ ଫାଳେ ଚୋବାଇ ଖାଇଲା।ଦେଢ଼ ବେଲା ତୋରାଣି ଢକ ଢକ କରି ପିଇଲା ପରେ ସନ୍ତୁଷ୍ଟିର ଏକ ହସ ଖେଳିଗଲା ରମା ଓଠରେ।

ଏଥିରେ ଯେଉଁ ସ୍ବର୍ଗୀୟ ଆନନ୍ଦ ଓ ତୃପ୍ତି ଅଛି ,ତା କଣ ଆଉ କେଉଁଥିରେ ମିଳିବ ?ବାବୁଘର ଆଜି ଦିନକ ପଖାଳ ଦିବସ ମନାଇ ଖୁସି ହେଉଛନ୍ତି; ହେଲେ ତା ପରି ମଣିଷମାନଙ୍କ'ର ତ ବର୍ଷ ସାରା ପଖାଳ ଦିବସ।

ବିଛଣାରେ ପଡୁପଡୁ ସ୍ବପ୍ନରେ ମଜିଗଲା ରମା,ପରିବାରର ଅନ୍ୟମାନଙ୍କ ଭଳି..ସୁଖ ନିଦ୍ରା ମାଡି ମାଡି ଆସୁଥିଲା ପଖାଳ ତୋରାଣି ପାଇଁ।

😊(ଅରବିନ୍ଦ ଦାସ)


Rate this content
Log in