Kanan Bala Nayak

Others

3  

Kanan Bala Nayak

Others

~~~ ସୁଦଶା ବ୍ରତ~~~

~~~ ସୁଦଶା ବ୍ରତ~~~

4 mins
513



   ବଡ଼ି ସକାଳୁ ଉଠି ଗାଧୋଇ ପାଧୋଇ ଧଳା ଉପରେ ନାଲି ଛିଟ ଓ ନାଲି ରଙ୍ଗର ବର୍ଡର ଥିବା ଶାଢ଼ୀଟେ ପିନ୍ଧି ମନ୍ଦିର ଅଭିମୁଖେ ବାହାରି ପଡିଲେ ସୁଜୟା l ଆଜି ସୁଦଶା ବ୍ରତ ଶୀଘ୍ର ମନ୍ଦିର ନ ଗଲେ ଭିଡ଼ ହୋଇ ‌ଯିବ l ପୂଜା ସାରି ଆସିଲେ ପୁଣି ନିଜ ଘରେ ପୂଜା ସାରି ଶାଶୁ ଶ୍ୱଶୁର, ପ୍ରତୀକ୍ ଓ ପିଲାଙ୍କ ପାଇଁ ଟିଫିନ୍ ବନାଇଵେ l ତା ପରେ ‌ନିଜେ ରେଡି ହୋଇ ଅଫିସ୍ ଯିଵେ l ତାଙ୍କୁ ଏତେ ଶୀଘ୍ର ମନ୍ଦିର ବାହାରକୁ ବାହାରୁ ଥିବାର ଦେଖି ପ୍ରତୀକ୍ କହିଲେ ଠାକୁର ତ ସର୍ବତ୍ର ବିଦ୍ୟମାନ l ଆଉ ମନ୍ଦିର ଯାଇ ଅଧିକ କଣ କରିବ? ନିଜ ଘରର ଜୀବନ୍ତ ଠାକୁରଙ୍କ କଥା ତ ଦିନେ ଠିକରେ ବୁଝୁନ l ସେମାନେ ପଛେ ଚା ଜଳଖିଆ ଟିକେ ନ ପାଆନ୍ତୁ, ତୁମେ କିନ୍ତୁ ସଜବାଜ ହୋଇ ମନ୍ଦିର ବାହାରି ଯାଅ l ଆଉ ମନ୍ଦିର ନନାମାନେ ତ ବର୍ଷ ‌ତମାମ୍ ଏଇ ପର୍ବ ପର୍ବାଣୀକୁ ଅନାଇ ବସି ଥାଆନ୍ତି l ପର୍ବ ଦିନମାନଙ୍କରେ ପରା‌ ତାଙ୍କ ଆୟ ତିନି ଗୁଣା ହୋଇଥାଏ l ସେଇଥି ପାଇଁ ପରା ସେମାନେ ବାର ମାସରେ ତେର ପର୍ବ ସୃଷ୍ଟି କରିଛନ୍ତି l 


  ସୁଜୟା କହିଲେ ତୁମେ ମନ୍ଦିର ନ ‌ଯାଅ ନାହିଁ କିନ୍ତୁ ନନାମାନଙ୍କ ନାଁରେ ଏମିତି କୁହନା କହି ଦେଉଛି l ପାପ ଲାଗିବ l ପିଲା ଛୁଆଙ୍କୁ ନେଇ ଘର ସଂସାର କରିଛେ l କେତେ ବେଳେ କେଉଁ କଥା l ତାଙ୍କ ଭଲ ମନ୍ଦ ସୁମରି ଠାକୁରଙ୍କ ପାଖରେ ଫୁଲଟିଏ ନ ଚଢାଇବି କେମିତି କହିଲ?ପ୍ରତୀକ୍ କହିଲେ ଘରେ ‌ଠାକୁରଙ୍କୁ ପୂଜା କଲେ ହେବ‌ନି l ଏ ଭିଡ଼ ଭିତରେ ମନ୍ଦିର ଯିବା କଣ ଦରକାର?ସୁଜୟା କହିଲେ ତୁମେ ତ ଆଗରୁ ଏମିତି ହେଉ ନଥିଲ l ଏବେ କାହିଁକି ଏମିତି ହେଉଛ? ପ୍ରତୀକ୍ କହିଲେ ଆଗରୁ ମୁଁ ମଧ୍ୟ ତୁମ ଭଳି ଅନ୍ଧ ଥିଲି l ଠାକୁର ମନ୍ଦିରରେ ନୁହଁ ଆମମାନଙ୍କ ହୃଦୟ ଭିତରେ ଅଛନ୍ତି, ସେ କଥା ବୁଝି ପାରୁନଥିଲି l କିନ୍ତୁ ଏବେ ବେଦ ଉପନିଷଦ ଭଳି ଶାସ୍ତ୍ର ପଢିବା ପରେ ଅନୁଭବ କରୁଛି ଯେ, ଠାକୁର ସବୁଆଡେ ଅଛନ୍ତି l ଆଉ ତାଙ୍କୁ ପାଇବା ପାଇଁ ହେଲେ ମନ୍ଦିର ଯିବା ଠାରୁ ମନ‌ ମଧ୍ୟରେ ଭକ୍ତି ରହିବା ବେଶୀ ଆବଶ୍ୟକ l 


   ତୁମେ କଣ ପ୍ରହଲ୍ଲାଦ ଉପାଖ୍ୟାନ ଜାଣିନ l ଭକ୍ତର ଡାକ ଶୁଣି ଭଗବାନ କେମିତି ସ୍ତମ୍ଭରୁ ବାହାରି ଥିଲେ l ତା ଛଡ଼ା ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ତାଙ୍କ ଅବକାଶ ଚିନ୍ତାରେ ‌ଲେଖିଛନ୍ତି-

    "ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ

     ନିଜ ଅଭ୍ୟନ୍ତର ଦେଖ ଫେଡିଣ ନୟନ 

     ହୃଦ କପିଳାସେ ତୋର ବହେ ପ୍ରେମ ଝର ‌

     ଵିଜେ କରିଛନ୍ତି ତହିଁ ସ୍ବୟମ୍ଭୁ ଶଙ୍କର" l 

ଆଉ ସୁଦଶା ବ୍ରତର‌ ଅର୍ଥ ହେଉଛି ପରିବାର ଓ ସମାଜର ଉନ୍ନତି ପାଇଁ ଦଶଟି ଭଲ ସଂକଳ୍ପ କରିବା l 


   ସୁଜୟା କହିଲେ ତାମାନେ ତୁମେ କହୁଛ, ବର୍ଷ ବର୍ଷ ଧରି ଚାଲି ଆସିଥିବା ଆମର ଏଇ‌ ସବୁ ପରମ୍ପରା ‌ଭୁଲ୍ l ଆମର‌ ପୂର୍ବ ପୁରୁଷ ମାନଙ୍କର ସବୁ ସିଦ୍ଧାନ୍ତ ମଧ୍ୟ ‌ଭୁଲ୍ l ପ୍ରତୀକ୍ କହିଲେ ମୁଁ କେତେ ବେଳେ କହିଲି ପରମ୍ପରା ସବୁ ଭୁଲ୍ ବୋଲି l ମୁଁ ପରମ୍ପରା ନାଁରେ ଚାଲିଥିବା ଠକାମୀ ଓ ପ୍ରହସନ ‌କଥା କହୁଛି l ପରମ୍ପରା ସାମାଜର କଲ୍ୟାଣ ‌ସାଧନ କରିବା ପାଇଁ ତିଆରି ହୋଇଛି l ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବା ପାଇଁ ହୋଇଛି l ଏଵେ ତ ପିଲାମାନେ ବାପା ମାଆଙ୍କୁ ସମ୍ମାନ କରୁ ନାହାଁନ୍ତି, ଭାଇ ଭାଇକୁ ହତ୍ୟା କଲାଣି ଆଉ‌ ତୁମେ ପରମ୍ପରା କଥା କହୁଛ?ସୁଜୟା କହିଲେ ମୋର ଡେରି ‌ହେଉଛି, ତୁମର ଏତେ କଥା ‌ଶୁଣିବା ପାଇଁ ମୋ‌ ପାଖରେ ସମୟ ନାହିଁ l ଏତିକି କହି ସେ ମନ୍ଦିର ଅଭିମୁଖେ ବାହାରି ଗଲେ l ମନ୍ଦିର ପହଞ୍ଚି ଦେଖିଲେ‌ ଏକ କୋଶ ପର୍ଯ୍ୟନ୍ତ ଲୋକଙ୍କ ଧାଡ଼ି ଲାଗିଛି l ମନେ ମନେ ଭାବିଲେ ପ୍ରତୀକଙ୍କ ଠାରୁ ଭାଷଣ ଶୁଣି ଶୁଣି ଡେରି ହୋଇ ଗଲା l 


   ଦୁଇ ଘଣ୍ଟା ‌ପାଖା ପାଖି‌ ଛିଡ଼ା ହେଲା ପରେ ସୁଜୟା ଦେଖିଲେ ତାଙ୍କ ଆଗରେ ଛିଡା ହୋଇ ଥିବା ଦୁଇ ଜଣ ସ୍ତ୍ରୀ ଲୋକ ଆଗ ପଛ ହୋଇ ନିଜର ବ୍ରତ ଓ ପୂଜା ସାମଗ୍ରୀ ନନାଙ୍କ ହାତକୁ ବଢ଼ାଇ ଦେଲେ l ନନା ପ୍ରଥମ ସ୍ତ୍ରୀ ଲୋକଟିର‌ ବ୍ରତଟିକୁ ନେଇ ଠାକୁରଙ୍କ ପାଖରେ ରଖିଲେ ଓ ଦ୍ବିତୀୟ ସ୍ତ୍ରୀ ‌ଲୋକଟିର ବ୍ରତଟିକୁ ପ୍ରଥମ ସ୍ତ୍ରୀ ଲୋକଟିର‌ ହାତରେ ବାନ୍ଧିବାକୁ ଉଦ୍ୟତ ହୁଅନ୍ତେ, ପ୍ରଥମ ସ୍ତ୍ରୀ ଲୋକ ଜଣଙ୍କ ‌ନନାଙ୍କ ହାତରୁ ବ୍ରତଟିକୁ ନେଇ ନିଜ ଜରିରେ ପୂରାଇ ଦେଲେ ଓ (ଯଦିଓ ସେ ଭଲ ଭାବରେ ଜାଣିଥିଲେ ସେ ବ୍ରତଟି ଦ୍ବିତୀୟ ସ୍ତ୍ରୀ ଲୋକଙ୍କର ବୋଲି) କହିଲେ ନନା ମୋ ବ୍ରତ ପରା ଠାକୁରଙ୍କ ପାଖରେ ଅଛି l ଆଉ ନନା ଠାକୁରଙ୍କ ପାଖରୁ ବ୍ରତଟି ଆଣି ତାଙ୍କୁ ବାନ୍ଧି ଦେଲେ l ସୁଜୟା ସବୁ ଦେଖୁଥିଲେ l ଦ୍ଵିତୀୟ ସ୍ତ୍ରୀ ଲୋକ ଜଣକ ଯେତେ ବେଳେ ନିଜ ବ୍ରତଟିକୁ ନ ପାଇ ଏଣେତେଣେ ‌ଖୋଜିଲେ, ସୁଜୟା ପ୍ରଥମ ସ୍ତ୍ରୀ ଲୋକ ଜଣଙ୍କ ବ୍ରତଟିକୁ ନେଇ ଥିବାର‌‌ କହିଲେ l ହେଲେ ପ୍ରଥମ‌ ସ୍ତ୍ରୀ ଲୋକ ଜଣଙ୍କ କିନ୍ତୁ ବ୍ରତ ‌ଚୋରାଇ ଥିବା ‌କଥା ଜମାରୁ ସ୍ବୀକାର କଲେନି ବରଂ ନାନା କଳି‌ ଝଗଡ଼ା କଲେ l 


   ଦ୍ବିତୀୟ ସ୍ତ୍ରୀ ଲୋକ ଜଣଙ୍କ ବ୍ରତ ଦିନରେ ଝଗ଼଼ଡାକୁ ଆଉ‌ ଆଗକୁ ନେବା ଉଚିତ୍ ମନେ କଲେନି l ନିଜେ ଆଉ ଗୋଟେ ବ୍ରତ ଆଣି ପୂଜା ସମ୍ପନ୍ନ କଲେ l ସୁଜୟା ଭାବିଲେ ସୁଦଶା ବ୍ରତ ଭଳି ଦିନରେ ଠାକୁରଙ୍କ ସାମ୍ନାରେ ଠାକୁରଙ୍କ ଉଦ୍ଦେଶ୍ୟରେ ଜଣେ ଆଣିଥିବା ବ୍ରତ ଟିଏକୁ ଚୋରି କରିବା ପାଇଁ ତ ଅନ୍ୟ ଜଣେପଛାଉ ନାହାଁନ୍ତି l ଆଉ ଠାକୁରଙ୍କୁ କେତେ ଭକ୍ତି କରୁଥିବେ କେଜାଣି? ତା ପରେ ସୁଜୟାଙ୍କ ପାଳି ‌ଆସିଲା l ତାଙ୍କ ପୂଜା ମଧ୍ୟ ସୁରୁଖୁରୁରେ ‌ସମ୍ପନ୍ନ ହେଲା l ପୂଜା ସାରି ବ୍ରତ ବାନ୍ଧି ଦକ୍ଷିଣା ସ୍ୱରୂପ ନନାଙ୍କ ହାତକୁ ଦଶ ଟଙ୍କାଟିଏ ବଢ଼ାଇ ଦେଇ ସୁଜୟା ବାହାରକୁ ବାହାରିବା ପାଇଁ ଉଦ୍ୟତ ହୁଅନ୍ତେ ହଠାତ୍ ଅନୁଭବ କଲେ ତାଙ୍କ‌ ବାମ ହାତକୁ ନନା ଜଣଙ୍କ ଟାଣି ଧରି କହୁଛନ୍ତି ବର୍ଷରେ ଥରେ ଅଧେ ମନ୍ଦିର ଆସୁଛ ଆଉ ଦକ୍ଷିଣା ଦେଲା ବେଳକୁ ଜମା ଟଙ୍କା ଦଶ l ଦଶଟି ଗଣ୍ଠି ପକାଇ ବ୍ରତ ବାନ୍ଧିଛି l ଗଣ୍ଠି ପିଛା ଦଶ ଟଙ୍କା ହିସାବରେ ଶହେ ଟଙ୍କା ହେଉଛି l ଶହେ ଟଙ୍କା ନ ହେଲା‌ ନାହିଁ କମ୍ ସେ କମ୍ ପଚାଶ ଟଙ୍କା ତ ଦେବ l କଣ ନା ଦଶ ଟଙ୍କା ଦେଉଛ l ଆଜି କାଲି ପରା ଭିକାରୀମାନେ ବି ଦଶ ଟଙ୍କା ନେବାକୁ ରାଜି ହେଉନାହାଁନ୍ତି l 


   ଏତେ ଲୋକଙ୍କ ସାମ୍ନାରେ ଏମିତି କଥା ଶୁଣି ସୁଜୟା ଭାରି ଅପମାନିତ ବୋଧ କଲେ ଓ ନନାଙ୍କୁ ପଚାଶ ଟଙ୍କା ବଢ଼ାଇ ଦେଇ ବାହାରକୁ ବାହାରି ଆସିଲେ l ମନେ ମନେ ଭାବିଲେ ‌ପ୍ରତୀକ୍ ଠିକ୍ କହୁଥିଲେ l ଠାକୁରଙ୍କୁ ପୂଜା କରିବା ପାଇଁ ହେଲେ ଦକ୍ଷିଣା ‌ଦେବାଟା କଣ ନିହାତି ଜରୁରୀ?ଆଉ ଯେଉଁ ଲୋକ ପାଖରେ ନନାଙ୍କୁ ଦକ୍ଷିଣା ଦେବା ପାଇଁ ଅର୍ଥ ‌ ନାହିଁ, ତାର ତେବେ ମନ୍ଦିର ଆସିବା କି ଠାକୁରଙ୍କ ଦର୍ଶନ କରିବାର ଅଧିକାର ନାହିଁ l ଏତେ ସବୁ ତିକ୍ତ ଅନୁଭୂତି ଭିତରେ ଘର ପହଞ୍ଚିବା ବେଳକୁ ସୁଜୟାଙ୍କ ମୁହଁ ଶୁଖି ଯାଇଥାଏ l ତାଙ୍କ ଶୁଖିଲା ମୁହଁକୁ ଦେଖି ପ୍ରତୀକ୍ କହିଲେ ଏତେ ଖୁସିରେ ତ ମନ୍ଦିର ଯାଇଥିଲ?ହେଲେ ଫେରିବା ବେଳକୁ ଏମିତି ମୁହଁ ଶୁଖି ଯାଇଛି କାହିଁକି ? ସୁଜୟା କାନ୍ଦ କାନ୍ଦ ହୋଇ କହିଲେ, ତୁମେ ଠିକ୍ କହୁଥିଲ l ବହୁତ ହେଲା ଭିଡ଼ ଭିତରେ ମୋର ମନ୍ଦିର ଯିବା l ଆଜି ଠୁ ମୁଁ ମଧ୍ୟ ସଂକଳ୍ପ ‌କରୁଛି ଭିଡ଼ ଭିତରେ ଆଉ କେବେ ମନ୍ଦିର ଯିବିନି l 



Rate this content
Log in