Prasanta kumar Hota

Others

4  

Prasanta kumar Hota

Others

ସୁଧାକର ଙ୍କ ଅସନ୍ତୋଷ

ସୁଧାକର ଙ୍କ ଅସନ୍ତୋଷ

5 mins
376



ସୁଧାକର ପାଠ ପଢା ସାରି ଚାକିରି କରିବା ପରେ ମଧ୍ୟ ପାଠ ପଢିବା ଜାରି ରଖିଥିଲେ। ଜ୍ଞାନ ଆହରଣ କରିବା ପାଇଁ ଯେତେବେଳେ ତାଙ୍କୁ ଯାହା ସୁଯୋଗ ମିଳିଛି ସେ କେବେ ଛାଡି ନାହାନ୍ତି । ପଢିବା ତାଙ୍କର ନିଶା I କେବଳ ସାର୍ଟିଫିକେଟ ଅର୍ଜନ କରିବା ତାଙ୍କର ଲକ୍ଷ୍ୟ ନଥିଲା। ଯୋଉ ବହି ଦେଖିଲେ ଓ ତାଙ୍କୁ ଆଗ୍ରହ ଆସିଲା, ସେ ତାକୁ କିଣି ପଢିବାରେ ଲାଗି ପଡୁଥିଲେ, ପୁନଃସ୍ମରଣ ପାଇଁ ସାଇତି ମଧ୍ୟ ରଖୁଥିଲେ। ଚାକିରି କରିବା ଓ ପଢିବାରେ ବ୍ୟସ୍ତ ରହିବା ଯେମିତି ଜୀବନ ବଞ୍ଚିବାର ଶୈଳୀ I ତାଙ୍କ ପାଇଁ ଏକ ପ୍ରକାର ସନ୍ତୋଷ ପ୍ରାପ୍ତି ର ଧ୍ୟେୟ ଥିଲା। ତାଙ୍କ ନିଜ ତୃପ୍ତି ରେ ସେ ତାଙ୍କ ଆତ୍ମସନ୍ତୋଷ ଅନୁଭବ କରୁଥିଲେ I ଆଉ କାହାର କଣ ହେଲା ନହେଲା ତାଙ୍କ ପାଇଁ କ୍ଵଚିତ ମାନେ ରଖୁଥିଲା। ତାଙ୍କ ଦେଖାଦେଖି ଅନେକ ସେଥିପାଇଁ କହନ୍ତି ସମୟ ପାଉଛ ତ ଅଧ୍ୟୟନ କର, ସଂସାରର ସବୁ ଦୁଃଖ ବାଟ ଆଡେଇ ଚାଲିଯିବ।   ସୁଧାକର ଆଜି ଅବସର ନେବା ପରେ ପଢିବାକୁ ପର୍ଯ୍ୟାପ୍ତ ସୁଯୋଗ ପାଉଛନ୍ତି। ଘରେ ସମସ୍ୟା ବୋଲି କିଛି ନାହିଁ କହିଲେ ଚଳେ। ପୁଅ ଗୋଟିଏ ଝିଅ ଗୋଟିଏ ବାହା ହେଇ ସେମାନେ ତାଙ୍କର ସୁଖର ସଂସାର ଗଢିଛନ୍ତି। ଭଗବାନ ଏତେ ସବୁ ସୁଖ ଦେଇ ସାରିଲା ପରେ ବି ତାଙ୍କ ମନରେ ଏବେ କାହିଁକି ଆସୁଛି ଯେ ସେ ସୁଖର ଅନୁଭବ ଠାରୁ ଦୂରେଇ ଦୂରେଇ ଯାଉଛନ୍ତି। ସୁଖରେ ଥାଇ ମଧ୍ୟ ସେ ସନ୍ତୋଷ ଅନୁଭବ କରି ପାରୁ ନାହାନ୍ତି। କିଛି ଗୋଟାଏ ର ଅଭାବ ତାଙ୍କୁ ଅସନ୍ତୋଷ ଭିତରକୁ ଯେମିତି ଠେଲି ଦେଉଛି। ସେ ଅସନ୍ତୋଷ କଣ! ଏ ପ୍ରଶ୍ନ ସେ ନିଜେ ନିଜକୁ ପଚାରି ପଚାରି ବ୍ୟସ୍ତ ବିବ୍ରତ ହେଇ ପଡୁଥିଲେ। 

ସୁଧାକର ଥରେ ମନେ ମନେ ଭାବିଲେ ଯଦି ତାଙ୍କର ଏପରି ଅବସ୍ଥା ଆସୁଛି ତାହାଲେ ସୁରୁଚୀଙ୍କର ବି କଣ ସେପରି ଆସୁଥିବ। ଧର୍ମପତ୍ନୀ ଯେତେବେଳେ ସତ୍ୟ ନିଶ୍ଚିତ ପ୍ରକାଶ କରିବେ ଭାବି ଥରେ ମନର ଉଦବିଗ୍ନତା ସୁରୁଚୀଙ୍କୁ କହି ଦେଲେ। ସୁରୁଚୀ ସାଧାରଣ ଭାବରେ କହିଲେ ହଁ ସେମିତି, ସଦାବେଳେ କଣ ମନ କଥା କହିହେବ। ମନ ତ କେତେ କଥା ଚାହୁଁଛି। ସୁଧାକର ଆଉ ଯାହା ବି ପଚାରି ଥାଆନ୍ତେ, ସୁରୁଚି ଯେତେବେଳେ କହିଲେ ତମକୁ ତ ଖାଇବାକୁ ମିଳିଗଲା ସମୟ କାଟିବାକୁ ବହି ମ୍ୟାଗାଜିନ ଖବରକାଗଜ ସବୁ ମିଳି ଯାଉଛି I ତମର ପୁଣି ଅସନ୍ତୋଷ କଣ! ତୁଚ୍ଛା ଅଭିନୟ କରୁଛ I ନିଜ ଛଡ଼ା ଅନ୍ୟ କାହା ପାଇଁ ତ ତମର ସମୟ ନାହିଁ I ତମ ସମୟ କୁ ପୁଣି କିଏ ନେଲା ଯେ ଅସନ୍ତୋଷ ମାଡି ବସୁଛି I ସେତେବେଳେ ସୁଧାକର ଙ୍କ ସମସ୍ତ ଆଗ୍ରହ ଭାଙ୍ଗି ଗଲା I 

ପତ୍ନୀଙ୍କ ଏଭଳି ଉତ୍ତର ରେ ସୁଧାକର ସନ୍ତୁଷ୍ଟ ହେଇ ପାରିଲେ ନାହିଁ କି ନିଜକୁ କିଛି ବୁଝାଇ ପାରିଲେ ନାହିଁ। ପତ୍ନୀ ଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ବୃଥା ଭାବି ସେ ଛତ୍ରଭଙ୍ଗ ଦେଲେ I ସବୁ ଥାଇ ମଧ୍ୟ ବି ସେ ଅସନ୍ତୋଷ ହେବା ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଏ। ଆଗରୁ ଅଳ୍ପ ବହୁତ ଅବଶ୍ୟ ସେ ଏପରି ଅନୁଭବ କରିଛନ୍ତି କିନ୍ତୁ ଚାକିରି ର ବ୍ୟସ୍ତତା ତାଙ୍କୁ ସବୁ ଭୁଲାଇ ଦେଇଛି। ସେ ଭାବିଲେ ଯଦି ପୁଣି ଥରେ କୋଉଠି ଚାକିରୀ ରେ ନିଯୁକ୍ତି ପାଇ ଯାଆନ୍ତେ, ହୁଏ ତ କର୍ମ ବ୍ୟସ୍ତତା ତାଙ୍କର ଅସନ୍ତୋଷ କୁ ନଷ୍ଟ କରି ଦେବ ଓ ପୂର୍ବ ପରି ସେ ସନ୍ତୋଷରେ ରହି ପାରିବେ। 

ଏମିତି ଭାବରେ ସେ ଅସନ୍ତୋଷର କାରଣ ଜାଣିବାକୁ ବ୍ୟାକୁଳ ହେଉଥିଲେ। କର୍ମ ନିଯୁକ୍ତି ସନ୍ତୋଷ ଆଣିଦେବ ଭାବି ଅବସର ପରେ ଏକ ଅନୁଷ୍ଠାନ ରେ ଚାକିରି ଆରମ୍ଭ କଲେ। ମାତ୍ର ବର୍ଷଟିଏ ଯିବା ପରେ ମନ ଛାଡିଗଲା। କାର୍ଯ୍ୟ ରେ ଅନୁବନ୍ଧିତ ହେବା ମଧ୍ୟ ତାଙ୍କୁ ସନ୍ତୋଷ ଦେଇ ପାରିଲା ନାହିଁ। ଅଜଣା ଭୁତ ଶରୀରରେ ପ୍ରବେଶ କଲା ପରି ଅସନ୍ତୋଷ ର ବିଷ ତାଙ୍କୁ ଦଂଶନ କରୁଥାଏ। 

ସେଇ ଅସନ୍ତୋଷର ଅନ୍ଵେଷଣ ରେ ସେ ଆସି ଦିନେ ଗାଁ ରେ ପହଞ୍ଚି ଗଲେ। ପିଲାଦିନ ର ବନ୍ଧୁ ଅବସର ପ୍ରାପ୍ତ ଶିକ୍ଷକ ନରହରି ମିଶ୍ର ମନ୍ଦିର ପ୍ରାଙ୍ଗଣରେ ଭାଗବତ କଥା ଉପରେ ପ୍ରବଚନ ଦେଉଥାନ୍ତି । ସୁଧାକର ନିଜ ପାଇଁ ଆସନଟିଏ ଯୋଗାଡ କରି ନରହରିଙ୍କ କଥା ଶୁଣୁଥାନ୍ତି। ବ୍ୟାସଦେବ ଙ୍କ ପ୍ରସଙ୍ଗ ଚାଲିଥାଏ।

ବ୍ୟାସଦେବ ଥରେ ନାରଦଙ୍କୁ କହିଲେ ସମସ୍ତ ଜ୍ଞାନକୁ ଆୟତ୍ତ କରି ଓ ଧର୍ମ ଅନୁଷ୍ଠାନ ଆଦି ଶେଷ କରି ମଧ୍ୟ ମୋର ଆତ୍ମାର ସନ୍ତୋଷ ନାହିଁ। ତେଣୁ ଏହି ଅସନ୍ତୋଷ ର ମୂଳ କାରଣ କଣ ମୁଁ ଜାଣିବାକୁ ଚାହୁଁଛି। ମୁଁ ଧର୍ମ ଅନୁସାରେ ସମସ୍ତ ବ୍ରତ ପାଳନ କରି ପରଂବ୍ରହ୍ମ ଙ୍କ ଠାରେ ପୂର୍ଣ୍ଣ ଲୟ ରଖି ଆସିଥିଲେ ମଧ୍ୟ କାହିଁକି ମୋର ଏ ଅସନ୍ତୋଷ ଓ ଅପୂର୍ଣ୍ଣତା ଆସୁଛି। ଏ ଅସନ୍ତୋଷ ର କାରଣ କଣ!

ବ୍ୟାସଦେବଙ୍କ ପ୍ରଶ୍ନ ଶୁଣି ସୁଧାକରଙ୍କ ଆଗ୍ରହ ଆହୁରି ବଢିଗଲା । ବ୍ୟାସଦେବ ଙ୍କ ପ୍ରଶ୍ନ ସହ ତାଙ୍କ ଆଗ୍ରହର ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ଥିଲା। ସେ ଉତ୍ତର ଜାଣିବାକୁ ଅପେକ୍ଷା କଲେ। ନରହରି ପୁଣି କଥା ଆରମ୍ଭ କଲେ।ଭଗବାନ ସଦାବେଳେ ତାଙ୍କର ବିମଳ ଯଶଗାନ ଦ୍ଵାରା ସନ୍ତୁଷ୍ଟ ହୁଅନ୍ତି। ଏହା ନିଃସନ୍ଦେହ ସତ୍ଯ I ତେଣୁ ଯୋଉ ଜ୍ଞାନର ଦର୍ଶନରେ ଭଗବାନଙ୍କ ଯଶଗାନ ନାହିଁ ତାହା ଶୁଷ୍କ ଓ କଦାପି ସନ୍ତୋଷ କାହାକୁ ଦେଇ ପାରେ ନାହିଁ। ନାରଦ ବ୍ୟାସଦେବ ଙ୍କୁ କହିଲେ ଆପଣ ଧର୍ମର ବ୍ୟାଖ୍ୟା ଜାଣିଛନ୍ତି ଓ କରିଛନ୍ତି ସତ୍ୟ, ମାତ୍ର ବାସୁଦେବଙ୍କ ମହିମା ବର୍ଣ୍ଣନା କରି ଗୁଣଗାନ କରି ନାହାନ୍ତି । ଶ୍ରୀ ହରିଙ୍କ ଯଶ କୀର୍ତ୍ତନ ନଥିଲେ ସବୁ କିଛି, ତୀର୍ଥ ଉଚ୍ଛିଷ୍ଟ ଭୋଜନର ସ୍ଥାନ ପରି ପ୍ରତୀୟମାନ ହୁଏ। ଅନ୍ୟଥା ମହାପ୍ରଭୁ ଙ୍କ ମହାପ୍ରସାଦ ପରି ମହମହ ହେଇ ବାସୁଥାଏ। ସାଧୁ ମାନେ ଭଗବାନ ଙ୍କ ନାମର ଶ୍ରବଣ ଗାୟନ ଓ କୀର୍ତ୍ତନ ରେ ଆନନ୍ଦ ଅନୁଭବ କରି ଥାନ୍ତି। ମୋକ୍ଷ ସାଧନ ପାଇଁ ଜ୍ଞାନ ର ମାର୍ଗ ଯେତେ ନିର୍ମଳ ହେଲେ ମଧ୍ୟ ଭଗବତ୍ ଭାବନା ନଥିଲେ ତାହା ଶୋଭା ପାଏ ନାହିଁ। ଭଗବାନଙ୍କ ଠାରେ ଅର୍ପିତ ନ ହୋଇଥିବା କର୍ମ ବୃଥା ହୁଏ ଓ ସର୍ବଦା ଅମଙ୍ଗଳ କାରକ ହୋଇଥାଏ। ତେଣୁ ଆପଣ ସଂସାରରେ ଆବଦ୍ଧ ଜୀବଙ୍କ ମୁକ୍ତି ପାଇଁ ଏକାନ୍ତ ଚିତ୍ତରେ ଭଗବାନଙ୍କ ଲୀଳା ସ୍ମରଣ କରନ୍ତୁ ଓ ବର୍ଣ୍ଣନା କରନ୍ତୁ। ଯେତେ ଗୁଣ ଗାନ କରିବେ ମନ ସେତେ ସ୍ଥିର ରହିବ I ନଚେତ୍ ବାୟୁରେ ଆନ୍ଦୋଳିତ ନୌକା ପରି ଆପଣଙ୍କ ଅଶାନ୍ତ ମନରେ କେବେ ହେଲେ ଶାନ୍ତି ଆସିବ ନାହିଁ। ଠିକ୍ ଯେମିତି ଭାବନା ନଥିଲେ ମହାପ୍ରସାଦ ମଧ୍ୟ ସାଧାରଣ ଅନ୍ନ ପରି ମନେହୁଏ। ଆପଣ ବିଚକ୍ଷଣ। ଭଗବାନଙ୍କ ଅପାର ଲୀଳା ଶୁଣିଲେ ଯେଉଁ ନିବୃତ୍ତି ସୁଖ ମିଳିବ, ମାୟାଗୁଣରେ ବଶୀଭୂତ ମନୁଷ୍ୟ କୁ ତାହା ମିଳିବ ନାହିଁ ତେଣୁ ତାହା ଶୁଣାଇ ଆପଣ ହିଁ ରାସ୍ତା ଦେଖାଇ ପାରିବେ ଓ ଭଗବାନ ଙ୍କ ଗୁଣ ଗାନ କରି ସନ୍ତୋଷ ପାଇ ପାରିବେ। ଯେମିତି ସ୍ଵଧର୍ମ ତ୍ୟାଗ କରି ଶ୍ରୀହରିଙ୍କ ପାଦପଦ୍ମରେ ଆଶ୍ରୟ ନେଇ ପତିତ ହେଲେ ସେଥିରୁ କୌଣସି କ୍ଷତି ହୁଏ ନାହିଁ, ସେମିତି ଭଗବାନଙ୍କୁ ଭଜନ ନକରି ସ୍ଵଧର୍ମ ରେ ଅଛନ୍ତି ବୋଲି କହବା ଆଚରଣ କୁ ମୂଲ୍ୟହୀନ କରି ଦିଏ ଓ ସନ୍ତୋଷ ରୁ ଦୂରେଇ ରଖେ। ଯିଏ ଭଗବାନ ଙ୍କ ପାଦପଦ୍ମରେ ସେବାରତ ଥାଏ ସେ ସେହି ସେବାକୁ ସ୍ମରଣ କରି ତାର ରସ ଆସ୍ଵାଦନ କରୁଥାଏ। ଆପଣଙ୍କୁ ମୁଁ ସଙ୍କେତ ମାତ୍ର ଦେଲି। ଆପଣଙ୍କ ପାଖେ ଦୂର ଦୃଷ୍ଟି ଅଛି। ଜ୍ଞାନୀ ମାନେ ମଧ୍ୟ ସଂସାର ରେ ଏହି ନିର୍ଯ୍ୟାସ ପାଇଛନ୍ତି ଯେ ସମସ୍ତ ସାଧନ ର ଏକ ମାତ୍ର ଲକ୍ଷ୍ୟ ହେଉଛି ଭଗବାନ ଙ୍କ ଗୁଣ କୀର୍ତ୍ତନ।ନରହରି ଅନର୍ଗଳ କହି ଚାଲିଥାନ୍ତି । ସୁଧାକର ଆତ୍ମତୃପ୍ତି ଅନୁଭବ କରୁଥାନ୍ତି। ପ୍ରବଚନ ସରିବା ମାତ୍ରେ ସୁଧାକର ଯାଇ ନରହରିଙ୍କୁ ଦେଖା କରି ଟିକେ ହସି ଦେଲେ । ନରହରି ସେ ହସକୁ ବୁଝି ପାରି କହିଲେ ମୁଁ ଭାବୁଛି ତମେ ଯୋଉଥିପାଇଁ ମୋ ପାଖକୁ ଆସିଛ ଏବେ ବୋଧହୁଏ ସମ୍ୟକ ବୁଝି ପାରିଛ। ଯାହା ବୁଝି ପାରିଥିଲେ ମଧ୍ୟ କିଛି ଅବୁଝା ରହିଯାଏ ତାହା ଏବେ ମୁଁ ତମକୁ କହୁଛି। ଆମେ ଯେତେବେଳେ ଭଗବାନ ଙ୍କ ଗୁଣ କୀର୍ତ୍ତନ କଥା କହୁ ଆମେ କେବଳ ପୁରାଣ ପୁରୁଷଙ୍କୁ ବୁଝୁ। ପୂଜା କରିବା କଥା କହିଲେ ପଥର ମୂର୍ତ୍ତି କୁ ବୁଝୁ। ଭଗବାନ ଙ୍କ ଉପସ୍ଥିତି ଯେ ସବୁଠି ସବୁଠାରେ ବିଦ୍ୟମାନ ଭୁଲିଯାଉ। ଯିଏ ସର୍ବବ୍ୟାପୀ ତାକୁ ଆମେ ନଦେଖି ପାରିବା ପରି ହେଉ। ସୁଧାକର ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ଅର୍ଥପୂର୍ଣ୍ଣ ନୟନରେ ବନ୍ଧୁଙ୍କୁ ଦେଖିବାକୁ ଲାଗିଲେ। ନରହରି ମୁରୁକି ମୁରୁକି ହସୁଥିଲେ। ସୁଧାକର କହିଲେ - ତମେ ପାଖରେ କହିବା ଅର୍ଥ ସ୍ତ୍ରୀ ପୁତ୍ର ବନ୍ଧୁ ପଡୋଶୀ ଓ ସମ୍ବନ୍ଧୀଙ୍କୁ ଲକ୍ଷ୍ୟ କରି କହୁଛ କି। ନରହରି କହିଲେ - ସୁଧାକର ତମେ ବିଚକ୍ଷଣ। ତମର ବୁଝିବାରେ କିଛି ଅସୁବିଧା ହେବ ନାହିଁ ମୁଁ ଜାଣିଛି। ମୁଁ ସେୟା ହିଁ କହୁଛି ଯାହା ଆମେ ଜାଣି ମଧ୍ୟ ଅଜଣା ହେଇ ରହିଯାଏ। ଆମେ କେବେ ଖୋଲା ହୃଦୟ ରେ ପୁତ୍ର କନ୍ୟା ପତ୍ନୀ ବନ୍ଧୁ ସହକର୍ମୀ ବା ପଡୋଶୀ ଙ୍କୁ ପ୍ରଶଂସା କରିଛେ କି I ନା! ଯାହା ବି କରିଛେ ସେଥିରେ ଆତ୍ମୀୟତା ର ଅଭାବ ଥାଏ I ଆମେ ଭୁଲି ଯାଉ ଯେ ତାଙ୍କ ଭିତରେ ବି ବ୍ରହ୍ମ୍ ଅଛନ୍ତି I 

ସୁଧାକର ଫେରିଆସି ନିଜ ଅନ୍ତର୍ଭାବନାରେ ପ୍ରଭୁ ଙ୍କୁ ଯେତିକି ଗୁଣ ଗାନ କଲେ ଉପସ୍ଥିତ ସମସ୍ତ ଙ୍କୁ ମଧ୍ୟ ସେମାନଙ୍କ ଯତ କିଞ୍ଚିତ୍ କାର୍ଯ୍ୟ ପାଇଁ ପ୍ରଶଂସା କରିବାକୁ ଲାଗିଲେ। ପ୍ରଶଂସା ମୁଖର ସୁଧାକର ଙ୍କୁ ଏପରି ଭାବରେ ଦେଖି ସ୍ତ୍ରୀ ପୁତ୍ର ପଡୋଶୀ ଓ ଯେତେ ସମ୍ବନ୍ଧୀ ସମସ୍ତେ ଆଶ୍ଚର୍ଯ୍ୟ ଓ ଖୁସି ପ୍ରକଟ କଲେ। ସୁଧାକର ମଧ୍ୟ ଯେତିକି ସେବା ପୂଜାଘର ଭିତରେ ପଥର ମୂର୍ତ୍ତି କୁ ଯୋଗାଇ ଦେଉଥିଲେ ତାଠାରୁ ଅଧିକ ସେବା ସଂସାରର ପ୍ରତ୍ୟେକ ସତ୍ତାରେ ଉପଲବ୍ଧ କରାଇବା ପାଇଁ ତତ୍ପର ହେଲେ। ଅନ୍ୟକୁ ପ୍ରଶଂସା କରିବାର କଳାକୁ ଆୟତ୍ତ କରିବା ରେ ସମୟ ଲାଗିଲା କିନ୍ତୁ କରିବାର ଇଚ୍ଛା ପ୍ରୟାସ କୁ ସାମର୍ଥ୍ୟ ରେ ପରିଣତ କରିଦେଲା I  ଯେ କୌଣସି କାର୍ଯ୍ୟରେ ମୁଁ ପ୍ରଭୁଙ୍କୁ ସେବା କରୁଛି ର ଭାବ ଲୁକ୍କାୟିତ ଅହଙ୍କାର କୁ ହଟାଇବା କ୍ଷଣି ମନ ଆନନ୍ଦରେ ଭରି ଉଠିଲା ଓ ସନ୍ତୋଷ ଭାବର ପ୍ରବେଶ ହେବା ମାତ୍ରେ ହିଁ ଅସନ୍ତୋଷ ର ଭାବନା ମଧ୍ୟ ପଳାଇବାକୁ ଲାଗିଲା I 


Rate this content
Log in