ସୁବର୍ଣ୍ଣ ଜୟନ୍ତୀ
ସୁବର୍ଣ୍ଣ ଜୟନ୍ତୀ
ଦେଖୁଦେଖୁ ପଚାଶ ବର୍ଷ ହୋଇଗଲା ହେଲେ କେଜାଣି କାହିଁକି କିଛି ବି ଜଣା ପଡି଼ଲା ନାହିଁ। ମୋତେ ଲାଗୁଛି କି ମୋଟେ ପନ୍ଦର ବର୍ଷ ହୋଇଛି। ଉଦ୍ଦାମ ଯୌବନ ହୃଦୟରେ ଯଦିଓ ନାହିଁ ତଥାପି ମନ କହୁଛି ତୁ ନିଶ୍ଚୟ କିଶୋର ହିଁ ଅଟୁ। ଏନ୍ତୁଡି଼ରୁ ଏଯାଏଁ କେତେ ଘାତ ପ୍ରତିଘାତ ମଧ୍ୟରେ ଜୀବନ ଅତିବାହିତ ହୋଇ ସାରିଛି। କେବେ ଲୁହ ତ କେବେ ହସ ପୁଣି ସଂସାରର ଏ ସୁନ୍ଦର ପ୍ରାକୃତିକ ଓ ଅପ୍ରାକୃତିକ ନଦ, ନଦୀ, ଗିରି, ବନ, ପାହାଡ ଓ ଗ୍ରାମାଞ୍ଚଳଠୁ ସହରାଞ୍ଚଳ ଯାଏଁ ବିତେଇ ଦେଇ ଆଜି ମୁଁ ବୁଢା଼ ହୋଇଗଲି। ମୋତେ କିଏ କେତେ ପ୍ରକାର ସମ୍ଵୋଧନ କରୁଛନ୍ତି। କିଏ ଭାଇ, କିଏ ବାପା, କିଏ ବଡ଼ ବାପା, କିଏ କାକା ତ କିଏ ଜେଜେ ଅବା ଅଜା। ମୁଁ ସଭିଙ୍କ ସମ୍ବୋଧନକୁ ଯଦିଓ ଗ୍ରହଣ ସହଜରେ କରିଥାଏ କିନ୍ତୁ ହୃଦୟ ଭିତରେ ଅଶାନ୍ତ ସମୁଦ୍ର ପରି ଖେଳିଯାଏ ଏଇ ଯେମିତି ସଭିଙ୍କ ଆଡ଼କୁ ମାଡି଼ଯିବି ମୋର ମନ ଓ ହୃଦୟରେ ଆପଣେଇ ସର୍ବଦା ଭାଇଚାରା ସୃଷ୍ଟି କରିବି। ସ୍ନେହ,ପ୍ରେମ ଓ ଭଲ ପାଇବାରେ ଗୋଟେ ନିତ୍ୟ ନୂତନତା ଅଜାଡି଼ ଦେବି।
କିନ୍ତୁ ପୁଣି କାହିଁକି କେଜାଣି ମୋଟେ ଆଉ ପାରୁନାହିଁ? ଗୋଟେ ଶିଶୁର ଚଗଲା ମନ,ଗୋଟେ କିଶୋରର ଚଞ୍ଚଳତା,ଗୋଟେ ଯୁବକର ଉଦ୍ଦାମତା। ଏବେ ତ ସର୍ବଦା ଚମ ଧୁଡୁଧୁଡୁ ଦେହ ହେବାକୁ ବସିଲାଣି। ମନ ଓ ଗହନର ଆକାଶ ତଳେ ଚନ୍ଦ୍ରଙ୍କର କୋମଳତା କି ସୂର୍ଯ୍ୟଙ୍କ ପ୍ରଖରତା ପରି ଆଉ ଦେଖା ଯାଉ ହିଁ ନାହିଁ। ଥୁଣ୍ଟା ବରଗଛ ପରି ପଡି଼ ରହିବା ଏକ ପ୍ରକାର ହୋଇ ଗଲିଣି। ଥୁଣ୍ଟା ବରଗଛକୁ ଯେମିତି କେହି ପଚାରନ୍ତି ନାହିଁ। ଚଢେଇଙ୍କ କିଚିରି ମିଚିରି ଥାଏ ନା ପଶୁଙ୍କର ଗହଳ ଚହଳ? ଦିନ ଓ ରାତି ପୂରା ଖାଁ..ଖାଁ..ପରି। ବୃକ୍ଷ ଓ ପତ୍ରରେ ଯେଉଁଠି ବହଳ ସବୁଜ ବନାନୀ ତାରି ପାଖରେ ସଭିଏଁ ନେଶି ହୋଇଯିବେ। ସେ ପଶୁ,ପକ୍ଷୀ,ସରୀସୃପ ଅଥବା କୀଟ କି ପତଙ୍ଗ ହୁଅନ୍ତୁ ପଛକେ କିନ୍ତୁ ନିର୍ଜୀବ ସଦୃଶ ପଡି଼ ରହିଥିବା ଏ ଦେହକୁ କିଏ କାହିଁକି ଅବା ପଚାରିବ କୁହନ୍ତୁ ତ...? ଏବେ ତ ମୌସୁମୀ ଭୁଲିଛି ଆଉ ବସନ୍ତର ସାତ ରଙ୍ଗ ବି ବିଲକୁଲ ପାଖକୁ ଆସୁନି? ଭୁଲିଛି ବି କାମନାର ଚହଚହ ପାହାଚକୁ ଆଉ ଜଙ୍ଗଲ ବୁଲିବା,ନଦୀ ପହଁରିବା,ପାହାଡ଼ ଚଢି଼ବା ମୋଟେ ତ ହେଉନି? ଯେଉଁଠି କେବଳ ବସିବା କଷ୍ଟ ସେ ଭଲା କର୍ମରେ ଚଞ୍ଚଳ ହୋଇ ପାରିବ କିପରି,ନୁହେଁ? ଗୋଟେ ଅପାରଗ ପାଷାଣ ଓ କାଠ ସଦୃଶ କେବଳ ବସି ରହି ଜୀଇଁବା ହିଁ ସାର ହେବ ନିଶ୍ଚୟ। ଜୀବନ ଓ ଯୌବନକୁ ଦିନେ ଉପଭୋଗ କରୁଥିଲି। ବିତି ଯାଉଥିଲା ବୈତରଣୀ ନଦୀ ପରି କୁଳୁକୁଳୁ ଓ ପବନ ପରି ସାଇଁସାଇଁ ଉଡୁଥିଲି ଚୌଦିଗେ। ସେ ସମୟଟା ଥିଲା ଚିନି ପରି ଗୁଡ଼ ପରି ମିଠା। ଭାବନା ତ ଶିଖରକୁ ଉଠିବା ମରିକି ବଞ୍ଚିବାର ନିଶା ଓ ସଭିଙ୍କର ଅତି ପ୍ରିୟପାତ୍ର ହେବା ହେଲେ ଆଉ ନାହିଁରେ। ବୟସ ଅଛି ନା ମନ? ସବୁ ଅତିକ୍ରାନ୍ତ ହୋଇ ସାରିଲାଣି କେବଳ ବସିକି ଦର୍ଶନ କରିବା ହିଁ ସାର ହେବାକୁ ଯାଉଛି। ବୁଢା଼ ଷଣ୍ଢର ଶିଙ୍ଗ ବଢି଼ବା ପରି କେବଳ ପାଗଳ ପରି ବାଚାଳତା ହିଁ କର୍ଣ୍ଣ ଗୋଚର ହେବ,ନୁହେଁ?
ମୁଁ ଦିନେ ଟିକିଏ ଗଳ୍ପ ଓ କବିତାକୁ ଭଲ ପାଉଥିଲି। ମୋତେ ଅସରନ୍ତି ସ୍ନେହ,ପ୍ରେମ ଓ ଭଲ ପାଇବା ଦେଉଥିଲେ ସେମାନେ ଯେଉଁମାନେ ପ୍ରତିକ୍ଷଣ ଭରପୂର ଉସ୍କାଉଥିଲେ କଲମ ଧରିବାକୁ। ପରିବେଶ,ସମାଜ ଓ ରାଷ୍ଟ୍ରକୁ ଓଡି଼ଆ ସାହିତ୍ୟର ସୁରକ୍ଷା କରିବାକୁ। ସେହି ମାନଙ୍କ ଭିତରେ ଆମ ଟାଙ୍ଗରତଳି ଗ୍ରାମର ବୈଲୋଚନ ପଲେଇ ଓ ବିଜୟ କୁମାର ପଲେଇ ଅଗ୍ରସାରଥି। ବୈଲୋଚନ ପଲେଇ ମୋର କବିତାକୁ ଚୋରାଇ ନେଇ କଲିକତାର ହାଲି ସହର ଶ୍ରୀଶ୍ରୀ ନିଗମାନନ୍ଦ ପରମହଂସ ଦେବଙ୍କ ମାସିକ "ଆର୍ଯ୍ୟ ଦର୍ପଣ" ଧର୍ମ ପତ୍ରିକାରେ ପ୍ରକାଶିତ କରାଇ ନେଲେ ଓ ମୋର ଆଖିରୁ ଅନନ୍ତ ଆନନ୍ଦର ଅଶ୍ରୁ ବୁହାଇ କୃତାର୍ଥ କରାଇଥିଲେ। ତା ପରେ ଆସିଲେ ବିଜୟ କୁମାର ପଲେଇ ଯାହାଙ୍କ ଅପାର ଇଚ୍ଛା, ଆଶା ଓ ପରାମର୍ଶରେ ଦ୍ବିତୀୟ ଥରପାଇଁ ଦୈନିକ ପତ୍ରିକା "କାଳାନ୍ତର" ଯିଏକି ବାଲେଶ୍ୱର ଜିଲ୍ଲାରୁ ନିୟମିତ ପ୍ରକାଶିତ ହୋଇ ଆସୁଥିଲା। ପରେ ପରେ ତ୍ରୟମାସିକ ପତ୍ରିକା "କାଳିଆସୁନା" ଅନୁଗୋଳରୁ ପ୍ରକାଶିତ ହେବା ପରେ ମୁଁ ଆଉ ବିଶ୍ରାମ ନେଇ ନାହିଁ। ଓଡି଼ଶାରୁ ପ୍ରାୟତଃ ଶହେଟିରୁ ଅଧିକ ଛୋଟ ଓ ବଡ଼ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ସାରିଛି।
ମୋର ଲେଖନୀ ବେଶୀ ଚଳଚଞ୍ଚଳ ହେଲା ସେତେବେଳେ ଯେତେବେଳେ କରୋନା ଆସିବା ଓ ପତ୍ରପତ୍ରିକା ପୂରାପୂରି ବନ୍ଦ ହୋଇଗଲା ଅଥଚ ମୁଣ୍ଡ ଟେକିଲା ହ୍ୱାଟସ ଆପ ଓ ଅନ ଲାଇନ ସାହିତ୍ୟ ଆସର ସୃଷ୍ଟି ହେବା। ଫଳରେ ହ୍ବାଟସ ଆପରେ ମୁଁ ମହାରାଷ୍ଟ୍ରର ମଧୁଛନ୍ଦା,ସମ୍ବଲପୁରର ସାହିତ୍ୟ ଜୀବନ କଟକର କବିତା ମୀନାର ଓ ଗଳ୍ପ ବଗିଚା,ଭୁବନେଶ୍ୱରର ନିଶିଗନ୍ଧା ଓ ଏବେ କଳାହାଣ୍ଡିର ସାହିତ୍ୟ ଅଗଣାରେ ଭରପୂର ଲାଭ ଉଠାଉଛି। ଯେଉଁ ସଂପାଦକ ମହୋଦୟ ଭାଇମାନେ କି ପ୍ରତିଦିନ ଗୋଟିଏ ପୋର୍ଟାଲରେ ପ୍ରକାଶିତ କରିଥାନ୍ତି। ଆଜି ପୋର୍ଟାଲରେ ପ୍ରକାଶିତ ଅତ୍ୟଳ୍ପ ହେଉଛି। ମୋର ପେଶା ଶିକ୍ଷକତା ଜୀବନ ଭିତରେ ନିଶା ଯେ ଗଳ୍ପ ଓ କବିତା ଲେଖାରେ ଅତିବାହିତ ହେବ ଏ କଥା କେବେ ବି ଭାବିପାରିନଥିଲି।
ଆପଣଙ୍କୁ ମୋର ବୈବାହିକ ଜୀବନ ଭିତରେ ଟିକିଏ କହି ରଖେ। ମୋର ବିବାହ ବହୁତ ଡେରିରେ ହେଲା। ବିବାହର କେଇମାସ ଭିତରେ ଭୟଙ୍କର ରୋଗରେ ପୀଡି଼ତ ହେଲି। ଏକାବେଳକେ ଅର୍ଶ, ଟି.ବି ଓ ଡାଏବେଟିସ ହେବା ଯୋଗୁଁ ମରଣ ମୁଖରେ ପଡି଼ ଯାଇଥିଲି। ମୋର ଧର୍ମପତ୍ନୀ କାନ୍ତିରାଣୀ ନାଏକ ମଧ୍ୟ ଜଣେ ଶିକ୍ଷୟିତ୍ରୀ। ତାଙ୍କର ଅପାର ଓ ଅକୁଣ୍ଠିତ ସ୍ନେହ, ପ୍ରେମ, ସେବା ଓ ଭଲ ପାଇବା ମୋତେ ମରଣ ମୁଖରୁ ଫେରାଇ ଆଣିଲେ। ଦୀର୍ଘ ତିନି ମାସ ଖାଇବା, ଝାଡା଼ ଓ ପରିଶ୍ରା କେବଳ ବିଛଣାରେ ହିଁ ହେଉଥିଲା। କଟକ ବଡ଼ ଡାକ୍ତରଖାନାରୁ ଚିକିତ୍ସା କରେଇ ମୋତେ ଆଜି ଏହି ସୋପାନରେ ପହଞ୍ଚାଇବା ହିଁ ତାଙ୍କର ସବୁଠୁ ବିରାଟ ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ପତ୍ନୀ କାନ୍ତିରାଣୀ ନାଏକ ପୁତ୍ର ଦିନେଶ କୁମାର ଖଣ୍ଡାଙ୍କୁ ନେଇ ମୋର ଏହି ଛୋଟିଆ ପରିବାର। ଆମେ ସର୍ବଦା ଭଲରେ ରହିବାକୁ ଚେଷ୍ଟା କଲେ ସୁଦ୍ଧା ଈଶ୍ୱର ମୋତେ ରୋଗରେ ସଢା଼ଇ ନିତି ମାରିକି ନିତି ବଞ୍ଚାଇ ଚାଲିଛନ୍ତି।
ଈଶ୍ୱର ମଙ୍ଗଳମୟ ତାଙ୍କୁ ଦୋଷ ଦେବା ବୋଧେ ଭୁଲ ହିଁ ହେବ। ଏହା ହିଁ ତ ମୋର ପୂର୍ବ ଜନ୍ମର କର୍ମଫଳ। ଈଶ୍ୱରଙ୍କୁ ଅଶେଷ ଅଶେଷ କୃତଜ୍ଞତା,ବଧେଇ,ଧନ୍ଯବାଦ ଆଉ ପ୍ରଣାମ କି ମୋତେ ଦୀର୍ଘ ପଚାଶ ବର୍ଷଯାଏଁ ବଞ୍ଚେଇ ରଖି ଆସିଛନ୍ତି।
ଆଜି ଆପଣଙ୍କ ଗହଣରେ ଥାଇ କବି,ଗାଳ୍ପିକ ହେବାର ଯତକିଞ୍ଚିତ ସାମାନ୍ଯ ପରିଚୟ ସୃଷ୍ଟି କରିବା ସେହି ପରମେଶ୍ୱର ଈଶ୍ୱରଙ୍କ ଅପାର କରୁଣାରୁ ହିଁ ସମ୍ଭବ ହୋଇ ପାରିଛି। ଆଜି ମୁଁ ଧନ୍ୟବାଦ ଦେବି କି ମଧୁଛନ୍ଦାର ସଭାପତି ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଯିଏ ଅକୁଣ୍ଠିତ ଚିତ୍ତରେ ମୋର ଜନ୍ମ ବାର୍ଷିକୀ ତଥା ସୁବର୍ଣ୍ଣ ଜୟନ୍ତୀରେ ଇ-ପତ୍ରିକା ଗଠନ କରିବାରେ ଅଗ୍ର ସାରଥି ହୋଇ ସଫଳ ରୂପାୟନରେ ସହଯୋଗ ହାତ ବଢାଇଛନ୍ତି ଆଉ ବି ସମସ୍ତ ପ୍ରିୟ କବି,ପ୍ରାବନ୍ଧିକ,ନାଟ୍ୟକାର,ବ୍ୟଙ୍ଗାକାର ଓ ଗାଳ୍ପିକମାନଙ୍କୁ ହୃଦୟ ଓ ଅନ୍ତରତମ ପ୍ରଦେଶରୁ ଧନ୍ୟବାଦ ଓ କୋଟିଏ ପ୍ରଣାମ ଯିଏ କି ମୋର ଜୀବନୀ ଓ ବାଣୀ ଉପରେ ସୁନ୍ଦର କଲମ ଚାଳନା କରି ନିଜ ନିଜର ବହୁମୂଲ୍ୟକୁ ନଷ୍ଟ କରି ମୋର ଏ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସକାଶେ ଧର୍ମ ଓ କର୍ମରେ ଆଗେଇ ଆସି ସଫଳତା ଆଣି ଦେଇଛନ୍ତି। ସଭିଙ୍କୁ ପୁଣି ଥରେ କୋଟିଏ ପ୍ରଣାମ ଓ ଧନ୍ୟବାଦ ଦେଇ ରହିଲି।(ଇତି)
