ସରଯୂ ତୀରେ(ରାମାୟଣର ଅମର କଥା)
ସରଯୂ ତୀରେ(ରାମାୟଣର ଅମର କଥା)
ମର୍ତ୍ତ୍ୟଧାମକୁ କୁହାଯାଏ ମୃତ୍ୟୁଧାମ । ଏଠାରେ ରୋଗ ଶୋକ ଜରା ମୃତ୍ୟୁରେ ଅହର୍ନିଶ ପ୍ରପୀଡ଼ିତ ମନୁଷ୍ୟ । ପ୍ରକୃତିରୁ ସୃଷ୍ଟ ଶରୀର,ମନ ଓ ଅହଂକାରକୁ ହିଂସା, ଦ୍ୱେଷ, କ୍ରୋଧ, ଲୋଭ, ମୋହ ଜାବୁଡ଼ି ଧରିଛନ୍ତି ଏଠାରେ । ଯେଉଁମାନେ ଜ୍ଞାନୀ ସେମାନେ ଏହି ଅନିତ୍ୟ ଲୋକରୁ ମୋକ୍ଷପ୍ରାପ୍ତ ହୋଇ "ଚିରନିତ୍ୟ" ବା ବୈକୁଣ୍ଠ ପୁରରେ ଅବସ୍ଥାନ କରୁଥିବା ପରମାତ୍ମା ବିଷ୍ଣୁଙ୍କ ତତ୍ତ୍ଵରେ ବିଲୀନ ହେବାପାଇଁ ଚାହାଁନ୍ତି । ଭଙ୍ଗୁର ସଂସାରକୁ ଚିହ୍ନିଥିବା ଅତୀନ୍ଦ୍ରିୟ ମାନେ ସେହି ବୈକୁଣ୍ଠ ଲୋକକୁ ଯାଇ ଅନନ୍ତ ସତ୍ତାରେ ବିଲୀନ ହୁଅନ୍ତି, କାରଣ ସେଠାରେ ନଥାଏ ଦୁଃଖ ଶୋକ ରୋଗ ରାଗ ମାୟା,ମୋହ,ଜରା, ବ୍ୟାଧି, ମୃତ୍ୟୁ ଭଳି ଜାଗତିକ ଅନୁଭବ ।
ତ୍ରେତୟା ଯୁଗର କଥା । ଦିନେ ଚିରନିତ୍ୟ ବୈକୁଣ୍ଠ ଧାମରେ ଶୟନରତ ଥାଆନ୍ତି ବିଷ୍ଣୁ । ମହାଲକ୍ଷ୍ମୀ ପ୍ରଭୁଙ୍କ ପାଦ ମଞ୍ଚାଳନ କରୁଥାନ୍ତି । ନିଦ୍ରା ଯିବା ଭଳି ପ୍ରତୀୟମାନ ହେଲେ ମଧ୍ୟ ବାସ୍ତବରେ ନିମିଳିତ ଚକ୍ଷୁରେ ଚିନ୍ତାଶୀଳ ଅବସ୍ଥାରେ ଥାଆନ୍ତି ପଦ୍ମପାଦ । ସେ ଯେବେ ଶୋଇବେ ବିଶ୍ବକୁ ଚେତନାର ବଂଶୀ ସ୍ୱର ଶୁଣାଇ ଜାଗ୍ରତ ରଖିବ କିଏ !!
ମହାଲକ୍ଷ୍ମୀ ଠିକ୍ ଜାଣିପାରିଲେ । ଧୀର କଣ୍ଠରେ ପଚାରିଲେ..ପ୍ରଭୁ କେଉଁ ଚିନ୍ତାରେ ମଗ୍ନ ରହିଛନ୍ତି ! ଶ୍ରୀବିଷ୍ଣୁ କହିଲେ.. କମଳିନୀ ! ଜଗତ ଚିନ୍ତା ବ୍ୟତୀତ ମୋର ଆଉ କ'ଣ କିଛି ଚିନ୍ତା ଥାଏ ?ଦେଖ ପଦ୍ମାଳୟା, ମର୍ତ୍ତ୍ୟଲୋକ କିପରି ଭୟଙ୍କର ବିପଦରେ ଥରହର । କେବଳ ମର୍ତ୍ତ୍ୟଲୋକ କାହିଁକି, ସ୍ୱର୍ଗରେ ଦେବତା ମାନେ ମଧ୍ୟ ରାବଣ ଓ କୁମ୍ଭକର୍ଣ୍ଣ ରୂପରେ ଜନ୍ମ ନେଇଥିବା ଜୟ, ବିଜୟଙ୍କର ଅତ୍ୟାଚାରରେ କାକୁସ୍ଥ ହୋଇ ରହିଛନ୍ତି । ରାବଣ ଓ କୁମ୍ଭକର୍ଣ୍ଣର ଅତ୍ୟାଚାରରୁ ଭୂଲୋକ ଓ ଦେବଲୋକକୁ ରକ୍ଷା କରିବା ସମୟ ଆସିଯାଇଛି ପ୍ରିୟେ ! ଦେବ ଲୋକର ଇନ୍ଦ୍ରାଦି ସମସ୍ତ ଦେବତାଙ୍କୁ ନିଜର ଭୃତ୍ୟ ଭାବରେ ନିୟୋଜିତ କରିଛି ରାବଣ । ବିଶ୍ରବା ମହର୍ଷି ଏବଂ ନିକଷା ରାକ୍ଷସୀର ଔରସରୁ ଜାତ ରାବଣରୂପୀ ଜୟ ଭୀଷଣ ତପସ୍ୟାରେ ବ୍ରହ୍ମା ଓ ଶିବଙ୍କୁ ସନ୍ତୁଷ୍ଟ କରି ମହାପରାକ୍ରମୀ ପାଲଟି ଯାଇଛି । ଚଉଦ ଗଣ୍ଡା ଯୁଗ ବଞ୍ଚିବା ପାଇଁ ବର ମାଗିଥିଲା ରାବଣ । ବ୍ରହ୍ମା ତାଙ୍କ ଚାରିମୁଖରେ ତଥାସ୍ତୁ କହିଦେଲେ । ତାହା ଛପନଗଣ୍ଡା ଯୁଗରେ ପରିଣତ ହୋଇଗଲା । ବର ମାଗିବା ସମୟରେ ରାବଣ କହିଥିଲା କୌଣସି ଦେବତା, ରାକ୍ଷସ ବା ଗନ୍ଧର୍ବ ଦ୍ୱାରା ତାର ବିନାଶ ହେବ ନାହିଁ । ମନୁଷ୍ୟ ଏବଂ ବାନରଙ୍କୁ ହେୟଜ୍ଞାନ କରି ସେ ସେମାନଙ୍କ ନାମ ନେଇ ନଥିଲା ।
ଛପନ ଗଣ୍ଡା ଯୁଗରୁ ଚଉଦ ଗଣ୍ଡା ଯୁଗ ରାବଣର ବୟସରୁ ଶେଷ ହେଲାଣି । ତାର ବିନାଶ ନହେଲେ ସୃଷ୍ଟି ଧ୍ୱଂସ ପାଇଯିବ ଦେବୀ ! ବର୍ତ୍ତମାନ ସମୟ ଉପସ୍ଥିତ ମୋର ରାମ ଅବତାର ନେବାର । ରାବଣକୁ ବିନାଶ କରିବା ସଙ୍ଗେ ସଙ୍ଗେ ସୃଷ୍ଟିରେ ସୁଶାସନ ବା ରାମରାଜ୍ୟ ପ୍ରତିଷ୍ଠା କରିବା ଏହି ଅବତାରର ମୂଳ ଲକ୍ଷ୍ୟ ରହିବ" ।
ବିଷ୍ଣୁଙ୍କଠାରୁ ଏହା ଶୁଣି ମହାଲକ୍ଷ୍ମୀ କହିଲେ...ପ୍ରଭୁ ! ଏହି ବ୍ରହ୍ମା, ଶିବ ଆଦି ଦେବତାମାନେ ନବୁଝି ନଶୁଝି ଏପରି ଧ୍ୱଂସକାରୀ ବର କାହିଁକି ପ୍ରଦାନ କରନ୍ତି?
ହସି ଦେଲେ ବିଷ୍ଣୁ । କହିଲେ... ଦେବୀ,ଏହା ପ୍ରଭୁତା ଏବଂ ଅଧିକାରର ଅପଚୟ ବ୍ୟତୀତ ଅନ୍ୟ କିଛି ନୁହେଁ । ସେମାନଙ୍କ ଠାରୁ ବର ପାଇ ବଳଶାଳୀ ହୋଇ ଦୈତ୍ୟମାନେ ସେମାନଙ୍କ ଉପରେ ଅତ୍ୟାଚାର କରନ୍ତି । କ୍ରନ୍ଦନ କରି ଶେଷରେ ମୋ ପାଖରେ ଦେବତାମାନେ ଗୁହାରି କରନ୍ତି । ସମାଧାନ କରିବା ପାଇଁ ମୁଁ ବାଧ୍ୟ ହୁଏ । "
ଲକ୍ଷ୍ମୀ କହିଲେ..ମତେ କିଛି ଅଜଣା ନାହିଁ ଚକ୍ରାୟୁଧ ! ସବୁ ଆପଣଙ୍କ ଖେଳ । ମର୍ତ୍ତ୍ୟରେ ଗୋଟିଏ ଲୋକ କଥା ଅଛି..ଡାହାଣୀ ହୋଇ ଲାଗିବା ଏବଂ ଗୁଣିଆ ହୋଇ ଝାଡିବା । ଏହି ଦୁଇକାମ ଆପଣ କରନ୍ତି । "
ଲକ୍ଷ୍ମୀଙ୍କ କଥା ଶୁଣି, କିଛି ନକହି ହସିଦେଲେ ମହାବିଷ୍ଣୁ । ମହାଲକ୍ଷ୍ମୀ କହିଲେ...ରାମ ଅବତାରରେ ପ୍ରଭୁ କେଉଁପରି ପ୍ରତୀୟମାନ ହେବେ ତାର ସୂଚନା ଦେବେ କି?"
ବିଷ୍ଣୁ ସଙ୍ଗେ ସଙ୍ଗେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଏହିପରି ଚାରୋଟି ରୂପରେ ପ୍ରକଟ ହେଲେ । ଏ ଖେଳରେ ଲକ୍ଷ୍ମୀ ବା କାହିଁକି ଭାଗ ନ'ନିଅନ୍ତେ ! ସେ ମଧ୍ୟ ସୀତା, ଉର୍ମିଳା, ମାଣ୍ଡବୀ, ଶ୍ରୁତକୀର୍ତ୍ତି ରୂପରେ ବିଦ୍ୟମାନ ହୋଇ ରାମ, ଲକ୍ଷ୍ମଣ,ଭରତ ଓ ଶତ୍ରୁଘ୍ନଙ୍କ କୋଳରେ ବସିଗଲେ ।
ଏହି ସମୟରେ ତ୍ରିଲୋକ ଭ୍ରମଣ ଶେଷକରି ମନଯାନରେ ଚଢି ବୀଣା ବାଦନ କରି ଦେବର୍ଷି ନାରଦ ବୈକୁଣ୍ଠରେ ପହଞ୍ଚିଲେ । ସେଠାରେ ବିଷ୍ଣୁଙ୍କର ଚାରିରୂପ ଦର୍ଶନ କରି ବିସ୍ମୟରେ ନାରଦଙ୍କ ଚକ୍ଷୁ ବିସ୍ତାରିତ ହୋଇ ଗଲା । ସାଷ୍ଟାଙ୍ଗ ପ୍ରଣିପାତ କରି ମୁହଁ ଉପରକୁ ଉଠାଇଲା ବେଳକୁ ସେ ଅଭିରାମ ଚତୁର୍ମୂର୍ତ୍ତି ଉଭେଇ ଯାଇଥିଲେ । ସେହିପରି ଅଭିଭୂତ ଅବସ୍ଥାରେ 'ନାରାୟଣ' 'ନାରାୟଣ' ଉଚ୍ଚାରଣ କରି ପିତା ବ୍ରହ୍ମାଙ୍କ ପାଖରେ ପହଞ୍ଚି ଏହି ରହସ୍ୟର ମୂଳ କେଉଁଠାରେ ବୋଲି ଜିଜ୍ଞାସା କଲେ ଦେବର୍ଷି ।
ବ୍ରହ୍ମା କହିଲେ... ବିଷ୍ଣୁଙ୍କ ମାୟା ତାଙ୍କ ନିଜକୁ ଅଗୋଚର; ମୁଁ ତାର ରହସ୍ୟ କିପରି କହିପାରିବି ପୁତ୍ର ! ବିଷ୍ଣୁଙ୍କ ରହସ୍ୟ କେବଳ ଭୋଳାନାଥ ଶିବଙ୍କୁ ହିଁ ଗୋଚର । ଚାଲ ତାଙ୍କ ପାଖରୁ ଏ ରହସ୍ୟର ମୂଳ ବୁଝିନେବା ।
ଉଭୟେ ବ୍ରହ୍ମା ଓ ନାରଦ ଶିବଙ୍କ ପାଖରେ କୈଳାସ କନ୍ଦରରେ ପହଞ୍ଚିଲେ । ବେଦପତି ବ୍ରହ୍ମା ଏବଂ ଦେବର୍ଷି ନାରଦଙ୍କୁ କୈଳାସ କନ୍ଦରକୁ ପାଛୋଟି ନେଇ ଆଗମନର କାରଣ ଜିଜ୍ଞାସା କଲେ ଶୂଳପାଣି ।
ଚିରନିତ୍ୟ ବୈକୁଣ୍ଠ ଭୁଵନରେ ଘଟିଥିବା ସମସ୍ତ ଘଟଣା ବର୍ଣ୍ଣନା କରି ପ୍ରଭୁଙ୍କର ଚାରିମୂର୍ତ୍ତି ଧାରଣ କରିବାର ରହସ୍ୟ ଉନ୍ମୋଚନ କରିବାକୁ ଅନୁରୋଧ କଲେ ବ୍ରହ୍ମା ।
ଶିବ କହିଲେ... ହେ ବିଧାତା ! ରାବଣ ଏବଂ କୁମ୍ଭକର୍ଣ୍ଣର ଅତ୍ୟାଚାରରୁ ଭୂଲୋକ ଏବଂ ଦେବଲୋକକୁ ରକ୍ଷା କରିବା ପାଇଁ ଶ୍ରୀବିଷ୍ଣୁ ମାନବ ଅବତାର ନେବାର ସମୟ ଆସିଯାଇଛି । ରାମ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ ନାମ ବହନ କରି ପ୍ରଭୁ ଅଯୋଧ୍ୟାରେ ରାଜା ଦଶରଥଙ୍କ ପୁତ୍ର ଭାବରେ ତିନି ରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରାଙ୍କ କୋଳ ମଣ୍ଡନ କରିବେ । ଶ୍ରୀରାମ ହେବେ ବିଷ୍ଣୁଙ୍କର "ପୂର୍ଣ୍ଣବ୍ରହ୍ମ" ଅବତାର । ଅନ୍ୟ ତିନି ଭାଇ ଲକ୍ଷ୍ମଣ,ଭରତ ଓ ଶତ୍ରୁଘ୍ନ ବିଷ୍ଣୁଙ୍କ କଳା ନେଇ ଜନ୍ମ ନେବେ । ଜନକ ଋଷିଙ୍କ ପାଳିତା କନ୍ୟା ସୀତା ଲକ୍ଷ୍ମୀଙ୍କର ପୂର୍ଣ୍ଣ ଅବତାର ହୋଇ ଶ୍ରୀରାମଙ୍କ ଅଙ୍କଲକ୍ଷ୍ମୀ ହେବେ । ସୀତାଙ୍କ ଅନ୍ୟ ତିନି ଭଉଣୀ ଉର୍ମିଳା, ମାଣ୍ଡବୀ ଓ ଶ୍ରୁତକୀର୍ତ୍ତି ଲକ୍ଷ୍ମୀଙ୍କ କଳା ନେଇ ଯଥାକ୍ରମେ ଲକ୍ଷ୍ମଣ,ଭରତ ଓ ଶତ୍ରୁଘ୍ନଙ୍କୁ ବିବାହ କରିବେ ।"
ଅଳ୍ପ ବିରାମ ପରେ ଶିବ କହିଲେ.. ମର୍ତ୍ତ୍ୟଲୋକ ଏବଂ ଦେବଲୋକର ଦୁଃଖର ଦିନ ଶେଷ ହେବାକୁ ଯାଉଛି ; ଏହାଠାରୁ ବଳି ଆନନ୍ଦର କଥା କ'ଣ ବା ଥାଇପାରେ ! ସବୁ ବିଷ୍ଣୁ-ମାୟା । ରାମଚନ୍ଦ୍ର ପୂର୍ଣ୍ଣବ୍ରହ୍ମ ଅବତାର ନେବାର ଅର୍ଥ ନୁହେଁ ଯେ ବୈକୁଣ୍ଠ ଖାଲି ପଡିଯିବ । ସେ ସର୍ବବ୍ୟାପୀ, ସର୍ବଶକ୍ତିମାନ ଏବଂ ସର୍ବଦ୍ରଷ୍ଟା । କୁହାଯାଇଛି... ବ୍ରହ୍ମାଣ୍ଡ ମାଳ ମାଳ ହୋଇ/ତା ଲୋମ ମୂଳେ ବିରାଜଇ । ସେ ଚାହିଁଲେ ବୈକୁଣ୍ଠ ପୁରରେ ଥାଇ ମଧ୍ୟ ଚକ୍ର ପ୍ରୟୋଗ କରି ରାବଣ ଏବଂ କୁମ୍ଭକର୍ଣ୍ଣଙ୍କୁ ବିନାଶ କରିପାରିବେ; ଏହା ତାଙ୍କ ପାଇଁ ଅତି ସାଧାରଣ କାମ । କିନ୍ତୁ ସୃଷ୍ଟିକର୍ତ୍ତା ଭାବରେ ଯୁଗେ ଯୁଗେ ସେ ଅବତାର ନେଇ ସୃଷ୍ଟିକୁ ତାଙ୍କ ସନ୍ଦେଶ ଦେବାପାଇଁ ଚାହାନ୍ତି । ଅତ୍ୟାଚାର ଏବଂ ନାରୀ ପ୍ରପୀଡନର ପରିଣାମ ଯେ ବିନାଶ,ଏହା ସେ ରାବଣକୁ ବଧ କରି ପ୍ରତିପାଦିତ କରିବାକୁ ଚାହାଁନ୍ତି । ମର୍ଯ୍ୟାଦା ପୁରୁଷୋତ୍ତମ ରୂପରେ ସେ ଜନସମାଜକୁ ଶିକ୍ଷା ଦେବାକୁ ଚାହାଁନ୍ତି, କିପରି ସୁଶାସନ କରାଯାଏ, ପ୍ରଜା ରଞ୍ଜନ କରାଯାଏ ।
ନାରଦ ଶିବଙ୍କୁ ପଚାରିଲେ..ଭଗବାନ ! ବିଷ୍ଣୁ 'ରାମଚନ୍ଦ୍ର' ନାମ କାହିଁକି ଗ୍ରହଣ କରିବେ,ଅନ୍ୟ ନାମ କାହିଁକି ନୁହେଁ ?କଣ ଏହି ରାମ ନାମରେ ମାହାତ୍ମ୍ୟ ?
ସ୍ମିତ ହସି ଶିବ କହିଲେ..ହେ ଦେବର୍ଷି ! "ରାମ" ଶବ୍ଦ ହେଉଛି ସୁନ୍ଦରତା ଓ ପବିତ୍ରତାର ନାମାନ୍ତର । ରାମ ଶବ୍ଦ ଭିତରେ ରହିଛି ଶକ୍ତି, ପୌରୁଷ,ସତ୍ୟ, ଶାନ୍ତି, ଧୃତି, ସୌନ୍ଦର୍ଯ୍ୟ, ସ୍ଥିରତା, ମୁକ୍ତି, ଭକ୍ତି,ମୋକ୍ଷ, କର୍ତ୍ତବ୍ୟନିଷ୍ଠା, ଦୟା, କ୍ଷମା ଆଦି ସ୍ୱର୍ଗୀୟ ଭାବ । ଏହି ନାମ ଉଚ୍ଚାରଣ ମାତ୍ରେ ମନ ଓ ହୃଦୟ ପବିତ୍ର ହୋଇଯାଏ । ମହାପାପୀର ମଧ୍ୟ ପାପ ଖଣ୍ଡନ ହୁଏ । ନରହନ୍ତା ମଧ୍ୟ ମହର୍ଷିରେ ପରିଣତ ହୁଏ ।
ଶିବଙ୍କର ଶେଷ କଥା ପଦକ ଶୁଣି ନାରଦ ଚକିତ ହୋଇ ପଚାରିଲେ...ସତରେ କ'ଣ ରାମନାମ ଉଚ୍ଚାରଣ କରି ନରହନ୍ତା ମହର୍ଷିରେ ପରିଣତ ହୋଇଯିବ ପ୍ରଭୁ !!
ଶିବ ହସିଦେଇ କହିଲେ... ମର୍ତ୍ତ୍ୟ ଲୋକକୁ ଯାଇ ତୁମେ ଏହି ଉକ୍ତିର ପରୀକ୍ଷଣ କରିପାର ଦେବର୍ଷି ।
