ସରଯୂ ନଦୀର ତୀରେ(୭୯)
ସରଯୂ ନଦୀର ତୀରେ(୭୯)
(ରାମାୟଣର ଅମର କଥା)
===============================
ବେନି ଜନେ ପଡ଼ିଛି ଏକା ଦଶା
===============================
ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଆଦର ସହିତ କାନ୍ଧରେ ବସାଇ ଘେନି ଆସିବାପାଇଁ ସୁଗ୍ରୀବ ହନୁମାନଙ୍କୁ ନିର୍ଦ୍ଦେଶ ଦେଲେ। କାଳବିଳମ୍ବ ନକରି ହନୁମାନ ରାମ ଲକ୍ଷ୍ମଣଙ୍କ ପାଖରେ ପହଞ୍ଚି କହିଲେ..ହେ ଦାଶରଥି ! ହେ ସୌମିତ୍ରି ! କପିରାଜ ସୁଗ୍ରୀବ ଅତ୍ୟନ୍ତ ବିନୟତା ସହିତ ଆପଣଙ୍କୁ ପାଛୋଟି ନେବାପାଇଁ ମୋତେ ନିର୍ଦ୍ଦେଶ ଦେଇଛନ୍ତି।ଆପଣଙ୍କ ବିଷୟରେ ମୋଠାରୁ ସବୁ ଶୁଣିବାପରେ ଆପଣଙ୍କ ଦର୍ଶନ ପାଇଁ ସେ ଉତ୍ସୁକ।ଆପଣଙ୍କଭଳି କରୁଣାନିଧାନ ପ୍ରଭୁଙ୍କ ପାଦ ସେବାକରି କପିଜନ୍ମରୁ ମୁକ୍ତି ଲାଭ କରିବା ପାଇଁ ସେ ଚାହାଁନ୍ତି।ଆସନ୍ତୁ ମୋ କାନ୍ଧରେ ବିଜେ କରନ୍ତୁ।କୋମଳ ପାଦରେ ଏହି ବନ୍ଧୁର କଣ୍ଟକିତ ଅରଣ୍ୟ ପଥ ଅତିକ୍ରମ କରିବା ଆପଣ ଦୁହିଁଙ୍କ ପାଇଁ କଷ୍ଟକର। ବିନା ଶୋଚନାରେ ମୋ କାନ୍ଧରେ ବିଜେ କରନ୍ତୁ ସ୍ବାମୀ ! ମୋ କାନ୍ଧ ପବିତ୍ର ହୋଇଯାଉ।"
ଏହା କହି ହନୁମାନ,ବିଷ୍ଣୁଙ୍କ ଆଗରେ ଗରୁଡ ପରି ନିଜ ପିଠି ବିସ୍ତାର କରି ଉଭା ହେଲେ। ଅତ୍ୟନ୍ତ ଆନନ୍ଦ ମନରେ ଶ୍ରୀରାମ ଏବଂ ଲକ୍ଷ୍ମଣ ହନୁମାନଙ୍କ କାନ୍ଧରେ ଆରୋହଣ କଲେ। ଅବର୍ଣ୍ଣନୀୟ ସେ ସମୟର ଦୃଶ୍ୟ;ଲାଗିଲା ସତେଯେପରେ ହରି ଓ ହର ଗରୁଡ ପୃଷ୍ଠ ଆରୋହଣ କରିଛନ୍ତି।ମଳୟ ପର୍ବତ ପାରହେଲେ ଋଷ୍ୟମୁକ ପର୍ବତରେ ପହଞ୍ଚିବା କଥା।ବାଟରେ ମଳୟ ପର୍ବତର ଅପୂର୍ବ ପ୍ରାକୃତିକ ଦୃଶ୍ୟ ଦର୍ଶନକରି ବିମୁଗ୍ଧ ହେଲେ ଦାଶରଥି।ଲକ୍ଷ୍ମଣଙ୍କୁ ଚାହିଁ ଶ୍ରୀରାମ କହିଲେ..ଅନୁଜ ! ଦେଖ ବିବିଧ ପ୍ରକାରର ଔଷଧି ବୃକ୍ଷଲତାରେ ପରିପୂର୍ଣ୍ଣ ଏହି ମଳୟ ପର୍ବତ। କୁଷ୍ଠରୋଗ ଭଳି ଦୁରାରୋଗ୍ୟ ବ୍ୟାଧିକୁ ଦୂର କରିପାରିବା ଭଳି ଔଷଧୀୟ ବୃକ୍ଷ ଏଠାରେ ରହିଛି। ପୁଣି ଦେଖ ସୌମିତ୍ରି ! 'ରୋଦନ୍ତି' ନାମକ ଏହି ଗଛଟିକୁ ଦେଖ; ଲାଗୁଛି ସତେ ଅବା ସବୁବେଳେ କ୍ରନ୍ଦନରତ,ସୀତା ବିରହରେ ମୋ ପରି। ଏହି ବୃକ୍ଷର ପତ୍ର ଅତ୍ୟନ୍ତ ଉପକାରୀ।ପିତଳ ପାତ୍ରକୁ ଏହାର ପତ୍ରରେ ଘଷି ଦେଲେ ତହିଁରୁ ସୁବର୍ଣ୍ଣର ଝଟକ ବାହାରି ଆସେ।ଲୋକନେତ୍ରରୁ ବହୁଦୂରରେ ରହି ଏଠାରେ ଥିବା ଅନେକ ଔଷଧୀୟ ବୃକ୍ଷଲତା ପ୍ରାଣୀଜଗତର ସେବାରେ ଲାଗି ପାରୁନାହାଁନ୍ତି।ଜନସମାଜ ହିତରେ ଏହି ଔଷଧୀୟ ବୃକ୍ଷଲତାର ବିନିଯୋଗ କରିବା ପ୍ରତି ରାଜାର କର୍ତ୍ତବ୍ୟ।"
ଶାଳ ପିଆଶାଳ ଶାଗୁଆନ ଖର୍ଜୁର ନାରିକେଳ ଲେମ୍ବୁ କଦଳୀ ନାରଙ୍ଗ ବାତାପି ବକୁଳ ପିଜୁଳି ଆମ୍ବ ଜମ୍ବିଳ ଇତ୍ୟାଦି ଅନେକ ବୃକ୍ଷଲତାରେ ପରିପୂର୍ଣ୍ଣ ମଳୟ ପର୍ବତ। ବିଭିନ୍ନ ପ୍ରକାର ପକ୍ବ ଫଳରେ ପରିପୂର୍ଣ୍ଣ ବୃକ୍ଷଲତାରେ ବସି ଆନନ୍ଦରେ କୂଜନ କରୁଥିଲେ ଶୁକ ଶାରୀ ମୟୂର ମୟୂରୀ କପୋତ କପୋତୀ ଆଦି ପକ୍ଷୀଗଣ।ହାତୀ ବାଘ ଭାଲୁ ଅଜଗର ଆଦି ଜନ୍ତୁମାନେ ଖାଦ୍ୟ ଅନ୍ବେଷଣରେ ଭ୍ରମଣ କରୁଥିଲେ ସେହି ଅରଣ୍ୟରେ। ହନୁମାନଙ୍କ କାନ୍ଧରେ ବସି ଏହି ସ୍ୱର୍ଗୀୟ ଦୃଶ୍ୟ ଉପଭୋଗ କରି ପଥ ଅତିକ୍ରମ କରୁଥାନ୍ତି ରଘୁବଂଶୀ।
ଅଳ୍ପସମୟ ଭିତରେ ସୁଗ୍ରୀବଙ୍କ ପାଖରେ ପହଞ୍ଚିଲେ ଶ୍ରୀରାମ ଏବଂ ଲକ୍ଷ୍ମଣ। ରାମଚନ୍ଦ୍ରଙ୍କ ବାଟକୁ ଚାହିଁ ବସିଥିଲେ ସୁଗ୍ରୀବ। ଗୁହାଦ୍ବାରରୁ କିଛି ଦୂର ଆଗକୁ ଆସି ,ମନ୍ତ୍ରୀମାନଙ୍କ ସହିତ ଶ୍ରୀରାମଙ୍କୁ ପାଛୋଟି ନେଲେ କପିଶ୍ରେଷ୍ଠ।ରାମ ଲକ୍ଷ୍ମଣଙ୍କୁ କାନ୍ଧରୁ ଓହ୍ଲାଇ, ହନୁମାନ ଚନ୍ଦନ ବୃକ୍ଷର ଡାଳ ଭାଙ୍ଗିଆଣି ତଳେ ବିଛାଇ ଦେଇ ପ୍ରଭୁଙ୍କ ଉପବେଶନର ବ୍ୟବସ୍ଥା କଲେ।
ରାମ ଲକ୍ଷ୍ମଣଙ୍କୁ ସାଷ୍ଟାଂଗ ପ୍ରଣାମ କରି ସୁଗ୍ରୀବ କହିଲେ.. କେଉଁ ଜନ୍ମର ସୁକୃତ ଯୋଗୁଁ ଆଜି ଆପଣ ଦୁହିଁଙ୍କ ଦର୍ଶନ ପାଇଲି ରଘୁବଂଶୀ ! ହନୁମାନଙ୍କଠାରୁ ଆପଣଙ୍କ ବିଷୟରେ ଚୁମ୍ବକେ ଚୁମ୍ବକେ ଶୁଣିଛି।ଏବେ ବିସ୍ତାରିତ ଭାବେ ଆପଣଙ୍କ ବିଷୟରେ ବର୍ଣ୍ଣନା କରନ୍ତୁ।"
ନିଜ ବଂଶ ବିଷୟରେ ସବିଶେଷ ବର୍ଣ୍ଣନା କରି ଶ୍ରୀରାମ ,ତାଙ୍କ ଜୀବନରେ ଜନ୍ମଠାରୁ ଏ ପର୍ଯ୍ୟନ୍ତ ଘଟିଯାଇଥିବା ସମସ୍ତ ଘଟଣାବଳୀ ବର୍ଣ୍ଣନାକରି କହିଲେ.. ହନୁମାନଙ୍କଠାରୁ ଆପଣଙ୍କ ବିଷୟରେ ଆମେ ସମ୍ପୂର୍ଣ୍ଣ ଅବଗତ।ଆପଣଙ୍କ ଦଶା ଆମ୍ଭ ଦଶାଠାରୁ ଅଧିକ ଦୁଃଖପୂର୍ଣ୍ଣ।ତେବେ ନିଜ ଅଗ୍ରଜ ବାଳି ସହିତ ଆପଣଙ୍କର କେଉଁ କାରଣରୁ ବିଦ୍ୱେଷ ହୋଇଛି ଆମେ ଜାଣିବାପାଇଁ ଆଗ୍ରହୀ।
ସୁଗ୍ରୀବ କହିଲେ..ରାଜୀବ ଲୋଚନ ! ମହର୍ଷି ଗୌତମଙ୍କ ଆଶ୍ରମରେ ଯେଉଁ ଅହଲ୍ୟା ଆପଣଙ୍କ ପାଦସ୍ପର୍ଶରେ ଉଦ୍ଧାର ପାଇଁ ପଷାଣୀରୁ ଜୀବନ୍ତ ହୋଇଛନ୍ତି ତାଙ୍କରି ସନ୍ତାନ ଆମେ ଦୁଇଭାଇ। ମୁଁ ରବିଙ୍କ ପୁତ୍ର ସୁଗ୍ରୀବ ଏବଂ ବାଳି ଇନ୍ଦ୍ରଙ୍କ ଔରସରୁ ଜାତ। ସୂର୍ଯ୍ୟଦେବ ଏବଂ ଇନ୍ଦ୍ରଦେବ ଅହଲ୍ୟାଙ୍କ ରୂପରେ ମୁଗ୍ଧ ହୋଇ ଛଦ୍ମବେଶରେ ତାଙ୍କ ସହିତ ପ୍ରଣୟରେ ଲିପ୍ତ ହେବାର ଫଳ ସ୍ବରୂପ ଆମ୍ଭ ଦୁହିଁଙ୍କର ଜନ୍ମ। ଏହି ପାପ ପ୍ରଣୟ କଥା ଅନେକ ଦିନ ପର୍ଯ୍ୟନ୍ତ ଅହଲ୍ୟାଙ୍କ ପତି ମହର୍ଷି ଗୌତମଙ୍କୁ ଅଗୋଚର ଥିଲା।ସେ ଆମ୍ଭ ଦୁହିଁଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ପ୍ରତ୍ୟେହ ସ୍ନାନ ସମୟରେ ଆମକୁ କାନ୍ଧରେ ବସାଇ ଗଙ୍ଗା ନଦୀ ତଟକୁ ଯାଉଥିଲେ। ମହର୍ଷିଙ୍କ ନିଜ କନ୍ୟା ଅଞ୍ଜନା ଈର୍ଷାନ୍ବିତା ହୋଇ ଦିନେ କହିଲେ..ଜାରଜ ସନ୍ତାନ ଦୁହିଁଙ୍କୁ କାନ୍ଧରେ ବସାଇ ସବୁଦିନ ନଦୀକୁ ଯାଉଛ, ଅଥଚ ନିଜ କନ୍ୟାକୁ ଚଲାଇ ଚଲାଇ ନେଉଛ"। ମହର୍ଷି ସବୁକଥା ଖୋଲି କହିବା ପାଇଁ କନ୍ୟାକୁ କହିଲେ। ଛଦ୍ମବେଶୀ ଇନ୍ଦ୍ର ଓ ସୂର୍ଯ୍ୟଙ୍କର ଅହଲ୍ୟାଙ୍କ ସହିତ ପାପ ପ୍ରଣୟ କଥା କନ୍ୟାଠାରୁ ଶୁଣି ଗୌତମ ମହର୍ଷି ଆମ ଦୁହିଁଙ୍କୁ ନଦୀ ଜଳକୁ ଫିଙ୍ଗିଦେଇ କହିଲେ..ଯେବେ ଏ ଦୁହେଁ ଜାରଜ ସନ୍ତାନ ହୋଇଥିବେ ତେଵେ ମର୍କଟରୂପ ଧାରଣ କରି ନଦୀ ଜଳରେ ଭାସିଯିବେ।"
ଆମେ ଦୁଇଭାଇ ମର୍କଟ ରୂପ ଧାରଣ କରି ନଦୀ ଜଳରେ ଭାସିଗଲୁ।ନଦୀରେ ସ୍ନାନ କରୁଥିଲେ କିଷ୍କିନ୍ଧ୍ୟା ରାଜା ଋକ୍ଷରାଜ।ସେ ଅପୁତ୍ରିକ ଥିଲେ। ଆମକୁ ଉଦ୍ଧାରକରି ନିଜର ପୁତ୍ର ଭଳି ସେ ପାଳନ କଲେ।କାଳକ୍ରମେ କିଷ୍କିନ୍ଧ୍ୟାର ରାଜସିଂହାସନରେ ବଳି ଉପବେଶନ କଲେ।ବଳବୀର୍ଯ୍ୟରେ ତାଙ୍କ ସମକକ୍ଷ ତ୍ରିପୁରରେ କେହି ନାହାଁନ୍ତି।ସହସ୍ରାର୍ଜୁନ ତାଙ୍କ ହାତରେ ପରାସ୍ତ ହୋଇ ଉପହାସିତ ହୋଇଛି।ଲଙ୍କେଶ୍ବର ରାବଣକୁ ମଧ୍ୟ ପରାସ୍ତ କରି ଏବଂ ଅପମାନିତ କରି ସେ ଛାଡିଦେଇଛନ୍ତି। ମୁଁ ତାଙ୍କ ମନ୍ତ୍ରୀ ଭାବରେ ତାଙ୍କ ପାଖେ ପାଖେ ରହିଥିଲି।ବଡ଼ ସ୍ନେହ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଆମ ଦୁଇଭାଇଙ୍କ ଭିତରେ ରହିଥିଲା। କିନ୍ତୁ ସମୟ ସବୁବେଳେ ସମାନ ଯାଏ ନାହିଁ।ଥରେ ଦୁନ୍ଦୁଭି ନାମକ ଏକ ଦୈତ୍ୟ ବାଳିଙ୍କୁ ଯୁଦ୍ଧପାଇଁ ଆହ୍ୱାନ କଲା।ଦୈତ୍ୟ ସହିତ ଯୁଦ୍ଧ କରି କରି ଏକ ଗିରି ଗୌହର ଭିତରେ ପ୍ରବେଶ କଲେ ଭ୍ରାତା ବାଳି। ବହୁଦିନ ପର୍ଯ୍ୟନ୍ତ ଗୁମ୍ଫା ଭିତରେ ଯୁଦ୍ଧ ଲାଗିରହିଲା। ଆମ୍ଭେମାନେ ଗୁମ୍ଫା ଦ୍ବାରରେ ଅପେକ୍ଷା କରି ରହିଥାଉଁ। ଦିନେ ଏକ ଭୀଷଣ ମୃତ୍ୟୁ କାଳୀନ ଚିତ୍କାର ସହିତ ଗୁମ୍ଫା ଭିତରୁ ରକ୍ତର ଧାର ବହି ଆସିଲା। ଆମ୍ଭମାନଙ୍କ ମନରେ ସନ୍ଦେହ ହେଲା ଯେ ବାଳି ବୀରଗତି ପ୍ରାପ୍ତ ହୋଇଛନ୍ତି।ତେଣୁ ଗୁମ୍ଫା ଦ୍ବାରକୁ ପଥରରେ ଭଲଭାବରେ ବନ୍ଦ କରି ଆମେ କିସ୍କିନ୍ଧ୍ୟା ଫେରିଲୁ। ରାଜସିଂହାସନ ରିକ୍ତ ରହିବା ଅନୁଚିତ।ତେଣୁ ନଗ୍ରବାସୀଙ୍କ ଅନୁରୋଧ ରକ୍ଷାକରି ମୁଁ ରାଜପଦ ଗ୍ରହଣ କଲି।
ବାସ୍ତବରେ ବାଳିଙ୍କର ମୃତ୍ୟୁ ହୋଇନଥିଲା।ରାକ୍ଷସକୁ ନିଧନ କରି, ଗୁମ୍ଫା ଦ୍ବାର ବନ୍ଦ ଥିବା ଦେଖି ଭୟଙ୍କର କ୍ରୋଧରେ ଦ୍ବାର ଭାଙ୍ଗି କିଷ୍କିନ୍ଧ୍ୟାରେ ପହଞ୍ଚି ସିଂହାସନରେ ବସିଥିବା ଦେଖି ମୋ ଉପରେ ଆକ୍ରମଣ କରିଦେଲେ ବାଳି। କିଛି କହିବାର ସୁଯୋଗ ମୋତେ ଦେଲେନାହିଁ।ମୃତ୍ୟୁ ଭୟରେ ସେଠାରୁ ପଳାୟନ କରିବା ବ୍ୟତୀତ ମୋର ଅନ୍ୟ ଉପାୟ ନଥିଲା।ମୋତେ ରାଜ୍ୟରୁ ବିତାଡିତ କରି ମୋ ପତ୍ନୀ ରୋମାକୁ ବଳାତ୍କାରେ ମୋଠାରୁ ଛଡ଼ାଇ ନେଇ ବିବାହ କରିଛି ବାଳି।ସମସ୍ତ ଐଶ୍ୱର୍ଯ୍ୟ ହରାଇ ମୋ ପ୍ରିୟତମା ପତ୍ନୀ ବିରହରେ ମୁଁ ଏଠାରେ ଦୁଃଖପୂର୍ଣ୍ଣ ଜୀବନ ଯାପନ କରୁଛି।"
ସୁଗ୍ରୀବଙ୍କଠାରୁ ତାଙ୍କ ଦୁଃଖପୂର୍ଣ୍ଣ ଜୀବନଗାଥା ଶୁଣି ରାଜୀବଲୋଚନ କହିଲେ..ବାନରରାଜ ! ଆମ ଦୁହିଁଙ୍କୁ ସମାନ ଦଶା ପଡ଼ିଛି। ଆମେ ଦୁହେଁ ସୂର୍ଯ୍ୟ ବଂଶୀ, ଦୁହିଁଙ୍କର ପତ୍ନୀ ଅପହୃତା ଏବଂ ଦୁହେଁ ରାଜ୍ୟ ହରାଇ ବଣରେ ବୁଲୁଛନ୍ତି।ଏହା କେବଳ ସଂଯୋଗ ନୁହେଁ,ଆମେ ପରସ୍ପରର ମିତ୍ରତା ଗ୍ରହଣ କରିବା ବୋଧହୁଏ ବିଧି ନିର୍ଦ୍ଦେଶିତ।ଆସନ୍ତୁ ଆମେ ଦୁହେଁ ଆଜିଠାରୁ ମିତ୍ର ହୋଇ ପରସ୍ପରର ଦୁଃଖ ଲାଘବ କରିବା ପାଇଁ ପ୍ରଯତ୍ନ କରିବା।
କ୍ରମଶଃ...
(କୁଳମଣି ଷଡଙ୍ଗୀ)
