ସରଯୂ ନଦୀର ତୀରେ (୩)
ସରଯୂ ନଦୀର ତୀରେ (୩)
ଶ୍ରୀବିଷ୍ଣୁ ନିକଟ ଭବିଷ୍ୟତରେ ଶ୍ରୀରାମ ରୂପରେ ଧରାବତରଣ କରିବେ ବୋଲି ଶିବଙ୍କ ଠାରୁ ଭବିଷ୍ୟବାଣୀ ଶୁଣି ବ୍ରହ୍ମାଙ୍କର ଆନନ୍ଦ ଏବଂ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ବ୍ରହ୍ମା ଏଥିପାଇଁ ଆନନ୍ଦିତ ହେଲେ ଯେ ଅଳ୍ପକାଳ ମଧ୍ୟରେ ଭୂଲୋକ ଏବଂ ଦେବଲୋକ ରାବଣର ଅତ୍ୟାଚାରରୁ ମୁକ୍ତି ପାଇବେ । ଆଶ୍ଚର୍ଯ୍ୟ ହେବାର କାରଣ ମଧ୍ୟ ଥିଲା । ଶିବଙ୍କ କହିବା ଅନୁଯାୟୀ ରାମନାମର ମାହାତ୍ମ୍ୟ ଏପରି ଯେ ତାହା ଜପ କଲେ ପାପୀଙ୍କ ମଧ୍ୟରେ ମହାପାପୀ ହୋଇଥିବା ବ୍ୟକ୍ତି ମଧ୍ୟ ତପସ୍ୱୀରେ ପରିଣତ ହୋଇଯିବ ; ରାମ ନାମ ଭିତରେ ଜୀବ ଏବଂ ପରମଙ୍କର ସଂଯୋଗ ରହିଛି । ବ୍ରହ୍ମା ଏହି ଉକ୍ତିର ସତ୍ୟତା ପରୀକ୍ଷା କରିବାକୁ ଚାହିଁଲେ ।
ଧ୍ୟାନ ବଳରେ ବ୍ରହ୍ମା ଜାଣିପାରିଲେ ଯେ ମର୍ତ୍ତ୍ୟଲୋକରେ ବାଟପଡା ନାମକ ଗ୍ରାମରେ ବାସ କରୁଥିବା ରତ୍ନାକର ନାମକ ଏକ ଦସ୍ୟୁ ଜଗତରେ ସବୁଠାରୁ ବଡ଼ ପାପୀ । ଦସ୍ୟୁବୃତ୍ତି କରି ସେ ପରିବାର ପାଳନ କରେ । ତିଳେ ହେଁ ଦୟାମାୟା ତା ମନରେ ନଥାଏ । ଅରଣ୍ୟ ପଥରେ ରହି ପଥିକମାନଙ୍କଠାରୁ ସେ ଧନ ଲୁଣ୍ଠନ କରେ । ତା ପାଇଁ ନରହତ୍ୟା ପିମ୍ପୁଡ଼ି ମାରିବା ସହିତ ସମାନ । ଗର୍ଭିଣୀ ସ୍ତ୍ରୀକୁ ହତ୍ୟା କରି ଧନ ଲୁଣ୍ଠନ କରିବା ବେଳେ ମଧ୍ୟ ତା' ମନରେ ନଥାଏ ତିଳେ ମାତ୍ର ସଙ୍କୋଚ ।
ଏହି ପରମ ପାପୀ ଯେବେ ରାମନାମ ଜପ କରେ ତା' ଉପରେ କଣ ପ୍ରଭାବ ପଡିବ ଜାଣିବା ପାଇଁ ବିଧାତା ମର୍ତ୍ତ୍ୟଲୋକକୁ ଆସିବାପାଇଁ ସ୍ଥିର କଲେ । ଦେବର୍ଷି ନାରଦ ପିତାଙ୍କ ମନ କଥା ଶୁଣି ରତ୍ନାକରର ବାସ୍ତବ ପରିଚୟ ଜାଣିବାକୁ ଚାହିଁଲେ ।
ଧ୍ୟାନ ବଳରେ ବ୍ରହ୍ମା ରତ୍ନାକରର ପରିଚୟ ଜାଣି ପାରିଲେ । ରତ୍ନାକର ଥିଲା ତପସ୍ୱୀ ଚ୍ୟବନଙ୍କ ପୁତ୍ର । ଏତେ ବଡ଼ ତପସ୍ୱୀଙ୍କ ପୁତ୍ର ହୋଇ ମଧ୍ୟ ସେ ଧର୍ମପଥରେ ଗଲା ନାହିଁ । ସଙ୍ଗ ଦୋଷ ତାକୁ ବିପଥଗାମୀ କରିଦେଲା । ଚୋର ଖଣ୍ଟ, ମଦ୍ୟପଙ୍କ ସହିତ ତାର ସବୁଦିନିଆ ବସାଉଠା କାରବାର ଚାଲିଲା । ଦିନେ ସେ ଚ୍ୟବନ ମହର୍ଷିଙ୍କ କୁଟୀର ତ୍ୟାଗ କରି ବାଟପଡା ଗ୍ରାମର ଜଣେ ଦସ୍ୟୁର ପରିବାରରେ ନିଜକୁ ସାମିଲ କରିନେଲା । ସେହି ଦସ୍ୟୁ ପୁତ୍ରହୀନ ଥିଲେ ମଧ୍ୟ ତାଙ୍କର ଗୋଟିଏ ଅତି ସୁନ୍ଦରୀ କନ୍ୟା ଥିଲା । ଅଳ୍ପଦିନ ମଧ୍ୟରେ ତା ସହିତ ପ୍ରେମ ବନ୍ଧନରେ ବାନ୍ଧିହୋଇ ତାକୁ ବିବାହ କରି, ନିଜ ପିତୃଗ୍ରାମ ସହିତ ସମସ୍ତ ସମ୍ପର୍କ ତୁଟାଇ ଦେଇ, ଶ୍ୱଶୁରାଳୟକୁ ନିଜର ସଂସାର ଭାବରେ ଗ୍ରହଣ କଲା ରତ୍ନାକର ।
ସେହିଠାରୁ ଆରମ୍ଭ ହୁଏ ରତ୍ନାକରର ଲୋମହର୍ଷଣକାରୀ କାର୍ଯ୍ୟକଳାପ । ଗ୍ରାମ ନିକଟରେ ଥିବା ଅରଣ୍ୟ ପଥକୁ ଲୁଣ୍ଠନ ପାଇଁ ସେ ବାଛିନିଏ । ଧନବାନ ବଣିକଠାରୁ ଆରମ୍ଭ କରି ଦରିଦ୍ର ଖଟିଖିଆ ପର୍ଯ୍ୟନ୍ତ କାହାକୁ ଛାଡ଼େ ନାହିଁ ରତ୍ନାକର । ସେ ବାଟରେ ଯାଉଥିବା ସାଧୁସନ୍ଥମାନଙ୍କର ମଧ୍ୟ ତ୍ରାହି ନଥାଏ । ଦଣ୍ଡ କମଣ୍ଡଳୁଭଳି ସାମାନ୍ୟ ପଦାର୍ଥ ପାଇଁ ମଧ୍ୟ ସେମାନଙ୍କୁ ହତ୍ୟା କରିବାକୁ ସେ ପଛଘୁଞ୍ଚା ଦିଏନାହିଁ ।
ପିତାଙ୍କଠାରୁ ଦସ୍ୟୁ ରତ୍ନାକର ବିଷୟରେ ଅବଗତ ହେବାପରେ ନାରଦ ମଧ୍ୟ ନୃଶଂସ ଦସ୍ୟୁ ରତ୍ନାକର ଉପରେ "ରାମନାମ" ଜପର ପ୍ରୟୋଗାତ୍ମକ ପ୍ରଭାବ ଜାଣିବାପାଇଁ ଇଚ୍ଛା କଲେ । ଉଭୟେ ବ୍ରହ୍ମଦେବ ଏବଂ ଦେବର୍ଷି ନାରଦ ତପସ୍ୱୀ ବେଶ ଧାରଣ କରି ରତ୍ନାକରର କର୍ମସ୍ଥଳୀ ଅରଣ୍ୟରେ ପହଞ୍ଚିଲେ ।
ସମୟ ଅପରାହ୍ନ । ଦିନସାରା ଅପେକ୍ଷା କରିଛି ରତ୍ନାକର; କିନ୍ତୁ ହାତକୁ କୌଣସି ଶିକାର ଲାଗି ନାହିଁ । ସେ ଦିନ ସେ ବାଟରେ କୌଣସି ପଥିକ ଯାତ୍ରା କରି ନାହାନ୍ତି । ବୃକ୍ଷ ଡାଳରେ ବସି ନିଜ ଭାଗ୍ୟକୁ ନିନ୍ଦା କରୁଥିବା ସମୟରେ ରତ୍ନାକର ଦେଖିଲା ଦୂରରୁ ଦୁଇଜଣ ତପସ୍ୱୀ ସେ ବାଟରେ ଆସୁଛନ୍ତି । ବୃକ୍ଷରୁ ଲମ୍ଫ ଦେଇ, ନିଜର ଖଡ୍ଗ ବିକୋଷିତ କରି, ସେମାନଙ୍କ ନିକଟକୁ ଯାଇ ହତ୍ୟା କରିବାକୁ ଉଦ୍ୟତ ହେଲା ।
ତପସ୍ୱୀରୂପୀ ବ୍ରହ୍ମା କହିଲେ..ବାବୁରେ ! ଆମକୁ ହତ୍ୟା କରିବା ପୂର୍ବରୁ କ୍ଷଣେ ଚିନ୍ତା କର; ନିଃସ୍ୱ ତପସ୍ୱୀଙ୍କୁ ହତ୍ୟା କରି ପାପ ବ୍ୟତୀତ କ'ଣ ପାଇବୁ ତୁ ?
ଚକ୍ଷୁ ରକ୍ତାଭ କରି ରତ୍ନାକର କହିଲା... ଆଜି ସାରା ଦିନ ମୋ ହାତ ଖାଲି । ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ । ତୁମ ଦୁହିଁଙ୍କ ପାଖରେ ଯାହା କିଛି ଅଛି ତାହା ମୋର ଆଜି ଦିନର ରୋଜଗାର । ପାପ ପୂଣ୍ୟ ଭଳି ବାଜେ କଥା ତୁମ ପାଖରେ ରଖ । ମୃତ୍ୟୁ ପାଇଁ ପ୍ରସ୍ତୁତ ହୁଅ ।
ବ୍ରହ୍ମା କହିଲେ... ଠିକ୍ ଅଛି, ତୁ ଯେବେ ଆମକୁ ନିଶ୍ଚିତ ଭାବରେ ହତ୍ୟା କରିବୁ ତାହେଲେ ଦୟାକରି ଆମର କେତୋଟି ପ୍ରଶ୍ନର ଉତ୍ତର ଦେଇ ଆମକୁ ହତ୍ୟା କର ।
ଅତିଷ୍ଠ ହୋଇ ରତ୍ନାକର କହିଲା...ଶୀଘ୍ର ପଚାର, କଣ ତୁମର ପଚାରିବାର ଅଛି ।
ବ୍ରହ୍ମା ପଚାରିଲେ.. ଦସ୍ୟୁବୃତ୍ତିରେ ନରହତ୍ୟା ଜନିତ ଏ ପାପଧନ ତୁ କ'ଣ କରିବୁ ବାବୁ ?
ଅଟ୍ଟହାସ କରି ରତ୍ନାକର କହିଲା..ଏହା ମୋର କୁଟୁମ୍ବ ପୋଷିବାର ମାଧ୍ୟମ । ପ୍ରତିଦିନ ଏହି କାର୍ଯ୍ୟରୁ ପ୍ରାପ୍ତ ଧନରେ ମୋର ଛ'ପ୍ରାଣୀର ପରିବାର ପୋଷଣ କରେ । ତୁମେ ତ ସନ୍ନ୍ୟାସୀ, ପରିବାର ବିଷୟରେ ତୁମେ କଣ ବା ଜାଣିବ ?
ବ୍ରହ୍ମା ପଚାରିଲେ.. ଏହି ଘୃଣ୍ୟ କର୍ମ ଯୋଗୁଁ ତୁ ଯେଉଁ ପାପ ଅର୍ଜନ କରୁଛୁ ସେ ପାପର ଅଂଶିଦାର ମଧ୍ୟ ତୋ କୁଟୁମ୍ବର ଛ' ପ୍ରଣୀ ସମଭାବରେ ହୋଇଥିବେ ।
ରତ୍ନାକର ଉତ୍ତର ଦେଲା.. ନିଶ୍ଚିତ ଭାବରେ । ସେମାନଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ମୋର ଏ ପାପ କର୍ମ । ନିଶ୍ଚିତ ଭାବରେ ସେମାନେ ସମଭାବରେ ସେହି ପାପର ଭାଗିଦାର ।
ହସିଲେ ତପସ୍ୱୀ ରୂପୀ ବ୍ରହ୍ମା । କହିଲେ..ଏ ଦୁନିଆଁ ରେ କେହି କାହର ପାପ ବା ପୂଣ୍ୟରୁ ଭାଗ ନିଏ ନାହିଁ ବାଇଆ । ସମସ୍ତେ ନିଜ କର୍ମର ଫଳ ନିଜେ ହିଁ ଭୋଗ କରନ୍ତି । ପାପ କର୍ମର ପରିଣାମ ଅତୀବ ଭୟାବହ । ଅନ୍ତ କାଳରେ ଯମ ଦୁଆରେ ଠିଆ ହେଲା ବେଳେ ତୁମେ ସମସ୍ତ ପାପର ଫଳ ନିଜେ ହିଁ ଭୋଗ କରିବ । ସେଠାରେ ତୁମ ପାପର ଭାଗିଦାର କେହି ହେବେ ନାହିଁ ।
କ୍ରୋଧରେ ଆରକ୍ତ ହେଲା ରତ୍ନାକରର ମୁଖମଣ୍ଡଳ । କହିଲା..ନିଜର ଜୀବନ ରକ୍ଷା କରିବାକୁ ଏଭଳି ପ୍ରଳାପ କରୁଛ ତୁମେ ତପସ୍ୱୀ । ମୋ ଶାଶୁ-ଶ୍ୱଶୁର ମୋତେ ପୁତ୍ର ଠାରୁ ବଳି ଭଲ ପାଆନ୍ତି;ମୋ ପତ୍ନୀ ଜୀବନରୁ ବଳି ଏବଂ ଦୁଇ ପୁତ୍ର ଅତୀବ ସ୍ନେହ ଓ ସମ୍ମାନ ଦିଅନ୍ତି । ସେମାନେ ମୋ ପାପର ଭାଗିଦାର ହେବେ ନାହଁ ତ କ'ଣ ତୁମେ ଦୁହେଁ ହେବ?
ତପସ୍ୱୀ ରୂପୀ ବ୍ରହ୍ମା କହିଲେ... ତା'ହେଲେ ତୁ ଥରେ ମାତ୍ର ସେମାନଙ୍କୁ ପଚାରି ଆସ । ଯଦି ସେମାନେ ତୋ ପାପରୁ ଭାଗ ନେବାପାଇଁ ରାଜି ହେବେ ତାହେଲେ ଆମକୁ ହତ୍ୟା କରି ଆମ ଠାରେ ଯାହା ଅଛି ନେଇଯିବୁ ।
ରତ୍ନାକର ତପସ୍ୱୀ ଦ୍ୱୟଙ୍କ ମୁହଁରେ କନାବିଣ୍ଡା ଦେଇ, ଗୋଡ଼ ହାତ ବାନ୍ଧି ବୃକ୍ଷ ଉପରେ ବସାଇ ନିଜ ଘରକୁ ଚାଲିଗଲା ।
ରତ୍ନାକରକୁ ରିକ୍ତ ହସ୍ତରେ ଫେରିବାର ଦେଖି ଶ୍ୱଶୁର ପଚାରିଲେ..ବାବା ରତ୍ନୁ ! ଆଜି କ'ଣ ଖାଲି ହାତରେ ?
ଶ୍ୱଶୁରଙ୍କ ପ୍ରଶ୍ନକୁ ଏଡେଇ ଦେଇ ରତ୍ନାକର ପଚାରିଲା..ପିତା ସଦୃଶ ହେ ମୋର ଶ୍ୱଶୁର ମହାଶୟ ! ଆପଣଙ୍କ ଭରଣ ପୋଷଣ ପାଇଁ ମୁଁ ଯେଉଁ ଦସ୍ୟୁ କର୍ମ କରୁଛି,ତତ୍ ଜନିତ ପାପରେ ଆପଣ ଭାଗିଦାର ନା ନାହିଁ?
ଶ୍ୱଶୁର କହିଲେ...ଏ କି ପ୍ରଶ୍ନ ବାଇଆ ! ସଂସାରରେ କେହି କାହାର ପାପକର୍ମର ଭାଗିଦାରୀ ନେଲାଣି ଯେ ମୁଁ ନେବି ? ମୋ କନ୍ୟାକୁ ପ୍ରେମ ବିବାହ କରି ମୋର ଘରଜୋଇଁ ହେବାକୁ କିମ୍ବା ମୋ ଠାରୁ ଦସ୍ୟୁ ବୃତ୍ତି ଶିକ୍ଷା କରି ତାକୁ ନିଜର ପେଶା ଭାବରେ ଗ୍ରହଣ କରିବାକୁ ମୁଁ ତୁମକୁ ବାଧ୍ୟ କରିନଥିଲି । ମୋ ଘରେ ରହିଛ, ତେଣୁ ମୋତେ ପୋଷିବା ତୁମର କର୍ତ୍ତବ୍ୟ । ତୁମେ କେଉଁ କର୍ମ କରି ରୋଜଗାର କରିବ ତାହା ତୁମ ଉପରେ ନିର୍ଭର କରେ । ତୁମ କର୍ମଜନିତ ପାପରେ ମୁଁ କାହିଁକି ଭାଗିଦାର ହେବି ?"
ଶାଶୁଙ୍କ ପାଖରେ ପହଞ୍ଚି ରତ୍ନାକର ସେହି ଗୋଟିଏ ପ୍ରଶ୍ନ ଦୋ଼ହରାଇଲା । ଶାଶୁ କହିଲେ... ମୁଁ ଭାବିଥିଲି ଆଜି କିଛି ଭଲ ମାଲ୍ ମସଲା ପାଇ ମୋତେ ଭଲମନ୍ଦ ଦେବାପାଇଁ ଆସିଚୁ ; ଆରେ ତୋ' ପାପରୁ ଭାଗ ଦବାକୁ ଆସିଚୁ? ମୋ ଗେରସ୍ତ ପାପରୁ ତ ମୁଁ ଭାଗ ନେବାପାଇଁ ପ୍ରସ୍ତୁତ ନୁହେଁ, ତୋ ପାପ କଣ ଯାଚୁଛୁ? ତୋ' ପାପ ତୋ ପାଖରେ ରଖେ ।
ନିରାଶ ହୋଇ ରତ୍ନାକର ଦୁଇ ପୁଅଙ୍କ ପାଖରେ ସେହି ପ୍ରଶ୍ନ ପଚାରିଲା । ପୁତ୍ର ଦ୍ୱୟ କହିଲେ...ପିତା ଭାବରେ ଆମକୁ ପାଳନ ପୋଷଣ କରି ମଣିଷ କରିବା ଦାୟିତ୍ୱ ତୁମର । ତୁମ କର୍ମର ପାପ ବା ପୂଣ୍ୟରେ ଆମେ କାହିଁକି ଭାଗିଦାର ହେବୁ ?ତୁମ କର୍ମ ଯୋଗୁଁ ବରଂ ଆମେ ସମାଜରେ ମୁହଁ ଟେକି ଚାଲି ପାରୁନାହୁଁ । ଛି ଛି,ଲଜ୍ଜା ନାହିଁ, ତୁମେ ପୁଣି ପାପରୁ ଭାଗନେବା ପ୍ରସ୍ତାବ ଦେଉଛ ?
ଘୋର ଲଜ୍ଜା ଓ ଅପମାନରେ ଜର୍ଜରିତ ରତ୍ନାକର ପତ୍ନୀ ପାଖରେ ପହଞ୍ଚି କହିଲା.. ପ୍ରିୟତମା,ମୋର ଅର୍ଦ୍ଧାଙ୍ଗିନୀ ! ତୁମେ ତ ନିଶ୍ଚୟ ମୋ ପାପର ଅଧା ଭାଗିଦାର ହେବ ।
ପତ୍ନୀ ଚିହିଁକି ଉଠି କହିଲା... ଅର୍ଦ୍ଧାଙ୍ଗିନୀ ଅର୍ଥ କ'ଣ ଏଇୟା ? ତୁମ ହାତ ଧରି ମୋ ଜୀବନ ନର୍କ ପାଲଟି ଯାଇଛି । ସାଇ ପଡ଼ିଶାରେ ମୁହଁ ଟେକି ଚାଲି ପାରୁନାହିଁ । ସମସ୍ତେ ଚୋରର ସ୍ତ୍ରୀ କହି ଘୃଣା ଓ ଭୟରେ ଦୂରେଇ ରହୁଛନ୍ତି । କିଏ ତୁମକୁ କହୁଥିଲା ଏ ପାପ କର୍ମ କରିବାପାଇଁ ? ବାଣିଜ୍ୟ ବ୍ୟବସାୟ ନହେଲା ନାଇଁ, ମୂଲ ଲାଗି ଚାଉଳ ଦିମୁଠା ଦେଇଥିଲେ ମୁଁ ପିଲାଛୁଆ ଧରି ଶାନ୍ତିରେ ମୋ ଜୀବନ କଟାଇଥାନ୍ତି । ତୁମେ ଏ ଭଳି ଘୃଣ୍ୟ କର୍ମ କରିବ ବୋଲି ଜାଣିଥିଲେ ମୁଁ ତୁମ ହାତ ଧରି ନଥାନ୍ତି । ମୋ ଜୀବନକୁ ନର୍କରେ ପକାଇ ଆଜି କହୁଛ ପାପରୁ ଭାଗ ନେବାପାଇଁ ?କିଏ କେବେ ପାପରୁ ଭାଗ ନେଲାଣି ଯେ ମୁଁ ନେବି ?
ସମସ୍ତଙ୍କ ଅପେକ୍ଷା ଅର୍ଦ୍ଧାଙ୍ଗିନୀର ଝିଙ୍ଗାସ ବହୁତ ବାଧିଲା ରତ୍ନାକରକୁ । ହାତରେ ଧରିଥିବା ଲୌହଦଣ୍ଡ ଓ ଛୁରୀ, ଯେଉଁଥିରେ ସେ ନରହତ୍ୟା କରୁଥିଲା ଦୂରକୁ ଫିଙ୍ଗିଦେଲା । ଯେଉଁମାନଙ୍କ ପାଇଁ ଏତେ ପାପ କର୍ମ ସେ କରିଛି ସେମାନେ ତାକୁ ଦୁଧହାଣ୍ଡିରେ ପଡିଥିବା ମାଛି ଭଳି ଫିଙ୍ଗି ଦେବାର ଦେଖି ଏକ ମହାନ୍ ସତ୍ୟକୁ ସେ ହୃଦୟଙ୍ଗମ କଲା...କର୍ମଫଳ ହିଁ ଜୀବନର ଏକମାତ୍ର ସାଥୀ, ଅନ୍ୟ କେହି ନୁହନ୍ତି । କର୍ମଜ ପୂଣ୍ୟ ସର୍ବଦା ଆୟୁଷ୍ମାନ, ପାପକର୍ମର ବୟସ କମ । କୃତକର୍ମ ଜନିତ ପାପକୁ କେଉଁ ଜାହ୍ନବୀ ଜଳରେ ସେ ଧୋଇବ, ଚିନ୍ତା କରୁଥିଲା । ଧୀର ପାଦରେ ଅରଣ୍ୟ ଦିଗରେ ଆଗେଇ ଯାଉଥିଲା, ଯେଉଁଠାରେ ତପସ୍ୱୀ ଦ୍ୱୟଙ୍କୁ ସେ ବନ୍ଧନ କରି ରଖିଥିଲା । .......
