ସରଯୂ ନଦୀର ତୀରେ (୨୩)
ସରଯୂ ନଦୀର ତୀରେ (୨୩)
ସରଯୂ ନଦୀର ତୀରେ
(ରାମାୟଣର ଅମର କଥା)
୨୩
=================================
ରାଜୋଦ୍ୟାନରେ ରାଜୀବନୟନୀ
=================================
ପ୍ରାସାଦ ଭିତରେ ସ୍ବତନ୍ତ୍ର ପ୍ରକୋଷ୍ଠରେ ସୁରକ୍ଷିତ ଶିବଧନୁ ଦର୍ଶନ କରିବା ସମୟରେ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କ ସହିତ ରାଜର୍ଷି ଜନକ ଏବଂ ବ୍ରହ୍ମର୍ଷି ବିଶ୍ଵାମିତ୍ର ମଧ୍ୟ ଉପସ୍ଥିତ ଥିଲେ।ଚପଳମତି ଲକ୍ଷ୍ମଣ ଧନୁ ଉପରେ ଗୋଟିଏ ମନ୍ତବ୍ୟ ଦେଇଦେଲେ। କହିଲେ..କଣ ଏପରି ଏହି ଧନୁରେ ବିଶେଷତ୍ଵ ଅଛି ଯେ ଏହାକୁ ଉତ୍ତୋଳନ କରି ଗୁଣ ଚଢାଇବାରେ କୌଣସି ବୀର ଏ ପର୍ଯ୍ୟନ୍ତ ସମର୍ଥ ହୋଇନାହାନ୍ତି !"
ଏହା ଶୁଣି ଜନକ ହସିଦେଇ କହିଲେ..ରାଜପୁତ୍ର ! ଏବେ ମଧ୍ୟ ତୁମେ କ୍ଷୀରକଣ୍ଠ ଚପଳମତି ବାଳକ। ଏପର୍ଯ୍ୟନ୍ତ ନିଜ ହାତରେ ଭୋଜନ କରିବା ଜାଣିଥିବ ନା ନାହିଁ ସନ୍ଦେହ। ତୁମେ ଏ ଧନୁର ମାହାତ୍ମ୍ୟ କଣ ବା ଜାଣିବ ?ଏ ଧନୁରେ ଗୁଣ ଚଢାଇବା ପାଇଁ ସ୍ବୟଂ ଲଙ୍କେଶ୍ବର ରାବଣ ମଧ୍ୟ ସମର୍ଥ ହୋଇପାରି ନାହାଁନ୍ତି।"
ଲଙ୍କେଶ୍ବର ରାବଣର ବୀରତ୍ବ କଥା ଲକ୍ଷ୍ମଣଙ୍କୁ ପସନ୍ଦ ଆସିଲା ନାହିଁ।ସେ କହିଲେ..ଲଙ୍କେଶ୍ବର ରାବଣ ଭଳି କେତେ ରାକ୍ଷସଙ୍କୁ ମହାଶୂନ୍ୟରେ ଉଡ଼ାଇ ଦେବାର କ୍ଷମତା ମୋର ଅଗ୍ରଜ ରାମଚନ୍ଦ୍ରଙ୍କ ପାଖରେ ରହିଛି।ନିକଟ ଅତୀତରେ ତାଡକା ଓ ସୁବାହୁ ବଧ ତା'ର ଚାକ୍ଷୁଷ ଉଦାହରଣ।"
ରାମଚନ୍ଦ୍ର କ୍ଷମାମାଗିବା ମୁଦ୍ରାରେ କହିଲେ..ମୋ ଅନୁଜର ମନ୍ତବ୍ୟକୁ ଗୁରୁତ୍ବ ଦିଅନ୍ତୁ ନାହିଁ ରାଜର୍ଷି;ବାସ୍ତବରେ ସେ ଚପଳମତି। ଯେଉଁ ଧନୁ ଦିନେ ମହେଶ୍ବରଙ୍କ ହାତରେ ପିନାକ ସଦୃଶ ଶୋଭା ପାଉଥିଲା, ତାହା ନିଶ୍ଚିତ ଭାବରେ ସ୍ବତନ୍ତ୍ର ଧନୁ।ଆପଣ ଯେଉଁ ସ୍ବୟମ୍ବର ଆୟୋଜନ କରିଛନ୍ତି ସେଠାରେ କେଉଁ ବୀର ଏ ଧନୁରେ ଗୁଣ ଚଢାଇ ପାରିଵେ ତାହା ଦେଖିବାର ଇଚ୍ଛା ଚତୁର୍ଗୁଣିତ ହୋଇଛି ଏହି ଧନୁକୁ ଦର୍ଶନ କରି। ସ୍ଵୟମ୍ବର ଦର୍ଶନ ପାଇଁ ଆଜ୍ଞା ଦେଇଥିବାରୁ ଆମେ ଆପଣଙ୍କ ପାଖରେ କୃତଜ୍ଞ ରାଜର୍ଷି।"
ଶ୍ରୀରାମଙ୍କ ବିନମ୍ରତା ଦେଖି ଜନକଙ୍କ ହୃଦୟରେ ଆନନ୍ଦର ଶତଦଳ ଫୁଟି ଉଠିଲା। କହିଲେ.. ଆଜି ମୋ ଆତିଥ୍ୟ ଗ୍ରହଣ କରନ୍ତୁ ଉତ୍ତର କୋଶଳ ଯୁବରାଜ। ଗୋଟିଏ ଦିନ ପରେ ସ୍ବୟମ୍ବର ସଭା ଅନୁଷ୍ଠିତ ହେବ।ସେ ପର୍ଯ୍ୟନ୍ତ ରାଜଉଦ୍ୟାନର ଶୋଭା ଦର୍ଶନ କରି ମନ ପ୍ରଫୁଲ୍ଲିତ କରନ୍ତୁ।
ଜନକ ବିଦାୟ ନେବାପରେ ପ୍ରାସାଦର ଅତିଥି ଗୃହରେ ବିଶ୍ରାମ ନେଲେ ଶ୍ରୀରାମ,ଲକ୍ଷ୍ମଣ ଏବଂ ଗୁରୁ ବ୍ରହ୍ମର୍ଷି ବିଶ୍ଵାମିତ୍ର।ରାଜୋଦ୍ୟାନରେ ସ୍ଥିତ ମନ୍ଦିରରେ ସନ୍ଧ୍ୟା ପୂଜାର୍ଚ୍ଚନା ଶେଷକରି,ଗୁରୁଙ୍କ ପାଦ ମଞ୍ଚାଳନ କରିବା ପରେ ତାଙ୍କଠାରୁ ଆଦେଶ ନେଇ ରାତ୍ରିଦେବୀଙ୍କୁ ବନ୍ଦନା କରି ନିଦ୍ରା ଦେବୀଙ୍କ କୋଳରେ ହଜିଗଲେ ଅଯୋଧ୍ୟାର ଦୁଇ ରାଜକୁମାର।
ପରଦିନ ପ୍ରାତଃ କାଳରୁ ଶଯ୍ୟା ତ୍ୟାଗକରି,ସ୍ନାନାଦି ସମାପ୍ତ କରି,ଗୁରୁଙ୍କ ପାଦ ବନ୍ଦନା କରିବା ପରେ ପୂଜାପାଇଁ ପଦ୍ମଫୁଲ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରାସାଦର ଉଦ୍ୟାନ ଦିଗରେ ଦୁଇ ଭାଇ ଅଗ୍ରସର ହେଲେ।ଶତଦଳରେ ପରିପୂର୍ଣ୍ଣ ପୁଷ୍କରିଣୀର ଶୋଭା ଥିଲା ଅବର୍ଣ୍ଣନୀୟ।କାଚ କେନ୍ଦୁ ଭଳି ସଲିଳ;ଦଳ ଦଳ ଭ୍ରମର ଫୁଲରୁ ଫୁଲକୁ ଉଡ଼ି ବୁଲୁଥିଲେ।କୋମଳ ସୂର୍ଯ୍ୟକିରଣରେ ଝଲକି ଯାଉଥିଲା ପୁଷ୍କରିଣୀର ଜଳ।ଦଳ ଦଳ ହୋଇ ହଂସ , ହଂସରାଳି ଓ ପାଣିକୁଆ ଭଉଁରୀ ଦେଇ ଦୀପଦଣ୍ଡି ଚାରିପାଖରେ ସନ୍ତରଣ କରୁଥିଲେ।ଶାନ୍ତ ସୁନ୍ଦର ପରିବେଶ।ରାଜ ପରିବାର ପାଇଁ ଉଦ୍ଦିଷ୍ଟ ଥିବାରୁ ସାଧାରଣ ବ୍ୟକ୍ତିମାନଙ୍କ ପ୍ରବେଶ ସେ ସ୍ଥାନକୁ ନଥିଲା।କୂଳରେ ଥିବା ଗୌରୀ ମନ୍ଦିରର ପ୍ରତିବିମ୍ବ ଜଳରେ ପଡି ପୁଷ୍କରିଣୀର ଢେ଼ଉରେ ଏକ ଦୋଳାୟିତ ମନ୍ଦିରର ଭ୍ରମ ସୃଷ୍ଟି କରୁଥିଲା।
ପୁଷ୍ପ ଚୟନ ପରେ ଫେରିଆସୁଥିଲେ ଶ୍ରୀରାମ। ଏହି ସମୟରେ ଉଦ୍ୟାନ ଭିତରେ ରମଣୀମାନଙ୍କ ରମଣୀୟ କଣ୍ଠସ୍ବନ ଶୁଣି ସେହି ଦିଗକୁ ସ୍ବତଃ ଦୁଇ ଭାଇଙ୍କର ଦୃଷ୍ଟି ଆକର୍ଷିତ ହୋଇଗଲା।ବୃକ୍ଷଲତା ଗହଳରେ ଯୋଜନଗନ୍ଧା ଜନକନନ୍ଦିନୀ ସୀତା ପୂଜା ଉଦ୍ଦେଶ୍ୟରେ ଗୌରୀ ମନ୍ଦିର ଦିଗରେ ଯାଉଥିଲେ। ପୁଷ୍କରିଣୀର ପଦ୍ମଗନ୍ଧ ଏବଂ ସୀତାଙ୍କ ଅବୟବର ପଦ୍ମଗନ୍ଧ ଏକତ୍ରିତ ହୋଇ ବାୟୁମଣ୍ଡଳକୁ ଅପୂର୍ବ ସୁବାସରେ ଭରି ଦେଇଥିଲେ।ଥରେ ମାତ୍ର ସୀତାଙ୍କ ପ୍ରତି ଦୃଷ୍ଟିପାତ କରି ଚକ୍ଷୁ ଫେରାଇ ପାରିଲେ ନାହିଁ ରାମଚନ୍ଦ୍ର।ଶୁଣିଥିଲେ ଜନକ ନନ୍ଦିନୀ ଅତ୍ୟନ୍ତ ସୁନ୍ଦରୀ।ଏବେ ଚକ୍ଷୁ କର୍ଣ୍ଣର ବିବାଦ ମେଣ୍ଟିଗଲା। ଲକ୍ଷ୍ମଣଙ୍କୁ ଚାହିଁ କହିଲେ...ଦେଖ ଅନୁଜ ! ଯାହାଙ୍କ ପାଇଁ ଶିବ ଧନୁ ଉତ୍ସବର ଆୟୋଜନ ହେଇଛି ଏ ହେଉଛନ୍ତି ସେହି ଜନକ ନନ୍ଦିନୀ ସୀତା।ତାଙ୍କ ଅପୂର୍ବ ରୂପଲାବଣ୍ୟରେ ସମଗ୍ର ଉପବନ ଉଦ୍ଭାସିତ।ତାଙ୍କ ଦର୍ଶନ ମୋ ମନରେ ଅପୂର୍ବ ଆନନ୍ଦ ଭାବ ଆଣି ଦେଇଛି ଏବଂ ମୋର ଦକ୍ଷିଣ ଅଙ୍ଗ ସ୍ଫୁରିତ ହେଉଛି;ଏହାର କାରଣ କଣ ହୋଇପାରେ, ମୁଁ ଜାଣେନା !"
ସେହି ସମୟରେ ସଖୀଙ୍କ ମଧ୍ୟରୁ ଜଣେ ସୀତାଙ୍କ ଦୃଷ୍ଟି ରାମଚନ୍ଦ୍ରଙ୍କ ପ୍ରତି ଆକର୍ଷିତ କରି କହିଲା..ଦେଖ ସଖୀ ! ଏ ହେଉଛନ୍ତି ଜ୍ୟେଷ୍ଠ ଅଯୋଧ୍ୟା ରାଜକୁମାର ଶ୍ରୀ ରାମଚନ୍ଦ୍ର ; ସାଙ୍ଗରେ ଅଛନ୍ତି ତାଙ୍କ ଅନୁଜ ଲକ୍ଷ୍ମଣ। ଶୁଣିଛି ଦୁଇ ଭାଇ ମହା ପରାକ୍ରମୀ। ବିଶ୍ଵାମିତ୍ରଙ୍କ ସିଦ୍ଧାଶ୍ରମରେ ଯଜ୍ଞ ରକ୍ଷା ପାଇଁ ରାମଚନ୍ଦ୍ର ତାଡକା ରାକ୍ଷସୀ ଓ ସୁବାହୁ ରାକ୍ଷସଙ୍କୁ ବଧ କରିଛନ୍ତି।ମାରିଚ ରାକ୍ଷସଙ୍କୁ ଏକଶହ ଯୋଜନ ନାରାଚ ମୁନରେ ଉଡ଼ାଇ ସମୁଦ୍ର କୂଳକୁ ଫିଙ୍ଗି ଦେଇଛନ୍ତି।ସାରା ବନ ପ୍ରଦେଶରେ ଶାନ୍ତି ପ୍ରତିଷ୍ଠା କରି ଆମ ଦେଶକୁ ଆସିଛନ୍ତି ତୁମ ସ୍ବୟମ୍ବର ଦେଖିବା ସଙ୍ଗେ ସଙ୍ଗେ ଯଜ୍ଞ ଦର୍ଶନ କରିବା ପାଇଁ।
ସତରେ କି ସୁନ୍ଦର ଦେଖିଯାଉଛନ୍ତି ଦୁଇ ରାଜପୁତ୍ର ! କୋଟି କନ୍ଦର୍ପକୁ ନିନ୍ଦା କରୁଛି ରାମଙ୍କର ରୂପ। ଶ୍ୟାମଳ କୋମଳ ଶରୀର, ମୃଦୁ ମୃଦୁ ହସପୂର୍ଣ୍ଣ ମୁହଁରେ ଅପୂର୍ବ ଲାସ୍ୟ !ଆଜାନୁ ଲମ୍ବିତ ବାହୁ,ଅଙ୍ଗରେ ରାଜକୀୟ ପରିଚ୍ଛଦ,ମଥାରେ ସୁବର୍ଣ୍ଣ ମୁକୁଟ;ସତରେ ସଖୀ ! କାଲି ଯଦି ତୁମ ସ୍ବୟଂବରରେ ରାମଚନ୍ଦ୍ର ଶିବଧନୁରେ ଗୁଣ ଚଢାଇ ପାରନ୍ତେ କେତେ ଭଲ ହୁଅନ୍ତା !"
ସଖୀ କଥା ଶୁଣି ସୀତା ରାମ ଲକ୍ଷ୍ମଣଙ୍କ ଆଡ଼କୁ ଚାହିଁ ଦେଲେ।ଦେବୀଙ୍କର ଅଙ୍ଗେ ଅଙ୍ଗେ ଖେଳିଗଲା ଅପୂର୍ବ ରୋମାଞ୍ଚ !ଏ ସୀତା ନୁହଁନ୍ତି ସ୍ବୟଂ ଲକ୍ଷ୍ମୀ,ପ୍ରଭୁ ମଧ୍ୟ ରାମଚନ୍ଦ୍ର ନୁହଁନ୍ତି, ସ୍ବୟଂ ବିଷ୍ଣୁ।ମାନବୀୟ ଲୀଳା ଅବସରରେ ନିଜ ନିଜର ପରିଚୟ ଓ ସମ୍ପର୍କ ବିଷୟରେ ବିସ୍ମୃତ ହୋଇଛନ୍ତି।ସୀତା ସ୍ବରୂପିଣୀ ଲକ୍ଷ୍ମୀ ବିସ୍ମୃତିର ଅତଳ ଗର୍ଭକୁ ଯାଇ ଭାବୁଛନ୍ତି...ଏଇ ତ ମୋ ମନର ଦେବତା,ଅଭିରାମ ନବଦୁର୍ବାଦଳ କାନ୍ତି ପ୍ରାଣନାଥ, ବୈକୁଣ୍ଠ ବିହାରୀ ବିଷ୍ଣୁ। କାହିଁକି ରାଜା ଜନକ ଅଯଥାରେ ଏଥିପାଇଁ ସ୍ବୟମ୍ବର ଆଡମ୍ବର କରୁଛନ୍ତି ! ବିଷ୍ଣୁଙ୍କ ବ୍ୟତୀତ ଲକ୍ଷ୍ମୀଙ୍କର ଗତ୍ୟନ୍ତର କାହିଁ?"
ପର ମୁହୂର୍ତ୍ତରେ ଅତୀତ ତାଙ୍କର ବିସ୍ମୃତ ହୋଇ ଯାଇଛି;ନିଜକୁ ସୀତା ଆସନରେ ପାଇଛନ୍ତି ସେ। ଭାବୁଛନ୍ତି... ପିତା ଜନକ କାହିଁକି ଏଭଳି ଅବିବେକୀ କର୍ମ କରୁଛନ୍ତି ? ଏତେ ସୁନ୍ଦର ରାଜପୁତ୍ର ତ ପାଖରେ ଅଛନ୍ତି।ତାଙ୍କୁ ଛାଡି ମୋ ବିବାହ ପାଇଁ ଶିବଧନୁରେ "ଗୁଣ ଚଢାଇବା"ଭଳି ପଣ କାହିଁକି ରଖିଛନ୍ତି ? କେଡେ କୋମଳ ଶରୀର ରାମଚନ୍ଦ୍ରଙ୍କର; ସତେ କଣ ସେ ଶିବଧନୁରେ ଗୁଣ ଚଢାଇ ପାରିବେ ? ହେ ମା ଗୌରୀ ! ମୋ ମନସ୍କାମନା ପୂର୍ଣ୍ଣ କର।ଶ୍ରୀରାମଙ୍କୁ ଶକ୍ତି ଦିଅ,ଶିବ ଧନୁରେ ଗୁଣ ଚଢାଇବା ପାଇଁ।"
ଏହିପରି ଚିନ୍ତା କରୁ କରୁ ଜଣେ ସଖୀ କହିଲା..ଆସ ଜେମାମଣି, ତେଣେ ବିଳମ୍ବ ହେଲେ ମହାରାଣୀ ବିରକ୍ତ ହେବେ।
ସଖୀଶ୍ରେଣୀ ସହିତ ଜନକ ନନ୍ଦିନୀ ରାଜପ୍ରସାଦକୁ ଫେରି ଯାଉଛନ୍ତି। କିନ୍ତୁ ବାରମ୍ବାର ରାମଚନ୍ଦ୍ରଙ୍କୁ ଦେଖିବା ଇଚ୍ଛା ସମ୍ବରଣ କରିପାରୁ ନାହାନ୍ତି।ପଦ୍ମଫୁଲ ଦେଖିବା ଅଳରେ ପଛକୁ ଫେରି କହୁଛନ୍ତି...ଦେଖ ସଖୀ ! ପୁଷ୍କରିଣୀରେ କି ସୁନ୍ଦର ଦେଖା ଯାଉଛନ୍ତି ରାଜୀବ ରାଜି(ପଦ୍ମଫୁଲ)ସେଠାରେ ମୋ ମନ ଲାଖି ଯାଇଛି ।"ଥଟ୍ଟ ରେ ସଖୀ ଜଣେ କହିଛି..ପୁଷ୍କରିଣୀର ରାଜୀବ'ରେ ନୁହେଁ ରାମଚନ୍ଦ୍ରଙ୍କ ନୟନ ରାଜୀବ'ରେ ତୁମ ଆଖି ଲାଖି ଯାଇଛି ସଖୀ।"
ଅନ୍ୟ ସଖୀମାନେଏକଥା ଶୁଣି ହସି ଦେଇଛନ୍ତି।ଲଜ୍ଜାରେ ଆରକ୍ତ ହୋଇଛି ସୀତାଙ୍କ ମୁଖ। କୃତ୍ରିମ କ୍ରୋଧରେ କହିଛନ୍ତି..ବଡ଼ ଦୁଷ୍ଟା ହେଲଣି ତୁମେ ସଖୀମାନେ।ନବରକୁ ଚାଲ,ସମସ୍ତେ କାନମୋଡା ଖାଇବ।"
ଫୁଲ ଚାଙ୍ଗୁଡି ଧରି ବିଶ୍ଵାମିତ୍ରଙ୍କ ପାଖକୁ ସିନା ଫେରି ଯାଇଛନ୍ତି ରାମ ଲକ୍ଷ୍ମଣ, ଶ୍ରୀରାମ କିନ୍ତୁ ମନ ହଜେଇ ଦେଇଛନ୍ତି ପୁଷ୍ପ ବାଟିକାରେ।
କ୍ରମଶଃ
