Kulamani Sarangi

Others

3  

Kulamani Sarangi

Others

ସରଯୂ ନଦୀର ତୀରେ (୧୯)

ସରଯୂ ନଦୀର ତୀରେ (୧୯)

4 mins
134


ଇକ୍ଷ୍ବାକୁ ବଂଶରେ ଭଗିରଥ ଜଣେ ପ୍ରଥିତଯଶା ପରାକ୍ରମୀ ରାଜା ଥିଲେ । ସେ ପୁତ୍ରହୀନ ଥିଲେ । କପିଳ ମହର୍ଷିଙ୍କ ଅଭିଶାପରେ ଭସ୍ମରେ ପରିଣତ ହୋଇ ମୁକ୍ତି ନପାଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଷାଠିଏ ହଜାର ପୂର୍ବପୁରୁଷମାନଙ୍କୁ ଉଦ୍ଧାର କରିବାକୁ ସେ ବଦ୍ଧ ପରିକର ହେଲେ । ମନ୍ତ୍ରୀମାନଙ୍କୁ ଅଯୋଧ୍ୟାର ଶାସନ ଦାୟିତ୍ଵ ଦେଇ ଘୋର ତପସ୍ୟା କରିବା ଉଦ୍ଦେଶ୍ୟରେ ସେ ହିମାଳୟ ଦିଗରେ ଅଗ୍ରସର ହେଲେ । ଗୋକର୍ଣ୍ଣିକାଠାରେ ପହଞ୍ଚି ସେ ଘୋର ତପସ୍ୟାରେ ମଗ୍ନ ହେଲେ । ଭୀଷଣ ରୌଦ୍ରତାପ, ବର୍ଷା ଓ ଶୀତକୁ ଭ୍ରୂକ୍ଷେପ ନକରି, ମାସରେ ଥରେ ମାତ୍ର ଆହାର କରି ସେ କୃଚ୍ଛ୍ର ସାଧନାରେ ବହୁକାଳ ନିଜକୁ ନିୟୋଜିତ କଲେ । ଶେଷରେ ତାଙ୍କୁ ବରଦାନ କରିବା ପାଇଁ ବ୍ରହ୍ମାଙ୍କୁ ଭୂମଣ୍ଡଳକୁ ଅବତରଣ କରିବାକୁ ପଡିଲା । ଭଗିରଥଙ୍କ ସମ୍ମୁଖରେ ଉଭାହୋଇ ବ୍ରହ୍ମଦେବ ପଚାରିଲେ..ଘୋର ତପସ୍ୟାରୁ ବିରତ ହୁଅ ଏବଂ କୁହ ପୁତ୍ର!କଣ ତୁମର ଇଚ୍ଛା ?


କରପତ୍ର ଯୋଡି ଭଗିରଥ କହିଲେ... ଭଗବନ୍ ! ଯଦି ମୋ ଉପରେ ଆପଣ ପ୍ରସନ୍ନ,ତାହେଲେ ମୋ ଦୁଇ ରାଣୀଙ୍କୁ ପୁତ୍ର ସନ୍ତାନ ଲାଭ କରିବା ବର ପ୍ରଦାନ କରନ୍ତୁ । ଏହାଦ୍ୱାରା ଇକ୍ଷ୍ୱାକୁ ବଂଶ ରକ୍ଷା ପାଇଯିବ । ଦ୍ୱିତୀୟରେ କପିଳ ମୁନିଙ୍କ କ୍ରୋଧରେ ଭସ୍ମୀଭୂତ ହୋଇଥିବା ମୋ ପୂର୍ବଜ ମାନଙ୍କୁ ମୁକ୍ତି ଦିଅନ୍ତୁ । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସେମାନେ । ସେମାନଙ୍କୁ ମୁକ୍ତ ନକରିପାରିବାର ଆତ୍ମଗ୍ଲାନିର ବୋଝ ସୂର୍ଯ୍ୟବଂଶୀମାନଙ୍କ ପାଇଁ ଅସହ୍ୟ ହେଉଛି ପ୍ରଭୁ !


କପିଳ ମୁନିଙ୍କ କୋପାନଳରେ ପାତାଳରେ ଦଗ୍ଧିଭୂତ ମୋ ପୂର୍ବଜ ମାନଙ୍କର ଯେଉଁ ଭସ୍ମସ୍ତୁପ ରହିଛି ପତିତପାବନୀ ଗଙ୍ଗା ଯେବେ ସେହି ସ୍ତୁପକୁ ପ୍ଳାବିତ କରିବେ ତା'ହେଲେ ସେମାନଙ୍କ ଆତ୍ମା ମୁକ୍ତିଲାଭ କରିବେ । ଆପଣ ମାତା ଗଙ୍ଗାଙ୍କୁ ସ୍ଵର୍ଗରୁ ମର୍ତ୍ତ୍ୟଲୋକକୁ ଆଣିବାର ବାଟ ବତାଇ ଦିଅନ୍ତୁ । 


ବ୍ରହ୍ମା କହିଲେ..ତୁମ କଠୋର ତପ ସାଧନରେ ଦେବତାମାନେ ସନ୍ତୁଷ୍ଟ । ଗଙ୍ଗାଦେବୀ ଧରାବତରଣ କରିବେ, କିନ୍ତୁ ଯେଉଁ ବେଗରେ ତାଙ୍କର ଅବତରଣ ହେବ ତାହା ପୃଥିବୀ ସହ୍ୟ କରିପାରିବ ନାହିଁ । କେବଳ ଦେବ ଦେବ ମହାଦେବ ହିଁ ସେହି ଶକ୍ତିକୁ ସହ୍ୟ କରି ସ୍ୱାଭାବିକ ରୂପରେ ଧରାବକ୍ଷରେ ତାଙ୍କୁ ପ୍ରବାହିତ କରାଇ ପାରିବେ । ତୁମେ ତପୋବଳରେ ଶିବଙ୍କୁ ସନ୍ତୁଷ୍ଟ କର । 


ଭଗିରଥ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘୋର ତପସ୍ୟାରେ ମଗ୍ନ ହେଲେ । ଭଗିରଥଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ କହିଲେ..ବତ୍ସ ! ମୁଁ ପ୍ରସ୍ତୁତ । ମୋ ଶିର ଉପରେ ପତିତ ହୋଇ ଗଙ୍ଗା ତତ୍ପରେ ସ୍ୱାଭାବିକ ଗତିରେ ଧରାରେ ପଦାର୍ପଣ କରନ୍ତୁ ଏବଂ ତୁମ ମନସ୍କାମନା ପୂର୍ଣ୍ଣ ହେଉ । 


ଦେବଦେବ ମହାଦେବଙ୍କ ସମ୍ମତି ପରେ ଆଉ ଏକ ସମସ୍ୟା ଦେଖାଗଲା । ଗଙ୍ଗା ବିଷ୍ଣୁଙ୍କ ନଖ କୋଣରେ ଲୁକ୍କାୟିତ ହୋଇ ରହିଥିଲେ । ବାମନାବତାର ସମୟରେ ଯେତେବେଳେ ବାମନଙ୍କ ଏକ ପାଦ ସମଗ୍ର ସ୍ୱର୍ଗକୁ ଆଚ୍ଛାଦିତ କରିଦେଲା, ସେତେବେଳେ ବ୍ରହ୍ମା ଗଙ୍ଗାଜଳରେ ତାଙ୍କ ପଦ ଧୌତ କରିବା ପାଇଁ ପ୍ରୟାସ କଲେ । କିନ୍ତୁ ସେ ତାହା କରିପାରିଲେ ନାହିଁ କାରଣ ଗଙ୍ଗା ବିଷ୍ଣୁଙ୍କ ପାଦର ନଖକୋଣକୁ ନିଅଣ୍ଟ ହେଲେ । ସେହି ଦିନଠାରୁ ବିଷ୍ଣୁଙ୍କ ନଖକୋଣରେ ହିଁ ରହିଥିଲେ ଗଙ୍ଗା । ତାଙ୍କୁ ଧରାବତରଣ କରାଇବା ପାଇଁ ଭଗିରଥଙ୍କୁ ଘୋର ତପସ୍ୟାରେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାପାଇଁ ପଡ଼ିଲା । 


ଭଗିରଥଙ୍କ ପୂର୍ବପୁରୁଷଙ୍କ ପ୍ରତି କର୍ତ୍ତବ୍ୟ, ଭକ୍ତି ଓ ସମ୍ମାନ ଆଗରେ ସ୍ୱୟଂ ବିଷ୍ଣୁ ମଧ୍ୟ ହାର ମାନିଲେ । ବ୍ରହ୍ମା ଓ ବିଷ୍ଣୁଙ୍କ ଆଦେଶ ପାଇ ଗଙ୍ଗା ଧରାବତରଣ ପାଇଁ ଶିବଙ୍କ ଶିରର ଜଟା ଉପରେ ନିପତିତ ହେଲେ । ଘୋର ଗର୍ଜନରେ ଗଙ୍ଗା ଶିବଙ୍କ ଜଟା ଉପରକୁ ଡେଇଁ ପଡ଼ିବା ସମୟରେ ତାଙ୍କ ମନରେ ଅହଙ୍କାର ଜାତ ହେଲା । ସେ ଭାବିଲେ...ମହାଦେବ କି ଛାର ! ତାଙ୍କ ସ୍ରୋତର ବେଗରେ ଯେଉଁଠି ହିମାଳୟ ଖଣ୍ଡଖଣ୍ଡ ହୋଇଯିବେ, ଛାର ଶିବ ବା କ'ଣ ! ତାଙ୍କୁ ସେ ଭସାଇନେଇ ସମୁଦ୍ର ଭିତରେ ଫିଙ୍ଗିଦେବେ । 


ଗଙ୍ଗାଙ୍କର ଏହି ଅହଙ୍କାର ମହାଦେବ ଜାଣି ପାରିଲେ । ସେ ତାଙ୍କ ବିଶାଳ ଜଟା ଭିତରେ ଗଙ୍ଗାଙ୍କୁ ହଜାଇ ଦେଲେ । ଗଙ୍ଗା ଜଟା ଭିତରୁ ବାହାରିବା ପାଇଁ ବାଟ ପାଇଲେ ନାହିଁ । ଏହା ଭଗିରଥଙ୍କ ପାଇଁ ଏକ ନୂତନ ସମସ୍ୟା । ଗଙ୍ଗାଙ୍କୁ ଜଟା-ବନ୍ଦୀଶାଳାରୁ ମୁକ୍ତି କରାଇବାପାଇଁ ସେ ଶିବଙ୍କ ପାଦତଳେ ଘୋର ତପସ୍ୟାରେ ନିମଗ୍ନ ହେଲେ । ଭଗିରଥଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ଗଙ୍ଗାଙ୍କୁ ଜଟା ଭିତରୁ ମୁକ୍ତି ଦେଲେ । ଶିବଙ୍କ ଜଟାରୁ ମହା ଗର୍ଜନ କରି ଗଙ୍ଗା "ବିନ୍ଦୁସର" ନାମକ ସ୍ଥାନରେ ନିପତିତ ହେଲେ ଏବଂ ସେଠାରୁ ସାତ ଭାଗରେ ବିଭକ୍ତ ହୋଇ ପ୍ରବହମାନ ହେଲେ । ଗଙ୍ଗାଙ୍କର ତିନି ସ୍ରୋତ ପୂର୍ବାଭିମୁଖୀ,ଅନ୍ୟ ତିନି ସ୍ରୋତ ପଶ୍ଚିମାଭିମୁଖୀ ହୋଇ ପ୍ରବହମାନ ହେଲେ । ସପ୍ତମ ସ୍ରୋତ ଭଗିରଥଙ୍କ ଅନୁଗମନ କଲେ । 


ମହା ଆନନ୍ଦରେ ଭଗିରଥ ଶଙ୍ଖନାଦ କରି, ରଥ ଆରୋହଣ କରି ଆଗେ ଆଗେ ଯାଉଥାନ୍ତି । ପଛେ ପଛେ ଚାଲିଥାନ୍ତି ପତିତପାବନୀ ଗଙ୍ଗା । ନୃତ୍ୟରତା ଗଙ୍ଗା ଯେତେବେଳେ ବିଜୁଳି ଭଳି ଭଗିରଥଙ୍କ ଧାବମାନ ରଥକୁ ଅନୁସରଣ କରୁଥାନ୍ତି ସେ ଅବର୍ଣ୍ଣନୀୟ ଶୋଭା ଦର୍ଶନ କରିବାପାଇଁ ସ୍ୱର୍ଗରୁ ଦେବତା, ଗନ୍ଧର୍ବ, ବିମ୍ବାଧର ଏବଂ ବିମ୍ବାଧରୀମାନେ ଅପଲକ ଦୃଷ୍ଟିରେ ଚାହିଁ ରହିଥାନ୍ତି । 


କିନ୍ତୁ ହଠାତ୍ ଏକ ଅଘଟଣ ଘଟିଲା । ଆଗରେ ଜହ୍ନୁ ମହର୍ଷିଙ୍କ ଆଶ୍ରମ । ଆଶ୍ରମରେ ତପସ୍ୟାରେ ମଗ୍ନ ଥିଲେ ମହର୍ଷି । ନୃତ୍ୟରତା ଗଙ୍ଗା ପ୍ରବଳ ବେଗରେ ଆଶ୍ରମ ଭିତରେ ପ୍ରବେଶ କରି ଜହ୍ନୁଙ୍କର ଯଜ୍ଞପୀଠକୁ ପ୍ଳାବିତ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେଲେ । ମହା କ୍ରୋଧରେ ଜହ୍ନୁ ଗଙ୍ଗାଙ୍କୁ ଚଳୁ କରିଦେଲେ । ନିଶ୍ଚିହ୍ନ ହୋଇଗଲେ ଗଙ୍ଗା । 


ମଥା କୋଡି ବିଷର୍ଣ୍ଣ ମନରେ ସେଠାରେ ବସିଗଲେ ଭଗିରଥ । ପିତୃପୁରୁଷମାନଙ୍କ ପାଇଁ ଜୀବନକୁ ତିଳତିଳ କରି ଉତ୍ସର୍ଗ କରିଥିବା ଭଗିରଥଙ୍କ ତପସ୍ୟାର ପରିଣତି ଦେଖି ଏବଂ ଗଙ୍ଗାଙ୍କ ଦୁର୍ଦ୍ଦଶା ଦେଖି ଦେବତାମାନେ ଜହ୍ନୁଙ୍କୁ ଅନୁରୋଧ କଲେ ଗଙ୍ଗାଙ୍କୁ ମୁକ୍ତି ଦେବାପାଇଁ । ଦେବତାମାନଙ୍କର ଅନୁରୋଧ ଫଳପ୍ରଦ ହେଲା । ଜହ୍ନୁ ଦକ୍ଷିଣ କର୍ଣ୍ଣପଥ ଦେଇ ଗଙ୍ଗାଙ୍କୁ ମୁକ୍ତି ଦେଲେ । ଜହ୍ନୁଙ୍କ ଶରୀର ମାଧ୍ୟମରେ ବହିର୍ଭୂତ ହୋଇଥିବାରୁ ଗଙ୍ଗାଙ୍କ ଅନ୍ୟ ନାମ ହେଲା ଜାହ୍ନବୀ । 


ଏହାପରେ ଗଙ୍ଗାଙ୍କ ଗତିପଥରେ ଆଉ କୌଣସି ବାଧା ଆସିଲା ନାହିଁ । ଗଙ୍ଗା ସାଗରରେ ନିପତିତ ହୋଇ ପାତାଳରେ ପ୍ରବେଶ କଲେ ଏବଂ ଭଗିରଥଙ୍କୁ ଅନୁସରଣ କରି କପିଳ ମହର୍ଷିଙ୍କ ଆଶ୍ରମରେ ପ୍ରବେଶ କଲେ । ସଗରଙ୍କ ଷାଠିଏ ହଜାର ପୁତ୍ରଙ୍କ ପାଉଁଶ ସ୍ତୁପକୁ ଗଙ୍ଗା ପ୍ଲାବିତ କରିବା ପରେ ସଗରଙ୍କ ପୁତ୍ରମାନଙ୍କର ଅତୃପ୍ତ ଆତ୍ମାମାନେ ଶାନ୍ତି ପାଇଲେ । ଭଗିରଥଙ୍କ ପ୍ରଚେଷ୍ଟାରେ ଧରାବତରଣ କରିଥିବାରୁ ଗଙ୍ଗାଙ୍କ ଅନ୍ୟନାମ ହେଲା ଭାଗିରଥି । 


ଶ୍ରୀରାମ-ଲକ୍ଷ୍ମଣଙ୍କ ଆଗରେ ରଘୁବଂଶର ପୂର୍ବଜ ଭଗିରଥଙ୍କ କୀର୍ତ୍ତି ଏବଂ ଗଙ୍ଗାଙ୍କ ଧରାବତରଣ ଉପାଖ୍ୟାନ ବର୍ଣ୍ଣନା କରି ବିଶ୍ଵାମିତ୍ର କହିଲେ..ବତ୍ସ ! ଏହିପରି ମହାନ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି ତୁମ୍ଭ ପୂର୍ଵଜମାନେ । 


କ୍ରମଶଃ....



Rate this content
Log in