STORYMIRROR

Biswanath Nayak

Others

3  

Biswanath Nayak

Others

ସରିତା ଦିଦି --------------

ସରିତା ଦିଦି --------------

10 mins
410


ସେଦିନ ଥାଏ ଶନିବାର । କେତେକ ରାଜନୈତିକ ଦଳର ଡାକରାରେ ବାରଘଣ୍ଟିଆ ଭାରତ ବନ୍ଦ ଥିବାରୁ ଗାଡି ମଟର ବନ୍ଦ ଥାଏ । କଟକରେ ଏକ ଜରୁରୀ କାମ ଥିବାରୁ ବାଇକ ଧରି କଟକ ବାହାରିଲି । ଜଗତସିଂହପୁର ବସ୍ ଷ୍ଟାଣ୍ଡରେ ଅନେକ ଲୋକ ବିଭିନ୍ନ ଆଡକୁ ଯିବାପାଇଁ ଅପେକ୍ଷା କରିଥାନ୍ତି । ସେ ଭିଡ ଭିତରୁ ରାସ୍ତା ଉପରକୁ ଚାଲିଆସି ଜଣେ ଭଦ୍ରବ୍ୟକ୍ତି ମୋତେ ହାତ ଦେଖାଇ ଲିଫ୍ଟ ମାଗିଲେ । ତାଙ୍କର ନିହାତି କିଛି ଜରୁରୀ କାମ ଥାଇପାରେ ଭାବି ବାଇକ ଅଟକାଇଲି । ସେ ପଚାରିଲେ, 'ଆଜ୍ଞା!କଣ କଟକ ଯିବେ ? ' ମୁଁ କହିଲି, ହଁ!ସେ କହିଲେ, କଟକରୁ ମୋର କେଉଁଝର ବସ୍ ଧରିବାର ଅଛି । ମୋତେ ଟିକେ କଟକ ପର୍ଯ୍ୟନ୍ତ ନେଇ ଯାଆନ୍ତୁ । ' କହିଲି, ବସନ୍ତୁ । ମୁହଁରୁ ବହି ଆସୁଥିବା ଝାଳକୁ ହାତରେ ଧରିଥିବା ରୁମାଲରେ ପୋଛି ସେ ବାଇକ ପଛରେ ବସି ପଡିଲେ । ମୁଁ ବାଇକ ଷ୍ଟାର୍ଟ କଲି । ମୁଁ କିଛି ପଚାରିବା ଆଗରୁ ସେ କହିଲେ, ବୁଝିଲେ ଆଜ୍ଞା ! ଯେ କୌଣସି ସମସ୍ୟା ହେଲେ ଏ ରାଜନୈତିକ ଲୋକମାନେ ରାସ୍ତାଘାଟରେ ଟାୟାର ଜାଳି ଗାଡିମଟର କାହିଁକି ବନ୍ଦ କରନ୍ତି ? କାହାର କଣ ଜରୁରୀ କାମ ଥିବ । ଲୋକମାନଙ୍କର ସେବା କରିବା ନାଆଁରେ ଏମାନେ ଗମନାଗମନ ବନ୍ଦ କରି ଜନସାଧାରଣଙ୍କୁ ଅସୁବିଧାରେ କାହିଁକି 

ପକାନ୍ତି ? ଏହା ବ୍ୟତୀତ ନିଜର ନ୍ୟାଯ୍ୟଦାବୀ ଉପସ୍ଥାପନ କରିବାର ଆଉ କଣ ଅନ୍ୟ କିଛି ବିକଳ୍ପ ନାହିଁ ? ମୁଁ କହିଲି, ଏହାଦ୍ଵାରା ଯଦି ସମସ୍ୟା ସମାଧାନ ହେଉଥାଆନ୍ତା ତାହେଲେ ସ୍ଵାଧୀନତା ପରଠାରୁ ଯେତେଥର ଚକଅଖ ବନ୍ଦ ହେଲାଣି ଆଜି ଆଉ ଦେଶରେ କୌଣସି ସମସ୍ୟା ନଥାନ୍ତା । 

ତାଙ୍କୁ ପଚାରିଲି, ଆଛା, ଆପଣ କଣ କେଉଁଝରରେ ଚାକିରୀ କରନ୍ତି ? ସେ କହିଲେ, 'ହଁ, ମୁଁ ଅଜୟ ମହାପାତ୍ର । ସେଠି ଗୋଟିଏ ସ୍କୁଲରେ ଶିକ୍ଷକତା କରେ । '' ମୁଁ ପଚାରିଲି, ଆପଣ ସରିତା ଦିଦିଙ୍କୁ ଜାଣନ୍ତି ? ସେ ମଧ୍ୟ ସେଇଠି ଏକ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି । ସେ କହିଲେ ହଁ ଜାଣେ ।  

ଆଛା ଆପଣ ତାଙ୍କୁ କିପରି ଜାଣିଲେ ? ସେ ପଚାରିଲେ ।  

ମୁଁ କହିଲି, ହଁ । ମୁଁ ତାଙ୍କୁ ଆଗରୁ ଜାଣେ ।  

ତାଙ୍କ କହିବା ଶୈଳୀରୁ ମୁଁ ଭାରି ଖୁସି ହୋଇ ଭାବିଲି, ଯାହା ହେଉ, ଏତେ ଦିନ ଧରି ମୁଁ ଯେଉଁ ସରିତା ଦିଦିଙ୍କ ବିଷୟରେ ଜାଣିବାକୁ ଅପେକ୍ଷା କରିଥିଲି ଅଜୟ ବାବୁ ନିଶ୍ଚୟ ତାଙ୍କୁ ଜାଣିଛନ୍ତି । ତାଙ୍କ ଠାରୁ ଦିଦିଙ୍କ ବିଷୟରେ ସବୁ ଖବର ମିଳିଯିବ ।  

ଅଜୟ ବାବୁ ପୁଣି ପଚାରିଲେ, ସେ କଣ ଆପଣଙ୍କ ସମ୍ପର୍କୀୟ ? 

ସମ୍ପର୍କ ଶବ୍ଦର ଅର୍ଥଟା ଏତେ ବ୍ୟାପକ ଯେ ତାଙ୍କର ସେ ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷରେ ଏତେ ସହଜ ନଥିଲା । ଭୁବନେଶ୍ୱର ଠାରୁ କଟକର ଦୂରତା ଭିତରେ ଟ୍ରେନ କମ୍ପାର୍ଟମେଣ୍ଟରେ ଦିଦିଙ୍କ ସହିତ ହୋଇଥିବା ଚିହ୍ନା ପରିଚୟକୁ ମୁଁ ଯେ କି ସମ୍ପର୍କ ନାମରେ ନାମିତ କରିବି ସହଜରେ ଜାଣି ପାରୁ ନଥିଲି । ତଥାପି ସେ ପରିଚୟ ସାଧାରଣ ପରିଚୟ ଠାରୁ କିଛି ଅଧିକ ଥିଲା । ତେଣୁ ସାଧାରଣ ଭାବରେ 'ପରିଚିତ' ବା 'ଜାଣେ' କହିବା ତାଙ୍କ ସହିତ ହୋଇଥିବା ସମ୍ପର୍କର ଗଭୀରତା ଓ ବ୍ୟାପ୍ତି ଠାରୁ କିଛି କମ୍ ହେବ ଏବଂ ସମ୍ଫର୍କୀୟ କହିଦେବା ତା ଠାରୁ ଯଥେଷ୍ଟ ଅଧିକ ହେବ ଭାବି ସେ ଗୋଲକଧନ୍ଦା ଭିତରୁ ବାହାରକୁ ଆସିବା ପାଇଁ ତାଙ୍କ ପ୍ରଶ୍ନର ଉତ୍ତର ଏକ ଛୋଟିଆ 'ହଁ' ମାଧ୍ୟମରେ ଦେଇଥିଲି । 

  କିନ୍ତୁ ମୋର ଏ ଛୋଟିଆ 'ହଁ' ଶବ୍ଦଟି ତାଙ୍କୁ ସନ୍ତୁଷ୍ଟ କରି ପାରି ନଥିଲା । ସେ ମହା ଗପୁଡା ଲୋକ । ଗପସପ ଜାରି ରଖିବା ପାଇଁ ସେ ଜିରାରୁ ଶିରା କାଢିବା ଆରମ୍ଭ କଲେ । ପଚାରିଲେ, ସମ୍ପର୍କରେ ସେ ଆପଣଙ୍କର କଣ ହୁଅନ୍ତି ? ଚାହିଁଥିଲେ ନିରବ ରହି ଆମ ଦୁହିଁଙ୍କ ଆଲୋଚନାରେ ମୁଁ ସେଇଠି ପୂର୍ଣ୍ଣଛେଦ ଟାଣି ଦେଇଥାନ୍ତି । କିନ୍ତୁ ଦିଦିଙ୍କ ସହିତ ମୋର ପରିଚୟ ବିଷୟରେ ସେ ବିସ୍ତୃତ ଭାବରେ ଜାଣିବାକୁ ଚାହୁଁଥିବାରୁ ସେ ନିଶ୍ଚିତଭାବରେ ତାଙ୍କୁ ଜାଣିଛନ୍ତି ବୋଲି ମୋର ଦୃଢବିଶ୍ଵାସ ହୋଇଥିଲା । ତାପରେ ଦିଦିଙ୍କ ବିଷୟରେ ଜାଣିବାକୁ ମୋ ମନ ଭିତରେ ଯେଉଁ କୌତୁହଳ ଥାଏ ତାହା ମୋତେ ନିରବ ରହିବାକୁ ଦେଇନଥିଲା । ଆଜି ଯଦି ମୁଁ ନିରବ ରୁହେ ଆଉ ହୁଏତ ଭବିଷ୍ୟତରେ ତାଙ୍କ ବିଷୟରେ କିଛି ଜାଣିପାରିବି ନାହିଁ । ତେଣୁ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲି, ଦେଖନ୍ତୁ ଅଜୟ ବାବୁ! ଦିଦିଙ୍କ ସହିତ ମୋର ପରିଚୟ ବିଷୟରେ ମୁଁ ଆପଣଙ୍କୁ କହୁଛି । ତାପରେ ଆପଣ ନିଜେ ଜାଣିପାରିବେ ସେ ମୋର ସମ୍ପର୍କରେ କଣ ହେବେ ।  

  ସେଦିନ ଥାଏ କାର୍ତ୍ତିକ ପୂର୍ଣ୍ଣିମା । ଚିଲିକା ଆଶ୍ରମର ବାର୍ଷିକ ଉତ୍ସବରେ ଯୋଗଦେଇ ବୋଉକୁ ସାଥିରେ ଧରି ଫାଲକନାମା ଏକ୍ସପ୍ରେସରେ କଟକ ଫେରୁଥାଏ । ନିର୍ଦ୍ଧାରିତ ସମୟରେ ଟ୍ରେନଟି ଭୁବନେଶ୍ୱରରେ ପହଞ୍ଚିଲା । ଆମ କମ୍ପାର୍ଟମେଣ୍ଟ ସାମନାରେ ଯେଉଁ ବହି ଷ୍ଟଲ୍ ଥାଏ ସେଇଠି ଜଣେ ଭଦ୍ରମହିଳା ଏକ ବାର ତେର ବର୍ଷର ଝିଅକୁ ଧରି ଷ୍ଟଲ୍ ମାଲିକ ସହିତ କଣ କଥା ହେଉଥାନ୍ତି । ଟ୍ରେନ ଛାଡିବା ବେଳକୁ ସେ ତାଙ୍କ ଝିଅ ସହିତ ଆମରି କମ୍ପାର୍ଟମେଣ୍ଟରେ ଉଠିଆସିଲେ । ଭିତରକୁ ଆସିବା ବେଳକୁ ତାଙ୍କ ମୁହଁରେ ବିଷାଦର ଭାବ ସ୍ପଷ୍ଟ ଦେଖାଯାଉଥିଲା । ସେ ଆସି ବୋଉ ପାଖରେ ବସିଲେ । ମୁଁ ଯେଉଁ ଗୋଟିକିଆ ସିଟରେ ବସିଥାଏ ଝିଅଟି ଆସି ତା ସାମନାରେ ଥିବା ସିଟରେ ବସିଲା ଓ ତା ହାତରେ ଧରିଥିବା ଇଂରାଜୀ କମିକ୍ ବହିଟି ଖୋଲି ପଢିବା ଆରମ୍ଭ କଲା । 

  ଭଦ୍ରମହିଳାଙ୍କର ବେଶଭୂଷା ଓ ପୋଷାକ ପରିପାଟୀରୁ ସେ ଯେ ଗୋଟିଏ ସମ୍ଭ୍ରାନ୍ତ ପରିବାରର ବୋହୁ , ଏକଥା ସ୍ପଷ୍ଟ ଜଣା ପଡୁଥାଏ । ଖୁବ୍ ଦାମୀ ଶାଢ଼ୀ ପିନ୍ଧିଥାନ୍ତି । ଦାମୀ ଦାମୀ ସୁନା ଗହଣା ପିନ୍ଧି ଦେବୀଟିଏ ଭଳି ଦେଖା ଯାଉଥାନ୍ତି । କିନ୍ତୁ ତାଙ୍କ ମୁହଁରେ ବିଷାଦର ରେଖା ସ୍ପଷ୍ଟ ବାରି ହୋଇପଡୁଥାଏ ।  

ବାର୍ଦ୍ଧକ୍ୟର ଛାପକୁ ଛାଡିଦେଲେ ମୋ ବୋଉର ଚେହେରା ସହିତ ତାଙ୍କ ଚେହେରା ଅନେକାଂଶରେ ମିଶି ଯାଉଥାଏ । ଠିକ୍ ମା' ଝିଅ ଭଳି । କିଛି ସମୟ ବୋଉ ମୁହଁକୁ ନିରୀକ୍ଷଣ କଲାପରେ ସେ କହିଲେ, ମାଉସୀ! 'ଆପଣ ଠିକ୍ ମୋ ବୋଉ ଭଳି ଦେଖା ଯାଉଛନ୍ତି । ଆପଣଙ୍କୁ ଓ ମୋ ବୋଉକୁ ଠିଆ କଲେ ପୁରା ଦୁଇ ଭଉଣୀ ଭଳି ଦେଖାଯିବେ । 'ମୋ ବୋଉ ଭାରି ମେଳାପୀ । ତାଙ୍କ ମୁହଁରୁ ଏକଥା ଶୁଣି ସେ ଭାରି ଖୁସି ହୋଇଗଲା ଓ ତାଙ୍କ ସହିତ ଗପିବା ଆରମ୍ଭ କରିଦେଲା । 

  ମୋ ସାମନାରେ ବସିଥିବା ତାଙ୍କର ସେ ଝିଅଟି କମିକ୍ ବହିଟିକୁ ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ଚାଲିଥାଏ । ମୁଁ ତାକୁ ପଚାରିଲି, ତୁମେ କେଉଁ ଶ୍ରେଣୀରେ ପଢୁଛ ? 'ସପ୍ତମ' ବୋଲି ସଂକ୍ଷିପ୍ତ ଉତ୍ତର ଦେଇ ସେ ପୁଣି ତା ପଢାରେ ମନ ନିବେଶ କଲା । ସେ ବୋଧହୁଏ ମୋ ସହିତ ବେଶି କଥା ହେବାକୁ ଚାହୁଁନାହିଁ ଭାବି ମୁଁ ଆଉ ତାକୁ କିଛି ନ ପଚାରି ଚୁପ୍ ରହିଲି ।

   ସେ ଭଦ୍ରମହିଳାଙ୍କ ସହିତ କଥାହେବା ଭିତରେ ବୋଉ ବୋଧହୁଏ ତାଙ୍କ ମୁଖମଣ୍ଡଳରେ ଫୁଟିଉଠୁଥିବା ବିଷାଦର ରେଖାକୁ ପଢି ପାରିଥିଲା । କାରଣ ତାଙ୍କର ପ୍ରତ୍ୟେକ ଶବ୍ଦରେ ମନର କୋହ ସ୍ପଷ୍ଟ ବାରିହୋଇ ପଡୁଥିଲା । ସେ ବାରମ୍ବାର ଧରିଥିବା ରୁମାଲରେ ବହି ଆସୁଥିବା ଆଖିର ଲୁହକୁ ପୋଛି ନିଜକୁ ସାମାନ୍ୟ କରିବାକୁ ଚେଷ୍ଟା କରୁଥିଲେ । ବୋଉ ପଚାରିଲା, 'ମା' ତୁମେ ବ୍ୟସ୍ତ ଥିଲାଭଳି ଜଣାପଢୁଛ । କୁଆଡେ ଯିବ ? 

ଏତିକି କଥାରେ ତାଙ୍କ ମନ ଭିତରେ ଲୁଚି ରହିଥିବା କୋହ ସମ୍ପୂର୍ଣ୍ଣ ଆତ୍ମପ୍ରକାଶ କଲା ଏବଂ ସେ ମୁହଁରେ ରୁମାଲ ଦେଇ କାନ୍ଦିବା ଆରମ୍ଭ କଲେ । ସେ କାନ୍ଦିବା ଦେଖି ବୋଉ ଟିକେ ବ୍ୟସ୍ତ ହୋଇ ପଡିଲା ଏବଂ ତାଙ୍କ ପିଠି ଆଉଁସି ତାଙ୍କୁ ଆଶ୍ଵାସନା ଦେବାକୁ ଚେଷ୍ଟା କଲା । ଏପର୍ଯ୍ୟନ୍ତ କଥାବାର୍ତ୍ତା ସେ ଦୁଇଜଣଙ୍କ ଭିତରେ ସିମୀତ ଥିବାରୁ ମୁଁ ସେଆଡେ ଲକ୍ଷ୍ୟ ଦେଉନଥିଲି ଯଦିଓ ସେମାନଙ୍କ କଥାବାର୍ତ୍ତା ମୋତେ ଶୁଭୁଥିଲା । କିନ୍ତୁ ଏ ଘଟଣା ଦେଖି ମୁଁ ମଧ୍ୟ ବ୍ୟତିବ୍ୟସ୍ତ ହୋଇ ପଡିଲି ।  

  ସେ କମ୍ପାର୍ଟମେଣ୍ଟର ଅଧିକାଂଶ ଯାତ୍ରୀ ଭୁବନେଶ୍ୱରରେ ଓହ୍ଲାଇ ଯାଇଥିବାରୁ ଆମ ପାଖ ସିଟରେ ଆଉ କୌଣସି ଯାତ୍ରୀ ନଥିଲେ । ତାଙ୍କର କାନ୍ଦ ଶୁଣି ଝିଅଟି ବହିପଢା ବନ୍ଦ କରି ତା ମା'ର ମୁହଁକୁ ମନଦୁଃଖରେ ଚାହିଁ ରହିଥାଏ । ତାଙ୍କ ମନକୁ ସେତିକି ମାତ୍ରାରେ ବାଧା ହୋଇ ନ ଥିଲେ ସେ ଆମ ଭଳି ଅଚିହ୍ନା ଲୋକଙ୍କ ଆଗରେ କାନ୍ଦିପାରିନଥାନ୍ତେ । ବାଧ୍ୟ ହୋଇ ମୁଁ ପଚାରିଲି , କଣ ହୋଇଛି ? ଆପଣ କାନ୍ଦୁଛନ୍ତି କାହିଁକି ? ବୋଉ ତାଙ୍କୁ ବୁଝେଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଥାଏ । ଆଖିରୁ ଲୁହପୋଛି କୋହଭରା କଣ୍ଠରେ ସେ କହିଲେ, ' ମୁଁ ବଡ ଅସୁବିଧାରେ ପଡିଯାଇଛି । କିପରି ସେଥିରୁ ମୁକୁଳିବି କିଛି ଜାଣି ପାରୁନାହିଁ । '

   ବୋଉ କହିଲା, ଝିଅ! କଣ ହୋଇଛି କହୁନ ? ନ କହିଲେ ଆମେ ଜାଣିବୁ କେମିତି । ସେ କହିଲେ, ମୋ ସ୍ୱାମୀ ଗୋଟିଏ ବଡ କମ୍ପାନୀରେ ଚାକିରୀ କରନ୍ତି । ଗତକାଲି ଆମ ନିଜ କାର୍ ଯୋଗେ ଆମେ ଗୋଟିଏ ଜରୁରୀ କାମରେ ଭୁବନେଶ୍ୱର ଆସୁଥିଲୁ । ସାଥିରେ ମୋ ଭାଇ ମଧ୍ୟ ଥିଲେ । ମୋ ସ୍ଵାମୀ କାର୍ ଚଳାଉଥିଲେ । ପାଣିକୋଇଲି ପାଖରେ ଆଗରୁ ଗୋଟିଏ ଦ୍ରୁତଗାମୀ ଟ୍ରକ ମାଡି ଆସିବାରୁ ଭାରସାମ୍ୟ ରକ୍ଷା କରି ନ ପାରି ଆମ କାର୍ ରାସ୍ତା କଡକୁ ଖସି ଯାଇଥିଲା । ଗାଡିର ଗତି କମ୍ ଥିବାରୁ ତାହା ଗୋଟିଏ ଗଛରେ ଲାଗି ଅଟକି ଯାଇଥିଲା । ଭଗବାନଙ୍କ ଦୟାରୁ ମୁଁ, ମୋ ଝିଅ ଆମ ଦୁହିଁଙ୍କର କିଛି କ୍ଷତି ହୋଇନଥିଲା । ଆଗ ସିଟରେ ଭାଇ ବସିଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଲେ ବି ବିଶେଷ କିଛି କ୍ଷତି ହୋଇନାହିଁ । କିନ୍ତୁ ମୋ ସ୍ଵାମୀଙ୍କ ମୁଣ୍ଡରେ ଜୋର ଆଘାତ ଲାଗି

ଛି । ସେ କଳିଙ୍ଗ ହସପିଟାଲରେ ଆଡମିଶନ ହୋଇଛନ୍ତି । ତାଙ୍କ ଚିକିତ୍ସା ପାଇଁ ବହୁତ ଟଙ୍କା ଦରକାର । ଯେତିକି ଟଙ୍କା ଆମ ପାଖରେ ଥିଲା ତାହା ଚିକିତ୍ସା ପାଇଁ ଯଥେଷ୍ଟ ନୁହେଁ । ଭୁବନେଶ୍ୱରରେ ମୋର ବି କେହି ଚିହ୍ନା ନାହାନ୍ତି । ଏତେ ଟଙ୍କା ମୁଁ ଏଠି କେଉଁଠୁ ଯୋଗାଡ କରିବି । ବାଧ୍ୟ ହୋଇ ଏ ସୁନା ଗହଣା ବିକିବାକୁ ଚେଷ୍ଟା କଲି । କିନ୍ତୁ ଗହଣା ଦୋକାନୀ ସବୁ ଗହଣାର କିଣା ରସିଦ କିମ୍ବା ତାଙ୍କ ଦୋକାନର ଷ୍ଟାମ୍ଫ ଖୋଜିଲେ । ଏ ଗହଣା ବିକ୍ରି କରି ମୁଁ ଯଦି ମୋ ସ୍ଵାମୀଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରି ନପାରିଲି ଏତେ ଗହଣା ମୋ ପାଖରେ ଥାଇ ଲାଭ କଣ ? ଏହା କହି ସେ ପଣତକାନିରେ ଲୁହ ପୋଛିଲେ । ଝିଅଟି ମଧ୍ୟ କାନ୍ଦକାନ୍ଦ ହୋଇ ମୁହଁ ତଳକୁ କରି ବସି ରହିଥାଏ ।  

  ବୋଉ ପଚାରିଲା, ଏବେ ତାହେଲେ ଝିଅ ତୁମେ ଯାଉଛ କୁଆଡେ ? ସେ କହିଲେ, ତାଙ୍କ ପାଖରେ ମୁଁ ଭାଇଙ୍କୁ ଛାଡି କେଉଁଝର ଯାଉଛି । ଟଙ୍କା ଯୋଗାଡ କରି ଫେରିଲେ ତାଙ୍କର ଅପରେସନ ହେବ । କାର୍ କରି ଯିବାକୁ ମୋ ପାଖରେ ଟଙ୍କା ନାହିଁ । ତେଣୁ ବସରେ ଯିବି । ଫେରିବା ବେଳେ କାର୍ କରି ଫେରି ଆସିବି ।  

 କିନ୍ତୁ ଅସୁବିଧା ଯେତେବେଳେ ଆସେ ଏକା ଆସେନାହିଁ । ସେ ତା ବନ୍ଧୁବାନ୍ଧବଙ୍କୁ ସାଥିରେ ଧରି ଆସେ । ମୋର ଦୁର୍ଭାଗ୍ୟ ଦେଖନ୍ତୁ ମାଉସୀ! ରେଲୱେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିବା ସମୟରେ ଝିଅ ସେ ବହିଷ୍ଟଲ୍ ରୁ କମିକ୍ ବହିଟା ନେବାପାଇଁ ଧରିଲା । ମୁଁ ମୋ ଭ୍ୟାନିଟି ବ୍ୟାଗ ଖୋଲି ଦୋକାନୀକୁ ପଇସା ଦେଲି । ଏ ଘଟଣା ଯୋଗୁଁ ମୋର ତ ମନ ସ୍ଥିର ନାହିଁ । ଦୋକାନୀଠାରୁ ଫେରସ୍ତ ପଇସା ଆଣିଲା ବେଳକୁ ବ୍ୟାଗଟି ହାତରୁ ବାହାର କରି ସାମନାରେ ରଖିଲି । ମୋ ଅନ୍ୟମନସ୍କତାର ସୁଯୋଗ ନେଇ ବ୍ୟାଗଟି କିଏ ନେଇ ଯାଇଛି । ଷ୍ଟଲ୍ ପାଖରେ ଭିଡ ଥିବାରୁ ମୁଁ କିଛି ଜାଣି ପାରିଲି ନାହିଁ । ଦୋକାନୀକୁ ପଚାରିବାରୁ ସେ ମଧ୍ୟ କିଛି ଜାଣିନାହିଁ ବୋଲି କହିଲା । ମୋ ପାଖରେ ଆଉ ବସ ଟିକେଟ ପାଇଁ ମଧ୍ୟ ପଇସା ନାହିଁ । କେମିତି ଯେ କେଉଁଝର ଯିବି ସେହିକଥା ଭାବି ମୋ ମୁଣ୍ଡ କିଛି କାମ କରୁନାହିଁ ।  

 ବୋଉ କହିଲା, ତୁମେ ଆଦୌ ମନ ଦୁଃଖ କରନା ଝିଅ । ଠାକୁର ବଡଲୋକ । ସେ ଯାହାହେଲେ ଗୋଟେ ବାଟ ଦେଖେଇବେ । ତାପରେ ସେ କହିଲେ, ମାଉସୀ! ଯଦି ଖରାପ ନ ଭାବିବେ ଗୋଟିଏ କଥା କହିବି । ବୋଉ କହିଲା , କଣ କହୁନ । ସେ କହିଲେ, ଏଠି ତ ମୋର କେହି ଚିହ୍ନା ନାହାନ୍ତି । ଆପଣ ଯଦି ମୋତେ କିଛି ଟଙ୍କା ଦିଅନ୍ତେ ମୁଁ ଏ ବିପଦରୁ ରକ୍ଷା ପାଇ ଯାଆନ୍ତି । ମୁଁ ଆପଣଙ୍କ ଟଙ୍କା ରଖିବି ନାହିଁ । ଠିକଣା ଦେଲେ ଆପଣଙ୍କ ଠିକଣାରେ ସେଟଙ୍କା ମୁଁ ପଠେଇଦେବି । ଏକଥା ଶୁଣି ମୋ ସ୍ଵୀକୃତି ଅପେକ୍ଷାରେ ବୋଉ ମୋ ମୁହଁକୁ ଚାହିଁଲା । 

ସେ ଯଦି ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା କହିଥାନ୍ତେ ମୋ ପାଖରେ ଥିବା ଟଙ୍କାର ପରିମାଣକୁ ଦେଖି ମୁଁ ତାଙ୍କୁ 'ହଁ' କିମ୍ବା 'ନା' କହିପାରିଥାନ୍ତି । କିନ୍ତୁ ଏହି'କିଛି' ଶବ୍ଦଟା ମୋତେ ଏକ ଦୋଦୁଲ୍ୟମାନ ପରିସ୍ଥିତିରେ ପକାଇଦେଲା । ଏକଥା କହିବାର ତାତ୍ପର୍ଯ୍ୟ ଏଇଆ ଯେ ତାଙ୍କ ବ୍ୟକ୍ତିତ୍ବକୁ ଦେଖିଲେ ଯେ କେହି କହିବ ନିହାତି ଅସୁବିଧା ନହେଲେ ସେ ଆଦୌ କାହାକୁ ଟଙ୍କା ମାଗିବା ଲୋକ ନୁହନ୍ତି । ଏପଟେ ମୋ ପାଖରେ ଯେତିକି ପଇସା ଥାଏ ତାହା ତାଙ୍କର ଆବଶ୍ୟକତାକୁ ପୂରଣ କରିପାରିବ କି ନାହିଁ ସେକଥା ଭାବି ତାଙ୍କର କେତେ ଟଙ୍କା ଦରକାର ମୁଁ ମଧ୍ୟ ପଚାରି ପାରୁନଥାଏ । କିଛି ଗୋଟାଏ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେବା ପୂର୍ବରୁ ଟ୍ରେନଟି କଟକ ଷ୍ଟେସନରେ ଲାଗିଯାଇଥିଲା ଓ ମୁଁ ବୋଉକୁ ଟ୍ରେନରୁ ଓହ୍ଲେଇବା ପାଇଁ ଡାକିଥିଲି । 

   ବୋଉ ଓ ମୁଁ ଟ୍ରେନରୁ ଓହ୍ଲାଇଲା ପରେ ସେ ମଧ୍ୟ ତାଙ୍କ ଝିଅ ସହିତ ତଳକୁ ଓହ୍ଲାଇଲେ । ମୁଁ ଯେ ଟଙ୍କା ଦେବା ପାଇଁ କାହିଁକି କିଛି କହୁନି ସେକଥା ବୋଉ ଜାଣି ପାରୁ ନଥାଏ । ବୋଉ ମୋତେ କହିଲା, ବିଚରା ଝିଅଟି ଭାରି ଅସୁବିଧାରେ ଅଛି । ତାକୁ କିଛି ପଇସା ଦେବା । ନହେଲେ ସେ କେଉଁଝର ଯିବ କେମିତି । ଆମଠାରୁ ଟଙ୍କା ମିଳିବାର ନିଶ୍ଚିତ ଭରସା ନ ମିଳିବାରୁ ସେ ଆଉ ଟଙ୍କା କଥା କହିଲେ ନାହିଁ । କେବଳ କହିଲେ ଦୟାକରି ଆମକୁ ଟିକେ ବସଷ୍ଟାଣ୍ଡରେ ପହଞ୍ଚାଇ ଦିଅନ୍ତୁ । ଏତିକି କହି ସେ ତାଙ୍କ ଝିଅ ସହିତ ଆମ ପଛେ ପଛେ ଷ୍ଟେସନ ବାହାରକୁ ଆସିଲେ । 

  ବାଦାମବାଡି ବସଷ୍ଟାଣ୍ଡ ଯିବା ପାଇଁ ଗୋଟିଏ ଅଟୋ ରିଜର୍ଭ କଲି । ବୋଉ ସେମାନଙ୍କ ସହିତ ପଛରେ ବସିଲା ଓ ମୁଁ ଆଗରେ ବସିଲି । ମୁଁ ପିଠାପୁର ଯିବା କଥା କିନ୍ତୁ ତାଙ୍କୁ ବସଷ୍ଟାଣ୍ଡରେ ଛାଡିବା ପାଇଁ ବାଦାମବାଡି ଯିବାକୁ ହେଲା । ଏ ଅସମୟରେ ତାଙ୍କୁ କିଛି ସାହାଯ୍ୟ କରିପାରୁନଥିବାରୁ ମନଟା ଭଲ ଲାଗୁନଥାଏ । ସେମାନଙ୍କ ମୁହଁରେ କିଛି ନ କହିଲେ ବି ବୋଉ ମନେ ମନେ ମୋ ଉପରେ ବିରକ୍ତ ହେଉଥାଏ । ଅଟୋରେ ବସି ଯାଉଥିବା ବେଳେ ଭାବିଲି ଯେହେତୁ ତାଙ୍କ ହାତରେ କମ୍ ଟଙ୍କା ଦେବାପାଇଁ ସଙ୍କୋଚ ଲାଗୁଛି ଏବଂ ସମ୍ପୂର୍ଣ୍ଣ ନାହିଁ କରିଦେବାକୁ ମନଟା ମାନୁନି ବସରେ ଟିକେଟ କାଟି ତାଙ୍କୁ ବସେଇଦେଲେ ମିତ ଓ ମାଣିକ ଦୁଇ କଥା ରକ୍ଷା ହୋଇଯିବ । ତେଣୁ ତାଙ୍କୁ ମୁଁ କହିଲି, ଚାଲନ୍ତୁ, ମୁଁ ଆପଣଙ୍କୁ ବସରେ ବସେଇଦେବି । 

  ବାଦାମବାଡିରେ ବୋଉକୁ ଗୋଟିଏ ଯାଗାରେ ଅପେକ୍ଷା କରିବାକୁ କହି ମୁଁ ସେମାନଙ୍କୁ ନେଇ ବସଷ୍ଟାଣ୍ଡ ଭିତରକୁ ଗଲି । ଦେଖିଲି କେଉଁଝର ବସ ଟିକେ ଡେରିରେ ଲାଗିବ । ଏପଟେ ବୋଉ ଆଉ ବେଶୀ ସମୟ ଅପେକ୍ଷା କରିବା ପରିସ୍ଥିତିରେ ନଥାଏ । ଏତିକିବେଳେ ଝିଅଟି ତା ମା'ଙ୍କୁ କହିଲା, ମା, ଭୋକ ଲାଗିଲାଣି । ତାପରେ ସେ ମୋତେ କହିଲେ, ଦେଖନ୍ତୁ, ମୋ ଝିଅ ସକାଳୁ କିଛି ଖାଇନି । ଭୋକରେ ଆଉଟୁ ପାଉଟୁ ହେଲାଣି । ତାକୁ କିଛି ଖାଇବାକୁ ଦିଅନ୍ତୁ । ପାଖରେ ଦହିବରାବାଲା ଠିଆ ହୋଇଥିଲା । ଝିଅଟିକୁ ଦହିବରା ଖାଇବାକୁ କହିଲି । ତାର ମା'ଙ୍କୁ ଖାଇବାକୁ କହିବାରୁ ସେ ମନାକଲେ ଓ କହିଲେ, ମୋତେ ଆଦୌ ଭୋକଶୋଷ ନାହିଁ । ଦହିବରାବାଲାକୁ ପଇସା ଦେଲାପରେ ଦେଖିଲି ଦୁଇଟି ଟିକେଟ ପାଇଁ ଯେତିକି ପଇସା ଦରକାର ମୋ ପାଖରେ ତା ଠାରୁ କିଛି ଟଙ୍କା କମ୍ ଅଛି । ଆହୁରି ଅସୁବିଧାରେ ପଡିଗଲି । ଗାଡିଟା ଲାଗିଥିଲେ କଣ୍ଡକ୍ଟରକୁ କହି ସେତିକି ପଇସାରେ ତାଙ୍କୁ କେଉଁଝର ପହଞ୍ଚାଇ ଦେବାକୁ ଅନୁରୋଧ କରିଥାନ୍ତି । ବସ୍ ଆହୁରି ଏକ ଘଣ୍ଟା ଡେରିରେ ଲାଗିବାକୁ ଥିବାରୁ ସେକଥା ମଧ୍ୟ କରି ପାରିଲି ନାହିଁ । ଏପଟେ ବୋଉ ତାର ଆଣ୍ଠୁର ଯନ୍ତ୍ରଣା ଯୋଗୁଁ ବେଶୀ ସମୟ ଅପେକ୍ଷାକରି ପାରିବ ନାହିଁ । ଘରେ ପହଞ୍ଚିଲେ ବିଶ୍ରାମ ନେବ । ଆଉ କିଛି ଉପାୟ ନଦେଖି ବାଧ୍ୟ ହୋଇ ସେ ଟଙ୍କାତକ ତାଙ୍କ ହାତରେ ଧରାଇ ଦେଇ କହିଲି, ଦେଖନ୍ତୁ, ମୋ ପାଖରେ ଆଉ ଅଧିକ ଟଙ୍କା ନାହିଁ । କଣ୍ଡକ୍ଟରକୁ ଆପଣଙ୍କ ଅସୁବିଧା ବିଷୟରେ କହିଲେ ସେ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ ଓ କେଉଁଝରରେ ପହଞ୍ଚାଇ ଦେବ ।  

 ମୋ ହାତରୁ ଟଙ୍କା ନେଲାବେଳେ ତାଙ୍କ ଆଖି ଲୁହ ଛଳଛଳ ହୋଇଯାଇଥିଲା । ସେ ବୋଧହୁଏ ମୋ ପରିସ୍ଥିତିକୁ ଅନୁଭବ କରି ସାରିଥିଲେ । କୃତଜ୍ଞତା ଜ୍ଞାପନ କରି କହିଲେ, ମୋ ନା ସରିତା ଦାସ । ମୁଁ ସେଠାରେ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଅଛି । କେଉଁଝରରେ ସରିତା ଦିଦି ନାଆଁରେ ମୋତେ ସମସ୍ତେ ଜାଣନ୍ତି । ଆପଣଙ୍କ ଠିକଣା ଦିଅନ୍ତୁ । କଟକ ଆସିଲେ ଆପଣଙ୍କ ଘରକୁ ନିଶ୍ଚୟ ଯିବି । ଆସିଲା ବେଳେ ମୋ ବୋଉକୁ ସାଥିରେ ଆଣିବି । ତାକୁ ଦେଖିଲେ ଆପଣ ଜାଣିପାରିବେ ମାଉସୀ ଓ ମୋ ବୋଉ କିପରି ଏକା ମାଆ ପେଟର ଦୁଇ ଭଉଣୀ ପରି ଦେଖା ଯାଉଛନ୍ତି । ତାଙ୍କୁ ମୋ ଠିକଣା ଦେଇ ମୁଁ ବୋଉ ପାଖକୁ ଆସିଲି । ଆମେ ଘରକୁ ଯିବା ପାଇଁ ଗୋଟିଏ ଅଟୋରେ ବସିଲୁ ।  

ଅଟୋ ଭିତରେ ବୋଉ ମୋତେ ପଚାରିଲା, ସେ ଝିଅକୁ କିଛି ପଇସା ଦେଲୁ ? ଛୋଟିଆ 'ହଁ ' ଟିଏ କହି ଅଟୋବାଲାକୁ କହିଲି, 'ପିଠାପୁର ଚାଲ୍ । '

  ଏସବୁ ଅଜୟ ବାବୁଙ୍କୁ କହି ସାରି ପଚାରିଲି, ଏବେ କହନ୍ତୁ ଅଜୟ ବାବୁ! ସରିତା ଦିଦିଙ୍କ ସହ ସେଦିନର ଏହି ସମ୍ପର୍କକୁ ମୁଁ କି ନାମ ଦେବି ? ସେ ହେଉଛି ମଣିଷ ସହିତ ମଣିଷର ସମ୍ପର୍କ, ଯାହା ସବୁ ସମ୍ପର୍କ ଠାରୁ ଅନେକ ଉର୍ଦ୍ଧ୍ବରେ ଓ ଯାହାକୁ କୌଣସି ନିର୍ଦ୍ଦିଷ୍ଟ ସମ୍ପର୍କର ପରିସୀମା ଭିତରେ ଆବଦ୍ଧ କରି ରଖାଯାଇପାରେନା ।  

  ଅଜୟ ବାବୁ କହିଲେ, ଆପଣ ତାଙ୍କ ବିଷୟରେ କଣ ଜାଣିବାକୁ ଚାହୁଁଥିଲେ ? ମୁଁ କହିଲି ସେଦିନର ସେହି ଘଟଣା ପରେ ମୋର ଆଉ ତାଙ୍କ ସହିତ କିଛି ଯୋଗାଯୋଗ ନାହିଁ । ମୋତେ କେବଳ ଏତିକି କହନ୍ତୁ, ସେ ତାଙ୍କ ପରିବାର ସହିତ ଭଲରେ ଅଛନ୍ତି ତ ? 

  ଅଜୟ ବାବୁ କହିଲେ ସେକଥା ମୁଁ କହିପାରିବି ନାହିଁ । କାହିଁକିନା ମୁଁ ଯେଉଁ ସରିତା ଦିଦିଙ୍କୁ ଜାଣିଛି ତାଙ୍କ ନାଆଁ ସରିତା ଦେଓ । ମୁଁ ଯେତିକି ଜାଣିଛି ତାଙ୍କ ସ୍ଵାମୀ ଜଣେ ବ୍ୟବସାୟୀ ଏବଂ ତାଙ୍କର କିଛି ପିଲାପିଲି ନାହାନ୍ତି । ମୁଁ ବାଇକରେ ବ୍ରେକ ଦେଇଥିଲି କାରଣ ଆମେ ବାଦାମବାଡିରେ ପହଞ୍ଚି ସାରିଥିଲୁ । ବାଇକ ପଛରୁ ଓହ୍ଲାଇ ଅଜୟ ବାବୁ ମୋତେ ଧନ୍ୟବାଦ ଜଣାଇ ବସଷ୍ଟାଣ୍ଡ ଭିତରକୁ ଯାଉଥିଲେ । ମୁଁ ତାଙ୍କୁ ପଛରୁ ଚାହିଁ ରହିଥିଲି । ସେଦିନ ସରିତା ଦିଦିଙ୍କ ସହିତ ବାଦାମବାଡି ବସଷ୍ଟାଣ୍ଡରେ କଟିଥିବାସେ ମୁହୂର୍ତ୍ତ ଗୁଡିକ ସିନେମାର ଛବିଭଳି ମୋ ଆଖି ଆଗରେ ଭାସିଉଠୁଥିଲା । ମନଭିତରେ ଠାକୁରଙ୍କୁ ଡାକୁଥିଲି, ପ୍ରଭୁ! ସରିତା ଦିଦି ଭଲରେ ଥାଆନ୍ତୁ । ସେଦିନ ଭଳି ତାଙ୍କର ସେ ସୀମନ୍ତ ସିନ୍ଦୁର ଆଜି ବି ସେମିତି ଦାଉ ଦାଉ ହୋଇ ଝଟକୁଥାଉ ।  



Rate this content
Log in