Soumya Shubhadarshinee

Others

2  

Soumya Shubhadarshinee

Others

ସରଘର

ସରଘର

6 mins
211



 ସରଘର କୁଞ୍ଚିକାଠି ସାଇତି ରଖିବାର କଳା ଶିଖିବା ସହଜ ନୁହେଁ କେବେ । କିନ୍ତୁ ଯେ ଜାଣେ ସେ ହିଁ ବୁଝେ କେଡେ ଦାୟୀତ୍ୱ ସତେ !............


**********************


 ମୋତେ ଚୁପ କି ଡାକିଲା ନାରଣ ଭାଇ , 

" ଏଇ ବାଇଆଣୀ ଆ , ମୋ ସହ ଇଆଡ଼େ ଟିକେ ତୋ ଲାଗି କିଛି ବଢିଆ ଚିଜ ରଖିଛି ବା ।''

 ମୋର ସଙ୍ଗାତ ମେଳରେ ଯେଉଁ ବଢିଆ ଖେଳ କୁଦ ଇସ୍ । ଛାଡି ଆସିବାକୁ ଟିକିଏ ହେଲେ ଇଚ୍ଛା ନଥାଏ । ହେଲେ ନାରଣ ଭାଇ ଡାକିଲେ ଆସିବି ପକ୍କା । କି କାହିଁକି ? ଏଇଆ ତ । ଧେତ୍ ତୁମେ ଗୁଡା କିଛି ଜାଣିନ ବୋଲି ଏମିତି ଜିଗୀଶା କରୁଛ ନା' ।

ନାରଣ ଭାଇ ଭାରି ଭଲ ଆଉ ଆମକୁ ବଡ଼ ଆଦର କରେ । 


 ସେ ଅନାଥ ବୋଲି ସାରା ଗାଁ ଟା ତା' 

ଘର । ଆଉ ମୋ ବୋଉର ସେ ସବୁଠୁ ନିଜର । ରୋଜ ଆସେ ଆମ ଘରକୁ ।

ବଡ଼ ନିରୀହ ଟେ ସେ । ଯେବେ କେହି ତାକୁ ଖୋଜେ ସେ ହାଜର ହେଇଯାଏ । କାହାର ବୋଲହାକ କରିଦିଏ , ତ କାହାର ହାଟ ସଉଦା ଆଣିଦିଏ । ଆମ ଘରେ ବୋଉ ସହ 

ଖନ୍ଦାଶାଳ ରେ ବସି ଘି ପିଠା ବି ଛାଣେ । ଆଉ ଆମ ଲାଗି ଭାଲୁକୁଣୀ ବେଳେ ନୀଳ କଇଁ ତୋଳି ଆଣେ ଗହୀର ଭିତରେ ପଶି । ତା' ଭଳିଆ ଆଉ କେହି ନୁହେଁ । ସେ ମନୁଆ ଟେ ସିନା କିନ୍ତୁ ଭାରି ବିଶ୍ଵାସୀ । ସଭିଏଁ ସେଥିଲାଗି ତାକୁ ବହୁତ ସେନେହ କରନ୍ତି ଆଉ ମୁଁ ଟିକେ ବେଶୀ କରେ । କାଇଁକି ନା' ମୋର ଭାଇ ନାଇଁ । ବୋଉ ସେଲାଗି ନାରଣ ଭାଇ କୁ ଖୋଜେ ଆଉ ମୁଁ ତାକୁ ଭାରି ଭଲ ପାଏ ।


 ମୁଁ ତା' ଡାକରେ ଆଇଲିଭାରି ଜିନା , ମୀରା , ସାରୀ ସଭିଙ୍କୁ ଛାଡି । ସେଗୁଡିକ ମନ ଉଣା କରୁଥିଲେ , ଦେଖ ଆମକୁ ଡାକିଲା ନାହିଁ ଖାଲି ୟାକୁ ହୁଁ ।' 


 ମୁଁ କିନ୍ତୁ ମନେ ମନେ କୁରୁଳି ଉଠିଲି । ହାଁ ମୋ କାଟତି ଖୁବ୍ । ଦେଖିଲ ଟି ତୁମର ଭାଇ ଥାଉଁ ଥାଉଁ ଖୋଜା ନାହିଁ କି ଲୋଡ଼ା ନାହିଁ ମୋର କିନ୍ତୁ କେଡେ ମଜା ।.........


 ନାରଣ ଭାଇ ମୋତେ ଚୁପ କି ଡାକି ନେଲା ଆମ ବାରିପଟ ସରଘରକୁ । ମୁଁ ଜାଣିନି ଜମା ସେଠି ଏମିତି ବନ୍ଦୋବସ୍ତ ବୋଲି । କୁଞ୍ଚିକାଠି ରେ ତାଲା ଖୋଲି ମୋତେ ଦେଲା ଏଡ଼େ ଲଡୁ , ଜିଲିପି ଆଉ ଲବଙ୍ଗଲତା । ଇମା ! ସବୁତକ ମୋର ପସନ୍ଦିଆ ମିଠା । ମୁଁ ବଲବଲ ହେଇ ଆନେଇଲି ତା' ମୁହଁ କୁ । ଏଗୁଡା କୁଆଡୁ ଆଇଲା ?? 


 ନାରଣ ଭାଇ ହସିଲା ଆଉ କହିଲା ତୋ ଜୁଳିଆ ନାନୀ ବାହାଘର ପାଇଁ ସାଇତା ହେଇଚି ପା' ବେଭାର ମିଠା । ମୁଁ ସରଘର ମାଲିକ ଆଉ ତୁ ମୋ ଛୁଆ ଭଉଣୀ ।''


 ଖୁସି ମନରେ ମୁଁ ମିଠେଇ ଖାଇଲି । ନାରଣ ଭାଇ ମୋତେ ଭଲ ହେଇଛି କି ନାହିଁ ପଚାରି ବୁଝିଲା ଗୋଟି ଗୋଟି କି । ହେଲେ ନିଜେ ଖାଇଲା ନାହିଁ । ମୁଁ ଭାବିଲି ସରିଯିବ ବୋଲି ବୋଧେ ଖାଉନି ସେଥିଲାଗି ମୁଁ ଯାଚିଲି ମୋ ଭାଗରୁ । ହେଲେ ସେତକ ବି ସେ ଖାଇଲା ନାହିଁ । ମୁଁ ଘୋଷା ହେଇ ଯେବେ କହିଲି ,

 '' ତୁ ନଖାଇଲେ ମୁଁ ବି ଖାଇବିନି ଯା ।''


 ଭାଇ ଟିକେ ତାଗିଦ କଲା ସ୍ୱରରେ କହିଲା , " ସରଘର ମାଲିକ ସବୁ ଜିନିଷ ର ଜଗୁଆଳ ,ହେଲେ ସେ କେବେ କିଛି ନିଜ ଲାଗି ନିଏନି । ସେ ଖାଇ ବସିଲେ ସରଘର ଶୁନ୍ ହେଇଯିବ ଲୋ ।''


 ଭାଇ ସତରେ ଟିକିଏ ବି ଛୁଇଁଲା ନାହିଁ । ମୋ ମନ ଦୁଃଖ ପରେ ବି ନୁହେଁ ।

ସେଇଦିନୁ ଜାଣିଲି ସରଘର ମାଲିକ କେବଳ ଜଗୁଆଳ ସବୁବେଳେ । ସେଇ ଲୋକ କେବଳ ମାଲିକ ହୁଏ ଯେ ଲୋଭ ରଖେନି ।

ନିର୍ଲୋଭ ମଣିଷ ହାତରେ ହିଁ ପରସା ଯାଏ ସରଘର କୁଞ୍ଚି କାଠି ।


***********************


 ସରଘର ସଂଭାଳି ଆସିଛି ମୁଁ ଯେବେଠୁ ମୋ କାନ୍ଧରେ ରହିଲା ସଂସାର ବୋଝ ।

ମୁଁ ମୋ ବୋଉ ଆଖିରେ ନିର୍ଲୋଭ ଆଉ ମୋ ଶାଶୁଙ୍କ ଆଖିରେ ବି । 


 ଦୁଇ ଘରର ସବୁ ବାହା ପୁଆଣି ବେଳେ କୁଞ୍ଚି କାଠି ମୋ କାନିରେ । ସଭିଙ୍କର କାଇଁ କେତେ ଖୁସି ମଜା , ବୁଲାବୁଲି , ଥଟା ତାମସା । କିନ୍ତୁ ମୋର ଦାୟିତ୍ବ । ସଭିଙ୍କର ଆବଶ୍ୟକତା ପୂର୍ଣ୍ଣ କରିବାର ଚିନ୍ତା । କାମ ଟା ସୁରୁଖୁରୁରେ ସାରିବାର ବ୍ୟସ୍ତତା। ଭୋଜି ଭାତ ଠୁ ନେଇ କୁଣିଆ ବିଦାକି ଯାଏଁ ମୋତେ ଖୋଜା ଲୋଡ଼ା । ସଭିଙ୍କ ମନଜାଣି

ଭାର ବେଭାର ଦେବାର ଗୁରୁ ଦାୟିତ୍ୱ ମୁଁ ତୁଲେଇ ଆସିଛି ସବୁବେଳେ ।


 ଗେଲବସର ହେଇ ବଢିଥିଲି ବୋଲି ବୋଧେ ମୋ ଲାଗି ଅଦୃଶ୍ୟ ର ଏଇ 

ବିଚାର । ରହିବି ସବୁବେଳେ କାମ 

ଭିଡରେ । କିନ୍ତୁ ସବୁ ସଇଲା ପରେ ଯେଉଁ ସନ୍ତୋଷ ଟିକକ ସେଇତକ ମୋର ପ୍ରାପ୍ତି । ସାନ ନଣନ୍ଦ ହାତରେ ବିଦାକି ବେଳେ ଦୁଇଟା ଅଧିକ ଘି ପିଠା ହେଉ ବା ବଡ଼ ନଣନ୍ଦ ଙ୍କ ପାଇଁ ଅଧିକା ଘର ପିନ୍ଧା ଶାଢ଼ୀ ଟେ ହେଉ , ସେଥିରେ ମିଳୁଥିବା ତାଙ୍କ ଓଠର ହସ ଟିକକ ହିଁ ମୋର ସୁଖ । 


  ଶାଶୁ ଯେବେ ମୋତେ ଦେଖି କୁହନ୍ତି , 

'' ବୋହୁ ମୋର ଆଇଲାଣି ଆଉ କିଛି ଚିନ୍ତା ନାହିଁ । '' ସେତେବେଳେ ଛାତି ମୋର କୁଣ୍ଢେମୋଟ ହେଇଯାଏ । ବିଶ୍ୱାସ ଆସେ ନିଜ ପାରିଲା ପଣରେ । 


 ମୋ ପାଖରେ ଯେଉଁ କଳା ସେଇଟା ହିଁ ତ ଆଜିର ଇଭେଣ୍ଟ ମ୍ୟାନେଜମେଣ୍ଟ । କୁହେ ପୁଅ ମୋର ମୋତେ ଟିକେ ଟେହିକି । ବୋହୁ ବି କଥା ସହ କଥା ମିଳାଇ କୁହେ ,

 '' ଏକଦମ ଠିକ କହିଛ ବୋଉଙ୍କ ଭଳି ଆଉ କିଏ ପାରିଲାର । ମୋର ତ ମୁଣ୍ଡ ଘୁରାଏ ବେଶି ଲୋକ ଦେଖିଲେ ରେ ବାବା !"......


 ମୋ ଭିତରେ ଦୃଢ଼ ପ୍ରତ୍ୟୟ ଆସେ । ମୁଁ ନିର୍ଲୋଭ ମଣିଷ ଟିଏ । ମୋ ଭିତରେ 

ନିର୍ଭେଜାଲ ଶ୍ରଦ୍ଧା ସଭିଙ୍କ ପାଇଁ । ମୁଁ ପଢି ପାରେ ସଭିଙ୍କ ଆଖି ଆଉ ବୁଝିପାରେ ସଭିଙ୍କ ଭୋକ । ଉଠେଇ ପାରେ ଯେ କୌଣସି କାମ ନିର୍ଦ୍ୱନ୍ଦରେ । ଆଉ ସେତେବେଳେ ମନେ ପଡ଼ିଯାଏ ନାରଣ ଭାଇ । ଯେ ତିଆରି ଥିଲା ମୋ ଭିତରେ ସେଇ ପାରିଲା ମଣିଷ । ଶିଖେଇ ଥିଲା ସରଘର କୁଞ୍ଚି କାଠି ସମ୍ଭାଳିବାର ଆଦବ କାଇଦା । 


 ଜୀବନରେ ଯେତେବେଳେ ମୁଁ ଟିକେ ଝୁଣ୍ଟିଛି ନାରଣ ଭାଇ ଠୁ ସାହସ ନେଇଛି । ସେ ମୋର ମ୍ୟାନେଜମେଣ୍ଟ ଗୁରୁ । ସେ ସବୁବେଳେ ଶିଖେଇଛି ନିର୍ଲୋଭ ହେବାର କଳା । ସେମିତି ମଣିଷ ଟେ ଆଉ ଭେଟିନି ମୁଁ କେବେ ।

*******************


 ତୃତୀୟ ପିଢୀ ର ପ୍ରଥମ ବିଶାଳ ଅନୁଷ୍ଠାନ , ମୋ ଏକମାତ୍ର ଗେଲ୍ହା ନାତିର ବ୍ରତଘର । ମୋ ଘରଠୁ ନେଇ ମୋ ସମୁଧି ଘର ଯାଏଁ ଗୋଟିଏ ସୁତାରେ ଗୁନ୍ଥା ହେବାର ଦାୟୀତ୍ୱ ମୋ ପୁଅ କାନ୍ଧରେ । କରିଥିଲା ଗୋଟିଏ କାମ ପୁଅର ପ୍ରଥମ ଜନ୍ମ ଦିନରେ । କିନ୍ତୁ ଥିଲା ଦିଲ୍ଲୀରେ ସେତେବେଳେ କମ୍ପାନୀ ଚାକିରୀରେ । ସେଠିକା କାମ ଏଠିକା କାମ ରେ ଢେର ଫରକ । ସେଠି ଛୋଟିଆ ପରିସର ରେ ଟିକିଏ ପିଲାଖେଳ ଭଳି କେକ୍ କଟା , ବୁଫେ ଭୋଜି । କିନ୍ତୁ ଏଇନେ କଥା ଦୋଷରା । 


 ମୋ ତିନି ପିଢୀର ବେଜାଏ ମଣିଷ ଙ୍କୁ ନେଇ ଘୋଘା । ମୁଁ ଏଇନେ ଭାରି ଚଳଚଞ୍ଚଳ , ମୋର ପାଦ ତଳେ ଲାଗୁନି । ମୋ ଭିତରର ସରଘର ଜଗୁଆଳି ପୁଣି ଜାଗି ଉଠିଛି । ମୁଁ ଅନେଇ ବସିଛି ଶାଢ଼ୀ ଚିଠା , ଭୋଜି ଚିଠା , ନନା ବରାଦ , ମିଠେଇ ପାଗ , ଆରିସା ଆଉ ବୁନ୍ଦି ଛଣା ପାଇଁ । କରୁଛି ଚିଠା ମୋ ବନ୍ଧୁ ବାନ୍ଧବଙ୍କର । ଅଣ୍ଡାଳି ନେଉଛି ସଭିଙ୍କ ବୟସ ଆଉ ରୁଚି ।

 

 ସଭିଙ୍କୁ ମନେ ପକେଇ ପକେଇ ଲେଖୁଛି ମୋ ବୟସ୍କ ହାତରେ । ନାତି ନାତୁଣୀ ମୋର ଛ ଜଣ । ତାଙ୍କରି ଲାଗି ଟିକେ ଅସୁବିଧା ମୋର । ଆଜିକା ପିଲାଙ୍କ ରୁଚି କେଜାଣି କେମିତି ? ମୋତେ ସେମାନଙ୍କ ବେଶ ପୋଷାକ ନେଇ ବଡ଼ ଅଡୁଆ । ବଡ଼ ନାତି ଟୋକା ସେରୱାନି ଗୋଟାଏ ଖୋଜିବାରେ ଅଣ୍ଡାଳି ପକେଇଲା ପୂରା ସହର । ତଥାପି ମନ ଉଣା ତା'ର । ଆଜିକା ପିଲାଙ୍କୁ ସନ୍ତୁଷ୍ଟ କରିବା ବଡ଼ କଠିନ ବ୍ୟାପାର । 


 ମୋ ଭିତରର ବ୍ୟସ୍ତତା କିନ୍ତୁ ପୁଅ ଆଉ ବୋହୁଙ୍କ ଭିତରେ ନାହଁ । ଆଉ ଜମା ମାସେ ରହିଲା ଅନୁଷ୍ଠାନ । ମନ ମୋର ହାଇଁପାଇଁ ହେଲା । ମୁଁ ପୁଅକୁ ପଚାରି ବସିଲି । '' କିରେ

ଜାମା ପଟା , ଭୋଜିଭାତ ଏସବୁ ଲାଗି ଚିଠା କେବେ କରିବୁ ?''


 ପୁଅ ଆଉ ବୋହୁ ହସିଲେ । ବୋହୁ କହିଲା ,'' ବୋଉ ବନ୍ଦୋବସ୍ତ ସରିଛି ।''

 ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି , 

'' କେତେବେଳେ ସରିଲା ଯେ ?''

 ପୁଅ ବୁଝେଇ ଦେଲା , '' ସଭିଏଁ ନିଜ 

ମନଲାଖି ପୋଷାକ ଅମାଜନ୍ ରୁ ମଗେଇ ନେଇଛନ୍ତି । ଭୋଜି ଦାୟୀତ୍ୱ କ୍ୟାଟରିଂ କୁ ଦିଆ ସରିଛି । ଅନ୍ୟାନ୍ୟ କାମ ପାଇଁ ଭଲ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଟେ ବରାଦ କରାଯାଇଛି । ''


ବୋହୁ ସେଥିରେ ଆଉ ପଦେ ଯୋଡ଼ିଲା ,

 '' ବୋଉ ଆଜିକାଲି କାମ ଆଉ ଭିଡ଼ ନାହିଁ ମଁ । ପଇସା ଥିଲେ ସୁବିଧା ହାଉଯାଉ । ''


  ମୁଁ ସବୁ ଶୁଣିଲି । ଆଜିର ମଣିଷର ପରିବର୍ତ୍ତିତ ଚିନ୍ତାଧାରା ଦେଖି ଭିତରୁ ଭିତରୁ ଭାଙ୍ଗିରୁଚି ଗଲି । ସେଥିପାଇଁ ବୋଧେ ସମ୍ପର୍କରେ ଆଉ ସେଇ ଚମକ ନାହିଁ । ସବୁ କାମ ଯଦି ବାହାର ଲୋକ କରିବେ ତେବେ ନିଜପଣ ଆସିବ କୁଆଡୁ । 


 ଘଡ଼ିଏ ଭାବନା ଆସିଲା ଆଉ ବୋଧେ ନାହାନ୍ତି ନିର୍ଲୋଭ , ନିର୍ଭେଜାଲ ମଣିଷ ଆଜିର ସମୟରେ । ଯାହା ହାତରେ ସରଘର କୁଞ୍ଚିକାଠି ଧରେଇ ନିଶ୍ଚିନ୍ତ ହେଇଯିବ ମଣିଷ । କିଏ ଆଉ ନେଉଛି କାହାର ଦାୟିତ୍ୱ ଏଠି । 


ମୋ ଉପରେ ବି କ'ଣ ଭରସା ନାହିଁ ମୋ ପିଲାଙ୍କର ?........

 ଏଇ କଥାଟି ଭିତରେ ଭିତରେ ଯନ୍ତ୍ରଣା ଦେଲା । ମନ ଉଣା ହେଇଗଲା ମୋର । ଏଡ଼େ ଅନୁଷ୍ଠାନ ରେ ଖୋଜାଲୋଡ଼ା ନଥିବ ବିଲକୁଲ ; କେମିତି ଲାଗିବ ଭାବୁଥିଲି ।


******************


  ଭୋଜିଭାତରେ କେତେ ଗହଳି କେଡେ ଆନନ୍ଦ ସଭିଙ୍କର । ବଡ଼ ସୁଖୀ ଲାଗୁଥିଲା କାହିଁ କେଉଁ ଦିନୁ ଭେଟି ନଥିବା ବନ୍ଧୁ ବାନ୍ଧବ ବି ଖୋଜା ଲୋଡ଼ା ହେଇ ଅସିଥିଲେ ।

 ଦାୟୀତ୍ୱବିହୀନ ହେବାର ଅନୁଭବ କିନ୍ତୁ ମୋତେ ଜମା ଭଲ ଲାଗୁନଥାଏ । ମୁଁ ଟିକେ ବୁଲି ଆସୁଥାଏ ଖାଦ୍ୟପେୟ ଆଡେ । ସବୁଠି ସୁନ୍ଦରୀ ଝିଅ ଗୁଡିଏ ପରଷୁଥାନ୍ତି କେତେ ଜାତିର ବ୍ୟଞ୍ଜନ । ପ୍ଲେଟ୍ ବନ୍ଦୋବସ୍ତରେ ଚାଲିଥାଏ ସବୁ । 


 ମୋ ମନରେ କିନ୍ତୁ ଟିକିଏ ଦକ , ସରିଯିବ ଯଦି ଖାଇବା । ଆହୁରି କୁଣିଆ ଯଦି ଆସୁଆସୁ ଡେରି କରିବେ !


 ମୁଁ ସେଇ କ୍ୟାଟରିଂ ବାଲାକୁ କହି ରଖିଲି ଦଶ ପ୍ଲେଟ୍ ସାଇତି ଦେବାକୁ । କିଏ ଜାଣେ ସରଘର ମାଲିକ ବ୍ୟତୀତ ଏଇ ଭିତିରି ବନ୍ଦୋବସ୍ତ କଥା ।


*********************


  ବେଶ ଡେରିରେ ଆସିଲେ ପୁଅ ଅଫିସର

କିଛି ଷ୍ଟାଫ । ଫସି ଥିଲେ ଗୋଟେ ମିଟିଂ ରେ। ପୁଅର ସେମାନେ ଅତି ନିଜ ଲୋକ ।ପୁଅ ସେମାନଙ୍କ ଗହଣରେ ବେଶ ଆନନ୍ଦିତ ଲାଗୁଥାଏ । ଖୁବ୍ ଫଟୋ ଉଠେଇଲେ ସଭିଏଁ । ବେଶ ଅତ୍ମୀୟତା ଥିଲା ସେମାନଙ୍କ ସମାବେଶରେ ।

 ଏବେ ଖାଇବା ପାଳି । କ୍ୟାଟରିଂ ଵାଲା କି ଆଉ ନିଜ ଲୋକ । ଜଣେଇଲା ବାଲି ମଶଲା ଛେନାଛଣା ଆଉ କ୍ଷୀରା ସାରିଯାଇଛି । 

ଆଃ ! ଏଇ ଯୋଡ଼ାକ ସବୁଠୁ ବଢିଆ ହେଇଥିଲା। ପୁଅ ର ମନ ବଡ଼ ଉଣା ହେଇଗଲା । ନିଜ ଲୋକକଙ୍କ ଲାଗି ନିଅଣ୍ଟିଆ ହେବା ବଡ଼ ଦୁଃଖ !.........


 ମୁଁ କିନ୍ତୁ ଆସ୍ତେ କି କହିଲି ପୁଅକୁ , '' ବ୍ୟସ୍ତ ହୋନା ଅଛି ସବୁ ।''


Rate this content
Log in