ସଂସ୍କାର
ସଂସ୍କାର
ସେଇ ଘିସାପିଟା ପ୍ରେମକାହାଣୀ, କଟାକ୍ଷ, ପ୍ରେରଣାଦାୟକ, ଦୁଃଖଭରା ଭିତରୁ ବାହାରି କିଛି ଅଲଗା ଲେଖିବାର ପ୍ରୟାସ କରୁଛି। ଆଶା ଭଲଲାଗିବ। ମେଫେୟାରର ମସଲାବାଲା ତଡକା ନାହିଁ ଏଥିରେ କିନ୍ତୁ ମାଆ ହାତରନ୍ଧା ପ୍ରେମଭରା ଖାଦ୍ୟ ପରଶିବାର ପ୍ରଚେଷ୍ଟା କରିଛି।
ଆଜିକାଲିର ଛୁଆ ଆଈମା କାହାଣୀ ସଭ୍ୟତାରୁ ବହୁତ ଦୂରରେ। ଆଈମା କାହାଣୀ ପେଢିରୁ, ଜହ୍ନମାମୁଁରୁ ପରୀ ଶବ୍ଦ ଶୁଣିଛି। ହେଲେ ଅଳସୁଆ ପରୀ ....
ମୋ କାହାଣୀର ଶାରୀ ହିଁ ଅଳସୁଆ ପରୀ। ମୋ ଚିନ୍ତାଧାରାରେ ବିଶ୍ୱାସଘାତଘତା, କୁପଥ ହିଁ ଅଳସୁଆ ପରୀର କାରନାମା। ନଦେଖିଲା ଓଉ ଛଫଡା !
ଆଜିକାଲିର ସଭ୍ୟତାରେ ସହର ପାଖାପାଖି ସ୍ଥାନରେ ରହିଲେ ଆମେ ସେହି ସହରର ନାଆଁ ଦେଇଥାଉ। ଅବଶ୍ଯ ଆଜିକାଲି ସହର ଭିତରକୁ ପ୍ରବେଶ କରିଗଲାଣି ସେହି ଗାଆଁ ସବୁ।
ଏଇ ଯେମିତି ଶିଶୁପାଳଗଡ଼।ବହୁତ ପୁରୁଣା ଦିନର କଥା।ଗାଆଁ ମୁଣ୍ଡରେ ବିରାଟ ଝଙ୍କା ବରଗଛ।ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ସମାହାର ସେହି ବରଗଛରେ ସତେ ଯେମିତି ବିରାଟ ଅଟ୍ଟାଳିକା ।ସମସ୍ତଙ୍କ ନିର୍ଭୟ ବାସସ୍ଥାନ। ସେଇ ବରଗଛ ପାଖକୁ ସମାଜର ସର୍ବଶ୍ରେଷ୍ଠ ପ୍ରାଣୀ ମାନେ ମନୁଷ୍ଯର ଆତଯାତ ନଥିଲା। ସବୁ ଜୀବଜନ୍ତୁଙ୍କ ଭୟ ମନୁଷ୍ଯକୁ। ତେଣୁ କହୁଥିଲେ ;
ଡର କାହାକୁ ଭୟ କାହାକୁ,
ମନୁଷ୍ଯ ଆସେନି ଏଇ ପାଖକୁ।
ସେହି ବରଗଛ ଶିଖରରେ ରହୁଥିଲେ ଦୁଇଟି ସରଳ, ସୁଶୀଳ ଶାରୀ ପରିବାର। ସୁନ୍ଦର ଚାଲିଥିଲା ସଂସାର। ମନୁଷ୍ଯକ୍ରୁତ କଂକ୍ରିଟ ଜଙ୍ଗଲର ସର୍ଜନା ହୋଇନଥିଲା, ତେଣୁ ସନ୍ତୁଳିତ ପରିବେଶରେ ସୁନ୍ଦର ଖାଦ୍ୟ ଅନ୍ୱେଷଣରେ ଅସୁବିଧା ନଥିଲା। ଖାଦ୍ୟାଭାବ ଅଶାନ୍ତିର ମୁଖ୍ଯ କାରଣ ହୋଇଥାଏ। ସୁନ୍ଦର ଖାଦ୍ୟ ଓ ସୁନ୍ଦର ପରିବେଶର ପ୍ରଭାବରେ ଦୁଇ ପରିବାରରେ ଦୁଇଟି ସନ୍ତାନର ଆଗମନ ହେଲା।
ଖୁସିରେ ନାଚିଉଠିଲେ ଦୁଇ ପଡୋଶୀ। କଥାରେ ଅଛି ପଡୋଶୀ ହିଁ ପଡୋଶୀର ଶତ୍ରୁ। ଦୁଇପରିବାର ଦୁଇ ଛୁଆଙ୍କ ବିରୁଦ୍ଧରେ କଥା ହୁଅନ୍ତି। କିନ୍ତୁ ଦୁଇପଡୋଶୀ ଛୁଆ ଭିତରେ ମଧୁର ସମ୍ପର୍କ। ସମୟର ପ୍ରବାହ ସହ ବଢିଚାଲିଲେ ଦୁଇଛୁଆ। ଆଧୁନିକ ଛୁଆଙ୍କୁ ସେହି ବୃକ୍ଷ ଜେଲ ପରି ଅନୁଭୂତ ହେଉଥିଲା। ଦୁଇଛୁଆ ଖଣ୍ଡିଉଡା ଦେବାକୁ ଆରମ୍ଭ କଲେ। କିନ୍ତୁ ବାହାରକୁ ଯିବାର ଅନୁମତି ନଥିଲା ସେମାନଙ୍କୁ।
ହଠାତ୍ ଦିନେ.....
ଦୁଇସାଙ୍ଗ କଥାହେଲେ ଏକାସାଙ୍ଗେ ଗଲେ ଘରେ ଯିବାପାଇଁ ଦେବେ ନାହିଁ। କିଛି ସମୟ ଅନ୍ତରରେ ଦୁହେଁ ବାହାରିଯିବା। ବାହାର ଦୁନିଆଁ ଦେଖିବା ଏବଂ ଠିକ୍ ଏକବର୍ଷ ପରେ ପୁଣି ଫେରିଆସିବା। ନହେଲେ ଆମକୁ ନପାଇ ଝୁରିଝୁରି ଦୁଇଟି ପରିବାର ନଷ୍ଟ ହୋଇଯିବ।
ସେୟା ହିଁ ହେଲା। ଅଲଗା ଅଲଗା ସମୟରେ ଦୁଇ ଶାରୀ ଶାବକ ବାହାରିଗଲେ ନୀଡ ଛାଡି ଖଣ୍ଡି ଉଡା ଦେଇ। ଗୋଟିଏ ଶାରୀ ପହଞ୍ଚିଲା ମହାନଦୀ କୂଳରେ। ସଂଧ୍ୟା ଆସନ୍ନପ୍ରାୟ। ଥକ୍କିଯାଇ ଆଶ୍ରୟ ନେଲା ମହାନଦୀ ନିକଟସ୍ଥ
ଅନନ୍ତ ଗୋପାଳ ଆଶ୍ରମରେ। ଅନ୍ୟ ଶାରୀଟି ପହଞ୍ଚିଲା ପୁରୀର ଚକ୍ରତୀର୍ଥ ରୋଡ ସ୍ଥିତ ମେଫେୟାର ହୋଟେଲ ପାଖରେ।
ସୁନ୍ଦର ଥିଲା ଯାତ୍ରା। ବାଃ ବାହାର ଦୁନିଆଁ କେତେ ସୁନ୍ଦର। ରାତିରେ ଗୋଟିଏ ଶାରୀ ଶାବକ ମହାନଦୀ କୂଳର ଶାନ୍ତ ପରିବେଶରେ ଆନନ୍ଦ ନେବା ସହ ଆଶ୍ରମର ରାମନାମ, ନୀତିବାଣୀ ଅଭ୍ୟାସ କରିବାରେ ଲାଗିଲା।
ଅପର ପକ୍ଷରେ ଅନ୍ୟ ଶାବକଟି ଅଶାନ୍ତ ସମୁଦ୍ର ଦେଖିବାସହ ମେଫେୟାର ହୋଟେଲର ସୁରା, ସାକିରେ ମସଗୁଲ ହୋଇ ନିକଟସ୍ଥ ବୃକ୍ଷରେ ବାସ କରିବାକୁ ଲାଗିଲା। ସମୟର କ୍ଷିପ୍ର ପ୍ରବାହ ସହ କ୍ଷିପ୍ର ଗତିରେ ବଢିବାକୁ ଲାଗିଲେ ଦୁଇ ଶାବକ। ପରିସ୍ଥିତି, ପରିବେଶ ଅନୁସାରେ ନଦୀକୂଳର ଶାବକଟି ସଂସାର, ସଂସ୍କୃତି ,ଅହିଂସା ଜ୍ଞାନ ପାଇ ବଢିଚାଲିଲା। ଅନ୍ୟ ଶାବକଟି ସମୁଦ୍ର ପରି ଅଶାନ୍ତ ହେବାସହ ହୋଟେଲର ଚାଲିଚଳଣ, ହିଂସ୍ର, ଅସହିଷ୍ଣୁତାର ମାର୍ଗରେ ଆଗକୁ ବଢିଲା। ସେପଟେ ଦୁଇପରିବାର ଭାବିଲେ ଛୁଆଗୁଡାକୁ କ୍ରୁର ମନୁଷ୍ଯ ନେଇ ପଞ୍ଜୁରୀଭିତରେ ବନ୍ଦ କରିଦେଲା। ଦୁଃଖ କରି ଲାଭନାହିଁ।
ଏକ ବର୍ଷ ପରେ......
ଚୁକ୍ତି ଅନୁଯାୟୀ ଦୁହେଁ ଫେରିଗଲେ ନିଜ ନିଜ ପରିବାରବର୍ଗଙ୍କ ପାଖକୁ। ଦୁନିଆଁ ବିଷୟରେ ବର୍ଣ୍ଣନା କରୁଥିଲେ ଦୁହେଁ। ସମୁଦ୍ର ଫେରନ୍ତା ଶାରୀ ଭାବୁଥିଲା ଆର ପରିବାରର ପରିସମାପ୍ତି କରିଦେଲେ ଆମର ଘର ବଡ ହୋଇଯିବ, ଅନ୍ୟପଟେ ନଦୀଫେରନ୍ତା ଶାନ୍ତ, ସରଳ ଶାରୀଟି ଭାବୁଥିଲା ଦୁଇ ପରିବାର ଗୋଟିଏ ଘରେ ରହିଲେ କୋଳାହଳରେ ଘର ଫାଟିପଡନ୍ତା।
ହଠାତ୍ ଦିନେ ସମୁଦ୍ର ଫେରନ୍ତା ଅଶାନ୍ତ ଶାରୀଟି ଉପାୟ ପାଞ୍ଚିଲା। ଗଛ କୋରଡରେ ରହୁଥିବା ବୁଢା ଅଜଗର ପାଖକୁ ଯାଇ କହିଲା, ଆସ ତମପାଇଁ ସୁନ୍ଦର ଖାଦ୍ୟ ଯୋଗାଡ କରିଦେବି।
ଖୁସିରେ ଦୁଷ୍ଟ ଅଜଗର ଚାଲିଲା ଶାରୀ ସହିତ।ଦୁଷ୍ଟ ଶାରୀଟି ତା ପଡୋଶୀପରିବାରର ବସା ଦେଖାଇଦେଲା। ଅଜଗରର ନଜର ଖେଳିଗଲା ଦୁଇପଟେ। ବାଃ ଆଜି ସୁସ୍ୱାଦୁ ଭୋଜନର ଯୋଗ। ହେଲେ, ଅଜଗର ଦେଖିଲା ଦୁଷ୍ଟଶାରୀ ଦେଖେଇଥିବା ସ୍ଥାନରେ ପହଞ୍ଚିବା ଏଇ ବୁଢା ବୟସରେ ବହୁତ କଷ୍ଟ। ତା ଅପେକ୍ଷା ଅପରପକ୍ଷର ବସାରୁ ଆରାମରେ ଆହାର ସଂଗ୍ରହ କରିହେବ। ସେୟା ହିଁ କଲା ଅଜଗର। ଆଶ୍ଚର୍ଯ୍ଯ ହୋଇ ଅନେଇ କାନ୍ଦୁଥିଲା ଦୁଷ୍ଟଶାରୀ। ତା ଆଖିଆଗରେ ତା ବାପାମାଆଙ୍କୁ ଖାଇଯାଉଥିଲା ଅଜଗର। ଆପତ୍ତି କରି ନିଜ ଜୀବନ ବି ହାରିଲା ଦୁଷ୍ଟଶାରୀ। ଆରପଟର ପରିବାର ଏସବୁ ଦେଖି ଲୁହ ଗଡାଉଥିଲେ।
*ସାରମର୍ମ : ଯେ ପାଞ୍ଚେ ପରମନ୍ଦ,
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ*।।
