STORYMIRROR

Usharani Sahoo

Others

3  

Usharani Sahoo

Others

ସଂସାର ଵନ୍ଧନ

ସଂସାର ଵନ୍ଧନ

2 mins
186


ଈଶ୍ୱର ସୃଷ୍ଟିରେ ମନୁଷ୍ୟ ହେଉଛି ସର୍ବଶ୍ରେଷ୍ଠ ପ୍ରାଣୀ। ଏହି ମନୁଷ୍ୟ ବଞ୍ଚିବା ପାଇଁ ଏବଂ ନିଜକୁ ପରିବେଶ ସହିତ ଖାପଖୁଆଇ ଚଳିବା ପାଇଁ ଉପଯୁକ୍ତ ସମାଜ ଖୋଜିଥାଏ। ସେହି ସମାଜ ଭିତରେ ସେ ପରସ୍ପର ସାହାଯ୍ୟ, ସହାନୁଭୂତି, ସହଯୋଗ, କର୍ତ୍ତବ୍ୟ , ଦାୟିତ୍ଵରେ ବାନ୍ଧି ହୋଇ ସାଂସାରିକ ଜୀବନଯାପନ କରିଥାଏ। ଏହି ଵନ୍ଧନରେ ସେ ଏମିତି ବାନ୍ଧି ହୋଇଯାଏ ଯେ ସଂସାର ରୂପକ ଵନ୍ଧନରୁ ମୁକ୍ତ ହେବା ପାଇଁ ତାକୁ କାଠିକର ପାଠ ହୋଇଯାଏ।

    ଠିକ୍ ସେହିପରି ପୁଷ୍ପା ଗୋଟିଏ ଖାଣ୍ଟି ଓଡ଼ିଆ ଘରର ବୋହୁ।ସେ ଦେଖିବାକୁ ଯେମିତି ସୁନ୍ଦର ତା'ର କଥାବାର୍ତ୍ତା ଚାଲିଚଳନ ଓ ବ୍ୟବହାର ମଧ୍ୟ ସେମିତି ସୁନ୍ଦର,ସତେ ଯେମିତି ଲକ୍ଷ୍ମୀ ପ୍ରତିମାଟିଏ। ଗୋଟିଏ ଚାଉଳରେ ଗଢ଼ା। ଶାଶୁଘରେ ସେ ଦାୟିତ୍ଵ ଆଉ କର୍ତ୍ତବ୍ୟ ସୁଚାରୁରୂପେ ତୁଲାଇଥାଏ। ସେ କେବେ ବି କୈାଣସି କଥାରେ ଆପତ୍ତି କରେ ନାହିଁ।ଅହରହ ଚବିଶ ଘଣ୍ଟା ପୁରା ମେସିନ୍ ଭଳି କାମ କରୁଥାଏ।

    ପୁଷ୍ପାର ଶାଶୁଘରେ ଶାଶୁ , ଶ୍ୱଶୁର, ନଣନ୍ଦ,ଦିଅର,ତା'ର ସ୍ୱାମୀ, ଆଉ ପୁଅ ଓ ଝିଅ ଏହିମାନେ ରୁହନ୍ତି। ପୁଷ୍ପା ସମସ୍ତଙ୍କ ମନ ଜାଣି ପ୍ରତି ମୁହୂର୍ତ୍ତରେ ସେମାନଙ୍କ ସେଵା କରିଆସୁଥାଏ।କାହାକୁ ହେଲେ ସେ ପର ବୋଲି ଭାବି ନ ଥାଏ। ସତେ ଯେମିତି ତା ହାତରେ ସମସ୍ତଙ୍କ ଲଗାମ ରହିଛି।ସେ ଏମିତି ପରିବାରର ହସଖୁସିର ସଂସାର ଭିତରେ ବାନ୍ଧି ହୋଇଯାଏ ଯେ ଚାହିଁଲେ ବି ଟିକିଏ ହେଲେ ବିଶ୍ରାମ ନେଵା ପାଇଁ ସମୟ ନଥାଏ।ନିଜ ପାଇଁ ମଧ୍ୟ ଯତ୍ନ ନେବାକୁ ସମୟ ହୁଏ ନାହିଁ।ଏହି ସଂସାର ରୂପକ ମୋହମାୟା ବନ୍ଧନରେ ବାନ୍ଧି ହୋଇ ନିଜ ଶରୀର ପ୍ରତି ତାର ଭ୍ରୁକ୍ଷେପ ନକରିଵା ହେତୁ ଧୀରେ ଧୀରେ ଅସୁସ୍ଥ ହୋଇ ପଡିଲା।

    ତେଣୁ ପୁଷ୍ପା କିଛି ଦିନ ବିଶ୍ରାମ ନିମନ୍ତେ ନିଜ ବାପ ଘରକୁ ଯିବା ପାଇଁ ନିଷ୍ପତ୍ତି ନେଲା। ତେଣୁ ସେ ନିଜର ଆସବାବପତ୍ରକୁ ଏକ ବ୍ୟାଗ୍ ମଧ୍ୟରେ ସଜାଇ ବାହାରି ପଡ଼ିଲା ବେଳେ ପଛ ଆଡ଼ୁ ପାଟି ଶୁଭିଲା ପୁଷ୍ପା ତୁମେ ବାପଘରକୁ ଯାଅ କିନ୍ତୁ ମୋ ପାଇଁ ସାର୍ଟ ସଫା କରିଦେଇ ଯାଅ , ମୁଁ କିଛି ଦିନ ଚଳେଇ ନେବି।ଏପଟେ ଶାଶୁ କହୁଛନ୍ତି ଝିଅ ,ମୋ ପାଇଁ ଚାହା ଆଉ କିଏ କରିବ? ଶାଶୁ କଥା ନ ସରୁଣୁ ଶ୍ୱଶୁର କହୁଛନ୍ତି ମୋ ପାଇଁ ପାନ କିଏ ଭାଙ୍ଗିଦେଵ?ଏହି କଥା ଶୁଣି ପୁଅ କହୁଛି ,ମା' ମୋ ପାଇଁ ଜଳଖିଆ ତିଆରି କରିଦେଇ ଯାଅ, ମୁଁ ସ୍କୁଲ ନେବି।ତା ପରେ ଝିଅ କହୁଛି ମା'ତୁମେ ମାମୁଁ ଘରକୁ ଗଲେ ମୋର ପ୍ରତିଦିନ ମୁଣ୍ଡ କିଏ କୁଣ୍ଡାଇ ଦେଵ?ପୁଅ ଝିଅଙ୍କ କଥା ଶୁଣିଲା ବେଳେ ନଣନ୍ଦ କହୁଛନ୍ତି ଭାଉଜ ,ଆମେ ସମସ୍ତେ କେମିତି ଖାଇବୁ?ଏହାପରେ ପୁଷ୍ପାର ଦିଅର କହୁଛନ୍ତି ଯେ ଭାଉଜ ତୁମେ ଗଲାପରେ ମୋତେ ପାଠ କିଏ ପଢ଼ାଇ ଦେଵ? ଘରର ସମସ୍ତଙ୍କର ଏହି କଥା ଶୁଣି ପୁଷ୍ପାର ପାଦ ଅଟକିଗଲା।ସେ ଯେତେ ଚାହିଁଲେ ମଧ୍ୟ ତା'ର ପାଦ ଆଉ ଆଗକୁ ଗଲା ନାହିଁ। ଟିକିଏ ସମୟ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁକୁ ଚାହିଁ ରହିଲା। ତା'ର ଆଖିରୁ ଲୁହ ଧାର ଧାର ହୋଇ ବୋହି ଯାଉଥାଏ।ସେ କ'ଣ କରିବ ବିଚରା ଭାବି ପାରୁ ନ ଥାଏ। ଟିକିଏ ମୁହୁର୍ତ୍ତରେ ସେ ବାପ ଘରକୁ ଯିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା ତାହା ପାଣି ଫୋଟକା ପରି ମିଳେଇଯାଇଥିଲା ଏବଂ ଶାଶୁଘରର ପ୍ରତ୍ୟେକ ସଦସ୍ୟଙ୍କ ସହ କରାଇଥିବା ସେହି ଅନ୍ତରଙ୍ଗ ମୁହୁର୍ତ୍ତ ତାର ବାରମ୍ବାର କର୍ଣ୍ଣଗୋଚର ହେଉଥାଏ। ତେଣୁ ସଂସାରର ଏହି ମୋହମାୟା ଵନ୍ଧନରୁ ଟିକେ ଶାନ୍ତି ପାଇବା ପାଇଁ ଯାହା ଚାହୁଁଥିଲା ତାହା ହୋଇପାରିଲା ନାହିଁ ଅର୍ଥାତ ସେ ଆଉ ବାପଘରକୁ ଯାଇପାରିଲା ନାହିଁ। ସେ ବୁଝି ପାରିଲା ଯେ ସେ ଯେଉଁ ଶାନ୍ତି ପାଇବା ପାଇଁ ଚାହୁଁଛି ତାହା ଏହି ଏହି ସଂସାର ଵନ୍ଧନରୁ ହିଁ ମିଳିପାରୁଛି।


Rate this content
Log in