ସଙ୍ଗରୋଧର ସମୟ-୫
ସଙ୍ଗରୋଧର ସମୟ-୫
ପ୍ରିୟ ଡାଏରୀ,
ସଙ୍ଗରୋଧର ଏଇ ସମୟ ବି କାହା ଲାଗି ହୋଇ ପାରେ ଶେଷହୀନ ଅପେକ୍ଷାର ସମୟ।
*****
ରାଜପଥରେ କେଜାଣି କାହାର ଅପେକ୍ଷାରେ ଛିଡ଼ା ହେଇଚି ଜଣେ ବୃଦ୍ଧା।ଏକ ପ୍ରକାର ଶୁନ ଶାନ ରାସ୍ତା।କାଁ ଭାଁ ଚାଲି ଯାଉଛି ଗାଡ଼ିଟେ।
ଘଂଟା ଘଂଟା ଧରି କାହାର ଆସିବାକୁ ଯେମିତି ଅପେକ୍ଷା କରିଛି ସେ।ସେ ନିଶ୍ଚୟ କାହାର ମାଆ, କାହାର ମାଉସୀ।ଶେଷ ମାର୍ଚ୍ଚର ଖରା ହୋଇ ଉଠିଛି ନିର୍ଦୟ, କରୋନା ଭାଇରସ ପରି।
କାହାର ଆସିବାକୁ ଅପେକ୍ଷା କରିଛି ମାଉସୀ, ଚାତକ ପରି?
ପୁଅ କିମ୍ବା ସ୍ୱାମୀ କେହି ହୁଏତ କିଛି ଜରୁରୀ କାମ ପାଇଁ ବାହାରକୁ ଯାଇ ଫେରି ନାହାନ୍ତି ମାର୍କେଟରୁ।ଖାଦ୍ୟ ସାମଗ୍ରୀ ଅଥବା ଔଷଧ-ଏହା ହିଁ ଜରୁରୀ ସାମଗ୍ରୀ ଏବେ।ପୋଲିସ ଯେମିତି ହଇରାଣ କରୁଚି, ମାଉସୀ ଵ୍ୟସ୍ତ ହେବା ସ୍ବାଭାବିକ।
ଗୋଟିଏ ଗୋଟିଏ ମଟର ଗାଡ଼ି ନହେଲେ ସାଇକେଲ ଚାଲି ଯାଉଚି ମଝିରେ ମଝିରେ।ମାଉସୀ ହୋଇ ଉଠୁଚି ବ୍ୟଗ୍ର।ହେଲେ କେହି ବି ଅଟକୁ ନାହିଁ ତାକୁ ଦେଖି।ତାର କପାଳ ଝାଳ ସର ସର।ଅପେକ୍ଷା କରି କରି ଥକି ପଡିଚି ସେ।
ଇଏ ଯେ ସଙ୍ଗରୋଧର ସମୟ।ଲୋକଙ୍କୁ ଘରୁ ବାହାରିବା ଲାଗି କଟକଣା।ଏତେ ସମୟ ମାଉସୀର ବାହାରେ ରହିବା ଉଚିତ ନୁହେଁ ନିଶ୍ଚୟ।
ପୋଲିସ ଭ୍ୟାନଟିଏ ଆସିଲା ଏଇ ସମୟରେ ଓ ଅଟକି ଗଲା।ଓହ୍ଲେଇ ପଡ଼ିଲା ପୋଲିସ ଜଣେ-"ଏ ବୁଢ଼ୀ, କାହିଁକି ବାହାରେ ବୁଲୁଚୁ?"
ଏ ପୋଲିସ ମାନେ ସାମାନ୍ୟ ଶିଷ୍ଟାଚାର ସହ କଥା ହେଲେ କିଛି ଅସୁବିଧା ହୁଅନ୍ତା କି?ବୟସ୍
କା ବୃଦ୍ଧା ଜଣେ-ସେ ବି ତ କାହାର ମାଆ।ବୁଢ଼ୀ ଜାଗାରେ କଣ ମାଉସୀ ସମ୍ବୋଧନ କରି ପାରି ନ ଥାନ୍ତା ପୋଲିସ ଜଣକ?
ମାଉସୀ ଟିକିଏ ଡରିଗଲା।କାନ୍ଦ କାନ୍ଦ ହୋଇ କହିଲା-"ମୋ ପୁଅ ଆସୁଚି।"
-"ପୁଅକୁ କାହିଁକି ବଜାରକୁ ପଠେଇଛୁ?ଜାଣିନୁ ଏବେ ଲକଡାଉନ ସବୁ ଆଡ଼େ।"
-"ନା, ବଜାରରୁ ନୁହେଁ, ମୋ ପୁଅ ଦିଲ୍ଲୀରୁ ଆସୁଚି।ସେ ସେଇଠି କାମ କରେ।"ମାଉସୀ ସ୍ପଷ୍ଟୀକରଣ ଦେଲା।
ପୋଲିସ ଜଣକ ହସି ଉଠିଲା।ଗାଡ଼ିରେ ବସିଥିବା ତାର ସାଥୀମାନେ ବି।
-"ଟ୍ରେନ ତ ଚାଲୁନି।ତୋ ପୁଅ ଅବିକା ଆସି ପାରିବନି।ତୁ ଘରକୁ ପଳା।"
-"ନାଇଁ, ସେ କାଳେ ଚାଲି ଚାଲି ଆସୁଛି।ପଡ଼ିଶା ଘର ଟିଭିରେ ଦେଖିଲି ଲୋକେ ଚାଲି ଚାଲି ଆସୁଚନ୍ତି ଦିଲ୍ଲୀରୁ।"ମାଉସୀ କହିଲା।
-"ଦିଲ୍ଲୀ ଏଠୁ ଢେର ବାଟ।ସେ ଚାଲି ଚାଲି ଆସିଲେ ବହୁତ ଦିନ ଲାଗିବ।ସରକାର ରାଜ୍ୟର ସୀମା ସିଲ କରି ଦେଇଛନ୍ତି।ତୋ ପୁଅ ଆସିଲେ ବି ସୀମାରେ ଅଟକ ରହିବ।ତୁ ବ୍ୟସ୍ତ ହଅନା,ତା କଥା ସରକାର ବୁଝିବେ।ତୁ ଘରକୁ ପଳା।"ପୋଲିସ ଜଣକ ସମ୍ବେଦନଶୀଳ ହୋଇ ଉଠି ଥିଲା।
ମାଉସୀ କିନ୍ତୁ ପୋଲିସର କଥାରେ ବିଶ୍ବାସ କରି ପାରୁ ନ ଥିଲା-"ତୁମ ସରକାର କୋଉ କାମକୁ ନୁହେଁ।ତୁମ୍ଭମାନଙ୍କର କଥାରେ ମୋର ଭରସା ନାହିଁ।ମୋ ପୁଅ ଆସିବ ନିଶ୍ଚେ।"
ସଙ୍ଗରୋଧର ଏଇ ସମୟ କାହା ପାଇଁ ଏମିତି ଦାରୁଣ ଅପେକ୍ଷାର ସମୟ ବି।