ସଙ୍ଗରୋଧର ସମୟ-୧୩
ସଙ୍ଗରୋଧର ସମୟ-୧୩


ପ୍ରିୟ ଡାଏରୀ,
ସଙ୍ଗରୋଧର ଏଇ ସମୟରେ କାହା ପାଇଁ ଉଦବିଗ୍ନ ହୋଇ ଉଠୁଥାଏ ଏ ଅମାନିଆ ମନ?
ତୋ ସହରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।ଆଶା କରୁଛି ଭଲରେ ଥିବୁ।ଥିବୁ ସଙ୍ଗରୋଧରେ।ବାହାରେ ହସୁଚି କରୋନା।ତାକୁ ଡରି ଲୋକେ ପଶି ରହୁଛନ୍ତି ଘରେ।ଗୋଟିଏ ଅର୍ବାଚୀନ ଭୁତାଣୁ ପାଇଁ ଏହା ଠାରୁ ଆଉ ବଡ଼ ଉପଲବ୍ଧି କଣ ହୋଇପାରେ?
ଅଲମ୍ପିକ କ୍ରୀଡ଼ା ବେଳେ ଯେମିତି ସବୁଦିନେ ଆମେ ଅପଡେଟ ଦେଖୁ,ବିଭିନ୍ନ ଦେଶର ପଦକ ସଂଖ୍ୟା ଉପରେ ନଜର ପକାଉ;ଏବେ କରୋନା ଅପଡେଟ ଉପରେ ବି ସେମିତି ନଜର ରଖିଛୁ।ବିଭିନ୍ନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ କରୋନା ଜନିତ ମୃତକଙ୍କ ସଂଖ୍ୟା ଦେଖି ଆକଳନ କରୁଚୁ କରୋନାର ଭୟାବହତା।
ତୋ ସହର ଲକଡାଉନ।ରାସ୍ତା ଘାଟ ଖାଁ ଖାଁ।ତେବେ ବି କାହିଁକି ବଢୁଛି କରୋନାର ପ୍ରକୋପ?ଏଠି ଏତେ ଦୂରରେ ଥାଇ ବଢ଼ି ଯାଉଛି ମୋର ଚିନ୍ତା।ତୋ ପାଇଁ।କାହିଁକି, ତୁ ମୋର କିଏ?
ତୁ ଥିବୁ ଘରେ।ତୋ ପାଖରେ ଯଥେଷ୍ଟ ଖାଦ୍ୟ ସାମଗ୍ରୀ ଅଛି କି ନାହିଁ ଜାଣେନା।ତୋ ମନି ପର୍ସରେ ଯଥେଷ୍ଟ ଟଙ୍କା ଅଛି କି ନାହିଁ, ତୋ ସ୍କୁଟିରେ ପେଟ୍ରୋଲ ଅଛି କି ନାହିଁ-ଆଃ..... ଏ ଚିନ୍ତାର ଶେଷ ନାହିଁ ଯେମିତି।
ଜଣା ନାହିଁ ତୋ ଦେହ ଭଲ ଅଛି କି ନାହିଁ।ତୋତେ ଜ୍ୱର ଆସିଚି କି?ଶୁଖିଲା କାଶ ହେଉଛି କି ତୋତେ?ଏସବୁ ହୁଏତ କରୋନାର ଲକ୍ଷଣ ହୋଇପାରେ।କିନ୍ତୁ ତୋର ଜ୍ୱର କିମ୍ବା କାଶ କେବେ ବି ହୋଇ ନ ପାରେ କରୋନାଜନିତ।
ତୋ ସହରରେ ବଢ଼ି ଚାଲିଛି କରୋନାର ପ୍ରଭାବ।ଲକଡାଉନ ସତ୍ତ୍ୱେ। ମୋତେ ଡର ଲାଗୁଛି ସତେ ଯେମିତି ତୋ ସହର ହେବାକୁ ଯାଉଛି ଚୀନର ଉହାନ କିମ୍ବା ଆମେରିକାର ନ୍ୟୁୟର୍କ।ଦିନ କେଇଟାରେ।ହେଃ, କାହିଁକି ମୋ ମନକୁ ଛୁଉଁଛି ଏ ପାପ?
ତୋ ସହରରେ ଅନ୍ଧାର।ମୋ ମନରେ ଡର।ତୋର ଯେ ଅନ୍ଧାରକୁ ଖୁବ ଭୟ।ସେଇଥିପାଇଁ ତ ଜଳେଇ ବସିଛି ଦୀପ।ଏଇ ଦୀପର ଆଲୁଅ ନିଶ୍ଚେ ପହଁଚୁଥିବ ତୋ ସହରରେ।ତୋ ଝର୍କାରେ।