ସ୍ନେହ
ସ୍ନେହ


ସ୍ନେହ
------------
. ପରମେଶ୍ବର ଓଝା
ଦୀପକ ସକାଳେ ଯେତିକି ପ୍ରଶନ୍ନ ହୋଇ ଯାଇଥିଲା ସେହି ଅନୁପାତରେ ମୁହଁ ଶୁଖେଇ ଘରକୁ ଫେରିଥିଲା ଅପରାହ୍ନ ରେ ।
ବାପା ବୋଉ ଙ୍କ ଆଗରେ ସେ ଏମିତି କଥା କହିପାରିବନି ସେ ମନଦୁଃଖ କରିବେ । ଆଉ ଦେଈ , ଦରବୁଢ଼ୀ ହେଲାଣୀ ଏ ପର୍ଯ୍ୟନ୍ତ ବି ଝଗଡା କରୁଛି ତା ସହ ନୂଆ ଡ୍ରେସ୍ ଟେ ପିନ୍ଧିଲେ ଝଗଡା , ଭଲ କିଛି ଖାଇଦେଲେ ଝଗଡା କୋଉଥିରେ ବି ଟିକିଏ ତାର ଭାଗ କମିଗଲେ ଝଗଡା ସବୁଥିରେ ଅଶାନ୍ତି । ବେଳେ ବେଳେ ତାର ଇଛା ହୁଏ ଏ ଚଣ୍ଡି ଟା ଏ ଘରେ ଜନ୍ମ ହୋଇନଥିଲେ ସତରେ ସେ ବହୁତ ଶାନ୍ତି ରେ ଥାଆନ୍ତା ।
ଖଟ ଉପରେ ଏଇ ପଡ଼ିଛି ନିଜ କୁ ଟିକିଏ ହାଲକା କରିବା ପାଇଁ ତ , ଆରମ୍ଭ ହୋଇଗଲା ସେପଟେ ତାର - " ଆସିଗଲୁ ପଡିଗଲୁ ସେମିତି ଗୋଡ଼ ହାତ ଧୁଆ ଧୋଇ ନାହିଁ , ଶାର୍ଟ ପ୍ୟାଣ୍ଟ୍ ବଦଳା ନାହିଁ , ସେମିତି ଆସି ହୁଣ୍ଡା ମୁର୍ଖ ଭଳିଆ ପଡିଗଲୁ । ଶାର୍ଟ୍ ଟା କ'ଣ ୟାଙ୍ଗର ରେ ଟଙ୍ଗା ହୋଇ ପାରୁନି କି ? ତୋର ଏଠି ଚାକରାଣୀ ରଖିଛୁତ ତୋ ଶାର୍ଟ୍ ପ୍ୟାଣ୍ଟ୍ ଡେଲି ସଫା କରି ଆଇରନ୍ କରିଦେବ ଆଉ ତୁ ବାବୁ ଭଳିଆ ଆସି ଫୋପାଡି ଦେବୁ ଶାର୍ଟ୍ ପ୍ୟାଣ୍ଟ୍ ୟାଡେ ସ୍ୟାଡେ । ଦେଖ୍ ଘରେ ଯେମିତି ଚଳନ୍ତି ସେମିତି ମଣିଷ ଭଳିଆ ଚଳ ଏମିତି ଅମଣିଷ ଙ୍କ ପରି ହଅନି କହି ଦେଉଛି ।"
ସବୁବେଳେ ଚବର ଚବର ଶୁଣି ଦୀପକ କୁ ଭାରି ବିରକ୍ତ ଲାଗୁଥିଲା । ସହଜେ ତ ସକାଳୁ ଅଣନିଃଶ୍ବାସୀ ଥିଲା ତ ଝାଡିଦେଲା ଦେଈ କୁ -" ଦେଖ୍ ତୁ ଯେତିକି ରେ ରହିବା କଥା ସେତିକି ରେ ରହ ସକାଳୁ ମୁଣ୍ଡ ଖରାପ ଅଛି , ଆଉ ଅଧିକ ଗପିବୁ ଯଦି ବସେଇ ଦେବି ଗୋଟେ ଚଟକଣି କହି ଦେଉଛି ।"
" ଏକ୍ ଅଧିକା ଉଦ୍ଧତ ହୋଇ ଗଲୁଣି ତୁ... " ସୀମା ର ଏତିକି କଥା ଶେଷ ହୋଇଛି କି ନାହିଁ ଦୀପକ ବସେଇ ଦେଲା ଗୋଟେ ଚଟକଣି ତା ଗାଲରେ ।
-" ଚୁପ୍ ଚାପ୍ ଏଠୁ ଯାଆ କହୁଛି , କ'ଣ ଟା ତୁ କରୁଛୁ କହିଲୁ ଘରେ ଖାଇକି ଘରେ ରହିବା ଛଡା ? ଟ୍ରେଲର୍ ମେସିନ୍ ଚଲେଇ ଟିୟୁସନ କରୁଛୁ ବୋଲି ସମସ୍ତ ଙ୍କ ମୁରବୀ ଭାବୁଛୁ କି ନିଜକୁ ? ବାହାରକୁ କେବେ ଗୋଡ଼ କାଢି ଲୁଣୁ ?
ଏକ୍ ଶୁଣୁ ଆଜିଠାରୁ ମୋର କୈାଣସି କଥାରେ ତୁ ମୁଣ୍ଡ ଖେଳେଇ ବୁନୁ । ଯଦି ମୋ କଥା ଉପରେ କଥା କହିଥିବୁ କେବେ ମୋତେ ଚିହ୍ନିବୁ । ଚୁପ୍ ଚାପ୍ ଯା ଏଠୁ କହୁଛି । "
ସୀମା ଲୁହ ପୋଛି ପୋଛି ସେ ଘରୁ ଚାଲିଗଲା ।
ରାତିରେ ଦୀପକ ତା ପଢା ଟେବୁଲ୍ ପାଖରେ ଚିନ୍ତା ରେ ବସି ଭାବୁଥିଲା । ସେ କଣ ତା ସ୍ବପ୍ନ ସାକାର କରି ପାରିବନି ? ତା ପରିବାର ପାଇଁ ସେ କ'ଣ ସମର୍ଥ ମଣିଷ ଟେ ହୋଇ ପାରିବନି ? ହେଲେ ସେଥିପାଇଁ ତ ଟଙ୍କା ଦରକାର ହେଲେ ଏତେ ଟଙ୍କା କୋଉଠୁ ଆସିବ ...?
ଠିକ୍ ଏତିକି ବେଳେ ତା କାନ୍ଧରେ କାହା ହାତ ସ୍ପର୍ଶ ।
ବୁଲି ଚାହିଁଲା ସୀମା ଦେଈ ଠିଆ ହୋଇଛି ।
ତା ସାମ୍ନାକୁ ଆସି ଦୀପକ ହାତକୁ ବଢେଇ ଦେଲା ସୁନା ଚେନ୍ ଟି । ଯାହାକି ତା ବାହାଘର ପାଇଁ ବହୁ ଦିନ ଆଗରୁ କିଣି ରଖିଥିଲା ସେ । ଆଉ କିଛି ଟଙ୍କା ବି ଥିଲା ଯାହାକି ଟିୟୁସନ କରି ରଖିଥିବା ତାର ଜମା ପୁଞ୍ଜି ଥିଲା ।
ସୀମା ଦେଈ କହିଲା - " ଯାଆ ଡୋନେସନ୍ ଦେଇଦେ , ଆଉ ଦରକାର ପଡିଲେ କହିବୁ , ତୋ ଦେଈ ବଞ୍ଚିଛି ମରି ଯାଇନି । ମୋତେ ଲୁଚେଇ ଥିଲୁ ଏତେବଡ଼ କଥା ? "
-" ଦେଈ ଲୋ , ଆଜିଯାଏଁ ମୁଁ ତୋତେ ବୁଝି ପାରିଲିନି "
ସୀମା କହିଲା -" ଖାଲି ତୁ ନୁହଁ , ଦୁନିଆଁ ର କୋଉ ଭାଇ ବି ତାଙ୍କ ଭଉଣୀ କୁ ବୁଝି ପାରନ୍ତିନି ।"
ଦୀପକ ଆଖି ରେ ଲୁହ - " ଦେଈ ତୁ ତ ତୋର ଏ ଗଧ ହୁଣ୍ଡା ଭାଇ ଟାକୁ ସବୁ ଦେଇ ଦେଲୁ ତୋ ପାଖରେ ଆଉ କ'ଣ ଅଛି ? "
ସୀମା କହିଲା - "ମୋ ଭାଇର ଭବିଷ୍ୟତ "