ସନ୍ଧାନ
ସନ୍ଧାନ
କସ୍ତୁରୀ ଭଳି ସୁଖ ତକ ଆଉ ଆମେ
କସ୍ତୁରୀମୃଗ । କିନ୍ତୁ ନିଜ ଭିତରେ ସାଇତା କସ୍ତୁରୀର ସନ୍ଧାନ କରିବାର ସୌଭାଗ୍ୟ କେତେଜଣଙ୍କ ଭାଗ୍ୟରେ ଭଲା ?.......
ବର୍ଷା ଆଉ ଶୀତ ଉଭୟ ଯେବେ ବନ୍ଧୁତା ବାନ୍ଧନ୍ତି ଆମେ ସର୍ବାଧିକ ଦୁଃଖ ଭୋଗୁ , ଏତକ ଚିରାଚରିତ । ଶୀତ ଦିନର ବର୍ଷା ତେଣୁ ସବୁଠାରୁ ମାରାତ୍ମକ । ଏଲିନା କହୁଛି ନୂଆ ଗୋଟେ ଡ୍ରେସ୍ ତିଆରିବା ଜରୁରୀ ମାମା , 'ରେନ୍ କୋର୍ଟ ସ୍ବେଟର୍ ' ହଁ ଶୀତ ସହ ବର୍ଷା ଉଭୟ ପ୍ରକୋପ ରୁ ସୁରକ୍ଷା
ପାଇଁ ।
ଝିଅର ଅଭିନବ ଉଦ୍ଭାବନ ବିଷୟରେ ଘଡ଼ିଏ ଭାବିଲି ମନେ ମନେ । କାରରେ ବସି , ପୂରା ଦେହ ଗରମ ବସ୍ତ୍ର ରେ ନିବୁଜ କରି , ଲାଇଟ୍ ମ୍ୟୁଜିକ ତାଳରେ ଝୁମି ଝୁମି ବୁଲି ବାହାରିଥିବା ଝିଅର ଫର୍ମାଇସ। ରେନ୍ କୋର୍ଟ କେବେ ପିନ୍ଧିଥିଲା ଝିଅ ; ନା' ହୁଏତ କେବେ ନୁହେଁ !.......
ଅଲିଅଳରେ ବଢିଥିବା ଝିଅ , ନିଜର କାର ଆଉ ଡ୍ରାଇଭର ବ୍ୟବହାର କରୁଥିବା ଝିଅ ,
ସହରର ସବୁଠାରୁ ଦାମୀ ସ୍କୁଲରେ ପଢୁଥିବା ଝିଅ , କେବଳ ସିଙ୍ଗଲ ଡିଜାଇନର୍ ଡ୍ରେସ୍ ପିନ୍ଧୁଥିବା ଝିଅ , କେମିତି ଭାବି ପାରୁଛି ସାଧାରଣ ମଣିଷର ଶୀତ ଶୋକ ?
ଅନିତ୍ୟ କୁହନ୍ତି ଝିଅ ଆମର ଜୀବନକୁ ବିନ୍ଦାସ ଜୀଇଁବା ପାଇଁ ଆସିଛି । ତା' ପାଇଁ ପୃଥିବୀର ସମସ୍ତ ପ୍ରାଚୁର୍ଯ୍ୟ ଠୁଳେଇବାର ସାମର୍ଥ୍ୟ ରଖେ ଏଇ ଅନିତ୍ୟ ଚୌଧୁରୀ ।
ଅହଂକାର ମାନୀ ମଣିଷର ଅଳଙ୍କାର ।ସେଇଟା ମଣିଷର ଅସ୍ଥି ମଜ୍ଜାରେ । ଅନିତ୍ୟ ନିଜକୁ ଈଶ୍ୱର ହିଁ ଭାବନ୍ତି ବୋଧେ ।ଆବଶ୍ୟକତା ଠାରୁ ଢେର ଅଧିକ ଓଜାଡି ଦେବାରେ ତାଙ୍କର ବଡିମା । ମୋଟେ ବାସ୍ତବତା ସହ ସମ୍ପର୍କରେ ନଥାନ୍ତି ଅନିତ୍ୟ ।
ଜୀବନ ଗୋଟେ କ୍ଳିଷ୍ଟ ଗଣିତ । ଏଠି ହଜାରେ ଗାଣିତିକ ସୂତ୍ର ଲୋଡ଼ା ସମସ୍ୟା ସମାଧାନ ପାଇଁ । ଗୋଟେ ନିର୍ଦ୍ଦିଷ୍ଟ ଧାରା ରେ ଚାଲିଲେ କେବେ ସଫଳ ହେଇପାରିବ ନାହିଁ ମଣିଷ । ବୀଜଗଣିତ ଯେତିକି ମୂଲ୍ୟବାନ ପାଟି ଗଣିତ ବି ସେତିକି ।
ଏତକ ଠିକ ବୁଝେ ମୁଁ କିନ୍ତୁ ଅନିତ୍ୟ ଙ୍କୁ କିଏ ବୁଝେଇବ ରେ ବା ବା !...........
ଖଟା , ମିଠା , ପିତା , କଷା ପ୍ରତ୍ୟେକ ଅନୁଭୂତି ର ସଠିକ ଅନୁଭବ ଜରୁରୀ ଜୀବନକୁ ପୂର୍ଣ୍ଣ ପ୍ରାଣରେ ଜୀଇଁବା ପାଇଁ । ଜୀବନକୁ ବୁଝିବାକୁ ହେଲେ ତା'ର ପ୍ରତ୍ୟେକ
ଭାବଧାରା କୁ ସଠିକ ଭାବେ ବୁଝିବା
ଜରୁରୀ । ପ୍ରାଚୁର୍ଯ୍ୟର ପ୍ରାବଲ୍ୟ ବି ବିଷାଦର କାରଣ ହେଇପାରେ ।
ଏଇ ପ୍ରେରିପ୍ରେକ୍ଷୀରେ ମନେ ପଡନ୍ତି ପ୍ରଛନ୍ନ ଭାବେ ସିଦ୍ଧାର୍ଥ । ଶୁଦ୍ଧୋଦନ ଯଦି ସାଧାରଣ ଜୀବନ ଟେ ଦେଇଥାନ୍ତେ ତାଙ୍କୁ ତେବେ ହୁଏତ ଜରାଗ୍ରସ୍ତ ବ୍ୟକ୍ତି, ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ ଦେଖି ସେ ଗଭୀର ଦୁଃଖ ଅନୁଭବ କରିନଥାନ୍ତେ । ମାନୁଛି ସେ ସଂସାର ପ୍ରତି ବୀତରାଗ ଥିଲେ , ବିଳାସବ୍ୟସନ ପ୍ରତି ବିମୁଖ ଥିଲେ , ଐଶର୍ଯ୍ୟ ପ୍ରତି ଉଦାସୀନ ଥିଲେ କିନ୍ତୁ ଜୀବନ ପ୍ରତି ତ ନଥିଲେ । ଦେଇଥିଲେ ତାଙ୍କୁ ଉନ୍ମୁକ୍ତ ଜୀବନଟେ ହୁଏତ ସେ ସେଥିରେ ନିଜକୁ ହଜେଇ ରଖିଥାନ୍ତେ । କିନ୍ତୁ ତାଙ୍କୁ ଦିଆଗଲା ଏକ ସଙ୍କୁଚିତ ପୃଥିବୀ । ଦୁଃଖରହିତ , ଶୋକରହିତ , ବେଦନାଶୁନ୍ୟ ପୃଥିବୀ ।
ଚୀର ବସନ୍ତର ଅନୁଭବ ଯଦି ମିଳେ ତେବେ ବସନ୍ତର ମାଧୁର୍ଯ୍ୟ ମଧ୍ୟ ଫିକା ପଡିଯିବ ।
ଠିକ ସେଇ ଅନୁଭବ ମିଳିଥିବ ସିଦ୍ଧାଅର୍ଥଙ୍କୁ
ସେ ଆହୁରି ବିଷାଦ ଗ୍ରସ୍ତ ହେଇଥିବେ।ପ୍ରାଚୁର୍ଯ୍ୟ ଭିତରେ ରୁଦ୍ଧଶ୍ଵାସ ହେଇଥିବେ। ଆଉ ଯେବେ ପ୍ରଥମ ଥର ଦୁଃଖ ସହ ଭେଟ ହେଇଥିବ ସେ ସଂସାର ପ୍ରତି ଆହୁରି ଅଧିକ
ସଂଶୟ ଭିତରେ ପଡିଥିବେ ।
ମଣିଷକୁ ସୁସ୍ଥ ଜୀବନ ଜୀଇଁବାକୁ ହେଲେ ଗୋଟେ ସଠିକ ସନ୍ତୁଳନର ଆବଶ୍ୟକତା ରହିଛି । ସୁଖ , ଦୁଃଖ , ହସ , କାନ୍ଦ , ଅଭାବ , ବୈଭବ , ଏସବୁର ଫେଣ୍ଟା ଫେଣ୍ଟି ଭାବ ହିଁ ଜୀବନ ।
କିନ୍ତୁ ଅନିତ୍ୟ ହୁଏତ ବୁଝନ୍ତି ନାହିଁ । ଭାବି ପାରନ୍ତି ନାହିଁ ଝିଅକୁ ସମୃଦ୍ଧ କରିବାକୁ ହେଲେ ବାସ୍ତବତା ସହ ପରିଚିତ କରିବା ଜରୁରୀ । ଐକାନ୍ତିକ ଭାବେ ଝିଅ ଜୀବନର ଅନ୍ଧକାର ଦିଗ ସମ୍ପର୍କରେ ଜାଣିବା ଉଚିତ ।
କିଏ ଜାଣିଛି ଭବିଷ୍ୟତ .........
ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର।
ମୁଁ ଏଲିନା କୁ ନିରିଖେଇ ଦେଖିଲି । ଝିଅ କୁ ବାଧ୍ୟ କରି ସେଥିରେ ଆଣିଛି ଆଜି ବୁଲିବା ପାଇଁ । ସେ ମଲ୍ ଯାଇଛି , ପାର୍କ ଯାଇଛି , ପିକନିକ୍ ଯାଇଛି । ଏଭଳି ସ୍ଥାନ ଯେଉଁଠି କେବଳ ବ
ୈଭବ ଦେଖିଛି । ମଲ୍ ର ଗେମ୍ ଜୋନ୍ ରେ ହଜାର ହଜାର ଟଙ୍କା ଉଡେଇ ଦେଇ କ୍ଲାନ୍ତ ହେଇଛି । ପ୍ରତି ଦିନ ନୂଆ ଡିଜାଇନ ଡ୍ରେସ୍ କିଣିଛି । ଫ୍ରେଣ୍ଡ ମାନଙ୍କ ଉପରେ ବେଶ ଖର୍ଚ୍ଚ କରିଛି ।
ଖୁସି ରହିବା ଉଚିତ ଝିଅ । ତା' ପ୍ରତ୍ୟକ ଇଚ୍ଛା ପୂର୍ଣ୍ଣ ହେଇଉଥିବା ଅନୁଭବ ତାକୁ ସୁଖୀ କରିବା ଉଚିତ । କିନ୍ତୁ ସେ ବେଶ କିଛିଦିନ ହେବ ଭାରି ଅନ୍ୟମନସ୍କ , ବଡ଼ ଦୁଃଖି । ନିଜକୁ ଘରେ ନିବୁଜ କରି ରଖିଛି । ନା' ହସ ନା' କାନ୍ଦ କୌଣସି ଭାବ ନାହିଁ ତା' ଆଖିରେ । ସେଇ ଚଳଚଞ୍ଚଳ ଝିଅଟି ହଜି ଯାଇଛି କେଉଁଠି । ତେଣୁ ଆଜି ମୁଁ ତାକୁ ନିଜ ସହ ଘରୁ ବାହାର କରି ଆଣିଛି ।
" ଏଲିନା ବେଟା କୁଆଡେ ଯିବା ଆଜି ?''
--'' ପ୍ଲିଜ ମାମା ଆମେ ଆଜି ବସ୍ତି ଯିବା ।''
-- '' ଆଛା ଠିକ ଅଛି ଯିବା ।
-- '' ଓଃ ! ମାମା ରିଆଲି ଆମେ ଯିବା ?''
--'' ୟେସ୍ ।.........
ମୋ ସମ୍ମତି ତା' ଭିତରର ବିଷାଦକୁ ଦୁରେଇ ଦେଇଛି ଯେମିତି ସକାଳର ଅରୁଣାଭ ଅନ୍ଧକାର କୁ ପରାହତ କରିଦିଅନ୍ତି।
ଝିଅ ଆଜି ଆସିଲା ବେଳେ ବସ୍ତି ଦେଖିବାର ଇଚ୍ଛା କରିଛି । ବସ୍ତି .......
କିନ୍ତୁ ବସ୍ତି କ'ଣ ଗୋଟେ ଦର୍ଶନୀୟ ସ୍ଥାନ ?..
ମୁଁ ସକାଳୁ ଏଇ ପ୍ରଶ୍ନ ସହ ଧନ୍ଦି ହେଉଛି । ଆଉ ଏବେ ମୋତେ ଲାଗୁଛି ମୁଁ ଝିଅକୁ ବୁଝିବାକୁ ଅସମର୍ଥ । ମୁଁ ଚିହ୍ନି ନାହିଁ ଏଲିନା ଭିତରର ମଣିଷକୁ । ଝିଅକୁ କ'ଣ ଭଲ ଲାଗେ , କ'ଣ ପସନ୍ଦ ଲାଗେ , କ'ଣ ଖରାପ ଲାଗେ ମୁଁ ଜାଣିନି । ମୁଁ ଧରି ନେଇଛି ସେ ସୁଖୀ ବୋଲି ଆଉ ଅନିତ୍ୟ ଧରି ନେଇଛନ୍ତି ସେ ଝିଅକୁ ଦୁଃଖଠୁ ବେଶ ଦୂରରେ ରଖିଛନ୍ତି ବୋଲି ।
ଝିଅ ସାରା ରାସ୍ତା ଗପୁଛି ପ୍ରଗଳ୍ଭ ହେଇ । ଏତେ କଥା କେବେ ମୁଁ ହେଇନି ତା' ସହ ଜୀବନ ଯାକ ହୁଏତ । ଝିଅ ମୋତେ ଗୋଟେ ନିର୍ଦ୍ଦିଷ୍ଟ ଗୋଷ୍ଠୀ କଥା କହୁଛି । ସେଇ ଗୋଷ୍ଠୀ ଯିଏ ବସ୍ତି ରେ ରୁହନ୍ତି , ଯେ ମୁଠେ ଚାଉଳ ପାଇଁ ଥରିଲା ଶୀତ ରେ ବର୍ଷା ସହ ଲଢନ୍ତି , ଯେ ବିପିଏଲ କାର୍ଡ ପାଇଁ
ହାତାହାତି ହୁଅନ୍ତି , ଦାରିଦ୍ର୍ୟ ଭିତରେ ଜନ୍ମ ନେଇ ଅନ୍ଧକାର ଭିତରେ ହଜିଯାଆନ୍ତି ।
ସେଇ ମାନଙ୍କ ପାଇଁ 'ରେନ୍ କୋର୍ଟ ସ୍ବେଟର୍' ଲୋଡୁଛି ଝିଅ । ମୁଁ ଅନୁଭବ କରୁଛି ଗୋଟେ ନୂଆ ସମ୍ଭାବନା ଝିଅ ଭିତରେ । ମୋର ନିଜସ୍ଵ ଚେତନାର ଅବଧାରଣ ଝିଅ ଭିତରେ ।
ଝିଅବି ମୋର କ'ଣ ମୋ ଭଳି ପ୍ରାଚୁର୍ଯ୍ୟ ଭିତରେ ରୁଦ୍ଧଶ୍ଵାସ ହେଇ ମୁକ୍ତିର ସନ୍ଧାନ ରେ ??.......
********************
କେବଳ ଝିଅ ନୁହେଁ ମୁଁ ମଧ୍ୟ କେବେ ବସ୍ତି ଭିତରକୁ ଯାଇନି । ଦେଖିଛି ଡିଆସିଲ ଖୋଳ ଭଳି ଘର ଗୁଡିକୁ ଦୂରରୁ । ଲାଗନ୍ତି ମେଞ୍ଚେ ଆବର୍ଜନା ଭଳି ଆଖିକୁ । ଗୋଟେ ତୀବ୍ର ଦୁର୍ଗନ୍ଧ ର ଠିକଣା ସେଠି । ବେଜାଏ ଅସୁସ୍ଥତା ର ସମାବେଶ ସେଠି ।
ମୁଁ ବସ୍ତି ପିଲାଙ୍କୁ କୋଳେଇ ନେଇ ଫଟୋ ଟେ ଉଠେଇ ପାରେ ସମାଜସେବୀ ହିସାବରେ କିନ୍ତୁ ସେମାନଙ୍କ ସହ ଏକାତ୍ମ ହେବାର ଇଚ୍ଛା ଟେ ପାଳି ପାରେନା
ଭିତରେ । ସେମାନଙ୍କ ସ୍ଥାନ ଆମ ପୃଥିବୀରୁ ବେଶ ଦୂରରେ ।
କିନ୍ତୁ ଝିଅ କାର ରୁ ଓହ୍ଲାଇ ଧାଇଁଗଲା ଗୋଟେ ନିର୍ଦ୍ଦିଷ୍ଟ ଘର ଦିଗରେ । ମୁଁ ଝିଅ ଭଳି ଧାଇଁ ଯିବାର ବୟସରେ ନଥିଲି । ରହିଗଲି ବେଶ ପଛରେ ।
ଝିଅ ଥରେ ବୁଲି ଦେଖିଲା ଆଉ ହାତ ଠାରି ଦୌଡ଼ିବା ପାଇଁ କହିଲା । ମୁଁ ପ୍ରଥମେ ସଂକୋଚ କଲି ଆଉ ଜାଣିନି କେତେବେଳେ ନିଜେ ମଧ୍ୟ ଦୌଡ଼ ଲଗେଇଦେଲି । ଏଇ ବୟସର ଦୌଡ଼ ରୋମାଞ୍ଚକର ଲାଗିଲା ଆଉ ବେଶ ଫୁର୍ତ୍ତି ଭରିଲା । ମୋ ମୋର୍ଣ୍ଣିଙ୍ଗ ଜଗିଙ୍ଗ
ଠାରୁ ଢେର ଅଧିକ ରିଫ୍ରେସିଂ ଥିଲା ଏଇ ଅଭିଯାନ ।
ଆମେ ପହଂଚିଲୁ ଗୋଟେ ଛୋଟ କୁଡ଼ିଆ ପାଖରେ । ଝିଅ ଘର ବାହାରୁ ଜୋରରେ ଡାକ ଦେଲା , '' ଆଈ ..........
ମୋ ଆଶ୍ଚର୍ଯ୍ୟ ହେଲି , ମମି କୁ ମୁଁ ମଧ୍ୟ ଦେଖିନି । ସେ ମୋ ପିଲାବେଳୁ ଆମକୁ ଛାଡି ଚାଲିଯାଇଥିଲା । କିନ୍ତୁ ଝିଅ ଆଜି ନିଜ ପାଇଁ ଆଈ ଟେ ଯୋଗାଡ଼ି ନେଇଛି । ମୋ ଆଖି ଦୁଇଟା ଲୁହ ଟଳମଳ ହେଇଗଲା ।
ଜଣେ ହସକୁରି ବୁଢ଼ୀ ମାଉସୀ ଘର ବାହାରକୁ ଆସି ଝିଅକୁ କୋଳେଇ ନେଲେ ।ଝିଅ ଏବେ ବେଶ ସୁଖୀ ଥିଲା । ମୋତେ ଆଈ କଥା ପ୍ରଗଳ୍ଭ ହେଇ କହୁଥିଲା । ମୁଁ କିନ୍ତୁ ସିଦ୍ଧାର୍ଥ ଙ୍କୁ ଦେଖୁଥିଲି । ଖୁସି ହେଉଥିଲି ଯେ ମୁଁ ତାଙ୍କୁ ମୁକ୍ତ ଜୀବନଟେ ଦେଇପାରିଛି ।