Sunanda Mohanty

Others

3.3  

Sunanda Mohanty

Others

ସ୍ମୃତି ଅନୁଭୁତି

ସ୍ମୃତି ଅନୁଭୁତି

2 mins
190



ତିଥି ଓ ତାରିଖ ଉଭୟ ମିଳାଇ ମୋ ଜେଜେ ମାଆଙ୍କର ଶ୍ରାଦ୍ଧ ସବୁବେଳେ ନବଯୌବନ ଦର୍ଶନରେ, ପଡ଼ିନଥାଏ ସତ, ହେଲେ, ସେ ଚତୁର୍ଦ୍ଧାଙ୍କର ନବଯୌବନ ଦର୍ଶନ କରିବାକୁ ଯାଇ ଗହଳିରେ ପଡି ଦଳାଚକଟାର ଶୀକାର ହେବା ପରେ ପରେ ଚାଲିଯାଇଥିଲା ସ୍ୱର୍ଗକୁ କି ନର୍କକୁ ମୁଁ ଜାଣେନା, ହେଲେ, ତାର ପ୍ରତିଟି ଦିନିକିଆ ଶ୍ରାଦ୍ଧରେ, ବାପାଙ୍କ କଇଁ କଇଁ କାନ୍ଦ, ନିଶ୍ଚୟ ତା ଆତ୍ମାକୁ ସ୍ୱର୍ଗକୁ ବାଟ କଢ଼େଇଥିବ ବୋଲି, ଏବେ ଏବେ ଉତ୍ତୋରତ୍ତର ବୟସରେ ମନେ ହୋଇ ମୋର ସେମିତି କିଛି ହୁଅନ୍ତାନି, ବୋଲି ମୋର ବି କାହିଁ ଇଚ୍ଛା ହୁଏ। ହେଲେ ଯାହା ଭାଗ୍ୟରେ ଯାହା ଲେଖା ଥିବ ଭାବି, ନବଯୌବନ ଦର୍ଶନ ପାଇଁ ବାହାରି ପଡ଼ିଲି ଏକା ଏକା।

  ସତରେ ଭାରି ଗହଳି। ଧାଡ଼ିରେ ଠିଆ ହୋଇ ହୋଇ ଅଧା ପ୍ରାଣ ଗଲାଣି ପୁଣି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଭିଡରେ ଦେଖିପାରିବା ଜମା ସମ୍ଭବ ହେଲାନି, ଯେତେଥର ଚେଷ୍ଟା କଲି, ସେତେଥର ଭିଡି ହୋଇ ଏପଟ ସେପଟ ହେବା ପରେ ପରେ ସିଧା ଆସି ଗରୁଡ ସ୍ତମ୍ବ ପାଖେ।

  ମନ ଟିକେ ଖୁସି ହେଲା ଯା ହେଉ ଦର୍ଶନ ସିନା ହେଲାନି କିନ୍ତୁ ଗରୁଡ ସ୍ତମ୍ବକୁ କୁଣ୍ଢେଇ ମନ ଶାନ୍ତି କରିପାରିବି, ତେଣିକି ଚିପି ହୋଇ ଜୀବନ ଗଲେ ଯାଉ। ମୁଁ ନିଜେ ଚିପି ହେବି କଣ, କାହାକୁ ଚିପି ପକେଇଲି, କୋମଳ ଲାଗିଲା ଭାରି, ଭିଡ଼ରେ ନଇଁ ପଡ଼ି ଦେଖିଲି, ଛୋଟ ଶିଶୁଟିଏ। କୋମଳ ପାଦରେ ପାଉଁଜି ଛମ୍ ଛମ, ଗରୁଡସ୍ତମ୍ବକୁ କୁଣ୍ଢେଇ ଚତୁର୍ଦ୍ଧାଙ୍କୁ ବା ଜଗାଙ୍କୁ ଦେଖିବି କଣ, ପିଲାଟିକୁ କୁଣ୍ଢେଇ, ଟେକି ଧରିଲି। କାହାର ଏ ପିଲା ନିଅ, ଗହଳିରେ ଚିପି ହେଇଯିବ ବୋଲି ଡାକ ଛାଡିଲି ଆତୁରରେ। କେହି ଶୁଣୁନଥିଲେ, ତ ପିଲାଟିକୁ ଜାବୁଡ଼ି ଧରି, କୌଣସି ମତେ ବାହାରକୁ ଆସି କାହାର ପିଲା ତାକୁ ହସ୍ତାନ୍ତର କରିବି ଭାବୁଛି, ପିଲାଟି, ଛାଟିପିଟି ହେଲା, ମତେ ଛାଡ, ମୋର ଗହଳିରେ କାମ। ଆରେ ବାବା ଚିପି ଦେବେ ଧନ କହି ବାହାରକୁ ଆସି ଦେଖେ ପିଲାଟି ନାହିଁ, ହାତରେ ତୁଳସୀ ମାଳ ସହ ଚନ୍ଦନ। ଦେହ ଶିହିରି ଉଠିଲା। ତନ୍ମୟ କଟିଲା ବେଳକୁ ବୁଝିବାକୁ ବାକି ନଥିଲା, ସେ ଅପୂର୍ବ ଶିହରଣ ଓ କୋମଳ ଶରୀରର ସ୍ପର୍ଶ।

  ସେକଥା ଭୁଲି ନଥିବା ବେଳେ, ରଥଯାତ୍ରା ସରି ଗୁଣ୍ଡିଚା ମନ୍ଦିରରେ ନବମୀ ଦର୍ଶନକୁ ଚାଲିଲି। ସେ ଅପୂର୍ବ ଶିହରଣ ସ୍ମୃତି ଅନୁଭୁତି ଭୁଲି ନଥାଏ। ଗୁଣ୍ଡିଚା ମନ୍ଦିର ବି ଭିଡ ତଦୃପ, ତଥାପି ଧାଡ଼ିରେ ଠେଲି ହୋଇ ସିଧା ରତ୍ନବେଦୀ ପାଖରେ। ହେଲେ ଏ କାହାକୁ ମୁଁ ଦେଖୁଛି, କି ମାୟା ପ୍ରଭୁ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଯାହାଙ୍କୁ ଚାହୁଁଛି, ତାଙ୍କ ଭିତରେ ସେହି ପିଲାଟି ନାଚୁଛି, ମୋତେ ଦେଖି ହସୁଛି। ମୁଁ ଚେତା ହରାଇବା ପୂର୍ବରୁ ଭାବିଲି ପ୍ରଭୂ ନର୍କ ଯନ୍ତ୍ରଣାରୁ ପାରିକର। ହେଲେ ନିଜକୁ ପୁଅ କୋଳରେ ଆବିଷ୍କାର କଲି ହସ୍ପିଟାଲରେ, ତ ସେ କହୁଥିଲା,କୋଉ ଦିନଠୁ ତୋର ଏତେ ଭକ୍ତି ଆସିଲା ଯେ ଏତେ ଗହଳିରେ ଯାଇଥିଲୁ, ତାକୁ ଉତ୍ତର ଦେବି କଣ ପୁଅ ଭିତରେ ବି ଦେଖୁଥିଲି ସେହି ଛୋଟ ବାଳକକୁ। ପୁଣି ଚେତା ହରାଇବା ପୁର୍ବରୁ ମୋ ପୁଅକୁ ଡାକୁଥିଲି ଧନ ମୋ ବଳିଆ କିରେ।



Rate this content
Log in