Minakshi Samal

Others

2  

Minakshi Samal

Others

*** ସମ୍ପର୍କର ସେତୁ ***

*** ସମ୍ପର୍କର ସେତୁ ***

4 mins
588


"ଘରର ବଡବୋହୁ ହେଲୁ । ସମସ୍ତଙ୍କ ମନ ନେଇ ଚଳିବୁ । ହାତ ସଦାବେଳେ ଉପରେ ରଖି ଯିଏ ଯାହା ମାଗିବ ଦବୁ । ତୁ ସମସ୍ତଙ୍କୁ ଦେଲେ ଭଗବାନ ତତେ ଦେବେ । ତୋର ଶ୍ୱଶୁର ଯେତେବେଳେ କଲିକତାରେ କାମ କରୁଥିଲେ ଗାଁ କୁ ଆସିବା ସମୟରେ ବସ୍ତା ବସ୍ତା ଜିନିଷ ଘରକୁ ଆଣି ଆସୁଥିଲେ । ସବୁ ବନ୍ଧୁ ବାନ୍ଧବ ଖୁସିରେ ତୋ ଶ୍ୱଶୁରଙ୍କ ଗୁଣଗାନ କରୁଥିଲେ । ଆମ ପରେ ତୁ ବି ସେମିତି ଦିଆନିଆର ପ୍ରଥାକୁ ଅକ୍ଷୁର୍ଣ୍ଣ ରଖିବୁ".........................


ସଲୋନୀର ଶାଶୁ ସବୁବେଳେ ଏଇ ଗୋଟିଏ କଥା ଶୁଆ ଭଳି ତାକୁ ଶୁଣାନ୍ତି । ପ୍ରତ୍ୟକ୍ଷ ଭାବେ ସେ ନିଜେ ଦେଖିଛି ଶାଶୁ ଏକ ଯୌଥ ପରିବାରର ବଡବୋହୁ ହିସାବରେ କେତେ ସ୍ୱାର୍ଥତ୍ୟାଗ କରନ୍ତି । ତିରିଶ ଜଣିଆ ପରିବାରରେ ବନ୍ଧୁ ବାନ୍ଧବ ପ୍ରାୟ ପ୍ରତିଦିନ ଲାଗିଥାନ୍ତି । ସମସ୍ତଙ୍କ ମନନେଇ ଚଳିବା ତାଙ୍କର ଗୁରୁମନ୍ତ୍ର ପରି ଥିଲା । ଭଲ ଶାଢୀଟିଏ ପିନ୍ଧିଥିଲେ ତାଙ୍କର ନଣନ୍ଦ ବା ଯା' ବା ଝିଆରୀଙ୍କୁ ଯଦି ଭଲ ଲାଗିଲା ତେବେ ସେ ସେମାନଙ୍କୁ ଦେଇଦିଅନ୍ତି । ଖାଇବା ସମୟରେ ପୁତୁରା ଝିଆରୀ ଭଲ ଭଲ ଜିନିଷ ହେଇଥିଲେ ତାଙ୍କରି ଥାଳି ପାଖରେ ପୁଣିଥରେ ବସିପଡନ୍ତି ଏବଂ ସଲୋନୀର ଶାଶୁ ଖୁସିରେ ସେମାନଙ୍କୁ ଖୁଆଇ ଦିଅନ୍ତି । ଯୁଆଡେ ଯାଆନ୍ତି ସାଙ୍ଗରେ ଜଣେ ଦୁଇଜଣ ପୁତୁରା ଝିଆରୀଙ୍କୁ ନେଇକରି ଯାଆନ୍ତି । ନିଜେ କେବେ କୌଣସି ଜିନିଷରେ ଦାବୀ କରିବାର ସଲୋନୀ ଶାଶୁଘରକୁ ଆସିବା ଦିନଠୁଁ ଦେଖିନି । ସମସ୍ତେ ବଡବୋଉ (ସଲୋନୀର ଶାଶୁ)ବୋଲି ପାଣି ପିଅନ୍ତିନି । ଶାଶୁ ମଧ୍ୟ ପ୍ରଶଂସା ପାଇବା ପାଇଁ ଖୁବ ପାଗଳ ପରି ହୁଅନ୍ତି । 


ନିଜ ଘରେ ନିଜ ବୋଉକୁ ସେ ଦେଖିଛି । ସେ ବି ଶାଶୁଘରେ ବଡବୋହୁ ଥିଲେ । ତାଙ୍କୁବି ଶାଶୁଘର ପାଇଁ ସ୍ୱାର୍ଥତ୍ୟାଗ କରିବାର ଦେଖିଛି । ନିଜର ନଣନ୍ଦମାନଙ୍କ ବାହାଘର ବେଳେ ବାପଘରୁ ଆଣିଥିବା କଂସା ପିତଳ ବାସନ ଓ ଗହଣା ଗାଣ୍ଠି ସବୁ ଅକୁଣ୍ଠ ଚିତ୍ତରେ ଦେଇଦେବାର ଦେଖିଛି ସଲୋନୀ । 


ଏ ଦୁଇଟି ଯାକ ଘଟଣାରେ ସଲୋନୀ ଲକ୍ଷ୍ୟ କରିଛି ଯେ ବଡ ବୋହୁମାନଙ୍କ ଉପରେ ପରିବାରର ସଦସ୍ୟମାନଙ୍କର ଖୁବ ଦାବି, ଘରର କିଛି କାମରେ ବଡ ପୁଅ ବୋହୁଙ୍କୁ ଉପବାସ ରହି କର୍ମ ଧରିବାକୁ ପଡିଥାଏ । ଶାଶୁଘର ବାଡିପଟେ ଯେଉଁ କୁଅଟି ଅଛି ସେଇଟି କୁଆଡ଼େ ଖୋଳା ହେଲାବେଳେ ବଡବୋହୁ ହିସାବରେ ଶାଶୁଙ୍କୁ ୨୧ ଦିନ ହବିଷରେ ରହିବାକୁ ହୋଇଥିଲା । ନିଜର ଶାଶୁ ଶ୍ୱଶୁରଙ୍କ ଅସ୍ଥିକୁ ନେଇ ତ୍ରିବେଣୀ ସଙ୍ଗମରେ ବିସର୍ଜନ କରିବାକୁ ପଡିଥିଲା ତା'ର ଶାଶୁ ଶ୍ୱଶୁରଙ୍କୁ । 


ସଲୋନୀ ଏକଥା ବି ଲକ୍ଷ୍ୟ କରିଛି ଯେ ଦାଦା ଶ୍ୱଶୁର ବା ଖୁଡିଶାଶୁମାନେ ଘରର କୌଣସି ବିଷୟରେ ମୁଣ୍ଡ ପୁରାନ୍ତିନି । ନିଜ ଘରେ ମଧ୍ୟ ସେଇକଥା ସେ ଲକ୍ଷ୍ୟ କରିଥିଲା । ବେଭାର ଦେବାର ଚିନ୍ତା ତା’ ବାପା ବୋଉଙ୍କ ଉପରେ ଲଦା ଯାଉଥିଲା । ବାପା ବଡପୁଅ ଥିବାରୁ ସମସ୍ତଙ୍କର ଦାୟିତ୍ୱ ନେଇଥିଲେ । ଗାଁରୁ ଗୋଟିଏ ଦିନ ମଧ୍ୟ ଚାଉଳ, ମୁଗ, ବିରି, ଚିନାବାଦାମ କିଛି ବି 

ଆଣନ୍ତିନି । ବରଂ ଗାଁକୁ ଗଲାବେଳେ ଚାଉଳ ବସ୍ତା କିଣି ଟ୍ରକ ପଛରେ ଲଦି ସେଠାରେ ଦେଇ ଆସନ୍ତି । ଏ ପର୍ଯ୍ୟନ୍ତ ବି ଦାଦା ଓ ପିଉସୀମାନେ ବାପାଙ୍କ ପାଖରେ ସବୁ ଜିନିଷ ଦାବି କରନ୍ତି । ସହରରେ ରହୁଥିବାରୁ ବାପାଙ୍କର କାଳେ କୌଣସି ଅସୁବିଧା ନ ଥାଏ । 


ସଂସାରର ଏ ନିୟମ ସଲୋନୀକୁ ବଡ ଅଜବ ଲାଗେ । ଡେଙ୍ଗା ମୁଣ୍ଡରେ ଠେଙ୍ଗା ପାହାର ଲୋକୋକ୍ତିଟି ଶୁଣି ତା’ର ଯଥାର୍ଥତା ନିଜଘରେ ଓ ଶାଶୁଘରେ ପ୍ରତିପାଦିତ ହେବାର ସେ ଦେଖେ । ଏଥର ତା’ ନିଜର ପାଳି । 


ସହରରେ ବଢିଛି ସେ । ଗାଁ ଲୋକମାନେ ସହରୀ ଝିଅଙ୍କୁ କୁଆଡ଼େ ପସନ୍ଦ କରନ୍ତିନି । ବାର ଉଲୁଗୁଣା ଦିଅନ୍ତି । କଥା କଥାରେ ଘରଭାଙ୍ଗି, ଉପରମୁହିଁ ଏବଂ ଅନେକ କିଛି ବିଶେଷଣର ବ୍ୟବହାର କରନ୍ତି । 


ଦୁଇ ଜାଗାରେ ଚଳଣୀର ବିରାଟ ବଡ ଫରକ ଦେଖିବାକୁ ମିଳେ । 


ବାହାଘର ସରିବାର ପନ୍ଦର ଦିନ ପରେ ସ୍ୱାମୀ ସନତ ନିଜର କାର୍ଯ୍ୟସ୍ଥଳୀ ବରଗଡ ଚାଲିଗଲେ । ଶାଶୁ, ଶ୍ୱଶୁରଙ୍କ ଗୋଟିଏ ବୋଲି ପୁଅ ସନତ । ମା ବାପାଙ୍କର ଦେଖା ଶୁଣା କରିବା ପାଇଁ ସଲୋନୀକୁ ଛାଡି ଗଲେ ସେ । ଯିବାବେଳେ କଥା ଦେଇ ଯାଇଥିଲେ ଆସନ୍ତା ଥର ତାକୁ ସାଙ୍ଗରେ ବରଗଡ ନେଇଯିବେ । ଗାଁର ପରିବେଶ ସହିତ ଖାପ ଖୁଆଇ ଚଳିବାକୁ ଅନୁରୋଧ କରିଥିଲେ ସଲୋନୀକୁ । ସବୁକଥାରେ ହଁ ମାରିବା ଛଡା ନାଁ କରିବାର ଯୁ' ନଥିଲା ସଲୋନୀର । 


ବାପା ବୋଉଙ୍କୁ କଥା ଦେଇ ଆସିଛି ସବୁବେଳେ ସମସ୍ତଙ୍କ ମନନେଇ ଚଳିବ । ସ୍ୱାମୀଙ୍କୁ କଥା ଦେଇଛି ଶାଶୁ ଶ୍ୱଶୁରଙ୍କ ଯତ୍ନ ନେବ ବୋଲି । ତେଣୁ ମୁହଁରେ ତାଲା ଲଗାଇ ଦେଇ ଓଲେଇ ଗାଈଟିଏ ହୋଇଗଲା ସେ । 


ସାରା ଦିନ କେହିନା କେହି ନୂଆବୋହୁକୁ ଦେଖିବାକୁ ଆସୁଥିଲେ । ତା'ର ଆଲମିରା, ସୁଟକେଶ, ବାସନ ବାକ୍ସ ସବୁକିଛି ତନ୍ନ ତନ୍ନ କରି ଖେଳେଇ ଦେଖୁଥିଲେ ଓ ନିଜ ନିଜର ମନ୍ତବ୍ୟ ଦେଉଥିଲେ । ସମସ୍ତଙ୍କ ମୁଣ୍ଡ କୁଣ୍ଡେଇ ଦେବାକୁ, ନେଲପଲିସ ଲଗାଇବାକୁ ନଚେତ ବଡ ହୋଇଥିଲେ ପାଦରେ ଅଳତା ଲଗାଇବାକୁ ପଡୁଥିଲା । ଏସବୁ ମଫସଲ ଅଞ୍ଚଳର ନିୟମ । ମୁହଁ ବନ୍ଦ କରି କରିଯାଉଥିଲା ସେ । ରୋଷେଇ ବାସ କରିବାକୁ ତାକୁ ଦିଆଯାଉ ନଥିଲା । ଶାଶୁଙ୍କ ସହିତ ଅନ୍ୟ ଚାରିଜଣ ଖୁଡି ଶାଶୁ ମିଶିକରି ସେସବୁ କାମ ତୁଲାଉଥିଲେ । 


ଦୁଇ ମାସ ପରେ ସଲୋନୀର ଶ୍ୱଶୁରଙ୍କର ହଠାତ୍ ଖୁବ୍ ଅଣ୍ଟା ବ୍ୟଥା ହେଲା । ଏତେ ଯନ୍ତ୍ରଣା ଯେ ତାକୁ ସହିବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡିଲା । ଦାଦାଶ୍ୱଶୁରମାନେ ତାଙ୍କୁ ନେଇ ଭୁବନେଶ୍ୱର ୟୁନିଟ ୬ ସରକାରୀ ହାସପାତାଳରେ ଆଡମିଟ୍ କରାଇଲେ । ଅନେକ ପ୍ରକାର ଟେଷ୍ଟ ହେଲାପରେ ଜଣାପଡିଲା ଯେ ତାଙ୍କର ସ୍ପାଇନାଲ କର୍ଡରେ କିଛି ଅସୁବିଧା ଅଛି । ଟ୍ରାକ୍ସନ୍ ତଥା ଅନ୍ୟାନ୍ୟ ଚିକିତ୍ସା ପ୍ରଣାଳୀର ବ୍ୟବହାର ଦ୍ୱାରା ତିନି ମାସ ପରେ ସୁସ୍ଥ ହୋଇ ଶ୍ୱଶୁର ଘରକୁ ଫେରିଲେ । ଏ ଭିତରେ ସନତ ଚାରିଥର ଆସି ନିଜ ପିତାଙ୍କୁ ଦେଖା କରି ଯାଇ ସାରିଥିଲେ । ଶ୍ୱଶୁରଙ୍କ ଏପରି ଅବସ୍ଥାରେ ସଲୋନୀକୁ ସାଙ୍ଗରେ ନେବା ସମ୍ଭବ ନଥିଲା । ମନପ୍ରାଣ ଦେଇ ଶ୍ୱଶୁରଙ୍କ ସେବା କରି ଚାଲିଥିଲା ସେ । 


ଧୀରେ ଧୀରେ ଶ୍ୱଶୁର ଠିକ ହୋଇ ଆସିଲେ । ଗୋଟିଏ ଦିନ ସବୁ ଭାଇମାନେ ବସି କଥା ହେଉଥିବାର ଶୁଣିଲା ସଲୋନୀ । ଦାଦାଶ୍ୱଶୁରମାନେ ଶ୍ୱଶୁରଙ୍କ ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ହୋଇଥିବାର କହୁଥାନ୍ତି । ଶ୍ୱଶୁର ମୁଣ୍ଡ ପୋତି ସବୁ ଶୁଣି ସାରିବା ପରେ କହିଲେ.....ହଉ , ଯେତେ ସବୁ ଖର୍ଚ୍ଚ ହୋଇଛି ସେ ସବୁର ଚିଠାଟି ଦିଅ । ସନତ ଆସି ଏସବୁର ଫଇସଲା କରିବ । ତୁମେମାନେ ଏତେ ବ୍ୟସ୍ତ ହେବା ଦରକାର ନାହିଁ । 


ଏଇ ଘଟଣାଟି ସଲୋନୀ ମନରେ କିନ୍ତୁ ଗଭୀର ରେଖାପାତ କରିଥିଲା । ତା’ର ଅନ୍ତରାତ୍ମା ବିଳାପ କରିବାକୁ ଆରମ୍ଭ କରିଥିଲା । ଯେଉଁମାନଙ୍କ ପାଇଁ ମଣିଷ ନିଜର ସର୍ବସ୍ୱ ତ୍ୟାଗ କରେ ସେମାନେ ସମୟ ପଡିଲେ ଖର୍ଚ୍ଚର ହିସାବ କେମିତି କରିପକାନ୍ତି ପ୍ରିୟଜନଟି ପାଇଁ????


ଶାଶୁଙ୍କୁ ମନକଥା କହିବାର ମୌକା ପାଉନଥିଲା ସେ । କିନ୍ତୁ ଭିତରେ ଭିତରେ ଅଣନିଃଶ୍ୱାସୀ ହୋଇପଡୁଥିଲା । ସମ୍ପର୍କର ସୂକ୍ଷ୍ମ ଜାଲଟି ଏତେ ଅଡୁଆ ତଡୁଆ ଏକଥା ଧୀରେ ଧୀରେ ତା’ର ହୃଦବୋଧ ହେଉଥିଲା । 


ଦିନେ ଖରାବେଳେ ଶାଶୁଙ୍କୁ ଏକୁଟିଆ ପାଇ ସଲୋନୀ କହିଲା......କିଛି ମନେ କରିବେନି ବୋଉ, ଆପଣମାନେ ଘର ପାଇଁ ଏତେ ସ୍ୱାର୍ଥ ତ୍ୟାଗ କରୁଛନ୍ତି କିନ୍ତୁ ଦାଦାମାନେ ବାପାଙ୍କ ଦେହ ଖରାପ ବେଳର ଖର୍ଚ୍ଚକୁ ନେଇ ଯେଭଳି ବ୍ୟସ୍ତ 

ହୋଇପଡିଲେ । ଏକଥା କ'ଣ ଠିକ ଥିଲା ? ଶାଶୁ କିନ୍ତୁ ତା’ର ଏ ପ୍ରଶ୍ନରେ ବିଚଳିତ ହେଲେନି । କହିଲେ....ଏଇଟା ତ ଖୁବ ସାଧାରଣ କଥା । ଏଥିରେ ଏତେ ମୁଣ୍ଡ ଖେଳାନା ମା' ।  


ମୁଣ୍ଡକୁ ଆଉଁଷି ସଲୋନୀ ରହିଗଲା । ଆଉ ଅଧିକ କିଛି କହିବାକୁ ଚାହିଁଲାନି ସେ । ଶାଶୁଙ୍କର ଛୋଟ ଉତ୍ତରଟି ସଂସାରରେ ସମ୍ପର୍କର ସେତୁବନ୍ଧ ବାନ୍ଧିବାର ଯେ ଗୁଣ୍ଡୁଚିମୂଷାର ପ୍ରୟାସ ଏକଥା ତା’ର ହୃଦୟଙ୍ଗମ ହେଲା । ସମ୍ପର୍କର ଡୋରିକୁ ମଜବୁତ କରିବାର ପ୍ରୟାସରେ ଲାଗିଗଲା ସେ । 



Rate this content
Log in